ସିବିଏସଇ ଦ୍ୱାଦଶ ପରୀକ୍ଷା: ଆଲୋଚନା ହେଲା, କିନ୍ତୁ ସହମତି ପ୍ରକାଶ ପାଇଲା ନାହିଁ
ପ୍ରସାଦ ରାଓ
ନୂଆଦିଲ୍ଲୀ
ମେ’ ୨୩
ଚଳିତ ବର୍ଷ ଏପ୍ରିଲ୍/ମେ’ରେ ହେବାକୁ ଥିବା ସିବିଏସଇ/ଆଇସିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା କୋଭିଡ଼ କାରଣରୁ ସ୍ଥଗିତ ଥିଲା । ଆସନ୍ତା ଜୁନ ମାସରେ ଏହି ସବୁ ପରୀକ୍ଷା କରାଇବାକୁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ବୋର୍ଡ କର୍ତ୍ତୃପକ୍ଷ ଚାହୁଁ ଥିଲେ ମଧ୍ୟ ଆଜି ତାହା ଉପରେ ସହମତି ହୋଇପାରି ନାହିଁ । କେବଳ ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ନୁହେଁ, ବିଭିନ୍ନ ଜାତୀୟସ୍ତର ପ୍ରତିଯୋଗୀତାମୂଳକ ପରୀକ୍ଷା ମଧ୍ୟ କୋଭିଡ଼ କାରଣରୁ ସ୍ଥଗିତ ରହିଛି । ବିଭିନ୍ନ ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ବିଭାଗ ସଚିବଙ୍କ ସହ ଆଲୋଚନା କରି ସହମତି ଭିତ୍ତିରେ ପରୀକ୍ଷା ସଂପର୍କରେ ନିଷ୍ପତ୍ତି ହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁ ଥିବା ଦର୍ଶାଇ ଆଜି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରାଯାଇଥିଲା । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋଭିଡ଼ ମହାମାରୀ ସମୟରେ ଏସବୁ ପରୀକ୍ଷା କରାଯିବା ନେଇ ସହମତି ପକାଶ ପାଇ ନଥିବା ଜଣାପଡିଛି । କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବେକା ପରିସ୍ଥିତିରେ ପରୀକ୍ଷା କରାଯିବା ଠିକ୍ ହେବ ବୋଲି ମତ ରଖୁଥିବା ବେଳେ ଦିଲ୍ଲୀରେ କ୍ଷମତାସୀନ ‘ଆମ୍ ଆଦମୀ ପାର୍ଟି’ ପରୀକ୍ଷା ପ୍ରସ୍ତାବକୁ ବିରୋଧ କରିଛି । ଏଏପି ନେତା ତଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପରୀକ୍ଷା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ଭାବେ ଟିକାକରଣ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ତାମିଲନାଡୁ ସମେତ କିଛି ରାଜ୍ୟ ପରିସ୍ଥିତି ସୁଧୁରିଲେ ଯାଇ ପରୀକ୍ଷା ହେଉ ବୋଲି ମତ ରଖି ଥିବା ବେଳେ ଦିଲ୍ଲୀ, ମହାରାଷ୍ଟ୍ର ସମେତ ଅଧିକାଂଶ ରାଜ୍ୟ ପରୀକ୍ଷା ନହୋଇ ଇଂଟରନାଲ୍ ମାର୍କ ଭିତ୍ତିରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯିବାକୁ ପ୍ରସ୍ତାବ ରଖିଛନ୍ତି । ଆଉ କିଛି ରାଜ୍ୟ ଚଳିତ ବର୍ଷକୁ ‘ଶୂନ୍ ପରୀକ୍ଷା ବର୍ଷ’ ଘୋଷଣା କରାଯାଇ ପରିସ୍ଥିତି ସୁଧୁରିଲେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭାଗ ନେବାର ବିକଳ୍ପ ରଖା ଯିବାକୁ ଦାବି ଉପସ୍ଥାପନ କରିଥିଲେ । ତେଣୁ, ବୈଠକରେ ପରୀକ୍ଷାକୁ ନେଇ କୌଣସି ସହମତି ହୋଇ ନଥିଲା । ତେବେ, କେନ୍ଦ୍ର ସରକାର ଅତିଶୀଘ୍ର ଏସଂପର୍କରେ କିଛି ଗୋଟାଏ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆଲୋଚନା ହେଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିର ବୈଠକରେ ଦୁଇଟି ବିକଳ୍ପ ରଖା ଯାଇଥିଲା । ପ୍ରଥମଟି ହେଲା, ସବୁ ବିଷୟରେ ପରୀକ୍ଷା କରା ନ ହୋଇ କିଛି ସୀମିତ ବିଷୟକୁ ନେଇ ପରୀକ୍ଷା ହେବ । ଦ୍ୱିତୀୟ ବିକଳ୍ପ ଥିଲା, ସବୁ ବିଷୟରେ ପରୀକ୍ଷା ହେବ, କିନ୍ତୁ ପରୀକ୍ଷା ସମୟ ୩ ଘଂଟା ବଦଳରେ ଦେଢ ଘଂଟା ରହିିବ ଏବଂ ଏମସିକ୍ୟୁ ଢାଂଚାରେ ଛାତ୍ରଛାତ୍ରୀଙ୍କୁ ସଟ୍ କୋଶ୍ଚିନ୍ ଦିଆଯାଇ ତାହାର ଉତ୍ତର ରଖିବାକୁ କୁହାଯିବ । ରାଜ୍ୟମାନେ ଏହି ଦୁଇଟି ବିକଳ୍ପକୁ ଏଡାଇ ଯାଇ ‘ତୃତୀୟ ବିକଳ୍ପ କଣ କୁହ’ ବୋଲି ପ୍ରଶ୍ନ କରିଥିଲେ । ଆଜିର ଭର୍ଚୁଆଲ୍ ବୈଠକ ସହମତି ଅଭାବରୁ ଅଧାପନ୍ତୁରିଆ ଶେଷ ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଦ୍ୱାରା ଆହୂତ ଏହି ବୈଠକରେ ବିଭିନ୍ନ ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବମାନେ ଯୋଗ ଦେଇଥିଲେ । ବୈଠକରେ ଯୋଗ ଦେଇଥିବା ହାଇ-ପ୍ରୋଫାଇଲ୍ ମନ୍ତ୍ରୀଙ୍କ ମଧ୍ୟରେ ଥିଲେ କେନ୍ଦ୍ର ମନ୍ତ୍ରୀ (ମହିଳା ଓ ଶିଶୁ ବିକାଶ ବିଭାଗ) ସ୍ୱୃତି ଇରାନୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଦେକର୍ ଏବଂ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସଂଜୟ ଧୋତ୍ରେ । ଜୁନ ମାସରେ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଇବାକୁ ସିବିଏସଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲା । ଆଜିର ବୈଠକରେ ଜେଇଇ ମେନ୍, ଜେଇଇ ଆଡଭାନ୍ସ୍ ଓ ନିଟ୍ ଭଳି ପ୍ରବେଶିକା ପରୀକ୍ଷାଗୁଡିକ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ତେବେ, ଏସବୁ ପରୀକ୍ଷାରେ ୧୭ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀ ଭାଗ ନେଉ ଥିବାରୁ ପରୀକ୍ଷା କରିବା ପୂର୍ବରୁ ଏହି ବୟସ ବର୍ଗର ସମସ୍ତଙ୍କୁ ଟିକାକରଣ କରିବା ଶେଷ କରାଯିବାକୁ ଦାବି ହେଇଛି । ୨୫ ତାରିଖ ସୁଦ୍ଧା ରାଜ୍ୟ ସରକାରମାନେ ପରୀକ୍ଷା ନେଇ ମତାମତ ରଖିବାକୁ କୁହାଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଶଙ୍କ ବୈଠକ ପରେ କହିଛନ୍ତି ।
ମୋଅନୁଭବ.କମ୍
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS