ପ୍ରଧାନମନ୍ତ୍ରୀ ଶୁୁକ୍ରବାର ଓଡ଼ିଶା ଓ ପଶ୍ଚିମ ବଙ୍ଗ ଆସି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବେ
ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୨୭
ମେ’ ୨୨ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୂଚାପ ଭୀଷଣ ବାତ୍ୟାର ରୂପ ନେଇ ମେ’ ୨୬ ତାରିଖ ଓଡ଼ିଶାର ବାଲେଶ୍ୱରରୁ ୨୦ କିମି ଦକ୍ଷିଣ ରେମୁଣା ବାହନଗା ନିକଟରେ ସ୍ଥଳଭାଗ ଅତିକ୍ରମଣ କରିବା ଫଳରେ ଓଡ଼ିଶା ଓ ପଶ୍ଚିମ ବଂଗରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ‘ୟସା’ର ପ୍ରଭାବରେ ପ୍ରବଳ ଝଡବାତ୍ୟାରେ ଓଡ଼ିଶାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ବାତ୍ୟାରେ ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର (ଏସଆରସି) ପ୍ରଦୀପ୍ତ କୁମାର ଜେନା ଆଜି ଗଣମାଧ୍ୟମକୁ କହିଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ କାନ୍ଥ ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲଶ୍ୱର ଓ କେନ୍ଦୁଝରରେ ଗଛ ଡାଳ ଭାଂଗି ପଡିବାରୁ ତା’ ତଳେ ଚାପି ହୋଇ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହି ବାତ୍ୟା ପ୍ରଭାବରେ ଓଡ଼ିଶାର ସମୁଦ୍ର ଉପକୂଳରେ ୨୬ ତାରିଖ ପ୍ରବଳ ବର୍ଷା ହୋଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ଘଟିଛି । ସମୁଦ୍ର ଜୁଆର ମାଡ଼ି ଆସି ବହୁ ଅଂଚଳ ଜଳମଗ୍ନ ହୋଇ ରହିଛି । ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବାରୁ କେନ୍ଦୁଝର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସତର୍କ ରହିଛନ୍ତି । ନଦୀବନ୍ଧଗୁଡିକ ଉପରେ ମଧ୍ୟ ନଜର ରଖା ଯାଇଥିବା ଏସଆରସି କହିଛନ୍ତି । ୮ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଥିବା ସେ ସୂଚନା ଦେଇଛନ୍ତି । ରାଜ୍ୟର ୧୪୬ଟି ବ୍ଲକରେ ବର୍ଷା ହୋଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଳାର ବହୁ ଗ୍ରାମ ଜଳମଗ୍ନ ହୋଇ ରହିଛି । କାଲି ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି । କୃଷି ଓ ପଶୁ ସଂପଦ ବିଭାଗର କ୍ଷେତ୍ର ଅଧିକାରୀମାନେ ମଧ୍ୟ କ୍ଷୟକ୍ଷତିର ଆକଳନ କରୁଛନ୍ତି । ସେମାନେ ପ୍ରଥମେ ଏସଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଏହି ଭୀଷଣ ବାତ୍ୟାରେ ପଡୋଶୀ ପଶ୍ଚିମ ବଙ୍ଗ ମଧ୍ୟ ବ୍ୟାପକ ଭାବେ କ୍ଷୟର ସମ୍ମୁଖୀନ ହୋଇଛି । ରାଜ୍ୟର ଏକ କୋଟି ଲୋକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମ ବଙ୍ଗ ସରକାର ଦାବି କରିଛନ୍ତି । ବାତ୍ୟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ବିଭିନ୍ନ ବିଭାଗର କେନ୍ଦ୍ରୀୟ ଅଧିକାରୀଙ୍କ ନିର୍ଦେଶ ଦେଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀ ମଧ୍ୟ ବାତ୍ୟା ପରିସ୍ଥିତି ସଂପର୍କରେ ୨୫ ତାରିଖ ଦିନ ସମୀକ୍ଷା କରିଥିଲେ । ୨୬ ତାରିଖ ବାତ୍ୟାରେ ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ବ୍ୟାପକ କ୍ଷତି ଘଟି ଥିବାରୁ ପ୍ରଦାନମନ୍ତ୍ରୀ ମୋଦୀ ଶୁକ୍ରବାର (୨୮ ତାରିଖ) ଦିନ ଏହି ଦୁଇ ରାଜ୍ୟ ଗସ୍ତ କରି ଆକାଶ ମାର୍ଗରୁ କ୍ଷୟକ୍ଷତି ଅନୁଧ୍ୟାନ କରିବେ ଏବଂ ସରକାରୀ ଅଧିକାରୀଙ୍କ ସହ ସମୀକ୍ଷା କରିବେ ବୋଲି ଆଜି ସୂଚନା ମିଳିଛି । ପ୍ରାଧାନମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରେ ପହଂଚି ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ବାଲେଶ୍ୱର ଓ ଭଦ୍ରକର ସ୍ଥିତି ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ । ପରେ, ସେ ପଶ୍ଚିମ ବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର କ୍ଷୟକ୍ଷତି ଅନଧ୍ୟାନ କରିବେ ବୋଲି ସୂଚନା ମିଳିଛି । ବାତ୍ୟାରେ ପଶ୍ଚିମ ବଙ୍ଗର ପର୍ଯ୍ୟଟନ କେନ୍ଦ୍ର ଦୀଘାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ସମୁଦ୍ର ଜୁଆର କୂଳଲଂଘି ଦୀଘା ସହର ଭିତରକୁ ମାଡ଼ି ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଓଡ଼ିଶା, ପଶ୍ଚିମ ବଙ୍ଗ ପରେ ଏହି ଭୀଷଣ ବାତ୍ୟା ଝାଡଖଣ୍ଡରେ ପ୍ରବେଶ କରି ସେଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇ ଥିବା ସୂଚନା ମିଳିଛି । ଝାଡଖଣ୍ଡ ରାଜ୍ୟରେ ୮ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ‘ୟସା’ ଗଭୀର ଅବପାତରେ ପରିଣତ ହୋଇ ଝାଡଖଣ୍ଡକୁ ମାଡ଼ି ଯାଇଥିଲା । ସେଠାରୁ ଉତ୍ତର ପଶ୍ଚିମ ଦିଗରେ ଆଗକୁ ଗତି କରୁଛି । ୧୨ ଘଂଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଏବଂ ଏହାର ପ୍ରଭାବ କମିଯିବ । ଏହି ବାତ୍ୟା ୨୬ ତାରିଖ ସକାଳେ ବାଲେଶ୍ୱର ଜିଲ୍ଲା ରେମୁଣା ବାହାନଗା ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଂଟାକୁ ୧୫୫ କିମି ପର୍ଯ୍ୟନ୍ତ ଥିଲା ବୋଲି ଆଇଏମଡ଼ି କହିଛି । ଏହା ଥିଲା କାଟାଗୋରୀ- ୨ ବର୍ଗର ବାତ୍ୟା । ଉତ୍ତର ବଙ୍ଗୋପସାଗରରେ ମୌସୁମୀ ପୂର୍ବରୁ ଓ ପରେ ବିଭିନ୍ନ ତୀବ୍ରତା ସଂପନ୍ନ ବାତ୍ୟା ଆସିବା କିଛି ନୂଆ କଥା ନୁହେଁ । ତେବେ, ଗତ ବର୍ଷେ ହେଲା ଏଭଳି ସାମୁଦ୍ରିକ ବାତ୍ୟା ସଂଖ୍ୟା ବଢି ଚାଲିଛି । ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ବଙ୍ଗୋପ ସାଗର ଓ ଆରବ ସାଗରରେ ଜଳର ଉପର ଭାଗର ତାପମାତ୍ରା ବୃଦ୍ଧି ପାଇ କ୍ରମାଗତ ଭାବେ ବିଭିନ୍ନ ତୀବ୍ରତା ସଂପନ୍ନ ବାତ୍ୟାର ସଂଖ୍ୟା ବଢି ଚାଲିଛି ବୋଲି ସାମୁଦ୍ରିକ ବିଜ୍ଞାନୀମାନେ ମତ ଦେଉଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS