ମୋଦୀଙ୍କୁ ତାଙ୍କରି ଭାଷାରେ ଜବାବ ଦେଲେ ମହୁଆ ମୈତ୍ର ?
ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୨୯
ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ସରିବାର ମାସେ ବିତିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ପାଇଁ ରାଜ୍ୟରେ କ୍ଷମତାସୀନ ହୋଇଛି । ତେବେ, ନିର୍ବାଚନ ପ୍ରଚାର ସମୟରେ ବ୍ୟକ୍ତିଗତ ସ୍ତରର ଆକ୍ଷେପ, ପ୍ରତ୍ୟାକ୍ଷେପକୁ ନେଇ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ଓ ବିଜେପି ମଧ୍ୟରେ ଯେଉଁ ତୀକ୍ତତା ସୃଷ୍ଟି ହୋଇଥିଲା ତାହା ଆଜି ମଧ୍ୟ ସୁଧୁରି ନାହିଁ । ଅନ୍ୟ ପକ୍ଷରେ, ସଂପର୍କ ଅଧିକ ତୀକ୍ତ ହେବାରେ ଲାଗିଛି ।
ମେ’ ୨୬ ତାରିଖ ଦିନ ଓଡ଼ିଶାର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବ୍ୟାପକ କ୍ଷତିଗ୍ରସ୍ତ କରିଥିବା ‘ୟସ୍’ ପଶ୍ଚିମ ବଂଗର ମେଦିନାପୁର ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପର୍ଯ୍ୟଟନ ସହର ଦୀଘା ଓ ସୁନ୍ଦରବନ ଅଂଚଳରେ ବ୍ୟାପକ କ୍ଷତି ହୋଇଥିବା ପଛିମ ବଂଗ ସରକାରଙ୍କ ଆକଳନରୁ ଜଣାପଡିଛି । ବାତ୍ୟାର ଗୋଟିଏ ଦିନ ପରେ, ଅର୍ଥାତ୍ ମେ’୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଓ ପଶ୍ଚିମ ବଂଗ ଗସ୍ତରେ ଆସି ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଆକାଶ ମାର୍ଗରୁ ପରିଦର୍ଶନ କରିଥିଲେ । ସେ ଓଡ଼ିଶା ପାଇଁ ତୁରନ୍ତ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ ପଶ୍ଚିମ ବଂଗ ଏବଂ ଝାଡ଼ଖଣ୍ଡ ପାଇଁ ୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ତାହା ମଧ୍ୟ ପଶ୍ଚିମ ବଂଗ ଓ ଝାଡ଼ଖଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ ଆବଶ୍ୟକତାକୁ ଦେଖି ମିଳିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିବା ଜଣାପଡିଛି ।
ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ତ୍ୱରିତ ଓ ନିଃସର୍ତ୍ତ ସହାୟତା ଘୋଷଣା କରିଥିବା ବେଳେ ପଶ୍ଚିମ ବଂଗ ଓ ଝାଡ଼ଖଣ୍ଡ ପାଇଁ ଏଭଳି ସର୍ତ୍ତ ରଖିବା ପଛରେ କି ରାଜନୀତି ରହିଛି, ତାହା ପ୍ରଧାନମନ୍ତ୍ରୀ ହିଁ କହିବେ । ତେବେ, ପଶ୍ଚିମ ବଂଗ ଟିଏମସି ସରକାର ଓ କେନ୍ଦ୍ରର ସରକାରଙ୍କ ମଧ୍ୟରେ କିଛି ମାସ ହେଲା ବୃଦ୍ଧି ପାଇଥିବା ତୀକ୍ତତା ଏହାର କାରଣ ହୋଇପାରେ ବୋଲି ଅନୁମାନ କରି ହେବ । ଝାଡ଼ଖଣ୍ଡରେ ମଧ୍ୟ ଅଣ-ବିଜେପି ଶାସିତ ଆଂଚଳିକ ଦଳ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ସରକାର ରହିଛି । ଓଡ଼ିଶାରେ କ୍ଷମତାସୀନ ବିଜେଡ଼ି ଏକ ଆଂଚଳିକ ଦଳ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସହ ସୁସଂପର୍କରେ ରଖି ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ବିଭନ୍ନ ସମୟରେ ବିଜେଡ଼ିକୁ ପ୍ରୋତ୍ସାହିତ କରିଛନ୍ତି ଏବଂ ପ୍ରଶଂସା କରିଛନ୍ତି । ଗତ ୨୮ ତାରିଖ ବାତ୍ୟା ସମୀକ୍ଷା ବୈଠକରେ ମଧ୍ୟ ସେ ଓଡ଼ିଶା ସରକାରଙ୍କୁ ପ୍ରଶାଂସା କରିଥିଲେ ଏବହ ଅଯାଚିତ ଭାବେ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କରିଥିଲେ । ସମୀକ୍ଷା ବୈଠକର ସଠିକ୍ ଆୟୋଜନ ଏବଂ ‘ୟସ୍’ ବାତ୍ୟାର ସଠିକ୍ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରର ପ୍ରଶଂସା କରିଥିବା ନିଜେ ଟ୍ୱିଟ୍ କରିଛନ୍ତି । ଆପଦ ସମୟରେ କେନ୍ଦ୍ର ସରକାର ରାଜ୍ୟ ପଛରେ ଦୃଢ ଭାବରେ ଠିଆ ହେବେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଭାବୁକ ମନ୍ତବ୍ୟ ରଖିଛନ୍ତି ।
ଏହା ଓଡ଼ିଶାରେ ଲଗାତର ପଂଚମ ଥର ପାଇଁ କ୍ଷମତାସୀନ ଥିବା ବିଜେଡ଼ି ସରକାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହୃଦୟତା କୁହାଯିବ ନା ଅନୁକଂପା, ତାହା ହଠାତ୍ କହିବା ମୁସ୍କିଲ୍ । ବିଭିନ୍ନ ସମୟରେ ବନ୍ୟା ବା ବାତ୍ୟା ଆସି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହେଲେ ରାଜ୍ୟ ସରକାରମାନେ କେନ୍ଦ୍ର ନିକଟରେ ଆର୍ଥିକ ସହାୟତା ପାଇଁ ହାତ ପତାଇବା ଏବଂ କେନ୍ଦ୍ର ସରକାର ରାଜ୍ୟର ଦାବିକୁ ସଂପୂର୍ଣ୍ଣ ଭାବେ ମାନି ନନେଇ କାଟଛାଂଟ୍ କରି ଆର୍ଥିକ ସହାୟତା ଦେବା ପରଂପରା ରହିଛି । ୨୦୧୯ର ‘ଫନି’ ବାତ୍ୟା ଓ ୨୦୨୦ର ‘ଆମ୍ଫାନ୍’ ବାତ୍ୟାରେ ମଧ୍ୟ ରାଜ୍ୟ ସରକାର କେନ୍ଦ୍ର ନିକଟରେ କ୍ଷୟକ୍ଷତିର ରିପୋର୍ଟ ଉପସ୍ଥାପନ କରି ଯେଉଁ ପରିମାଣର ଆର୍ଥିକ ସହାୟତା ଦାବି କରିଥିଲେ ତାହା ମିଳି ନଥିଲା । କେନ୍ଦ୍ର ସରକାର ନିଜ ବୈଷୟିକ ଟିମ୍ ପଠାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ରାଜ୍ୟକୁ କାଂଟଛାଂଟ୍ କରି ଆର୍ଥିକ ସହାୟତା ଦେଇଥିଲେ । ତେବେ, ‘ୟସ୍’ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ବଂଗ ଛାଡୁ ଛାଡୁ ଓଡ଼ିଶାକୁ ଅଗ୍ରୀ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କରି ରାଜ୍ୟବାସୀଙ୍କୁ ଚକିତ କରିଥିଲେ । କେନ୍ଦ୍ରୀୟ ଦଳ ଆସି ଅନୁଧ୍ୟାନ କରିବା ପରେ କେନ୍ଦ୍ର ବାକି ଯାହା ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ମିଳି ଥିଲା ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମଧ୍ୟ ଭୁବନେଶ୍ୱର ସମୀକ୍ଷା ବୈଠକରେ କେନ୍ଦ୍ର ନିକଟରେ ହାତ ପତାଇ ନାହାନ୍ତି । ଦେଶରେ କୋଭିଡ଼ ପରିସ୍ଥିତିକୁ ନଜରରେ ରଖି ଓଡ଼ିଶା କେନ୍ଦ୍ର ସରକାରଙ୍କ ଉପରେ ଅଧିକ ଆର୍ଥିକ ବୋଝ ଲଦିବାକୁ ଚାହୁଁ ନାହିଁ । ନିଜର ଆର୍ଥିକ ସମ୍ବଳକୁ ଧରି ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନମ୍ରତାର ସହ ଜଣାଇଛନ୍ତି । ବିଭିନ୍ନ ସମୟରେ ବାତ୍ୟା ଆସି ବିଦ୍ୟୁତ ବିତରଣ ଏବଂ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ବିଧ୍ୱସ୍ତ କରୁଥିବାରୁ ଏହି ସମସ୍ୟାକୁ ରୋକିବା ପାଇଁ ଓଡ଼ିଶା ପକ୍ଷରୁ ଦୀର୍ଘସ୍ଥାୟୀ କାର୍ଯ୍ୟର ଦାବି ହୋଇଥିଲା । ନିରନ୍ତର ବିଦ୍ୟୁତ ଓ ଟେଲି ଯୋଗଯୋଗ ପାଇଁ ଅତ୍ୟାଧୁନିକ ବୈଷୟିକ କୌଶଳରେ ଭୂତଳ କେବଲିଂ ବ୍ୟବସ୍ଥାକୁ ସୁଦୃଢ କରାଯିବା ଏବଂ ବାତ୍ୟା ସମୟରେ ସମୁଦ୍ର ଜୁଆର ଉପକୂଳ ଅଂଚଳକୁ ମାଡ଼ି ଆସି ଭୀଷଣ କ୍ଷତି କରୁଥିବାରୁ ତାହାର ଦୀର୍ଘସ୍ଥାୟୀ ପ୍ରତିକାର କରାଯିବାକୁ ରାଜ୍ୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ହୋଇଥିବା ସମୀକ୍ଷା ବୈଠକ ପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ୍ତ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
‘ୟସ୍’ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ହାତ ନ ପତାଇ ନିଜ ସମ୍ବଳରେ ପରିସ୍ଥିତି ସଜାଡିବାକୁ ନେଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ମୁଖ୍ୟମନ୍ତ୍ରୀ ଏଭଳି ଦୃଢୋକ୍ତି ପ୍ରକାଶ କରିବା ରାଜ୍ୟ ସରକାରଙ୍କ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି । ମୁଖ୍ୟମନ୍ତ୍ରୀଙ୍କ ନିନ୍ଦୁକମାନେ ମଧ୍ୟ ସରକାରଙ୍କ ଏଭଳି ଆତ୍ମବିଶ୍ୱାସର ପ୍ରଶଂସା କରୁଛନ୍ତି । ଏହା ହେଉଛି ନବୀନଙ୍କ ‘ନୂଆ ଢଂଗର ରାଜନୀତି’ ବୋଲି ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଭାବିତ ହୋଇ ରାଜ୍ୟକୁ ପ୍ରଶଂସାରେ ପୋତି ପକାଇଛନ୍ତି । ତାଙ୍କ ସରକାର ଓଡ଼ିଶା ସହ ସବୁ ସମୟରେ ରହିବ ବୋଲି ଟ୍ୱିଟ୍ କରି ପକାଇଛନ୍ତି । ୨୦୦୯ ପରଠାରୁ ବିଜେଡ଼ି ସମଦୂରତାର ରାଜନୀତି କରି ଆସୁଛି । କଂଗ୍ରେସ ଓ ବିଜେପି ଠାରୁ ଦଳ ସମାନ ଦୂରତା ବଜାୟ ରଖୁଥିବା କହୁଛି । ତେବେ, ବାସ୍ତବିକତା ହେଉଛି, କେନ୍ଦ୍ର ସରକାରଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବିଜେଡ଼ି ମୋହର ମାରି ଆସିଛି । ୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ପରେ ବିଜେପି-ବିଜେଡ଼ି ସଂପର୍କ ଅଧିକ ଗଭୀର ହୋଇଛି ।
ପଶ୍ଚିମ ବଂଗ କଥା ଭିନ୍ନ । ଗଲା ୧୦ ବର୍ଷ ହେଲା ରାଜ୍ୟରେ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି) କ୍ଷମତାରେ ରହିଛି । ଦଳର ନେତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଦୃଢମନା ରାଜନେତ୍ରୀ ଭାବେ ଜାତୀୟ ରାଜନୀତିରେ ପରିଚିତ । ତାଙ୍କ ଦଳ ତାଙ୍କୁ ଆଗାମୀ ଦିନର ପ୍ରଧାନମନ୍ତ୍ରୀ ଭାବେ ଦେଖୁଛି । ସେ ନିଜେ ସାଲିସବିହୀନ ରାଜନୀତିକୁ ଆଧାର କରି ଜାତୀୟ ରାଜନୀତିରେ ପ୍ରଭାବ ବଢାଇବାର ଲାଗିଛନ୍ତ । ୨୦୧୪ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତିଷ୍ଠା ହେବା ପରେ ବିମୁଦ୍ରୀକରଣଠାରୁ ଆରମ୍ଭ କରି ନାଗରିକ ସଂଶୋଧନ ଆଇନ ପର୍ଯ୍ୟନ୍ତ ସବୁ ନିଷ୍ପତ୍ତିକୁ ମମତା ବିରୋଧ କରିବା ମୋଦୀ ସରକାରଙ୍କ ଚିନ୍ତାର କାରଣ ହୋଇଛି । ୨୦୨୧ ବିଧାନସଭା ନିର୍ବାଚନରେ ତାଙ୍କୁ ଓ ତାଙ୍କ ଦଳ ଟିଏମସିକୁ ଧରାଶାୟୀ କରିବା ପାଇଁ ବିଜେପି ସବୁ ଅସ୍ତ୍ର ପ୍ରୟୋଗ କରିଥିଲା । ଦଳର ପ୍ରଚାର କେଉଁ ସ୍ତରକୁ ଖସିଥିଲା ତାହା ଦେଶବାସୀ ଦେଖିଛନ୍ତି ।
ମମତା ଓ ତାଙ୍କ ପରିବାର ପ୍ରତି ବ୍ୟକ୍ତିଗତ ଆକ୍ଷେପ ହେଲା, ଟିଏମସିରେ ବିଭେଦ ସୃଷ୍ଟି କରି ତାଙ୍କରି ଦଳ ନେତାଙ୍କୁ (ଠିକ୍ ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା) ତାଙ୍କ ବିରୋଧରେ ମୋହରା କରାଗଲା । ସିବିଆଇ, ଇଡ଼ି (ପ୍ରବର୍ତ୍ତନ ନିର୍ଦେଶାଳୟ)ଓ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ଅଚିନ୍ତନୀୟ ପ୍ରୟୋଗ ହେଲା । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଅସ୍ୱଚ୍ଛତା ମଧ୍ୟ ଚର୍ଚ୍ଚାରେ ରହିଲା । ତଥାପି, ବିଜେପି ମମତାଙ୍କୁ କ୍ଷମତାଚ୍ୟୁତ କରି ପାରିଲା ନାହିଁ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପଶ୍ଚିମ ବଂଗରେ ଯେଭଳି ଭାବେ ରାଜନୈତିକ ଦଂଗା ଓ ହିଂସା ଚାଲିଛି ତାହା ପଛରେ ଟିଏମସିର ହାତ ଥିବା ବିଜେପି ଅଭିଯୋଗ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ଏହା ପଛରେ ବିଜେପିର ଅସହିଷ୍ଣୁ ରାଜନୀତି ରହିଛି ବୋଲି ପଲଟା ଅଭିଯୋଗ କରିଥିଲେ ଏବଂ ନିର୍ବାଚନ ଯୁଦ୍ଧରେ ହାରିଥିବା ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ଓ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ମୋହରା କରିଛି ବୋଲ ସେ କହିଥିଲେ । ପରବର୍ତ୍ତୀ ସମୟରେ, ଯେଉଁ ଜଳାପୋଡା ଓ ହିଂସାର ଚିତ୍ର ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁ ଥିଲା ସେଥିରୁ ଅଧିକାଂଶ ନକଲି ଥିଲା ବୋଲି ପଶ୍ଚିମ ବଂଗ ପୁଲିସ ସ୍ପଷ୍ଟ କରିଥିଲେ ।
ବିଜେପି ନେତୃତ୍ୱ ଏତିକିରେ ଶାନ୍ତ ହୋଇ ନାହାନ୍ତି । ପାଂଚ ବର୍ଷ ତଳେ (୨୦୧୬ ବିଧାନସଭା ନିର୍ବାଚନ ପୂର୍ବର) ହୋଇଥିବା ‘ନରଦା ଷ୍ଟ୍ରିଂଗ୍ ଅପରେସନ୍’କୁ ପୁନଃ ଜୀବନ୍ୟାସ ଦେଇଛନ୍ତି ଏବଂ ମମତାଙ୍କ ଉପରେ ଦାଉ ସାଧିଛନ୍ତି । ଷ୍ଟ୍ରିଂଗ୍ ଅପରେସନ୍ ଏଭଳି ଥିଲା – ଏକ ନକଲି କଂପାନୀର ସିଇଓ ବୋଲି ନିଜକୁ ଦାବି କରି ମାଥ୍ୟୁ ସାମୁଏଲ ନାମକ ଜଣେ ସାମ୍ବାଦିକ ନିଜର ବ୍ୟବସାୟିକ ସୁବିଧା ବଢାଇବା ପାଇଁ କିଛି ଶାସକ ଦଳ (ଟିଏମସି) ନେତାଙ୍କ ସହଯୋଗ ମାଗି ଥିଲେ । ସେମାନଙ୍କୁ ଆର୍ଥିକ ଫାଇଦାର ଲୋଭ ଦେଖାଇ ଅର୍ଥ କାରବାର କରି ଥିଲେ । ସଂପୃକ୍ତ ନେତାମାନେ ଲାଂଚ ନେଉଥିବା ବେଳର ଦୃଶ୍ୟ ଭିଡ଼ିଓରେ ରେକର୍ଡିଂ ହୋଇଥିଲା ଏବଂ ପରେ ତାହା ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଥିଲା । ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲା । ପାଂଚ ବର୍ଷ ତଳର ଏହି ମାମଲାର ଚାର୍ଜସିଟ୍ ଦାଖଲ ସରି ଥିବା ବେଳେ ହଠାତ୍ ୨୦୨୧ ବିଧାନସଭା ନିର୍ବାଚନ ପରେ ସିବିଆଇର ଏକ ଟିମ୍ ମମତାଙ୍କ ମନ୍ତ୍ରୀ ପରିଷଦରେ ଶପଥ ନେଇ ଥିବା ମନ୍ତ୍ରୀଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଛନ୍ତି ।
ତେବେ, ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପି ଯୋଗ ଦେଇଥିବା ଏବଂ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ମମତାଙ୍କୁ ହରାଇ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଆସନରେ ବସି ଥିବା ଶୁଭେନ୍ଦୁ ଅଧିକାରୀ ଏବଂ ବରିଷ୍ଠ ନେତା ମୁକୁଲ ରାୟଙ୍କୁ (ସଂପୃକ୍ତ ଷ୍ଟ୍ରିଂଗ୍ ଅପରେସନ୍ ରେ ଏହି ଦୁଇ ନେତା ମଧ୍ୟ ଲାଂଚ ନେଉ ଥିବାର ଦୃଶ୍ୟ ରେକର୍ଡିଂ ଥିବା ନିଜେ ଭିଡ଼ିଓ ତିଆରି କରିଥିବା ମାଥ୍ୟୁ ସାମୁଏଲ୍ ଦାବି କରିଛନ୍ତି) ସିବିଆଇ ଗିରଫ ନକରି ହାତ ସଫା ରଖିବା କେନ୍ଦ୍ର ସରକାର ରାଜନୈତିକ ଆକ୍ରୋଶ ରଖି ଏହା କରାଇଛନ୍ତି ବୋଲି ଅଭିଯୋଗ କରିବାକୁ ସୁଯୋଗ ଦେଇଛି । ନିର୍ବାଚନରେ ପରାଜୟ ପରେ ବିଜେପି ସିବିଆଇକୁ ଲଗାଇ ଏହି ଉତ୍କୋଚ ଗ୍ରହଣ ମାମଲାର ‘ଶବ’ କବରରୁ ବାହାର କରିଛି ଏବଂ ମମତାଙ୍କୁ ମାତ୍ ଦେବାକୁ ଚାହୁଁଛି ବୋଲି ଟିଏମସି ଅଭିଯୋଗ କରିଛି । ସ୍ୱତନ୍ତ୍ର ସିବିଆଇ ଅଦାଲତ ଗିରଫ ନେତାଙ୍କ ଜାମିନ ମଂଜୁର କରିଥିଲେ ମଧ୍ୟ ଏହି ଆଦେଶ ବିରୋଧରେ ହାଇକୋଟରୁ ସ୍ଥଗିତାଦେଶ ଆଣି ସିବିଆଇ ସେମାନଙ୍କୁ ଜେଲ୍ କୁ ପଠାଇଛି । ଏହି ଘଟଣା କେନ୍ଦ୍ର ସହ ପଶ୍ଚିମ ବଂଗ ସରକାରଙ୍କ ସଂପର୍କକୁ ଅଧିକ ତୀକ୍ତ କରିଛି ।
ନିକଟରେ, କୋଭିଡ଼ ପରିସ୍ଥିତି ଏବଂ ଟିକାକରଣ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ସହ ଭିଡ଼ିଓ କନ୍ଫରେନ୍ସିଂ କରିଥିଲେ । ଓଡ଼ିଶା, ପଶ୍ଚିମ ବଂଗ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳମାନେ ଏଥିରେ ଭାଗ ନେଇଥିଲେ । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କୁ ମତ ରଖିବାର ସୁଯୋଗ ଦେଇ ନଥିବା ନିଜେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ପରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଥିଲେ । ଏହା ପରେ ପରେ ଆସିଲା ବାତ୍ୟା । ବାତ୍ୟା ‘ୟସ୍’ ଓଡ଼ିଶାରେ ସ୍ଥଳଭାଗ ଛୁଇଁଲା ସିନା ପଶିଚିମ ବଂଗ ମେଦିନାପୁର ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପର୍ଯ୍ୟଟନ ସ୍ଥଳ ଦୀଘା ଓ ସୁନ୍ଦରବନକୁ ନିଷ୍ଟଭ୍ରଷ୍ଟ କରି ଦେଇଛି । ପ୍ରଧାନମନ୍ତ୍ରୀ ମୋଦୀ ୨୮ ତାରିଖ ଦିନ ଓଡ଼ିଶାରୁ ପଶ୍ଚିମ ବଂଗ ଯାଇ ‘କଲାଇକୁଣ୍ଡା ଏୟାର ବେସ୍’ରେ ବାତ୍ୟା ସମୀକ୍ଷା କରିଥିଲେ । ସେ ଅଧ ଘଂଟାଏ ଅପେକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟ ଶାସନ ସଚିବଙ୍କ ସହ ସେଠାରେ ପହଂଚି ଦୀଘା ଓ ସୁନ୍ଦରବନର ବିକାଶ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦାବି ଜଣାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ଧରାଇ ଦେଇଥିଲେ ଏବଂ ଅନ୍ୟତ୍ର ବୈଠକରେ ଅଛି କହି ତୁରନ୍ତ ସେଠାରୁ ମୁଖ୍ୟ ଶାସନ ସଚିବଙ୍କ ସହ ଚାଲି ଯାଇଥିଲେ ।
ବିଜେପି ପାଇଁ ଏହା ଗାତ୍ରଦାହର କାରଣ ହୋଇଛି । ପ୍ରଧାନମନ୍ତ୍ରୀ କଲାଇକୁଣ୍ଡା ଏୟାର ବେସ୍ ରେ ପହଂଚିବା ସମୟରେ ତାଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ରାଜ୍ୟ ସରକାରଙ୍କ ଆଡୁ କେହି ଉପସ୍ଥିତ ନ ଥିଲେ । ପଶ୍ଚିମ ବଂଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଓ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ହିଁ ସେଠାରେ ଥିଲେ । ମମତା ଅଧ ଘଂଟାଏ ପରେ ପହଂଚି ଯେଭଳି ଭାବେ କାଗଜଟିଏ ଧରାଇ ଚାଲି ଗଲେ ତାହା ବିଜେପିକୁ କ୍ଷୁବ୍ଧ କରିଛି । ମମତାଙ୍କ ଏଭଳି ଆଚରଣ ‘ଦୁଃଖଦାୟକ ଏବଂ ଅତ୍ୟନ୍ତ ନିମ୍ନ ସ୍ତରର’ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ପଶ୍ଚିମ ବଂଗ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ନିଜ ଅଧିନକୁ ବଦଳୀ କରି ନେଇଛନ୍ତି । ବେଂଗଲ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ସଂଘୀୟ ବ୍ୟବସ୍ଥା ପ୍ରତି ଅପମାନ ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ଟିଏମସି ଏହାର ଉତ୍ତର ରଖିଛି । ଦଳର ଅଗ୍ନିବର୍ଷୀ ସାଂସଦ ମହୁଆ ମୈତ୍ର ଟ୍ୱିଟ୍ ମାଧ୍ୟମରେ କହିଛନ୍ତି, ଦେଶ କୋଭିଡ଼ ଟିକା ପାଇଁ ମାସ ମାସ ଧରି ଅପେକ୍ଷା କରୁଛି । ଦେଶବାସୀ ଗଲା ୭ ବର୍ଷ ହେଲା ସେମାନଙ୍କ ଆକାଉଂଟକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆସିବା ଅପେକ୍ଷାରେ ଅଛନ୍ତି । ଏଟିଏମ ସାମ୍ନାରେ ଭାରତୀୟମାନେ ଟଂକା ଉଠାଇବା ପାଇଁ ଘଂଟା ଘଂଟା ଧରି ଧାଡିରେ ରହୁଛନ୍ତି । ଭ୍ୟାକ୍ସିନ୍ ପାଇଁ ମଧ୍ୟ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି । ପ୍ରଧାନମନ୍ତ୍ରୀ ୩୦ ମିନିଟ ଅପେକ୍ଷା କଲେ ବୋଲି ଏତେ ତୁମ୍ବିତୋପାନ କାହିଁକି ?
‘ବେଳେ ବେଳ ଆପଣ ମଧ୍ୟ କିଛି ସମୟ ଅପେକ୍ଷାରେ ରହୁନ୍ତୁ’ ପ୍ରଧାନମନ୍ତ୍ରୀଙ୍କୁ ମହୁଆଙ୍କ କଟାକ୍ଷ ସ୍ପଷ୍ଟ କରୁଛି କେନ୍ଦ୍ର ସହ ପଶ୍ଚିମ ବଂଗ ସରକାରଙ୍କ ସଂପର୍କ କେତେ ତୀକ୍ତ ହେଲାଣି । ତୀକ୍ତତାର ଗଭୀରତା ମହୁଆଙ୍କ ଟ୍ୱିଟ୍ ରୁ ଜଣାପଡୁଛି । ଗୋଟିଏ ପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିନମ୍ରତା ଏବଂ ଅନ୍ୟପଟେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ଅଡ଼ିଅଳ ସ୍ୱଭାବ’ ଭାରତୀୟ ସଂଘୀୟ ରାଜନୀତିର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ । ମମତା ସଦ୍ୟ ଚୋଟଖିଆ ବାଘୁଣୀଟିଏ । ନିର୍ବାଚନରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କୋଭିଡ଼ ସମୀକ୍ଷା ପର୍ଯ୍ୟନ୍ତ ସବୁଠି ଯେତେବେଳେ ସେ ଅପମାନିତ ହୋଇଛନ୍ତି ତାଙ୍କଠାରୁ ପ୍ରଧାନମନ୍ତ୍ରୀ କିଭଳି ନମ୍ରତା ଆଶା କରିବେ? ‘କଲେଇକୁଣ୍ଡା ଏୟାର ବେସ୍’ରେ ମମତା ବିଳମ୍ବରେ ପହଂଚି ଏବଂ ସମୀକ୍ଷା ବୈଠକକୁ ଉପେକ୍ଷା କରି ପ୍ରଧାନମନ୍ତ୍ରୀଙ୍କୁ ଚେତାଇ ଦେଇଛନ୍ତି – ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ପରସ୍ପରକୁ ସମ୍ମାନ ଦେଇ ନ ଶିଖିଲେ ତାଙ୍କୁ (ପ୍ରଧାନମନ୍ତ୍ରୀଙ୍କୁ) ମଧ୍ୟ ଏଭଳି ଅପଦସ୍ତ ହେବାକୁ ପଡିବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚେତାବନୀ କେନ୍ଦ୍ର ସରକାରକୁ ଶୃଂଖଳିତ କରିବ ବା ଅଧିକ ଉଗ୍ର କରିବ, ତାହା ଆଗକୁ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋ ଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS