‘ଆମ୍ଫାନ୍’ ଭଳି ଭୟଂକର ହେବ କି ‘ୟସ୍’ ?
ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୨୦
ନିକଟରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ତାଇତେ’ ଭୀଷଣ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହୋଇ କେରଳ, ତାମିଲନାଡ଼, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଓ ଗୁଜରାଟ ଉପକୂଳକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିବା ବେଳେ ଉତ୍ତର ଆଣ୍ଡାମାନ ସମୁଦ୍ର ଏବଂ ନିକଟବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପୂର୍ବ ଉପକୂଳକୁ ଡରାଇବା ଆରମ୍ଭ କରିଛି । ମେ’ ୨୨ ତାରିଖରେ ତାହା ଅଧିକ ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇ ୨୬ ତାରିଖ ଓଡ଼ିଶା-ପଶ୍ଚିମ ବଂଗ ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଫଳରେ, ଉପକୂଳ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ମୃଦୁ କଂପନ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ବାତ୍ୟାର ଗତିପଥ ଏବଂ ସମ୍ଭାବ୍ୟ ପ୍ରଭାବ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନଥିବାରୁ ଓଡ଼ିଶାବାସୀ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ୍ତ କୁମାର ଜେନା ଆଜି ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ମଧ୍ୟ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ମେ’ ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ସ୍ୱଳ୍ପରୁ ଓ ମଧ୍ୟମ ଏବଂ କିଛି ସ୍ଥାନରେ ଭୀଷଣ ବର୍ଷା ହେବା ଆକଳନ କରାଯାଉଛି । ତେଣୁ, ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ସମୁଦ୍ରକୁ ନ ଯିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଯେଉଁମାନେ ଆଗରୁ ମାଛ ଧରିବା ସକାଶେ ଗଭୀର ସମୁଦ୍ରକୁ ଯାଇ ସାରିଛନ୍ତି ସେମାନଙ୍କୁ ତୁରନ୍ତ ଫେରାଇ ଆଣିବା ବ୍ୟବସ୍ଥା କରିବାକୁ ମଧ୍ୟ ମତ୍ସ୍ୟ ଓ ପଶୁ ସଂପଦ ବିଭାଗକୁ ନିର୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡ଼ିର ଆକଳନ ହିଁ ସରକାରଙ୍କ ପାଇଁ ଗ୍ରହଣୀୟ । ପାଣିପାଗ ସଂପର୍କରେ ଆକଳନ କରୁଥିବା ଅନ୍ୟ କିଛି ସଂସ୍ଥା ଦେଉଥିବା ଖବରକୁ ଜନସାଧାରଣ ଗୁରୁତ୍ୱ ନ ଦେଇ ପୂର୍ବରୁ ପରିକ୍ଷୀତ ଆଇଏମଡ଼ିର ରିପୋର୍ଟକୁ ହିଁ ପ୍ରାଥମିକତା ଦେବାକୁ ଏସଆରସି କହିଛନ୍ତି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନର (ଏସଆରସି) ଜେନା ସମ୍ଭାବ୍ୟ ବାତ୍ୟା ସଂପର୍କରେ ବୁଧବାର ଦିନ ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ, ଏସପି, ଫାୟାର ଅଫିସର୍ ଓ ଏମର୍ଜେନ୍ସି ଅଫିସରମାନଙ୍କ ସହ ବୈଠକ କରିଥିଲେ । ଆଗୁଆ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରି ରଖିବା, ସେଠାରେ କିପ୍ରକାର ସୁବିଧା ଓ ଭିତ୍ତିଭୂମି ରହିଛି ଯାଂଚ କରିବା ଏବଂ ଯଦି ବାତ୍ୟା ଆସୁଛି ତେବେ ତଳିଆ ଅଂଚଳରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦିଗରେ ଯୋଜନା ପ୍ରସ୍ତୁତ କରିବାକୁ ସେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଜେନା କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ସ୍ଥଳ ଭାଗ ଛୁଇଁବ ବୋଲି ଆଇଏମଡ଼ିରୁ କୌଣସି ଠୋସ୍ ସୂଚନା ମିଳି ନାହିଁ । ଯାହା ପ୍ରାଥମିକ ସୂଚନା ମିଳିଛି, ସେଥିରୁ ମେ’ ୨୬ରେ ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମ ବଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁ ପାରେ ବୋଲି କୁହାଯାଇଛି । ଓଡ଼ିଶା ଭଳି ପଶ୍ଚିମ ବଙ୍ଗ ସରକାର ମଧ୍ୟ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ବୈଠକ କରିଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ସରକାରୀ ଅଧିକାରଙ୍କ ସହ ଭର୍ଚୁଆଲ୍ ମିଟିଂ କରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଯଥେଷ୍ଟ ପରିମାଣର ପାନୀୟ ଜଳ, ଔଷଧ, ଶୁଖିଲା ଖାଦ୍ୟ ଓ ଟାପ୍ରୋଲିନ୍ ମହଯୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି ।
ଆଇଏମଡ଼ିରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଆଂଡାମାନ ଓ ନିକଟବର୍ତ୍ତୀ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ମେ’ ୨୨ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପରବର୍ତ୍ତୀ ୭୨ ଘଂଟା ମଧ୍ୟରେ ଅଧିକ ଘନିଭୂତ ହୋଇ ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଣ୍ଡାମାନ-ନିକୋବର ଦ୍ୱୀପପୁଂଜ, ଓଡ଼ିଶା, ପଶ୍ଚିମ ବଂଗ, ଆସାମ ଓ ମେଘାଳୟରେ ୨୫ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଟିବ । କିଛି ସ୍ଥାନରେ ସ୍ୱଳ୍ପ ଓ ମଧ୍ୟମ ଧରଣର ଏବଂ ଆଉ କିଛି ସ୍ଥାନରେ ଭୀଷଣ ବର୍ଷାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାର ନାମକରଣ ହୋଇଛି ‘ୟସ୍’ । ‘ଆମ୍ଫାନ୍’ ଭଳି ‘ୟସ୍’ ଭୟଂକର ହୋଇପାରେ ବୋଲି ଅଶଂକା ରହିଛି । ତେବେ, ସମୁଦ୍ର ଭିତରେ ସୃଷ୍ଟ ହୋଇଥିବା ପ୍ରାକ୍-ଲଘୁଚାପ ପ୍ରକ୍ରିୟା ଦୃତ ଗତିରେ ଆଗକୁ ମାଡୁ ଥିବା ପାଣିପାଗ ବିଭାଗର ବିଭିନ୍ନ ମଡ଼େଲ୍ ରୁ ଦେଖିବାକୁ ମିଳୁଛି, ଯାହାକି ସମ୍ଭାବ୍ୟ ବାତ୍ୟାକୁ ନେଇ ସକାରାତ୍ମକ ସୂଚନା ଦେଉଛି । ଘୂର୍ଣ୍ଣିବଳୟ ଅଧିକ ସମୟ ଧରି ସମୁଦ୍ର ଭିତରେ ରହିଲେ ହିଁ ଘନିଭୂତ ହୋଇ ବଳ ଗୋଟାଇ ଥାଏ ଏବଂ ଭୟଙ୍କର ବାତ୍ୟାର ରୂପ ନେଇ ଥାଏ ବୋଲି ସମ୍ଭାବ୍ୟ ବାତ୍ୟା ଉପରେ ନଜର ରଖିଥିବା ପାଣିପାଗ ବିଜ୍ଞାନୀ ସୁନିଥା ଦେବୀ କହିଛନ୍ତି ।
ସାଧାରଣତଃ ମୌସୁମୀ ଆସିବା ଆଗରୁ ଏପ୍ରିଲ ଓ ମେ’ ମାସରେ ପୂର୍ବ ଓ ପଶ୍ଚିମ ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ପରଂପରା ରହି ଆସିଛି । ୨୦୨୦ରେ ଏହି ଦୁଇ ଉପକୂଳରେ ଦୁଇଟି ଭୟଙ୍କର ବାତ୍ୟା ହୋଇଥିଲା । ‘ଆମ୍ଫାନ୍’ ମହାବାତ୍ୟା ପୂର୍ବ ଉପକୂଳକୁ ଧ୍ୱସ୍ତବିଧ୍ୱସ୍ତ କରିଥିବା ବେଳେ ପଶ୍ଚିମ ଉପକୂଳକୁ ଧ୍ୱସ୍ତ କରିଥିଲା ‘ନିସାର୍ଗ’ । ନିକଟରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ତାଇତେ’ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇ ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳକୁ ଯେଭଳି ଧ୍ୱସ୍ତବିଧ୍ୱସ୍ତ କରିଛି ତାହାର କ୍ଷୟକ୍ଷତି ଆକଳନ ଏପର୍ଯ୍ୟନ୍ତ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଗୁଜରାଟର ମହାବାତ୍ୟା କ୍ଷୟକ୍ଷତି ଆକାଶ ମାର୍ଗରୁ ଆକଳନ କରିବା ପରେ ରାଜ୍ୟକୁ ଅଗ୍ରୀମ ଏକ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
‘ଫନି’ଓ ‘ଅମ୍ଫାନ୍’ ମହାବାତ୍ୟାରେ ଓଡ଼ିଶାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ସମୁଦ୍ର ଉପକୂଳର ଅଧିବାସୀମାନେ ଏପର୍ଯ୍ୟନ୍ତ ସରକାରୀ ସହାୟତା ପାଇବା ଆଶାରେ ଭଂଗା ଦଦରା ଘରେ ପଡି ରହି ଥିବା ବେଳେ ଆସନ୍ତା ୨୬ରେ ଆଉ ଏକ ମହାବାତ୍ୟା ଓଡ଼ିଶା ଉପକୂଳ ଆଡେ ମୁହାଁଉ ଥିବା ଖବର ସେମାନଙ୍କୁ ବିଚଳିତ କରିଛି । ତେବେ, ୨୨ ତାରିଖ ପରେ ହିଁ ବାତ୍ୟାର ଗତିପଥ ଏବଂ ପ୍ରଭାବ ସଂପର୍କରେ ନିର୍ଦ୍ଧିଷ୍ଟ ଭାବେ କିଛି ଆକଳନ କରିହେବ ବୋଲି ସରକାର କହିଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS