ଏବେ ନୂଆ ସ୍ଲୋଗାନ୍ – ‘ବିରୋଧୀ ମୁକ୍ତ ଭାରତ’…


ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୧୯
୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ମୂଳପୋଛ କରି ଦେଶରେ ବିଜେପି ନେତୃତ୍ୱାଧୀନ ସରକାର ପ୍ରତିଷ୍ଠା କରିବା ପରେ ଶାସକ ଦଳର ସ୍ଲୋଗାନ ଥିଲା – ‘କଂଗ୍ରେସ ମୁକ୍ତ ଭାରତ’ । ଏହାର ଅର୍ଥ ହେଉଛି, ଶାସନ ଗାଦିରୁ କଂଗ୍ରେସ ଦଳକୁ ସଂପୂର୍ଣ୍ଣ ମୂଳପୋଛ କରି ଦେଶରେ ଏକମାତ୍ର ଗେରୁଆ ବାନା ଉଡାଇବା । ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ଘନିଷ୍ଟ ସହଯୋଗୀ ଗୃହ ମନ୍ତ୍ରୀ ଅମିତ ଶାହା ଯୋଡି ଲକ୍ଷ୍ୟ ସାଧନ ଦିଗରେ ଗଲା ସାତ ବର୍ଷ ହେଲା କାମ କରି ଆସୁଛନ୍ତି । କଂଗ୍ରେସ ଦଳ ତାହାର ଗୋଟିଏ ପରେ ଗୋଟିଏ ଗଡ଼ ହରାଇ ଜାତୀୟ ବିରୋଧୀ ଦଳର ମାନ୍ୟତା ମଧ୍ୟ ହରାଇଲାଣି । ବିଶେଷକରି, ଉତ୍ତର ଭାରତରେ କଂଗ୍ରେସ ଏକ ଶକ୍ତିହୀନ ଦଳରେ ରୂପାନ୍ତରିତ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ବେଳକୁ କେନ୍ଦ୍ର ସରକାରଙ୍କ ବିରୋଧରେ ଜନମତ ଥିବା ସତ୍ତେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ବିଜେପିର ଶକ୍ତିକୁ ବହୁ ଗୁଣିତ କରିଛି । କଂଗ୍ରେସ ଦଳ ବିଜେପି ଆଡୁ ଏଭଳି ଆକ୍ରମଣର ସାମ୍ନା କରୁଛି ଯେ ଦେଶବ୍ୟାପୀ ଦଳର ମେରୁଦଣ୍ଡ ଦୋହଲି ଗଲାଣି । କଂଗ୍ରେସକୁ ପୁନର୍ବାର ବିଜେପିର ବିକଳ୍ପ ଭାବେ ପୁନଃ ସଂଗଠିତ କରିବାରେ ଗାନ୍ଧୀ ପରିବାର ଆଜି ମଧ୍ୟ ସଂଘର୍ଷ କରୁଛନ୍ତି ସିନା ଦେଶବାସୀଙ୍କ ଗ୍ରହଣୀୟ ହୋଇ ପାରୁ ନାହାନ୍ତି । ତୃଣମୂଳ ସହ ଦଳର ସଂପର୍କ ଅଭାବରୁ କଂଗ୍ରେସ ଆଜି ପ୍ରଭାବହୀନ । ଦଳର ଅନ୍ତଃରୀଣ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ, ପୁତ୍ର ରାହୁଲ ଗାନ୍ଧୀ ଓ କନ୍ୟା ପ୍ରିୟଙ୍କା ଗାନ୍ଧୀ ନିଜ ଦଳ ଭିତରୁ ମଧ୍ୟ ତୀବ୍ର ବିରୋଧର ସମ୍ମୁଖୀନ । ଦେଶରେ କଂଗ୍ରେସ ଦଳ ଏକପ୍ରକାର ଅଲୋଡା ହୋଇଥିବା ୨୦୨୧ରେ ଅନୁଷ୍ଠିତ ପଶ୍ଚିମ ବଂଗ, ଆସାମ, କେରଳ, ତାମିଲନାଡ଼ୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ।
ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ କଂଗ୍ରେସର ଭୂମିକା ଅତ୍ୟନ୍ତ ଗୌଣ ଥିଲା । ମୁଖ୍ୟତଃ ଲଢେଇ ୧୦ ବର୍ଷର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ଓ ବିଜେପି ମଧ୍ୟରେ ସୀମିତ ରହି ଥିଲା । ରାଜ୍ୟର ୨୯୪ ବିଧାନସଭା ଆସନରୁ ୨୯୨ ପାଇଁ ମାର୍ଚ୍ଚ-ଏପ୍ରିଲ ମାସରେ ହୋଇଥିବା ନିର୍ବାଚନରେ ଟିଏମସି ୨୧୩ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ମିଳିଥିଲା ୭୭ ଆସନ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରି ମଧ୍ୟ ଦଳକୁ ୨୧୩ ଆସନ ଭେଟି ଦେଇ ଥିବାରୁ ଲଗାତର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୦ରୁ ଅଧିକ ଆସନ ପାଇବ ବୋଲି ଆକଳନ କରି ନିର୍ବାଚନ ମଇଦାନରେ ଉତୁରି ଥିବା ବିଜେପି ଏହି ପୂର୍ବାଂଚଳ ରାଜ୍ୟରେ ନିଜର ଗେରୁଆ ବାନା ଉଡାଇବାରେ ବିଫଳ ହୋଇଛି । କେରଳରେ ବାମପନ୍ଥୀ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଥିବା ବେଳେ ଆସାମରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଯୋରଦାର ପ୍ରଚାର ସତ୍ତ୍ୱେ ଦଳ ଦ୍ୱତୀୟ ସ୍ଥାନରେ ରହିଛି । ବିଜେପି ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛି ।
ତାମିଲନାଡ଼ୁ ଭଳି ଦକ୍ଷିଣାଂଚଳ ରାଜ୍ୟରେ ବିଜେପିର ଶକ୍ତି ସୀମିତ । ଏଆଇଏଡ଼ିଏମକେ ସହ ମେଂଟ କରି ଦଳ ନିର୍ବାଚନ ଲଢି ଥିଲା ସିନା ମୋଦୀ କରିସ୍ମା କାମ କରି ନଥିଲା । ଏମ.କେ. ଷ୍ଟାଲିନ୍ ଙ୍କ ନେତୃତ୍ୱରେ ଡ଼ିଏମକେ ଦମଦାର୍ ପ୍ରଦର୍ଶନ କରି ଏଆଇଏଡ଼ିଏମକେ ହାତରୁ କ୍ଷମତା ଛଡାଇ ନେଇଛି । ଷ୍ଟାଲିନ୍ ପ୍ରଥମ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି । କେନ୍ଦ୍ର ଶାସିତ ପୁଡୁଚେରୀରେ ତ ବିଜେପି ବହୁ ଆଗରୁ କଂଗ୍ରେସ ବିଧାୟକ ଦଳରେ ଫାଟ ସୃଷ୍ଟି କରି କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରିଥିଲା । ତେଣୁ, ସେଠି କଂଗ୍ରେସର ପରାଜୟ ଓ ବିଜେପି ନେତୃତ୍ୱାଧୀନ ଏନଡ଼ିଏର ବିଜୟ ସୁନିଶ୍ଚିତ ଥିଲା । ନିର୍ବାଚନ ସରିଥିବା ପାଂଚଟି ରାଜ୍ୟ ମଧ୍ୟରୁ କେବଳ ତାମିଲନାଡ଼ିରେ କଂଗ୍ରେସ ଡ଼ିଏମକେର ଲାଂଜ ଧରି କ୍ଷମତାରେ ରହିଛି । ୨୦୧୪ରୁ ଆରମ୍ଭ ହୋଇଥିବା ବିଜେପିର ‘କଂଗ୍ରେସ ମୁକ୍ତ ଭାରତ’ ଅଭିଯାନ ୨୦୨୧ରେ ମଧ୍ୟ ତାହାର ରଂଗ ଦେଖାଇ ଥିବା ବେଳେ ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଂଚଳିକ ଦଳମାନେ ଏବେ ବିଜେପିର ପ୍ରମୁଖ ବିରୋଧୀ ଭାବେ ଉଭା ହୋଇଥିବାରୁ ଏକ ‘ବିରୋଧୀ ମୁକ୍ତ ଭାରତ’ ଅଭିଯାନ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ନୂଆ ସ୍ଲୋଗାନ ହେବାକୁ ଯାଉଛି ।
ଦେଶରେ କଂଗ୍ରେସ ଆଉ ମୁଖ୍ୟ ବିରୋଧୀ ରହି ନାହିଁ । ବାମପନ୍ଥୀମାନେ ପଶ୍ଚିମ ବଂଗ, ତ୍ରିପୁରାରୁ ମୂଳପୋଛ ହେବା ପରେ ‘କେରଳ’ରେ ସୀମିତ ହୋଇଯାଇଛନ୍ତି । ଏନଡ଼ିଏ ଭିତରେ ଓ ବାହାରେ ଥିବା ଆଂଚଳିକ ଦଳମାନେ ହିଁ ଏବେ ବିଜେପିର ମୁଖ୍ୟ ବିରୋଧୀ ହୋଇ ଛିଡା ହୋଇଛନ୍ତି ବୋଲି ବିଜେପି ଜାଣିଲାଣି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି (ବିଜୁ ଜନତା ଦଳ) ୨୧ ବର୍ଷ ହେଲା କ୍ରମାଗତ କ୍ଷମତା ଦଖଲ କରି ଆସୁଛି । ରାଜ୍ୟ ବିଧାନସଭାରେ ବିଜେପି ତାହାର ସଂଖ୍ୟା ବଢାଇ ଥିଲେ ମଧ୍ୟ କ୍ଷମତାକୁ ଆସିଲା ଭଳି ସଂଗଠନ ତିଆରି କରି ପାରି ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଗ୍ରେସ ଓ ବିଜେପିଠାରୁ ‘ସମଦୂରତା’ କଥା କହୁଥିଲେ ମଧ୍ୟ ବାସ୍ତବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଦଳୀୟ ସମର୍ଥନ ଦେଇ ଏନଡ଼ିଏ ସହ ଥିବାର ଆଭାସ ଦେଇ ଆସିଛନ୍ତି । ତଥାପି, ବିଜେପି ରାଜ୍ୟରେ ବିଜେଡ଼ିକୁ କ୍ଷମତାଚ୍ୟୁତ କରି ସରକାର ପ୍ରତିଷ୍ଠାର ଅଭିଳାଷ ପାଳିଛି । ୨୦୧୯ ସାଧାରଣ ନିର୍ବାଚନରେ ମୋଦୀ-ଶାହା ଯୋଡି ଏହି ଉଦେ୍ଦଶ୍ୟ ରଖି ଦୁଃସାହସିକ ପଦକ୍ଷେପ ନେଇ ଥିଲେ ମଧ୍ୟ ସଫଳ ହୋଇ ନଥିଲେ । ନବୀନଙ୍କ ଶାସନକୁ ସେମାନେ ପୋଡା ଟ୍ରାନ୍ସଫର୍ମର କହି ଓଡ଼ିଶାବାସୀଙ୍କୁ ଡ଼ବଲ ଇଂଜିନ୍ ସରକାରର ପ୍ରଲୋଚନ ଦେଇଥିଲେ । ତେବେ, ଓଡ଼ିଶାବାସୀ ସେଥିରେ ପ୍ରଲୋଚିତ ନହୋଇ ନବୀନଙ୍କ ପ୍ରତି ଭଲ ପାଇବା ପ୍ରଦର୍ଶନ କରିଥିଲେ । ନବୀନଙ୍କ ଭାବମୂର୍ତ୍ତୀ ନିକଟରେ ବିଜେପିର ଦୁଃସାହସ ଫିକା ପଡି ଯାଇଥିଲା । ରାଜ୍ୟରେ କଂଗ୍ରେସ ଦଳ ଦୁର୍ବଳ ରହି ଥିବାରୁ ବିଜେପି ତାହାର ସୁଯୋଗ ନେଇ ବିଧାନସଭାରେ ନିଜ ସଂଖ୍ୟା ୩ରୁ ୨୩କୁ ଏବଂ ଲୋକସଭାରେ ୧ରୁ ୮କୁ ବୃଦ୍ଧି କରିଥିଲା ସିନା ବିଜେଡ଼ିକୁ ମୂଳପୋଛ କରିବାରେ ସକ୍ଷମ ହୋଇ ନଥିଲା ।
୨୦୧୯ରେ ନ ହେଲେ କଣ ହେଲା, ୨୦୨୪ ନିର୍ବାଚନରେ ଦଳ ଏହି ଲକ୍ଷ୍ୟ ହାସଲ କରିବ ବୋଲି ଏବେ ବିଜେପିର ରାଜ୍ୟ ଓ କେନ୍ଦ୍ରୀୟ ନେତାମାନେ ବାହାସ୍ପୋଟ ମାରୁଛନ୍ତି । ପଶ୍ଚିମ ବଂଗରେ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ହୋଇଥିବା ବିଭିନ୍ନ ର୍ୟାଲିରେ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହାର ଅଭାସ ଦେଇଛନ୍ତି । ‘ପଶ୍ଚିମ ବଂଗ ପରେ ଓଡ଼ିଶା’ ବୋଲି ସେମାନେ ବିଭିନ୍ନ ର୍ୟାଲିରେ ଖୋଳାଖୋଲି ଘୋଷଣା କରିଥିଲେ । ତେବେ, ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ଓ ମମତାଙ୍କ ବିଜୟ ବିଜେପିକୁ ଉତ୍କ୍ଷୀପ୍ତ କରିଛି । ବିଜେଡ଼ି ଏବଂ ଏହାର ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ବଂଗ ନିର୍ବାଚନ ଫଳାଫଳକୁ ନେଇ ଆଶ୍ୱସ୍ତ । ନବୀନ ମମତାଙ୍କୁ ବିଜୟ ପାଇଁ ବଧେଇ ଜଣାଇ ତାହାର ପରିପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜକୁ ଜଣେ ଜାତୀୟ ନେତା ଭାବେ ପ୍ରତିପାଦିତ କରିଥିଲେ ମଧ୍ୟ ଓଡ଼ିଶା ଛାଡି ଜାତୀୟ ରାଜନୀତିକୁ ଯିବାକୁ ଆଗ୍ରହୀ ଥିବା ମନେ ହେଉ ନାହିଁ । ତେବେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଟକ୍କର ଦେଇ ଜାତୀୟ ରାଜନୀତିକୁ ଆଖେଇ ଥିବାରୁ ବିଜେପି ସେମାନଙ୍କୁ ବଡ଼ ବିପଦ ଭାବେ ଚିହ୍ନଟ କରିଛି । ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ‘ବିକାଶର ଶାସନ’କୁ ଦେଶବସୀ ପସନ୍ଦ କଲେଣି । ତାଙ୍କ ଦଳ ମଧ୍ୟ କେଜରୀୱାଲଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖୁଥିବା ସାମାଜିକ ଗଣମାଧ୍ୟମରେ ଚାଲିଥିବା ଯୋରଦାର ପ୍ରଚାରରୁ ସୂଚନା ମିଳୁଛି ।
ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଅଛି । କୋଭିଡ଼ର ଦ୍ୱତୀୟ ଲହର ଦିଲ୍ଲୀ ସମେତ ଦେଶର ଅଧିକାଂଶ ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ରହିଥିବା ଦୁର୍ବଳତାକୁ ପଦାରେ ପକାଇଛି । ଦେଶର ରାଜଧାନୀ ଦୁଲ୍ଲୀ ସହର ସମେତ ଦେଶର ଅଧିକାଂଶ ରାଜ୍ୟରେ କୋଭିଡ଼ ସମୟରେ ଦେଖିବାକୁ ମିଳିଛି ହସ୍ପିଟାଲ ଅଛି ସିନା ଆବଶ୍ୟକ ସଂଖ୍ୟାରେ ଡ଼ାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀ ନାହାନ୍ତି । ହସ୍ପିଟାଲରେ ଯଥେଷ୍ଟ ସଂଖ୍ୟାରେ ଶଯ୍ୟା ନଥିବାରୁ ରୋଗୀ ହସ୍ପିଟାଲ କରିଡ଼ରରେ ତଳେ ଶୋଇ ସାଲାଇନ୍ ଓ ଅକ୍ସିଜେନ୍ ନେଉଛନ୍ତି । ରାଜ୍ୟମାନଙ୍କ ଦୁର୍ଦ୍ଦିନରେ କେନ୍ଦ୍ର ସରକାର ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଔଷଧ, ମେଡ଼ିକାଲ ଉପକରଣ ଏବଂ କୋଭିଡ଼ ଟିକା ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ପାରୁ ନାହାନ୍ତି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଅଦାଲତ ପର୍ଯ୍ୟନ୍ତ ସମସ୍ତେ କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ । ଏଥିରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଉପାୟ ଖୋଜୁଥିବା ବେଳେ କଂଗ୍ରେସର ରାଜନୈତିକ ପୁନଃରୁଦ୍ଧାର ହୋଇପାରୁ ନାହିଁ । କଂଗ୍ରେସର ସର୍ବୋଚ୍ଚ ନେତୃତ୍ୱ ପାଟି ଖୋଲିଲେ ଶାସକ ବିଜେପି ଆଡୁ ଏଭଳି ପ୍ରତ୍ୟୁତ୍ତର ପାଉଛି ଯେ ଶାସକ ଦଳକୁ ମୁକାବିଲା କରିବାକୁ ଭରସି ପାରୁ ନାହିଁ ।
ଏଭଳି ଅବସ୍ଥାରେ ଚତୁର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ପରିସ୍ଥିତିରୁ ରାଜନୈତିକ ଫାଇଦା ଉଠାଇବାର କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି । ହଜାର ହଜାର ସଂଖ୍ୟାରେ କୋଭିଡ଼ ପୀଡ଼ିତ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ବେଳେ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ହସ୍ପିଟାଲ୍ ଶଯ୍ୟା, ଆଇସିୟୁ, ଭେଂଟିଲେଟର, ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଔଷଧ ମିଳୁ ନଥିବା ଦର୍ଶାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ଡ଼ାକ୍ତରଖାନାରେ ଡ଼ାକ୍ତର, ନର୍ସ, ଅନ୍ୟ ମେଡ଼ିକାଲ କର୍ମଚାରୀ, ଟେକ୍ନିସିଆନ୍ ଓ ମେଡ଼ିକାଲ ସଂରଜାମ ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ଦିଲ୍ଲୀ ସରକାର ଅଭିଯୋଗ କରୁଛନ୍ତି । ଦେଶରେ କୋଭିଡ଼ ପରିଚାଳନାର ଏକକ ଦାୟିତ୍ୱ କେନ୍ଦ୍ର ସରକାର ନିଜ ହାତରେ ରଖି ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କ ସଫ୍ଟ୍ ଟାର୍ଗେଟ୍ ହୋଇଛନ୍ତି । କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ପକ୍ଷଛେଦନ କରି ଦିଲ୍ଲୀ ଶାସନର ସମସ୍ତ କ୍ଷମତା ଲ୍ୟୁଟିନାଂଟ୍ ଗଭର୍ଣ୍ଣର (ଏଲଜି)ଙ୍କ ହାତରେ ଠୁଳ କରିଥିଲେ ସୁଦ୍ଧା କେଜରୀୱାଲଙ୍କୁ ରୋକିବାରେ ସକ୍ଷମ ନହାନ୍ତି । ବୁଦ୍ଧିଆ କେଜରୀୱାଲ ନିଜେ ଯାହା କରି ପାରୁ ନାହାନ୍ତି ତାହା ଅଦାଲତ ମାଧ୍ୟମରେ ହାସଲ କରିବାରେ ସକ୍ଷମ ହେଉଥିବା ମୋଦୀ ସରକାରଙ୍କ ପାଇଁ ବିପଦ ହୋଇଛି ।
କେବଳ କେଜରୀୱାଲ ନୁହନ୍ତି, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ମଧ୍ୟ କେନ୍ଦ୍ରକୁ ଚ୍ୟାଲେଂଜ୍ ଦେଲା ଭଳି ଶକ୍ତି ଭାବେ ଉଭା ହେଲେଣି । ପଶ୍ଚିମ ବଂଗ ବିଧାନସଭା ନିର୍ବାଚନର ବହୁ ପୂର୍ବରୁ ବିଜେପି ମମାତଙ୍କ ଗଡ଼ରେ ଧୁମ୍ ମଚାଇ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ସେମାନଙ୍କ ସମସ୍ତ କୂଟନୀତି ପଶ୍ଚିମ ବଂଗରେ ପ୍ରୟୋଗ କରି ଦିଦିଙ୍କ ଶକ୍ତି କ୍ଷୁର୍ଣ୍ଣ କରିବାର ପ୍ରୟାସ କରିଥିଲେ । ବ୍ୟକ୍ତଗତ ଭାବେ ମମତାଙ୍କୁ ଆକ୍ଷେପ କରାଯିବା ସହ ଟିଏମସିକୁ ର୍ଦୁବଳ କରିବା ପାଇଁ ଦଳର କିଛି ପ୍ରମୁଖ ନେତାଙ୍କୁ ବିଜେପିରେ ସାମିଲ କରାଯାଇଥିଲା । ତେବେ, ବିଜେପିର କୌଶଳ ନିକଟରେ ହାର୍ ମାନି ନଥିଲେ । ଏକାକୀ ମୋଦୀ-ଶାହା ଯୋଡିଙ୍କ ସାମ୍ନା କରି ନିଜର ଗଡ଼ ରକ୍ଷା କରିଥିଲେ । ନନ୍ଦିଗ୍ରାମ ବିଧାନସଭା ଆସନରୁ ସେ ନିଜର ଜଣେ ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ନିକଟରୁ ପରାଜିତ ହୋଇଥିଲେ ସିନା ବିଜେପିକୁ ପଶ୍ଚିମ ବଂଗ ଦଖଲ ସୁଯୋଗ ଦେଇ ନଥିଲେ । ମମତା ଆଗାମୀ ଦିନରେ ଦେଶର ସମସ୍ତ ଆଂଚଳିକ ଦଳର ମୁଖ୍ୟଙ୍କୁ ଏକାଠି କରି ବିଜେପିର ଏକ ଜାତୀୟ ବିକଳ୍ପ ଗଢିବାର ଅଭିଳାଷ ଦେଖାଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତାରେ । ତେଣୁ, ସିବିଆଇ, ଇଡ଼ି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବେ ପଶ୍ଚିମ ବଂଗରେ ସକ୍ରିୟ । ସିବିଆଇ ପାଂଚ ବର୍ଷ ଧରି ତଦନ୍ତ କରୁଥିବା ୨୦୧୬ର ‘ନାରଦା ଷ୍ଟ୍ରିଙ୍ଗ୍ ଅପରେସନ୍’ ମାମଲା ଫାଇଲ୍ କୁ ଏବେ ଖୋଲିବା ଏବଂ ସୋମବାର ଭୋର୍ ସମୟରେ ତୃଣମୂଲ କଂଗ୍ରେସ ପାର୍ଟିର ୪ ଜଣ ବରିଷ୍ଠ ନେତାଙ୍କୁ ଗିରଫ କରି ଜେଲ୍ କୁ ପଠାଇବା ଏହାର ଏକ ଜ୍ୱଳନ୍ତ ଉଦାହରଣ ।
ନାରଦା ନ୍ୟୁଜ୍ ପୋର୍ଟାଲ୍ ପକ୍ଷରୁ ୨୦୧୬ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟ୍ରିଙ୍ଗ୍ ଅପରେସନ ହୋଇଥିଲା । ଏହି ନ୍ୟୁଜ୍ ପୋର୍ଟାଲ୍ ର ସିଇଓ ମାଥ୍ୟୁ ସାମଏଲ୍ ଏକ ନକଲି କଂପାନୀ ନାଁରେ ନିଜର ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ କିଛି ତୃଣମୂଳ କଂଗ୍ରେସ ପାର୍ଟିର ନେତାମାନଙ୍କ ସହାୟତା ମାଗି ଥିଲେ । ସହାୟତା ବଦଳରେ ସେମାନଙ୍କୁ ମୋଟା ଅଂକର ଲାଂଚ ଦେବାର ଲାଳସା ଦେଖାଇ ଥିଲେ ମାଥ୍ୟୁ । ସଂପୃକ୍ତ ନେତାମାନେ ମାଥ୍ୟୁଙ୍କ ନିକଟରୁ ଲାଂଚ ନେଉଥିବା ଭିଡ଼ିଓ ଭାଇରାଲ୍ ହେବା ପରେ ସିବିଆଇ ତାହାର ତଦନ୍ତ ଭାର ନେଇଥିଲା । ପାଂଚ ବର୍ଷ ହେଲା ମାମଲାର ତଦନ୍ତ ଚାଲିଛି । ସିବିଆଇ ଅଦାଲତରେ ସଂପୃକ୍ତ ନେତାମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ସରିଛି । ଏହାସତ୍ତ୍ୱେ ସିବିଆଇ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ସୋମବାର ସକାଳେ ରାଜ୍ୟ ପରିବହନ ମନ୍ତ୍ରୀ ତଥା କୋଲକାତା ନଗର ନିଗମର ଅଧ୍ୟକ୍ଷ ଫରିଦ ହାକିମ୍, ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଓ ପୂର୍ବତନ ବିଧାୟକ ତଥା କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଉତ୍କୋଚ ନେବା ମାମଲାରି ଗିରଫ କରିଛି । ଏହି ମାମଲାରେ ୧୩ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇ ଥିବା ବେଳେ ସିବିଆଇ ସ୍ୱତନ୍ତ୍ର ଟିମ୍ ଚାରି ଜଣ ଟିଏମସି ନେତାଙ୍କୁ ଗିରଫ କରିବା ଏବଂ ଅନ୍ୟତମ ଅଭିଯୁକ୍ତ ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରାୟ ( ଦୁହେଁ ଏବେ ବିଜେପିରେ)ଙ୍କ ଗିରଫ କରା ନଯିବା ନାରଦା ନ୍ୟୁଜ୍ ପୋର୍ଟାଲ୍ ସିଇଓ ମାଥ୍ୟୁ ସାମୁଏଲଙ୍କୁ ମଧ୍ୟ ବିସ୍ମିତ କରିଛି । ସିବିଆଇ ଅଦାଲତରେ ହାଜର ହୋଇଥିବା ୪ ଟିଏମସି ନେତାଙ୍କୁ ସନ୍ଧ୍ୟା ସୁଦ୍ଧା ଅଦାଲତ ଜାମିନରେ ଛାଡି ଥିଲେ ମଧ୍ୟ ସିବିଆଇ ଏହି ଆଦେଶ ବିରୋଧରେ ତୁରନ୍ତ କୋଲକାତା ହାଇକୋର୍ଟରେ ଆବେଦନ କରି ସେମାନଙ୍କ ଜାମିନ ବାତିଲ କରାଇ ଥିବା ଏବଂ ସେମାନଙ୍କୁ ପୁନର୍ବାର ଗିରଫ କରି ଜେଲ୍ ପଠାଇ ଥିବା ‘ପ୍ରତିଶୋଧ ରାଜନୀତି’ ବୋଲି ଟିଏମସି କହିଛି ।
ରାଜ୍ୟରେ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ଦୁର୍ନୀତିରେ ସଂପୃକ୍ତ ସବୁ ଟିଏମସି ନେତାଙ୍କୁ ଜେଲ୍ ରେ ପୁରାଇବ ବୋଲି ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଯାହା କହିଥିଲେ ନିର୍ବାଚନରେ ହାରିବା ପରେ ତାହା କରି ଦେଖାଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭୟଭିତ କରିବା ପାଇଁ ଏହା ବିଜେପିର ଏକ ରଣନୀତି କୁହାଯାଉଥିବା ବେଳେ ମମତା ଏଥିପାଇଁ ପଶ୍ଚିମ ବଂଗ ରାଜ୍ୟପାଳଙ୍କୁ ଖୋଲାଖୋଲି ଦାୟି କରି ତୁରନ୍ତ ତାଙ୍କୁ ହଟାଇ ନିଆଯିବାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ବିଜେପି ପୃଷ୍ଠଭୂମି ତିଆରି କରୁଛି ବୋଲି ମଧ୍ୟ ମମତା ଅଭିଯୋଗ କରିଛନ୍ତି । ଆଜିର ଦିନରେ କେନ୍ଦ୍ର ଓ ପଶ୍ଚିମ ବଂଗ ସରକାର ମଧ୍ୟରେ ଚାଲିଥିବା ଛକାପଂଝା ରାଜନୀତି ଜାତୀୟ ଗଣମାଧ୍ୟମରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି ।
କେବଳ କେଜରୀୱାଲ ବା ମମତା ନୁହନ୍ତି, ଜାତୀୟ ରାଜନୀତିରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟକ୍କର ଦେଲା ଭଳି ଆହୁରି ଅନେକ ଜାତୀୟ ଓ ଆଂଚଳିକ ଦଳର ନେତା ଅଛନ୍ତି । ଏନସିପି ନେତା ଶରଦ ପାୱାର ସେଥିରୁ ଅନ୍ୟତମ । ସେ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ଥିଲେ ମଧ୍ୟ ସୁଯୋଗ ପାଇ ନାହାନ୍ତି । କଂଗ୍ରେସ ଦଳରେ ଥାଇ ସେ ସୁଯୋଗରୁ ବଂଚିତ ହେବା ପରେ ନ୍ୟାସନାଲିଷ୍ଟ୍ କଂଗ୍ରେସ ପାର୍ଟି ବା ଏନସିପି ଗଠନ କରିଥିଲେ । ଏବେ ପାୱାର ମହାରାଷ୍ଟ୍ରରେ ଶିବସେନା ଓ କଂଗ୍ରେସ ସହ ମିଶି ସରକାର ଚଳାଇଛନ୍ତି । କୋଭିଡ଼ ପରିସ୍ଥିତିରେ ଶୁପ୍ତ ଅବସ୍ଥାରେ ଥିବା ଅନ୍ୟ ଆଂଚଳିକ ନେତାଙ୍କ ମଧ୍ୟରେ ଅଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବସପା ନେତ୍ରୀ ସୁଶ୍ରୀ ମାୟାବତୀ, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡ଼ିଏସ୍ ନେତା ଏଚ.ଡି. ଦେବେଗୌଡା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଆରଜେଡ଼ି) ପ୍ରମୁଖ । ନୀତୀଶ ଏନଡ଼ିଏ ସହ ଅଛନ୍ତି ଏବଂ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ବିହାର ସରକାର ଚାଲିଛି । ବିଜେପି ସେଠାରେ ବଡ଼ ଭାଇର ଭୂମିକାରେ ରହିଛି । ବିଜେପି ନେତୃତ୍ୱର ଉଗ୍ର ହାବଭାବ ନେଇ ନୀତୀଶ ଅସନ୍ତୁଷ୍ଟ । ତଥାପି, ମୁଖ୍ୟମନ୍ତ୍ରୀ ପଦ ବଂଚାଇ ରଖିବାକୁ ସେ ନୀରବ ରହିଛନ୍ତି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଜେଲରୁ ମୁକୁଳିବା ପରେ ହସ୍ପିଟାଲରେ ଚିକିତ୍ସାଧିନ ଥିବାରୁ ତାଙ୍କ ସ୍ୱର ଶୁଭୁ ନାହିଁ । ପୁଅ ତେଜସ୍ୱୀ ଏବେ ଦଳର ମୁଖିଆ ଏବଂ ବିହାରରେ ବିରୋଧୀ ଦଳ ନେତା ରହିଛନ୍ତି ।
ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉତ୍ପୀଡନର ଶିକାର ହୋଇ ସବୁ ଆଂଚଳିକ ଦଳର ମୁଖ୍ୟମାନଙ୍କୁ ଚିଠି ଲେଖି ବିଜେପି ବିରୋଧରେ ସଂଗଠିତ ହେବାକୁ ନିବେଦନ କରିଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମମତାଙ୍କ ଠାରୁ ଏଭଳି ଚିଠି ପାଇଥିଲେ । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଦେଶକୁ ‘କଂଗ୍ରେସ ମୁକ୍ତ’ କରିବା ପରେ ଏବଂ ‘ବିରୋଧୀ ମୁକ୍ତ’ ଭାରତ ଅଭିଯାନ ଚଳାଇ ଥିବା ଏବଂ ରାଜ୍ୟ ସରକାରମାନଙ୍କୁ ଟାର୍ଗେଟ୍ କରୁଥିବା ମମତା ଏହି ଚିଠିରେ ସ୍ପଷ୍ଟ କରିବା ସହ ଏହି ଅଭିଯାନ ବିରୋଧରେ ସମସ୍ତ ଆଂଚଳିକ ଦଳର ନେତା ଏକାଠି ହେବାକୁ ପ୍ରବର୍ତ୍ତାଇ ଥିଲେ । ତେବେ, କିଛି ଅଂଚଳିକ ନେତାଙ୍କୁ ଛାଡି ଦେଲେ ଅନ୍ୟମାନେ ଏହି ଆହ୍ୱାନକୁ ନେଇ ସେଭଳି କିଛି ଉତ୍ସାହ ଦେଖାଇ ନଥିଲେ । ଏବେ ପଶ୍ଚିମ ବଂଗ ପରିସ୍ଥିତିକୁ ଅନୁଶୀଳନ କଲେ ଦେଶର ଅନ୍ୟ ଅଣ ବିଜେପି ଶାସିତ ରାଜ୍ୟ ଯେ ଆଗାମୀ ଦିନରେ ଏକାଭଳି ସଂକଟର ସାମ୍ନା କରି ପାରନ୍ତି, ତାହା ସ୍ପଷ୍ଟ ହେଲାଣି । କୋଭିଡ଼ ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ଏକଚାଟିଆ ମନୋଭାବ ଅଧିକାଂଶ ରାଜ୍ୟ ସରକାରଙ୍କୁ କ୍ଷୁବ୍ଧ କରିଛି । ପଶ୍ଚିମ ବଂଗରେ ନିର୍ବାଚିତ ସରକାର ବିରୋଧରେ ଚାଲିଥିବା ‘ପ୍ରତିହିଂସା ରାଜନୀତି’ ମଧ୍ୟ ଅନ୍ୟ ରାଜ୍ୟଙ୍କ ପାଇଁ ସତର୍କ ସଂକେତ ହୋଇଛି । ଏଭଳି ପରିସ୍ଥିତିରେ ବିରୋଧୀ ଏକାଠି ହେବାର ଆବଶ୍ୟକତା ଥିବା ବେଳେ କୂଟନୀତିରେ ମାହିର ମୋଦୀ-ଶାହା ଯୋଡି ତାହା କେତେଦୂର ହେବାକୁ ଦେବେ, ତାହା ଦେଖିବାକୁ ବାକି ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS