ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଗିରଫ !
ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୧୭
ପ୍ରଧାନମନ୍ତ୍ରୀଙ୍କୁ ବା କେନ୍ଦ୍ର ସରକାରଙ୍କ ଭ୍ୟାକ୍ସିନ୍ ନୀତିକୁ ପ୍ରଶ୍ନ କଲେ ଗିରଫ ଭୟ ରହିଛି । ତାହା ଏବେ ପ୍ରମାଣିତ ହୋଇଛି ଦିଲ୍ଲୀରେ । ହିନ୍ଦି ଭାଷାରେ ଛପା ହୋଇଥିବା ଏହି ପୋଷ୍ଟରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ହୋଇଛି – ‘ମୋଦୀଜୀ, ଆମ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ କରୋନା ଭ୍ୟାକ୍ସିନ୍ ବିଦେଶକୁ ରପ୍ତାନୀ କଲ କାହିଁକି ? ଦିଲ୍ଲୀର ବିଭିନ୍ନ ଅଂଚଳରେ କାନ୍ଥବାଡରେ ଲାଗି ଥିବା ଏହି ପୋଷ୍ଟର୍ କେନ୍ଦ୍ର ସରକାରଙ୍କୁ ଉତ୍କ୍ଷୀପ୍ତ କରିଛି । ମେ’ ୧୨ ତାରିଖରୁ ଦିଲ୍ଲୀ ପୁଲିସ ପୋଷ୍ଟର୍ ମାରିଥିବା ଲୋକଙ୍କୁ ଖୋଜି ଖୋଜି ଗିରଫ କରୁଥିବା ଜାତୀୟ ଗଣମାଧ୍ୟମରେ ଆଲୋଚନାର ବିଷୟ ହୋଇଛି । ଏହି ପୋଷ୍ଟର୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗ୍ରାଫିକ୍ ଚିତ୍ର ରହିଛି । ସହରର ବିଭିନ୍ନ ଅଂଚଳରେ କାନ୍ଥବାଡରେ ଚିପିକି ରହିଥିବା ଏହି ପୋଷ୍ଟର୍ କୁ ଦେଖି ମୋଦୀ ଭକ୍ତମାନେ ଓ କେନ୍ଦ୍ର ସରକାର କ୍ଷୁବ୍ଧ ।
ଦିଲ୍ଲୀ ପୁଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଥିବାରୁ ପ୍ରଭୁଙ୍କ କ୍ରୋଧକୁ ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦିଗରେ । କରୋନା ମହାମାରୀକୁ ରୋକିବା ପାଇଁ ଦିଲ୍ଲୀରେ ‘ତାଲାବନ୍ଦ’ ଲାଗୁ ଥିବାରୁ ପୁଲିସକୁ ବାହାନା ମିଳିଛି । ମହାମାରୀ ଭଳି ତିରୋଟ୍ ସମୟରେ ରାତି ଅଧିଆ ପୋଷ୍ଟର୍ ମରାଯିବା ଏବଂ ପ୍ରଧାନମନ୍ତ୍ରୀଙ୍କ କ୍ଷମତା ଓ ଅଧିକାରକୁ ନେଇ ପ୍ରଶ୍ନ କରାଯିବା ସହିବ ବାହାରେ । ତେଣୁ, ମାଲିକଙ୍କ ଅଜ୍ଞାରେ ସିସିଟିଭି ଫୁଟେଜ୍ ଆଧାରରେ ପୋଷ୍ଟର ମାରି ଥିବା ଲୋକଙ୍କ ଚିହ୍ନଟ ଚାଲିଛି ଏବଂ ‘ତାଲାବନ୍ଦ’ କଟକଣା ଉଲଂଘନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଉଛି । ପୁଲିସ ଅନ୍ୟୁନ ୨୫ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳୁଛି । ସେଥିରେ ପୋଟ ପୋଷିବା ପାଇଁ ପୋଷ୍ଟର୍ ମାରିବା ଧନ୍ଦାରେ ସଂପୃକ୍ତ ଗରୀବ ଲୋକ ଅଛନ୍ତି । ଦିଲ୍ଲୀରେ ଆଂଚଳିକ ଦଳ ‘ଆମ୍ ଆଦମୀ ପାର୍ଟି’ (ଏଏପି)ର ସରକାର ରହିଛି । ଏସବୁ କାଣ୍ଡ ‘ଏଏପି’ର ପ୍ରରୋଚନାରେ ହୋଇଥିବା ପୁଲିସ ଅଭିଯୋଗ କଲାଣି ।
ପୁଲିସ କହିବା ଅନୁସାରେ, ଦିଲ୍ଲୀରେ କ୍ଷମତାସୀନ ‘ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ହଜାର ହଜାର ସଂଖ୍ୟାରେ ପୋଷ୍ଟର୍ ଛପାଇ ରାତି ଅଧିଆ ଦିଲ୍ଲୀ ସହରର କାନ୍ଥବାଡରେ ମାରିବା ବ୍ୟବସ୍ଥା କରିଛନ୍ତି । ଏହା ପୁଲିସ ତଦନ୍ତରୁ ଜାଣାପଡିଛି । ଦିଲ୍ଲୀରେ କରୋନାର ଦ୍ୱତୀୟ ଲହର ବେଶ୍ ସାଂଗାତିକ ରୂପ ଦେଖାଇ ଥିବାରୁ ମହାମାରୀ ଆଇନ ଲାଗିଛି । ଦିଲ୍ଲୀରେ ‘ତାଲାବନ୍ଦ’ ଲାଗୁ ଥିବା ସମୟରେ ‘ଆମ୍ ଆଦମୀ ପାର୍ଟି’ କାର୍ଯ୍ୟକର୍ତ୍ତାମାନେ ମହାମାରୀ ଆଇନ ଓ ‘ତାଲାବନ୍ଦ’ ନିର୍ଦେଶାବଳୀର ଉଲଂଘନ କରି ‘ସହରକୁ ଅସୁନ୍ଦର କରିବା’ ଅଭିଯାନ ଚଳାଇ ଥିବା ଆଇନ ଅନୁସାରେ ଏକ ଅପରାଧ । ପୋଷ୍ଟର୍ ଛାପିବା ଓ ସହରର କାନ୍ଥବାଡରେ ମାରିବା ବାବାଦରେ ଦଳର କାର୍ଯ୍ୟକର୍ତ୍ତାମାନେ ବିପୁଳ ଅର୍ଥ ବ୍ୟୟ କରିଥିବା ଜଣାପଡିଛି । ପୂର୍ବ ଦିଲ୍ଲୀରୁ ପୁଲିସ ବହୁ ସଂଖ୍ୟାରେ ପୋଷ୍ଟର୍ ଜବତ କରିଛନ୍ତି ଏବଂ ଚାରି ଜଣଙ୍କୁ ଗିରଫ କରି ଜେରା କରିଛନ୍ତି । ପୂର୍ବ ଦିଲ୍ଲୀରେ ପ୍ରାୟ ଏକ ହଜାର ପୋଷ୍ଟର୍ ଛପା ଯାଇଥିବା ପୁଲିସ ଅନୁମାନ କରୁଛନ୍ତି ।
ଦିଲ୍ଲୀ ପୁଲିସ ଏହି ପୋଷ୍ଟର୍ ଅଭିଯାନ ପାଇଁ ‘ଆମ୍ ଆଦମୀ ପାର୍ଟି’କୁ ଦାୟୀ କରି ଗିରଫଦାରୀ ଚଳାଇ ଥିବା ବେଳେ କଂଗ୍ରେସ ପକ୍ଷରୁ ଏହାର ଦୃଢ ବିରୋଧ କରାଯାିଛି । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଗିରଫଦାରୀର ନିନ୍ଦା କରିବା ସହ ‘ମୋତେ ମଧ୍ୟ ଗିରଫ କର’ ବୋଲି ଆହ୍ୱାନ ଦେଇଥିବା ବେଳେ ଦିଲ୍ଲୀରେ ଲାଗି ଥିବା ପୋଷ୍ଟରକୁ ରାହୁଲ ଓ ତାଙ୍କ ଭଉଣୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଂକା ଗାନ୍ଧି ଭଦ୍ରା ସେମାନଙ୍କ ଟ୍ୱିଟର୍ ପେଜ୍ ରେ ତାହାକୁ ପ୍ରେଫାଇଲ୍ ଫଟୋ କରିଛନ୍ତି । କଂଗ୍ରେସ ମୁଖପାତ୍ର ପବନ ଖେଡାଙ୍କ ଅଭିଯୋଗ ହେଉଛି, କେନ୍ଦ୍ର ସରକାର ମହାମାରୀ ଆରମ୍ଭରୁ ଏକଚାଟିଆ ଭାବେ ସମସ୍ତ ନୀତିଗତ ନିଷ୍ପତ୍ତି ନେଉ ଥିବାରୁ ପ୍ରଧାନମନ୍ତ୍ରୀ ଏଭଳି ପ୍ରଶ୍ନବାଣର ସମ୍ମୁଖୀନ ହେବା ସ୍ୱାଭାବିକ । କଂଗ୍ରେସ ଦଳର ଏହି ‘ଅନ୍ ଲାଇନ୍’ ପ୍ରତିବାଦରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା ଭାଗ ନେଲେଣି । ପ୍ରଧାନମନ୍ତ୍ରୀ ତାଙ୍କୁ ସବୁ ସମୟରେ ସମସ୍ତେ ପ୍ରଶଂସା କରିବା ବାଧ୍ୟତାମୂଳକ, ଏପରିକି ଶ୍ମଶାନରେ କୋଭିଡ଼ ରୋଗୀଙ୍କୁ ଦାହ କରିବା ସମୟରେ ମଧ୍ୟ ତାଙ୍କ ପ୍ରଶସ୍ତି ଗାନ ହେଉ ବୋଲି ଚାହୁଁ ଥିବାରୁ ଏହା ଏକ ଆଇନ ଭାବେ ଗୃହୀତ କରାଇ ନେବାକୁ କଂଗ୍ରେସ ପରାମର୍ଶ ଦେଇଛି।
ଅପରପକ୍ଷରେ, ଏଏପି ପକ୍ଷରୁ ଏହାର କାର୍ଯ୍ୟକର୍ତ୍ତା ଦୁର୍ଗେଶ୍ ପାଠକ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଦେଶ ଭିତରେ ଭ୍ୟାକ୍ସିନ୍ ଉତ୍ପାଦନ କରୁଥିବା ଦୁଇ ସଂସ୍ଥା ଦେଶରେ ଭ୍ୟାକ୍ସିନ୍ ର ଘୋର ଅଭାବ ଦେଖା ଦେଇଥିବା ବେଳେ ସେମାନଙ୍କ ଭ୍ୟାକ୍ସିନ୍ ବହୁ ପରିମାଣରେ ବିଦେଶକୁ ରପ୍ତାନୀ କରୁଥିବାରୁ ‘ଆମ ଛୁଆଙ୍କ ଭ୍ୟାକ୍ସିନ୍ ବିଦେଶକୁ କାହିଁକି ରପ୍ତାନି କଲ ?’ ବୋଲି ହେଉଛି । ସମଗ୍ର ଦେଶରେ ଏହି ପ୍ରଶ୍ନ ହେଉଥିବା ବେଳେ ତାହାକୁ ନେଇ ପ୍ରସ୍ତୁତ ପୋଷ୍ଟର୍ ମାରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଏଏପି ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରୁଛନ୍ତି । ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରରେ ଚାରି ଆଡେ କୁଢ କୁଢ ଶବ ଗଦା ହୋଇଥିବା ଦେଖିବାକୁ ମିଳୁଛି । ଏହି ପରିସ୍ଥିତିରେ ‘ଆମ ପାଖରେ ଅକ୍ସିଜେନ୍, ଔଷଧ ଓ ଭ୍ୟାକ୍ସିନ୍ ନାହିଁ କାହିଁକି ?’ ବୋଲି ପ୍ରଶ୍ନ ହେଲେ ପୁଲିସ ଗିରଫ କରୁଛି । ଉଭୟ କଂଗ୍ରେସ ଓ ଏଏପି ଏଭଳି ଅଭିଯୋଗ କରୁଥିବା ବେଳେ ବିଜେପି କହିଛି, ଦିଲ୍ଲୀରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ ଥିବା ସମୟରେ ନିର୍ବୁଦ୍ଧିଆ କଂଗ୍ରେସ ନେତା ଓ କର୍ମୀମାନେ ଆଇନର ଉଲଂଘନ କରୁଥିବାରୁ ପୁଲିସ ସେମାନଙ୍କୁ ଗିରଫ କରୁଛି ।
ଏଠାରେ ଉଲ୍ଲେଖନୀୟ ଯେ, ଦେଶରେ ଜାନୁୟାରୀ ୧୬ରୁ କେନ୍ଦ୍ର ସରକାର କରୋନା ଟିକାକରଣ ଆରମ୍ଭ କରି ଥିଲେ ସୁଦ୍ଧା ଆବଶ୍ୟକତା ଅନୁସାରେ ଟିକା ଉତ୍ପାଦନ ହେଉ ନ ଥିବାରୁ ଟିକାକରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି । ଏଯାବତ୍ ଦେଶର ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଦୁଇ ଡୋଜ୍ ଟିକାକରଣ କରିବା କାର୍ଯ୍ୟ ଅଧାପନ୍ତୁରିଆ ହୋଇ ରହିଛି । ସରକାର ମେ’ ପହିଲାରୁ ଦେଶବ୍ୟାପୀ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ କରିବା ଅଭିଯାନ ଆରମ୍ଭ କରି ସରକାରଙ୍କ ବିଭିନ୍ନ ପୋର୍ଟାଲରେ ପଂଜୀକୃତ ହେବାକୁ କହିଥିଲେ ମଧ୍ୟ କୋଭିଡ଼ ଟିକା ଉତ୍ପାଦନ କରୁଥିବା ଦେଶର ଦୁଇ ସଂସ୍ଥା ‘ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଂଡିଆ’ ଓ ‘ଭାରତ ବାୟୋଟେକ୍ ଲିମିଟେଡ୍’ ଯଥେଷ୍ଟ ସଂଖ୍ୟାରେ ଟିକା ଯୋଗାଇବାରେ ବିଫଳ ହୋଇଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ ର ‘କୋଭିସିଲ୍ଡ୍’ ଟିକା ଓ ଭାରତ ବାୟୋଟେକ୍ ଲିମିଟେଡ଼ର ‘କୋଭାକ୍ସିନ୍’ ଟିକା ଚାହିଦା ମୁତାବକ ମିଳୁ ନ ଥିବାରୁ ଦେଶବ୍ୟାପୀ ଟିକାକରଣ କାର୍ଯ୍ୟ ମନ୍ଥର ହୋଇଛି ।
ଦେଶରେ ଟିକାର ଘୋର ଅଭାବ ଯୋଗୁଁ ଟିକାକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲି ଥିବା ବେଳେ ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥା ସରକାରଙ୍କ ବିଦେଶ ନୀତି (ଭ୍ୟାକ୍ସିନ୍ ମୈତ୍ରୀ)କୁ କାର୍ଯ୍ୟକାରୀ କରିବାକୁ ଯାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ଟିକାରୁ ମୋଟା ଅଂଶ ବିଦେଶକୁ ରପ୍ତାନୀ କରୁଛନ୍ତି । ଫଳରେ, ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ କଥା ଛାଡନ୍ତୁ, ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କ ମଧ୍ୟରୁ ଅଧିକାଂଶ ଦ୍ୱତୀୟ ଟିକା ପାଇବା ଅପେକ୍ଷାରେ ଥାଇ ଟିକାକରଣ କେନ୍ଦ୍ରମାନଙ୍କରେ ଲମ୍ବା ଧାଡିରେ ଠିଆ ରହୁଥିବା ଦେକିବାକୁ ମିଳୁଛି । ଅନେକ ସମୟରେ ଟିକା ନପାଇ ବୟସ୍କ ଲୋକମାନେ ଟିକାକରଣ କେନ୍ଦ୍ରରୁ ନିରାଶ ହୋଇ ଫେରୁଥିବା ବେଳେ କେନ୍ଦ୍ର ସରକାର ନିଜର ଟିକାକରଣ ନୀତିକୁ ବାରମ୍ବାର ବଦଳାଉଛନ୍ତି । ଟିକା ଅଭାବକୁ ଘୋଡାଇବା ପାଇଁ ସରକାର ଜାତୀୟ ସ୍ତରର ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ପରାମର୍ଶ ଅନୁସାରେ ନୀତି ବଦଳୁ ଥିବା କହୁଛନ୍ତି । ସାଧାରଣ ଜନତା ନିକଟରେ ପ୍ରଶ୍ନ କରିବା ସୁଯୋଗ ନାହିଁ । ଯଦି କେହି ପ୍ରଶ୍ନ କରୁଛି, ଶାସକ ଦଳ ଓ ତାହାର ବୋଲକରା ଗଣମାଧ୍ୟମ ଟ୍ରୋଲ୍ କରି ସେହି ସ୍ୱରକୁ ଦବାଇ ଦେବାର ସମସ୍ତ ପ୍ରୟାସ କରୁଛନ୍ତି ।
ସରକାରଙ୍କ ଟୀକା ନୀତି କଣ (?) ଜାଣାଇବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ । ଗତ ସପ୍ତାହରେ ସରକାର ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କ ମାଧ୍ୟମରେ ଅଦାଲତରେ ୨୧୮ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରି ନ୍ୟାୟିକ ବ୍ୟବସ୍ଥା ସରକାରଙ୍କ ଟିକା ନୀତି ଠାରୁ ଦୂରେଇ ରହିବାକୁ କୋର୍ଟଙ୍କୁ ପରାମର୍ଶ ଦେବା ସହ ନ୍ୟାୟିକ ବ୍ୟବସ୍ଥା ଏଥିରେ ହସ୍ତକ୍ଷେପ କଲେ ବିପର୍ଯ୍ୟୟ ଘଟିପାରେ ବୋଲି ଚେତାଇ ଦେଇଥିଲେ । ସୁପ୍ରିମ କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣୀ କରିବାକୁ ଥିଲା । କିନ୍ତୁ, ଣୁଣାଣୀ ପୂର୍ବ ଦିନ ବିଚାପତି ଜଷ୍ଟିସ ଚନ୍ଦ୍ରଚୂଡ଼ କରୋନା ଆକ୍ରାନ୍ତ ଥିବା ଜଣାପଡିବାରୁ ଶୁଣାଣୀ ସ୍ଥଗିତ ରହିଛି ।
ଦେଶରେ ଦୃତ ବେଗରେ ନରସଂହାର ଚଳାଇ ଥିବା କରୋନା ମହାମାରୀର ଦ୍ୱିତୀୟ ଲହରରେ ଦେଖା ଦେଇଥିବା ଅକ୍ସିଜେନ୍, ଜୀବନ ରକ୍ଷାକରୀ ଔଷଧ ଓ ମେଡ଼ିକାଲ ଉପକରଣ ସଂକଟର ସମାଧାନରେ ସୁପ୍ରିମ କୋର୍ଟ ସମେତ ବିଭିନ୍ନ ରାଜ୍ୟ ହାଇକୋର୍ଟମାନେ ସକ୍ରିୟ ଭୂମିକା ନେଇଥିବାରୁ ସରକାରଙ୍କ ଟିକା ନୀତି ଉପରେ ମଧ୍ୟ ଅଦାଲତ କିଛି ଗୁରୁତ୍ୱପୂର୍ଣ୍ଣ ରାୟ ଦେବେ ବୋଲି ଜନସାଧାରଣରେ ଭରସା ଥିଲା । ତାହା ବିଳମ୍ବିତ ହେଉଥିବା ଦେଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ରାଫିକ୍ ଚିତ୍ର ଥିବା ‘ଆମ ଛୁଆଙ୍କ ଟିକା ବିଦେଶକୁ କାହିଁକି ରପ୍ତାନୀ କଲ ?’ ବୋଲି ପୋଷ୍ଟର୍ ଏବେ ଦିଲ୍ଲୀ କାନ୍ଥବାଡ଼ରେ ଶୋଭା ପାଉଛି । ଏହା ପଛରେ ରାଜନୀତି ଯାହା ଥାଉ ନା କାହିଁକି କେନ୍ଦ୍ର ସରକାରଙ୍କ ପ୍ରତି ଜନତାରେ ସୃଷ୍ଟି ହୋଇଥିବା ଘୋର ହତାଶା ଭାବ ପ୍ରତିଫଳିତ ହେଉଛି ।
ସରକାର କରୋନା ମହାମାରୀ ଭଳି ଜାତୀୟ ସ୍ୱାସ୍ଥ୍ୟ ବିପତ୍ତି ସମୟରେ ସବୁ ରାଜ୍ୟ, ରାଜନୈତିକ ଦଳ, ବୁଦ୍ଧିଜୀବୀ, ବୈଜ୍ଞାନିକ ଓ ବିଶେଷଜ୍ଞଙ୍କୁ ଏକାଠି କରି ମିଳିତ ଭାବେ ଲଢେଇ କରିବାର ଆବଶ୍ୟକତା ଥିବା ବେଳେ ସବୁ କିଛି ‘କେନ୍ଦ୍ରୀକରଣ’ କରି ଏକାକୀ ପରିସ୍ଥିତିର ମୁକାବିଲା କରିବାକୁ ପ୍ରୟାସ କରୁଛନ୍ତି । ସଫଳତାର ଶ୍ରେୟ ସରକାରଙ୍କୁ ଯାଉଛି ଏବଂ ଯେଉଁଠି ସରକାର ବିଫଳ ହେଉଛନ୍ତି ବିରୋଧୀ ମୁଣ୍ଡରେ ତାହା ଲଦା ଯାଉଛି । ୨୦୧୪ ପରଠାରୁ ସବୁ ଜାତୀୟ ପ୍ରସଙ୍ଗରେ ସରକାରଙ୍କ ଏହି ନୀତି ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରୁଥିବା ବିରୋଧୀଙ୍କୁ ସାବାଡ଼ କରିବାକୁ ସରକାର ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସୀ ଏବଂ ପୁଲିସ ବଳର ବ୍ୟବହାର କରି ଏକଚାଟିଆ ଶାସନର ନିଦର୍ଶନ ହୋଇଛନ୍ତି । ତେଣୁ, ସରକାରଙ୍କ ଟିକା ନୀତିକୁ ନେଇ ପ୍ରଶ୍ନ କରୁଥିବା ଏବଂ ଦିଲ୍ଲୀରେ ପୋଷ୍ଟର୍ ମାରିଥିବା ବ୍ୟକ୍ତିବିଶେଷ ସରକାରୀ ରୋଷରୁ କେମିତି ବାଦ୍ ପଡି ଥା’ନ୍ତେ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS