କେନ୍ଦ୍ର, ରାଜ୍ୟ ମିଳି ମିଶି ଉପଭୋକ୍ତାଙ୍କୁ ଲୁଟୁଛନ୍ତି !
ପ୍ରସାଦ ରାଓ
ଭୁବନେଶ୍ୱର
ଜୁନ ୦୧
୨୦୨୦ ଓ ୨୦୨୧ ବର୍ଷ ଦେଶର ସହରାଂଚଳରେ କରୋନା କଟକଣା ଲାଗୁ ଥିବା ସମୟରେ ଗୋଟିଏ ଦୃଶ୍ୟ ସାଧାରଣତଃ ଦେଖିବାକୁ ମିଳୁଛି । ତାହା ହେଉଛି, ଫେରିବାଲା ସାଧାରଣ ଉପଭୋକ୍ତାଙ୍କ ଦୁଆର ମୁହଁରେ ପନିପରିବାଠାରୁ ଆରମ୍ଭ କରି ଆମିଷ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବା ଦୃଶ୍ୟ । ସରକାର ‘ତାଲାବନ୍ଦ’ ଲାଗୁ କରି ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିଲେ । ଅତି ଆବଶ୍ୟକ କାର୍ଯ୍ୟ ନ ଥିଲେ ଜନସାଧାରଣ ଘରୁ ନ ବାହାରିବାକୁ ପରାମର୍ଶ ଦେଲେ । ଅଧ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଗୋଟିକିଆ ଦୋକାନକୁ ପାଦରେ ଚାଲି ଚାଲି ଯାଇ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବାକୁ ନିର୍ଦେଶନାମା ଜାରି କଲେ । ଲୋକେ ଏହା କେତେଦୂର ମାନୁଛନ୍ତି ଭିନ୍ନ କଥା, ତେବେ ଏହି ସୀମିତ ସମୟ ମଧ୍ୟରେ ମାର୍କେଟିଂ କରିବା ଯେ ମଣିଷକୁ ଚାପଗ୍ରସ୍ତ କଲା ଭଳି, ଏଥିରେ କିଛି ସଂଦହ ନାହିଁ ।
ସରକାରୀ କଟକଣାକୁ ମାନି ଲୋକମାନେ ସକାଳ ୭ରୁ ୧୧ଟା ମଧ୍ୟରେ ମାର୍କେଟିଂ ସାରିବାକୁ ବାଧ୍ୟ ହେବାରୁ ଗ୍ରୋସରୀ ଦୋକାନ, ପନିପରିବା ଦୋକାନରୁ ଆରମ୍ଭ କରି ଆମିଷ ଦୋକାନରେ ଅସମ୍ଭବ ଭିଡ଼ ହେଉଛି । କରୋନା ସଂକ୍ରମଣ ବ୍ୟାପିବାର ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ ଜନସାଧାରଣ ଭିଡ଼ରୁ ବର୍ତ୍ତିବା ପାଇଁ ଦୁଆର ମୁହଁରେ ପହଂଚୁ ଥିବା ବିଭିନ୍ନ ସାମଗ୍ରୀ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଫଳରେ, କ୍ଷୁଦ୍ର ବ୍ୟବସାୟୀଙ୍କ ବ୍ୟବସାୟ ବଢିଛି । କିଛି ଛୋଟମୋଟ ବ୍ୟବସାୟୀ ନିଜର ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଯାନକୁ ଏହି କାର୍ଯ୍ୟରେ ଲଗାଇଛନ୍ତି । ଗଳି କନ୍ଦିରେ ବୁଲି ପନିପରିବା, ଅତ୍ୟାବଶ୍ୟକ ସାମଗ୍ରୀରୁ ଆରମ୍ଭ କରି ଆମିଷ ପର୍ଯ୍ୟନ୍ତ ଖାଉଟୀଙ୍କ ନିକଟରେ ପହଂଚାଉଛନ୍ତି । ବଜାର ଦରଠାରୁ ସାମାନ୍ୟ ଅଧିକ ହେଲେ ମଧ୍ୟ ଖାଉଟୀଙ୍କୁ ଫରକ ପଡୁ ନାହିଁ । କାହିଁକି ନା ଘର ଦୁଆର ମୁହଁରେ ବିକ୍ରେତା ପହଂଚୁଛି । ବଜାରରେ ଭିଡ଼ରେ ପଶିବାକୁ ପଡୁନି ବା ପୁଲିସକୁ ଡ଼ରିବାକୁ ପଡୁନି ।
ତେବେ, ଯେଉଁ କ୍ଷୁଦ୍ର ବ୍ୟବସାୟୀ ଜଣକ ନିଜ ଗାଡ଼ରେ ପେଟ୍ରୋଲ ବା ଡ଼ିଜେଲ ପକାଇ ଉପଭୋକ୍ତାଙ୍କ ଦୁଆର ମୁହଁରେ ପହଂଚୁଛି ତା’ ପାଇଁ ବଡ଼ ସମସ୍ୟା ହୋଇଛି ତୈଳ ଦର ବୃଦ୍ଧି । ପ୍ରତିଦିନ ତେଲ ଦର ବଦଳୁଛି । ପକେଟରୁ ଅଧିକ ମୂଲ୍ୟ ଗଣିବାକୁ ପଡୁଛି । କିନ୍ତୁ, ଉପଭୋକ୍ତାଙ୍କ ଉପରେ ତାହା ଲଦିଲେ ଜିନିଷ ବିକ୍ରି ହେବନି । ଗାଡ଼ି ଧରି ଘରୁ ନ ବାହାରିଲେ ବେପାର ହେବନି । ଏହି ପରିସ୍ଥିତିରେ ସେ ନିଜ ମୁନାଫାରୁ ତେଲ ବାବଦ ବର୍ଦ୍ଧିତ ଖର୍ଚ୍ଚକୁ ଭରଣା କରୁଛି । ଉପଭୋକ୍ତା ବଜାର ସହ ସମତୁଲ ବା ପାଖାପାଖି ଦରରେ ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା, ଫଳମୂଳ ଓ ଆମିଷ ପାଇବା ଦ୍ୱାରା ବଜାର ଭିଡ଼କୁ ଏଡାଇ ପାରୁଛନ୍ତି ।
ସମସ୍ତେ ଜାଣନ୍ତି, ମନ୍ତ୍ରୀ ଓ ସରକାରୀ ବାବୁମାନେ ସର୍ବଦା ଗାଡ଼ି ଚଢି ବୁଲନ୍ତି ସିନା ନିଜ ପକେଟରୁ କେବେ ଗାଡିରେ ତେଲ ପକାନ୍ତି ନାହିଁ । ସରକାରୀ ତହବିଲରୁ ସେହି ଖର୍ଚ୍ଚ ଚଳି ଯାଏ । ବ୍ୟକ୍ତିଗତ ଗାଡ଼ି ମଧ୍ୟ ସରକାରୀ ହିସାବରେ ଚାଲେ । ତେଣୁ, ପେଟ୍ରୋଲ ଓ ଡ଼ିଜେଲର ଦରବୃଦ୍ଧି ନେଇ ସେମାନେ ବିଶେଷ ଚିନ୍ତିତ ହୋଇ ନଥା’ନ୍ତି । ତେଲ ଦର ବଢିଲେ ତାହାର ସିଧା ମାଡ଼ ପଡେ ସାଧାରଣ ଓ ମଧ୍ୟବିତ୍ତଙ୍କ ଉପରେ । ଘରୁ ଗାଡ଼ି କାଢି ବାହାରକୁ ନ ବାହାରିଲେ ରୋଜଗାର ନାହିଁ । ପଚାଶ ବା ଶହେ ଟଙ୍କାର ପେଟ୍ରୋଲ ପକାଇଲେ ଗୋଟିଏ ବା ଦୁଇ ଓଳି ଗାଡ଼ି ଚାଲିବା ମୁସ୍କିଲ୍ । ତଥାପି, ସେମାନେ ସକାଳୁ ଉଠି ପେଟ୍ରୋଲ ଟାଙ୍କିରେ ପହଂଚନ୍ତି ଏବଂ ପକେଟକୁ ସୁହାଇଲା ଭଳି ମୂଲ୍ୟର ପେଟ୍ରୋଲ ବା ଡ଼ିଜେଲ ଗାଡ଼ିରେ ପକାଇ କାମକୁ ବାହାରନ୍ତି ।
ଏହା ଖାଲି ଓଡ଼ିଶାର ଚିତ୍ର ନୁହେଁ, ସମଗ୍ର ଦେଶର ଚିତ୍ର । ପେଟ୍ରୋଲ ଓ ଡ଼ିଜେଲ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରଣ ମୁକ୍ତ ହେବା ପରେ ପେଟ୍ରୋଲିୟମ କଂପାନୀମାନେ ଅଶୋଧିତ ତୈଳର ଦରକୁ ଦେଖି ପ୍ରତି ଦିନ ତେଲର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି । ସରକାର ସେମାନଙ୍କୁ ଏହି ସ୍ୱାଧୀନତା ଦେଇଛନ୍ତି । ଫଳରେ, ଉପଭୋକ୍ତା ବଜାରରେ ଦୁଇ ପେଟ୍ରୋଲିୟମ ସାମଗ୍ରୀର ଲିଟର ପିଛା ମୂଲ୍ୟ ବଢି ଚାଲିଛି । ଏସଂପର୍କରେ ଯଦି କେହି କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛି, ଚଟାପଟ ଉତ୍ତର ମିଳୁଛି – ‘ଆମେ କଣ ତୈଳ ଦର ଦର ବଢାଉଛୁ’! ଅଶୋଧିତ ତୌଳ ବିଦେଶରୁ ଆମଦାନୀ ହେଉଛି । ତାହାର ମୂଲ୍ୟକୁ ଦେଖି ପେଟ୍ରୋଲିୟମ କଂପାନୀମାନେ ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଦର ନିର୍ଦ୍ଧାରଣ କରୁଛନ୍ତି । ଏହାଛଡା, ଦେଶରେ ‘ଟଙ୍କା’ ତୁଳନାରେ ଆମେରିକୀୟ ଡ଼ଲାରର ମୂଲ୍ୟ ଅଧିକ ରହୁ ଥିବାରୁ ପେଟ୍ରୋଲିୟମ କଂପାନୀଙ୍କୁ ଅଶୋଧିତ ତୈଳ କିଣା ଖର୍ଚ୍ଚ ଅଧିକ ପଡୁଛି । ମହଙ୍ଗାକୁ ଦେଖି ପେଟ୍ରୋଲ ଓ ଡ଼ିଜେଲର ଦର ବଢୁଛି ଏବଂ ମାଡ଼ ପଡୁଛି ଖାଉଟୀଙ୍କ ଉପରେ ।
ପେଟ୍ରୋଲ ଓ ଡ଼ିଜେଲ ଉପରେ କେନ୍ଦ୍ର ସରକାର ୩୨ରୁ ୩୪ ପ୍ରତିଶତ ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି । ରାଜ୍ୟ ସରକାରମାନେ ମଧ୍ୟ ୨୪ ପ୍ରତିଶତ ଭାଟ୍ ଆଦାୟ କରୁଛନ୍ତି । କେନ୍ଦ୍ରୀୟ ଟିକସ ଓ ରାଜ୍ୟମାନˆ ଭାଟ୍ କୁ ମିଶାଇଲେ ପେଟ୍ରୋଲ ଓ ଡ଼ିଜେଲର ପ୍ରକୃତ ମୂଲ୍ୟ ଲିଟର ପିଛା ଦୁଇ ଗୁଣରୁ ଅଧିକ ରହୁଛି । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାରମାନେ ଭାଟ୍ ପରିମାଣ ହ୍ରାସ କଲେ ସାଧାରଣ ଗ୍ରାହକ କମ୍ ମୂଲ୍ୟରେ ଏହି ଦୁଇ ପେଟ୍ରୋଲିୟମ ଉତ୍ପାଦ ପାଇ ପାରନ୍ତେ । କିନ୍ତୁ, ନା କେନ୍ଦ୍ର ସରକାର, ନା ରାଜ୍ୟ ସରକାର – କେହି ନିଜ ଟିକସ ବାବଦ ଆୟ କମାଇବାକୁ ପ୍ରସ୍ତୁତ ନୁହନ୍ତି । ପେଟ୍ରୋଲିୟମ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ନେଇ କାଁ ଭାଁ କେହି ପ୍ରଶ୍ନ କଲେ ରାଜ୍ୟ ସରକାର କେନ୍ଦ୍ରକୁ ଅଂଗୁଠି ଦେଖାଉଛନ୍ତି ଓ କେନ୍ଦ୍ର ସରକାର ରାଜ୍ୟଙ୍କୁ । ରାଜ୍ୟମାନେ ଧାର୍ଯ୍ୟ କରିଥିବା ଭାଟ୍ କୁ କାଟଛାଂଟ କଲେ ଉପଭୋକ୍ତା ପେଟ୍ରୋଲ, ଡ଼ିଜେଲର ମୂଲ୍ୟବୃଦ୍ଧିରୁ କିଛିମାତ୍ରରେ ତ୍ରାହି ପାଆନ୍ତେ ବୋଲି କେନ୍ଦ୍ରରେ କ୍ଷମତାସୀନ ଦଳର ଭକ୍ତମାନେ ଯୁକ୍ତି ବାଢୁଛନ୍ତି ।
୨୦୨୦ରୁ ଆଉ ଗୋଟିଏ କଥା ମଧ୍ୟ ଦେଖିବାକୁ ମିଳୁଛି । କୋଭିଡ଼ ପରିସ୍ଥିତି ଯୋଗୁଁ ବହୁମାତ୍ରାରେ ବ୍ୟବସାୟ ସଂକୁଚିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜସ୍ୱ କମିଛି । ତେଣୁ, ସେମାନେ ପେଟ୍ରୋଲ ଓ ଡ଼ିଜେଲ ଉପରେ ବର୍ଦ୍ଧିତ ପରିମାଣରେ ଟିକସ ଲାଗୁ କରି ରାଜସ୍ୱ ବାବଦ କ୍ଷତି ଭରଣା ପାଇଁ ଉଦ୍ୟମ କରୁଛନ୍ତି । ରାଜ୍ୟ ସରକାର ପେଟ୍ରୋଲ, ଡ଼ିଜେଲରୁ ମିଳୁ ଥିବା ବର୍ଦ୍ଧିତ ଟିକସରୁ କୋଭିଡ଼ ପରିଚାଳନା କରୁଥିବା କହୁଥିବା ବେଳେ କେନ୍ଦ୍ର ସରକାର ଦେଶରେ ଯାହା ସବୁ ବିକାଶମୂଳକ କାର୍ଯ୍ୟ ଚାଲିଛି ତାହା ତୈଳ ବାବଦରୁ ମିଳୁଥିବା ଟିକସରୁ ହେଉଛି ବୋଲି କହି ଉପଭୋକ୍ତାଙ୍କ ମୁହଁରେ ତୁଣ୍ଡି ବାନ୍ଧିବାକୁ ପଛାଉ ନାହାନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସେହି ଗୋଟିଏ କଥା କହୁଥିବା ବେଳେ ଉପଭୋକ୍ତା ବିଚାରା କଣ କରିବ ? ରାଜ୍ୟ ସରକାରମାନେ ନିଦାବିଷ୍ଣୁ । ଜନଅସନ୍ତୋଷ ତେଜିଲେ ନିଜ ଦଳର କର୍ମୀଙ୍କୁ ପଠାଇ ପେଟ୍ରୋଲ ଟାଂକିଗୁଡ଼ିକ ସାମ୍ନାରେ ଦିନେ ଅଧେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ତା’ପରେ ଯେଉଁ କଥାକୁ ସେଇ କଥା ।
ପେଟ୍ରୋଲ, ଡ଼ିଜେଲ୍ କୁ ଜିଏସଟି ଅନ୍ତର୍ଭୁକ୍ତ କରିବା ପାଇଁ ହେଉଥିବା ଦାବି ଉପରେ ଏପର୍ଯ୍ୟନ୍ତ ଜିଏସଟି ପରିଷଦ ନିରବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ କେତେବେଳେ କହୁଛନ୍ତି, ପେଟ୍ରୋଲ, ଡ଼ିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରାଯିବା ଉଚିତ । ଆଉ କେତେବେଳେ କହୁଛନ୍ତି, ସେଭଳି କିଛି ପ୍ରସ୍ତାବ ନାହିଁ । ରାଜ୍ୟର ଅର୍ଥମନ୍ତ୍ରୀମାନେ ଜିସଟି ପରିଷଦରେ ସଭ୍ୟ ଅଛନ୍ତି । ସେମାନେ ଚାପ ପକାଉ ନାହାନ୍ତି କାହିଁକି (?) ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରଶ୍ନ କରୁଛନ୍ତି । ଏଇମିତି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଲୁଚକାଳି ଭିତରେ ଉପଭୋକ୍ତା ଅନ୍ୟ ଉପାୟ ନପାଇ ନିଆଁକୁ ଗିଳୁଛି । ଦେଶର ବିଭିନ୍ନ ସହରରେ ଗଲା ଏକ ମାସ ମଧ୍ୟରେ ପେଟ୍ରୋଲ ଦର କିଭଳି ଭାବେ ବଢିଛି ତାହାର ଏକ ଉଦାୟରଣ ଭାବେ ରାଜଧାନୀ ଭୁବନେଶ୍ୱରକୁ ନିଆଯାଇପାରେ । ଆଜି (ଜୁନ ୦୧ ) ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୯୫ ଟଙ୍କା ୨୨ ପଇସା ଥିବା ସୂଚନା ମିଳିଛି । ଗଲା ମଇ ୩୧ ତାରିଖ ଦିନ ତାହା ୯୪ ଟଙ୍କା ୯୬ ପଇସା, ୩୦ ତାରିଖ ଦିନ ୯୪ ଟଙ୍କା ୫୧ ପଇସା, ୨୯ ତାରିଖ ଦିନ ୯୪ ଟଙ୍କା ୬୬ ପଇସା, ୨୮ ତାରିଖ ଦିନ ୯୪ ଟଙ୍କା ୪୦ ପଇସା, ୨୭ ତାରିଖ ଦିନ ୯୪ ଟଙ୍କା ୨୨ ପଇସା, ୨୬ ତାରିଖ ଦିନ ୯୪ ଟଙ୍କା ୦୨ ପଇସା, ୨୫ ତାରିଖ ଦିନ ୯୪ ଟଙ୍କା ୧୬ ପଇସା, ୨୪ ତାରିଖ ଦିନ ୯୩ ଟଙ୍କା ୭୫ ପଇସା, ୨୩ ତାରିଖ ଦିନ ୯୩ ଟଙ୍କା ୯୨ ପଇସା ଓ ୨୨ ତାରିଖ ଦିନ ୯୩ ଟଙ୍କା ୬୩ ପଇସା ଥିଲା । ୧୦ ଦିନରେ ପେଟ୍ରୋଲ ଦର ଚାର ଥର ସାମାନ୍ୟ ହ୍ରାସ ପାଇଥିବା ବେଳେ ଛଅ ଥର ବଢିଛି । ମଇ ୦୧ରେ ରାଜଧାନୀରେ ପେଟ୍ରୋଲ ମୂଲ୍ୟ ୯୧ ଟଙ୍କା ୪୧ ପଇସା ଥିଲା । ସଂପୂର୍ଣ୍ଣ ମଇ ମାସ ମଧ୍ୟରେ ମଇ ୦୨ ତାରିଖ ଦିନ ରାଜଧାନୀରେ ପେଟ୍ରୋଲ ଦର ସବୁଠାରୁ କମ୍ ଅର୍ଥାତ ଲିଟର ପିଛା ମୂଲ୍ୟ ୯୧ ଟଙ୍କା ୧୨ ପଇସା ଥିବା ବେଳେ ମଇ ୩୧ରେ ସର୍ବାଧିକ ୯୪ ଟଙ୍କା ୯୬ ପଇସାରେ ହୋଇଛି ।
ପେଟ୍ରୋଲ, ଡ଼ିଜେଲର ଆକାଶ ଛୁଆଁ ମୂଲ୍ୟବୃଦ୍ଧିକୁ ନେଇ ସାଧାରଣ ଜନତା ସନ୍ତୁଳି ହେଉଥିବା ବେଳେ କେନ୍ଦ୍ର ସରକାର ତେଲ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରି ରାଜକୋଷକୁ ସମୃଦ୍ଧ କରୁଛନ୍ତି । ଗତବର୍ଷ କେନ୍ଦ୍ର ସରକାର ତେଲ ଟିକସରୁ ଅତିରିକ୍ତ ୧.୮ ଲକ୍ଷ କୋଟି ଟଙ୍କା ଆୟ କରିଥିବା ପେଟ୍ରୋଲିୟମ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟରୁ ଜଣାପଡୁଛି । ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡ଼ିଜେଲରୁ ଉତ୍ପାଦ ଶୁଳ୍କ ଭାବେ ୩.୯ ଲକ୍ଷ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି । ୨୦୧୯-୨୦ରେ ତାହା ୨.୨ ଲକ୍ଷ କୋଟି ଥିଲା । ଏହାର ଅର୍ଥ ପୂର୍ବ ବର୍ଷ ତୁଳନାରେ କେନ୍ଦ୍ର ସରକାରଙ୍କ ଉତ୍ପାଦ ଶୁଲ୍କ ବାବଦ ଆୟ ୭୭ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ କରୋନା ମହାମାରୀ ଯୋଗୁଁ ଦେଶରେ ତେଲ ବିକ୍ରି ୧୦.୬ ପ୍ରତିଶତ ହ୍ରାସ ପାଇ ଥିଲେ ସୁଦ୍ଧା ସରକାର ଟିକସ ବାବଦରେ ଏତେ ପରିମାଣର ଆୟ କରିଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ଏକକାଳୀନ ୧୩ ଟଙ୍କା ଓ ଡ଼ିଜେଲ ଲିଟର ପିଛା ୧୬ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି କରି ଆୟ ବଢାଇ ଥିବା ଜଣାପଡିଛି ।
ଉତ୍ପାଦ ଶୁଳ୍କ ବୃଦ୍ଧି ମାଧ୍ୟମରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୩୨ ଟଙ୍କା ୯୦ ପଇସା ଓ ଡ଼ିଜେଲ ଲିଟର ପିଛା ୩୧ ଟଙ୍କା ୮୦ ପଇସା ରାଜସ୍ୱ ପାଉଛନ୍ତି । ରାଜ୍ୟମାନେ ପେଟ୍ରୋଲ ଓ ଡ଼ିଜେଲ ଉପରେ ଭାଟ୍ ଲାଗୁ କରି ନିଜ ରାଜସ୍ୱ ବଢାଉଛନ୍ତି । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହାରରେ ଭାଟ୍ ଲାଗୁ ହେଉଛି । ୨୦୨୦ ମାର୍ଚ୍ଚ ୧୬ ପରଠାରୁ ପେଟ୍ରୋଲ ଓ ଡ଼ିଜେଲର ଖୁଚୁରା ମୂଲ୍ୟ ଯଥାକ୍ରମେ ୩୨ ପ୍ରତିଶତ ଓ ୩୬ ପ୍ରତିଶତ ବଢିଛି । ୨୦୨୦ରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୬୮ ଡ଼ଲାର ଥିଲା । ଏପ୍ରିଲ ସୁଦ୍ଧା ତାହା ୨୦ ଡ଼ଲାରକୁ ଖସିଥିଲା । ଅଶୋଧିତ ତୈଳର ବ୍ୟାରେଲ୍ ପିଛା ମୂଲ୍ୟ ୨୦ ଡ଼ଲାରକୁ ଖସି ଥିବା ସମୟରେ ମଧ୍ୟ କେନ୍ଦ୍ର ସରକାର ଉପଭୋକ୍ତାଙ୍କୁ ତାହାର ଫାଇଦା ଦେଇ ନ ଥିଲେ । ଓଲଟା, ବହୁ ପରିମାଣରେ ଅଶୋଧିତ ତୈଳ ଆମଦାନୀ କରି ନିଜର ତୈଳ ଭଣ୍ଡାରକୁ ସମୃଦ୍ଧ କରିଥିଲେ । ପର୍ଯ୍ୟାୟକ୍ରମେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଏବେ ପୁଣି ୬୮ରୁ ୭୦ ଡ଼ଲାର ମଧ୍ୟରେ ରହିଛି । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାର ଭାଟ୍ ବଢାଇ ରାଜସ୍ୱ ବଢାଉ ଥିବା ବେଳେ ସାଧାରଣ ଉପଭୋକ୍ତା ଅନନ୍ୟୋପାୟ ହୋଇ ସରକାରଙ୍କ ଅନୁଗ୍ରହର ପାତ୍ର ହେଉଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାର ତେଲ ଟିକସ ବାବଦରୁ ୨୦୧୪-୧୫ ଆର୍ଥିକ ବର୍ଷରେ ୯୯ ହଜାର ୦୬୮ କୋଟି ଟଙ୍କା, ୨୦୧୫-୧୬ରେ ୧ ଲକ୍ଷ ୭୮ ହଜାର ୪୭୭ କୋଟି ଟଙ୍କା, ୨୦୧୬-୧୭ରେ ୨ ଲକ୍ଷ ୪୨ ହଜାର ୬୯୧ କୋଟି ଟଙ୍କା, ୨୦୧୭-୧୮ରେ ୨ ଲକ୍ଷ ୨୯ ହଜାର ୭୧୬ କୋଟି ଟଙ୍କା, ୨୦୧୮-୧୯ରେ ୨ ଲକ୍ଷ ୧୪ ହଜାର ୩୬୯ କୋଟି ଟଙ୍କା ଏବଂ ୨୦୨୦-୨୧ରେ ୨ ଲକ୍ଷ ୨୩ ହଜାର ୦୫୭ କୋଟି ଟଙ୍କା ଆୟ କରିଥିବା ବେଳେ ରାଜ୍ୟ ସରକାରମାନେ ଭାଟ୍ ମାଧ୍ୟମରେ ୨୦୧୪-୧୫ରେ ୧ ଲକ୍ଷ ୩୭ ହଜାର ୧୫୭ କୋଟି ଟଙ୍କା, ୨୦୧୫-୧୬ରେ ୧ ଲକ୍ଷ ୪୨ ହଜାର ୮୦୭ କୋଟି ଟଙ୍କା, ୨୦୧୬-୧୭ରେ ୧ ଲକ୍ଷ ୬୬ ହଜାର ୪୧୪ କୋଟି ଟଙ୍କା, ୨୦୧୭-୧୮ରେ ୧ ଲକ୍ଷ ୮୫ ହଜାର ୮୫୦ କୋଟି ଟଙ୍କା, ୨୦୧୮-୧୯ରେ ୨ ଲକ୍ଷ ୦୧ ହଜାର ୨୬୫ କୋଟି ଟଙ୍କା ଏବଂ ୨୦୨୦-୨୧ରେ ୨ ଲକ୍ଷ କୋଟିରୁ ସାମାନ୍ୟ ଅଧିକ ଟଙ୍କା ଆୟ କରିଛନ୍ତି । କିଛି ବର୍ଷ ହେଲା ଦେଶର ମୋଟ ଟିକସ ଆୟରେ ତେଲ ବାବଦ ଟିକସର ଭାଗ ବଢିଛି । ୨୦୧୪-୧୫ ଆର୍ଥିକ ବର୍ଷରେ ଦେଶର ମୋଟ ଟିକସ ଆୟର ୮ ପ୍ରତିଶତ ଓ ୨୦୧୯-୨୦ରେ ମୋଟ ଟିକସ ଆୟର ୧୧ ପ୍ରତିଶତ ତୈଳ ଟିକସ ବାବଦରୁ ମିଳିଛି । ୨୦୨୦-୨୧ରେ ତାହା ୨୦ ପ୍ରତିଶତକୁ ବଢିଛି ।
କେନ୍ଦ୍ର ଓ ରାଜ୍ୟ ସରକାର ନିଜର ଟିକସ ଆୟ ବଢାଇବା ପାଇଁ ସାଧାରଣ ଜନତାର ସ୍ୱାର୍ଥକୁ ଅଣଦେଖା କରୁଥିବା ଏସବୁ ତଥ୍ୟରୁ ସ୍ପଷ୍ଟ ହେଉଛି । ନିର୍ବାଚନ ଆସିଲେ ସରକାର ଭୋଟରଙ୍କୁ ଖୁସି କରିବା ପାଇଁ ପେଟ୍ରୋଲ ଓ ଡ଼ିଜେଲ ଦରକୁ ସ୍ଥିର ରଖୁଛନ୍ତି ଏବଂ ନିର୍ବାଚନ ସରିବା ପରେ ପୁଣି ଥରେ ମୂଲ୍ୟ ବୃଦ୍ଧି କରୁଛନ୍ତି । ଗଲା ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ବଂଗ, ଆସାମ, କେରଳ, ତାମଲନାଡ଼ୁ ଓ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ହୋଇଥିଲା । ନିର୍ବାଚନରେ ତୈଳ ଦର ବୃଦ୍ଧି ଏକ ବଡ଼ ଇସ୍ୟୁ ହେବା ଦେଖି କେନ୍ଦ୍ର ସରକାର ତୈଳ କଂପାନୀଙ୍କୁ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ସ୍ଥିର ରଖିବାକୁ ନିର୍ଦେଶ ଦେଇଥିଲେ । ନିର୍ବାଚନ ସରିବା ପରେ ସରକାର ପୁଣି ଥରେ ଉପଭୋକ୍ତାଙ୍କ ଉପରେ ବୋଝ ବଢାଇଛନ୍ତି । ଏହାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଶୋଷଣ ଏବଂ ସାଧାରଣ ଜନତା ପ୍ରତି ସରକାରୀ ପ୍ରବଂଛନା କହିବା ଭୁଲ ହେବ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS