ନାରାୟଣ ସ୍ୱାମୀ ସରକାରଙ୍କ ଇସ୍ତଫା, ପୁଡୁଚେରୀ ବି କଂଗ୍ରେସ ହାତରୁ ଗଲା
ପ୍ରସାଦ ରାଓ
୨୨ ଫେବୃୟାରୀ
ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ୱାମୀ ଓ ତାଙ୍କ କ୍ୟାବିନେଟ୍ ଆଜି ରାଜ୍ୟ ଲ୍ୟୁଟିନାଂଟ ଗଭର୍ଣ୍ଣର (ଏଲଜି)ଙ୍କୁ ଭେଟି ଇସ୍ତଫାପତ୍ର ଦେବା ଫଳରେ ଆଉ ଗୋଟିଏ ରାଜ୍ୟ ଭାରତୀୟ ଜାତୀୟ କଂଗ୍ରେସ ହାତରୁ ଚାଲି ଯାଇଛି । ରାଜ୍ୟରେ କଂଗ୍ରେସ ଓ ଡ଼ିଏମକେର ମେଂଟ ସରକାର ଚାଲିଥିଲା । ଉଭୟ କଂଗ୍ରେସ ଓ ଡ଼ିଏମକେର ଏକାଧିକ ସଦସ୍ୟ ଜଣକ ପରେ ଜଣେ ବିଧାନସଭାରୁ ଇସ୍ତଫା ଦେଇ ପୁଡୁଚେରୀ ବିଧାନସଭାରେ କଂଗ୍ରେସ-ଡ଼ିଏମକେ ସରକାରକୁ ସଂଖ୍ୟାଲଘୁରେ ପରିଣତ କରି ଦେଇଥିଲେ । ରାଜ୍ୟପାଳ ଗତ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀଙ୍କ ସରକାରଙ୍କୁ ବିଧାନସଭାରେ ଆସ୍ଥା ଭୋଟର ସାମନା କରିବାକୁ ନିର୍ଦେଶ ଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ୍ ଆସ୍ଥା ଭୋଟର ସାମନା କରି ନ ପାରି ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ ନିଜ କ୍ୟାବିନେଟ୍ ସହଯୋଗୀଙ୍କ ସହ ରାଜ ନିବାସକୁ ଯାଇ ଏଲଜି ଡ଼କ୍ଟର ତାମିଲସାଇ ସୌନ୍ଦର୍ଯ୍ୟାରାଜନଙ୍କୁ ସରକାରଙ୍କ ଇସ୍ତଫା ପ୍ରଦାନ କରିଛନ୍ତି ।
୩୩ ସଦସ୍ୟ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ୩୦ ଜଣ ନିର୍ବାଚିତ ସଦସ୍ୟ ଥିବା ସମୟରେ ୩ ଜଣ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ସଦସ୍ୟ ଅଛନ୍ତି । ଏହି କେନ୍ଦ୍ର ଶାସିତ ଅଂଚଳର ବିଧାନସଭା ୧୯୬୩ ୟୁଟି ଆକ୍ଟ୍ ଦ୍ୱାରା ପରିଚାଳିତ । ରାଜ୍ୟ ବିଧାନସଭାରେ କଂଗ୍ରେସ-ଡ଼ିଏମକେ ମେଂଟ ଗତ ଜାନୁୟାରୀ ମାସ ମଧ୍ୟ ଭାଗରୁ ସଂକଟ ଦେଇ ଗତି କରୁଥିଲା । ଶାସକ ମେଂଟର ବିଧାୟକମାନେ ଜଣକ ପରେ ଜଣେ ଇସ୍ତଫା ଦେବା ଫଳରେ ବିଦାନସଭାରେ ବିଧାୟକଙ୍କ ଶାସକ ଦଳ ବିଧାୟକଙ୍କ ସଂଖ୍ୟା ୧୧କୁ ଖସି ଆସି ଥିଲା । ଅପରପକ୍ଷରେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପୁଡୁଚେରୀ ବିଧାନସଭାକୁ ମନୋନୀତ ୩ ଜଣ ସଦସ୍ୟଙ୍କୁ ମିଶାଇ ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ସଂଖ୍ୟା ୧୪ ରହିଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ୱାମୀଙ୍କ ନେତୃତ୍ୱରେ ପରିଚାଳିତ ସରକାର ସଂଖ୍ୟାଲଘୁରେ ପରିଣତ ହୋଇ ଥିବାରୁ ସରକାରଙ୍କୁ ଆସ୍ଥା ଭୋଟର ସାମନା କରିବାକୁ ନିର୍ଦେଶ ଦିଆଯାଉ ବୋଲି ବିଧାନସଭାର ୧୪ଜଣ ବିରୋଧୀ ଦଳ ସଦସ୍ୟ (ବିଜେପି-ଏଆଇଏଡ଼ିଏମକେ ଏବଂ ଅଲ୍ ଇଂଡିଆ ଏନଆର କଂଗ୍ରେସ) ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବାରୁ ରାଜ୍ୟପାଳ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଗୁରୁବାର ନିର୍ଦେଶ ଦେଇଥିଲେ ।
ଆଜି ଆସ୍ଥା ଭୋଟ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ କେବଳ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ସଦସ୍ୟମାନଙ୍କୁ ଭୋଟ ଅଧିକାର ଦେବାକୁ ବାଚସ୍ପତି ଭି.ଶିଭକୋଲୁନ୍ଦୁଙ୍କ ନିକଟରେ ଦାବି କରିଥିଲେ । ତେବେ, ବାଚସ୍ପତି ତାହା ଗ୍ରହଣ ନ କରିବାରୁ ସେମାନେ ଆସ୍ଥା ଭୋଟ ବର୍ଜନ କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ ତାଙ୍କ କ୍ୟାବିନେଟ୍ ସହଯୋଗୀଙ୍କ ସହ ରାଜ୍ୟପାଳ (ଏଲଜି)ଙ୍କୁ ଭେଟିବାକୁ ଚାଲି ଯାଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ପୁଡୁଚେରୀ ରାଜ୍ୟ ୟୁନିୟନ ଟେରିଟୋରିସ୍ ଆକ୍ଟ୍, ୧୯୬୩ ଅନୁସାରେ ପରିଚାଳିତ । ଏହି ଆକ୍ଟ୍ ମୁତାବକ ୩୩ ଜଣିଆ ରାଜ୍ୟ ବିଧାନସଭାରେ ୩୦ ଜଣ ନିର୍ବାଚିତ ସଦସ୍ୟ ଏବଂ ତିନି ଜଣ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ସଦସ୍ୟ ରହିବେ । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଥିବାରୁ ପୁଡୁଚେରୀ ବିଧାନସଭାକୁ ବିଜେପି ନିଜର ୩ ଜଣ ସଦସ୍ୟଙ୍କୁ ମନୋନୀତ କରିଛି ।
କେନ୍ଦ୍ର ସରକାରଙ୍କ ମନୋନୟନ ପ୍ରକ୍ରି୍ରୟାକୁ ଚ୍ୟାଲେଂଜ କରି ରାଜ୍ୟ ସରକାର ୨୦୧୮ରେ ମାଡ୍ରାସ ହାଇକୋର୍ଟକୁ ଯାଇଥିଲେ । କେନ୍ଦ୍ର ସରକାର ରାଜ୍ୟ ବିଧାନସଭା ପାଇଁ ତିନି ଜଣ ସଦସ୍ୟଙ୍କୁ ମନୋନୟନ କଲା ବେଳେ ରାଜ୍ୟ ସରକାରଙ୍କ ସହ ଆବଶ୍ୟକ ପରାମର୍ଶ କରି ନାହାନ୍ତି ବୋଲି ରାଜ୍ୟ ସରକାର କୋର୍ଟରେ ଅଭିଯୋଗ କରିଥିଲେ । ତେବେ, ମାଡ୍ରାସ ହାଇକୋର୍ଟ ଏହି ମାମଲାର ବିଚାର କରି କେନ୍ଦ୍ର ସରକାରଙ୍କ ମନୋନୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ଦେଖିବାକୁ ମିଳି ନାହିଁ ବୋଲି ଦର୍ଶାଇ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରି ଥିଲେ । ପରେ, ରାଜ୍ୟ ସରକାର ୨୦୧୮ ଡ଼ିସେମ୍ବରରେ ଏହି ବିଷୟକୁ ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ କୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ପୁଡୁଚେରୀ ସରକାରଙ୍କ ଦ୍ୱାରା ଆଗତ ମାମଲାର ବିଚାର କରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ପଷ୍ଟ କରି ଦେଇଥିଲେ । ପ୍ରଥମତଃ, କେନ୍ଦ୍ର ସରକାର ନିଜ ଆଡୁ ପୁଡୁଚେରୀ ବିଧାନସଭାକୁ ତିନି ଜଣ ସଦସ୍ୟଙ୍କୁ ମନୋନୀତ କଲା ବେଳେ ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରିବାର କିଛି ଆବଶ୍ୟକତା ନାହିଁ । ଦ୍ୱିତୀୟତଃ, କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ହୋଇ ବିଧାନସଭାକୁ ଯାଇଥିବା ତିନି ସଦସ୍ୟ ନିର୍ବାଚିତ ସଦସ୍ୟଙ୍କ ଭଳି ସମସ୍ତ ଅଧିକାରପାିବେ । ଆସ୍ଥା ଭୋଟ, ଅନାସ୍ଥା ଭୋଟ ଏବଂ ବଜେଟ୍ ଅଧିବେଶନରେ ଭୋଟଦାନ ଭଳି ସମସ୍ତ ଅଧିକାର ସେମାନଙ୍କର ରହିବ ।
ସୁପ୍ରିମ କୋର୍ଟଙ୍କ ଏହି ରାୟ ପୁଡୁଚେରୀ ବିଧାନସଭାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ସଦସ୍ୟମାନଙ୍କ ପାଇଁ ବରଦାନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ୱାମୀଙ୍କ ସରକାରଙ୍କ ପାଇଁ ଅଭିଶାପ ହୋଇଛି । ବିଧାନସଭା ବାଚସ୍ପତି କଂଗ୍ରେସ ଦଳର ସଦସ୍ୟ ହୋଇଥିଲେ ମଧ୍ୟ କଂଗ୍ରେସ-ଡ଼ିଏମକେ ମେଂଟ ସରକାରଙ୍କୁ ସୁରକ୍ଷା ଦେଇପାରି ନାହାନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS