‘ୟାସ୍’କୁ ନେଇ ଆଇଏମଡ଼ିର ଆକଳନ, ବାତ୍ୟା ଭୟଂକର ହେବ
ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୨୨
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୨୩ ତାରିଖ ଅବପାତରେ ପରିଣତ ହୋଇ ୨୪ ତାରିଖ ବାତ୍ୟାର ରୂପ ନେବ । ‘ଓମାନ୍’ ଏହି ବାତ୍ୟାର ନାମକରଣ କରି ‘ୟାସ୍’ ରଖିଛି । ବାତ୍ୟା ‘ୟାସ୍’ ଅତ୍ୟନ୍ତ ଭୟଂକର ହେବ ଏବଂ ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ପ୍ରତି ଘଂଟାରେ ୧୨୦ରୁ ୧୬୫ କିମି ରହିବ । ମଝିରେ ମଝିରେ ପବନର ବେଗ ଘଂଟା ପ୍ରତି ୧୮୫ କିମି ମଧ୍ୟ ରହିବ ବୋଲି ଆଇଏମଡ଼ି (ଭାରତୀୟ ପାଣିପାଗ ବିଭାଗ) ଅନୁମାନ କରୁଛି । ୨୪ ତାରିଖ ‘ୟାସ୍’ ବାତ୍ୟାର ରୂପ ନେବା ପରେ ହିଁ ତାହାର ଗତିପଥ ଓ ପବନର ବେଗ ସଠିକ ଭାବେ ଆକଳନ କରି ହେବ । ତେବେ, ବାତ୍ୟା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା-ପଶ୍ଚିମ ବଂଗ ଓ ବଙ୍ଗଲାଦେଶର ସୁନ୍ଦରବନ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ ବୋଲି ବିଭାଗ ଆକଳନ କରିଛି । ଏହି ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ତାହାର ରୂପ ଭୟଂକର ଥିବ ବୋଲି ଅନୁମାନ କରାଯାଉଛି । ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶାରେ ଅଧିକ ରହିବ । ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରଭାବିତ ହେବ । ଉପକୂଳ ଓଡ଼ିଶାରେ ୨୪ ତାରିଖ ଦିନ ଘଂଟାକୁ ୪୦ରୁ ୫୦ କିମି ବେଗରେ ପବନ ବହିବ । ୨୫ ତାରିଖ ଅପରାହ୍ନରୁ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ଏବଂ ପବନର ବେଗ ଘଂଟା ପ୍ରତି ୬୦ କିମି ହୋଇପାରେ । ୨୬ ତାରିଖ ପବନର ବେଗ ଅଧିକ ରହିବ । ବାତ୍ୟା ଭୟଂକର ରୂପ ନେଇ ମାଡି ଆସିବା ଆକଳନ ହେଉ ଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତିରେ ଲାଗିଛନ୍ତି । ଚାୀମାନଙ୍କୁ ସେମାନଙ୍କ ଫସଲ ଘୋଡାଇ ରଖିବାକୁ କୁହାଯାଇଛି । ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରି ଆସି ଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ସୂଚନା ଦେଇଛନ୍ତି । କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଂଚଳରୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ ଥିବା ଉପକୂଳବର୍ତ୍ତୀ ଅଂଚଳର ଅଧିବାସୀଙ୍କୁ ସରକାର ମାସ୍କ୍ ଓ ସ୍ୱାସ୍ଥ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସ୍ଥାନାନ୍ତର କାର୍ଯ୍ୟରେ ସରପଂଚ, ୱାର୍ଡ ମେମ୍ବର ଓ ମିଶନ ଶକ୍ତିର ସହାୟତା ନିଆଯିବ । ବିଭିନ୍ନ ଏନଜିଓ ଓ ସିଏସଓ ମଧ୍ୟ ଏଥିରେ ସହାୟତା କରିବେ । ବାତ୍ୟା ଯୋଗୁଁ ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣ ଯେପରି ପ୍ରଭାବିତ ନ ହେବ ସେଥି ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯାଉଛି । କୋଭିଡ଼ ହସ୍ପିଟସ୍ମାନଙ୍କରେ ବିଦ୍ୟୁତ ଓ ଜଳ ଯୋଗାଣର ବିକଳ୍ପ ବ୍ୟବସ୍ଥା ହେଉଥିବା ସୂଚନା ମିଳିଛି । ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ୧୭ଟି ଏନଡ଼ିଆରଏଫ୍ , ୨୦ଟି ଓଡ୍ରାଫ୍ ଓ ୧୫୦ଟି ଅଗ୍ନିଶମ ବିଭାଗ ଟିମ୍ ପ୍ରସ୍ତୁତ ରଖାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS