‘ପପୁ’ ରାଜନୀତି..
ପ୍ରସାଦ ରାଓ
ଭୁବନେଶ୍ୱର
ଜୁନ ୦୩
‘ପପୁ’… ପୁରୁଣାକାଳୀଆ ନାଁଟିଏ ହେଲେ ମଧ୍ୟ ଅତି ଗେହ୍ଲାଳିଆ । କଲେଜରେ ପାଠ ପଢିବା ସମୟରେ ମୋ ବନ୍ଧୁଙ୍କ ମଧ୍ୟରୁ ଜଣେ ଦୁଇ ଜଣଙ୍କ ଡାକ ନାମ ଥିଲା ‘ପପୁ’ । ସେତେବେଳେ ‘ପପୁ’ ନାଁକୁ ନେଇ କେବେ ଥଟ୍ଟା ହେଉ ନଥିଲା । କିନ୍ତୁ, ଆଜିର ରାଜନୀତିରେ ‘ପପୁ’ ନାଁକୁ ନେଇ ବେଶ୍ ଥଟ୍ଟା ହେଉଛି । ଜାତୀୟ ରାଜନୀତିରେ ‘ପପୁ’ କହିଲେ ଆଂଗୁଠି ସ୍ୱତଃ ଜଣେ ବ୍ୟକ୍ତିଙ୍କ ଆଡକୁ ଚାଲି ଯାଉଛି । ସେ ହେଉଛନ୍ତି, କଂଗ୍ରେସ ଯୁବ ନେତା ରାହୁଲ ଗାନ୍ଧୀ । ତାଙ୍କ ଡାକ ନାମ ‘ପପୁ’ କି ନୁହେଁ, ମୁଁ ଜାଣିନି । ତେବେ, ବିଭିନ୍ନ ଜାତୀୟ ଟେଲିଭିଜନ ଚ୍ୟାନେଲରେ ରାଜନୈତିକ ବିତର୍କ ସମୟରେ କଂଗ୍ରେସ-ବିରୋଧୀ ଗେରୁଆ ନେତାମାନେ ତାଙ୍କୁ ‘ପପୁ’ କହି ଥଟ୍ଟା କରୁଥିବା ଦେଖିବାକୁ ମିଳୁଛି । ବୋଧହୁଏ ସେମାନଙ୍କ ଭାଷାରେ ‘ପପୁ’ର ଅର୍ଥ ହେଉଛି ଅନଭିଜ୍ଞତା । ରାହୁଲ ଗାନ୍ଧୀ ସଂସଦ ଅଧିବେଶନ ଚାଲି ଥିବା ଅବସ୍ଥାରେ ବିତର୍କରେ ଭାଗ ନେଇ ସରକାରଙ୍କୁ କଟୁ ସମାଲୋଚନା କରିବା, ପରେ ପ୍ରଧାନମନ୍ତ୍ରୀଙ୍କ ଆସନ ନିକଟକୁ ଯାଇ ତାଙ୍କୁ କୁଣ୍ଢାଇ ପକାଇବା ଏବଂ ଏହି କାର୍ଯ୍ୟରୁ ମଜା ଉଠାଇବାକୁ ଯାଇ ନିଜ ବନ୍ଧୁ ସାଂସଦମାନଙ୍କୁ ଆଖିଠାର ମାରିବା ଭଳି ଦୃଶ୍ୟ ପିଲାଳିଆମି ହିଁ କୁହାଯିବ । ରାହୁଲଙ୍କ ଏଭଳି ଅନେକ ‘ପିଲାଳିଆମି’ ବିଜେପି ସାଂସଦମାନଙ୍କୁ ତାଙ୍କୁ ଥଟ୍ଟା କରିବାର ଖୋରାକ ଯୋଗାଇଛି । କେବଳ ସଦନ ଭିତରେ ନୁହେଁ, ବାହାରେ ମଧ୍ୟ ରାହୁଲଙ୍କ ପରିଚିତି ହୋଇଛି ‘ପପୁ’ । ରାଜନୀତିରେ ତାଙ୍କ ରୁଚି କମ୍, ଅଭିଯୋଗ ଅଧିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ରାଫେଲ୍’ ଲଢୁଆ ଯୁଦ୍ଧ ବିମାନ କାରବାର ହେଉ ବା ବର୍ତ୍ତମାନର କୋଭିଡ଼ ମହାମାରୀ ମୁକାବିଲା ଏବଂ ଟିକାକରଣ ନୀତି ହେଉ, ପ୍ରତ୍ୟେକ ନୀତିର ସେ ଜଣେ ଖୋଲା ଏବଂ ଉଗ୍ର ସମାଲୋଚକ । ରାହୁଲ ଗାନ୍ଧୀ ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସଭାପତି ଥିଲେ । କଂଗ୍ରେସରେ ଥିବା ୨୩ ଜଣିଆ ବିଦ୍ରୋହୀ ଗୋଷ୍ଠୀଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ବରିଷ୍ଠ ନେତା ରାହୁଲଙ୍କ ଛତ୍ରଛାୟା ତଳେ ରହିବାକୁ ପସନ୍ଦ କରନ୍ତି । ତାଙ୍କୁ ଭାବି ପ୍ରଧାନମନ୍ତ୍ରୀର ମାନ୍ୟତା ଦିଅନ୍ତି । ଏଆଇସିସି ଅନ୍ତଃରୀଣ ଅଧ୍ୟକ୍ଷା ଥିବା ତାଙ୍କ ମା’ ସୋନିଆ ଗାନ୍ଧୀ ମଧ୍ୟ ଚାହାନ୍ତି ରାହୁଲ ପୁନର୍ବାର ଏଆଇସିସିର ନେତୃତ୍ୱ ନିଅନ୍ତୁ । ଦୈବାତ କଂଗ୍ରେସ ଯଦି କେନ୍ଦ୍ରରେ କ୍ଷମତାକୁ ଫେରେ ତେବେ, ରାହୁଲ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଏହି କାରଣରୁ ଭାରତୀୟ ଜାତୀୟ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ଓ ସ୍ଥାୟୀ ସଭାପତି ନିଯୁକ୍ତି ଅଟକି ରହିଛି । କଂଗ୍ରେସରେ ଥିବା ୨୩ ଜଣିଆ ବିଦ୍ରୋହୀ ଗୋଷ୍ଠୀ (‘ଜି -୨୩’ ଭାବେ ପରିଚିତ) ଏଆଇସିସି ଅନ୍ତଃରୀଣ ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧୀଙ୍କୁ ବାରମ୍ବାର ଚିଠି ଲେଖି ଦଳର ନୂତନ ସଭାପତି ଚୟନ ପାଇଁ ତୁରନ୍ତ ବୈଠକ ଡାକିବାକୁ ଦାବି ଉଠାଉ ଥିବା ବେଳେ ଗାନ୍ଧୀ ପରିବାରର ଅନୁଗତ ଗୋଷ୍ଠୀ ବିଭିନ୍ନ ଆଳ ଦେଖାଇ ତାହାକୁ ଟାଳି ଚାଲିଛନ୍ତି । ରାହୁଲ ଜଣେ ପରିପକ୍ୱ ନେତା ଭାବେ ଉଭା ହୋଇ ଦେଶବାସୀଙ୍କ ଦ୍ୱାରା ଆଦୃତ ହେବା ପର୍ଯ୍ୟନ୍ତ କଂଗ୍ରେସରେ ସଭାପତି ଚୟନ କାର୍ଯ୍ୟ ଏହି ପରି ଟଳୁ ଥିବ ବୋଲି ଦଳ ଭିତରେ ସମାଲୋଚନା ହେଲାଣି । ଦେଶର ସର୍ବ ପୂରାତନ ରାଜନୈତିକ ଦଳ କଂଗ୍ରେସରେ ସଭାପତି ଚୟନକୁ ନେଇ ଅନ୍ତଦ୍ଦ୍ୱର୍ନ୍ଦ୍ୱ ଶାସକ ବିଜେପିକୁ ସୁହାଉଛି । ରହୁଲ ଲୋକଚକ୍ଷୁରେ ଯେତେଦିନ ‘ପପୁ’ ହୋଇ ରହିଥିବେ ସେତେଦିନ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ ସୁରକ୍ଷିତ ବୋଲି ବିଜେପି ବିଚାର କରୁଛି । ତେଣୁ, ବିଜେପି-ଭକ୍ତ ଜାତୀୟ ଗଣମାଧ୍ୟମ ପ୍ରତି କଥାରେ ରାହୁଲଙ୍କୁ ‘ପପୁ’ କହି ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି । ‘ପପୁ’ ଛିଙ୍କିଲେ ବା କାଶିଲେ – ତାହା ହେଉଛି ବ୍ରେକିଂ ଏବଂ ଗଣମାଧ୍ୟମରେ ବିତର୍କର ବିଷୟବସ୍ତୁ । ବିଜେପି ମୁଖପାତ୍ରମାନେ ଯଗି ରହୁଛନ୍ତି ଏଭଳି କିଛି ମସଲାକୁ ସନ୍ଧ୍ୟାରେ ‘ପପୁ’ଙ୍କ ନାଁ ନେଇ ବିତର୍କ କରିବାକୁ । ଯେମିତି କି ପପୁଙ୍କ ନାଁ ନ ଧରିଲେ ସେମାନଙ୍କ ଖାଦ୍ୟ ହଜମ ହେବ ନାହିଁ । ଇଂରାଜୀରେ କଥା ଅଛି – ‘ନେଗେଟିଭ୍ ପବ୍ଲିସିଟି ଇଜ୍ ଦି ବେଷ୍ଟ୍ ପବ୍ଲିସିଟି’ । ତାହା ହିଁ ଦେଖିବାକୁ ମିଳୁଛି ପପୁଙ୍କ କ୍ଷେତ୍ରରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କଠାରୁ ଆରମ୍ଭ କରି ବିଭିନ୍ନ ଟିଭି ଚ୍ୟାନେଲରେ ଜାତୀୟ ବିତର୍କରେ ଭାଗ ନେଉଥିବା ନାମକରା ବିଜେପି ମୁଖପାତ୍ର ପର୍ଯ୍ୟନ୍ତ ଏବେ ରାହୁଲ, ପ୍ରିୟଙ୍କା (ପ୍ରିୟଙ୍କା ଗାନ୍ଧୀ ଭଦ୍ରା)ଙ୍କ ନାମକୁ ଅଲଗା ରଖି ବିତର୍କ କଥା ଚିନ୍ତା କରିପାରୁ ନାହାନ୍ତି । ସେମାନଙ୍କ ପ୍ରତିଟି ଯୁକ୍ତି ରାହୁଲଙ୍କ ଅଭିଜ୍ଞତା ବଢାଉଛି । ରାଜନୈତିକ ବିରୋଧୀ ବିଜେପିକୁ ଯୋରଦାର ଆକ୍ରମଣ କରିବାକୁ ବଳ ଯୋଗାଉଛି ଏବଂ ରାଜନୀତିରେ ଆଗକୁ ମାଡି ଯିବାକୁ ବାଟ ଦେଖାଉଛି । ଭବିଷ୍ୟତରେ ‘ପପୁ’ ଦେଶର ପ୍ରଧାନମନ୍ତ୍ରୀ ହେବେ କି ନହେବେ, ତାହା ଭିନ୍ନ କଥା । ତେବେ, ପପୁଙ୍କୁ ସବୁ ଦିନ ପାଇଁ ‘ପପୁ’ କରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ରାଜ୍ୟସଭାରୁ ବିଦାୟ ଦିନ ସଂସଦରେ ଆଖିରୁ ଲୁହ ଝରାଇ ଗୁଲାମଙ୍କୁ ପ୍ରଶଂସାରେ ପୋତି ପକାଇଲେ – ତାହା କଣ ପପୁଙ୍କ ବଡ଼ ସଫଳତା ନୁହେଁ ? ରାଜନେତାଙ୍କ ପ୍ରତି କଥାରେ ରାଜନୀତି ଥାଏ, ଏକଥା କାହାରିକୁ ଆଉ ଅବୁଝା ହୋଇ ରହି ନାହିଁ ।
ଆଉ ଜଣେ ‘ପପୁ’…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡାକ ନାମ ହେଉଛି ‘ପପୁ’ । ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କେଉଁ ବେଳାରେ, କେତେ ଆଦରରେ ନବୀନଙ୍କ ନାମ ‘ପପୁ’ ରଖି ଥିଲେ କେଜାଣି ଏହି ନାମ ଏବେ ସଫଳତାର ଶୀର୍ଷରେ ରହିଛି । ବିଜୁ ବାବୁଙ୍କ ଅବର୍ତ୍ତମାନରେ ରାଜ୍ୟରେ ତାଙ୍କ ନେତୃତ୍ୱାଧୀନ ‘ଜନତା ଦଳ’ର ଭବିଷ୍ୟତ କଣ ହେବ (?) – ସେ ନେଇ ସମସ୍ତେ ଅନିଶ୍ଚିତ ଥିବା ସମୟରେ ଦଳରେ ଦ୍ୱତୀୟ ସ୍ଥାନ ପାଇଁ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ରାମକୃଷ୍ଣ ପଟ୍ଟନାୟକଙ୍କ ମଧ୍ୟରେ ଏକପ୍ରକାର ଶୀତଳଯୁଦ୍ଧ ଚାଲି ଥିଲା । ସବୁ ନେତା ଏକ ନମ୍ବର ସ୍ଥାନକୁ ଉଠିବାକୁ ଆଶାୟୀ ଥିଲେ । ତେବେ, ବିଜ ବାବୁଙ୍କ ଦେହାନ୍ତ ଓଡ଼ିଶା ରାଜନୀତିକୁ ଟାଣି ଆଣିଲା ସାନ ପୁଅ ନବୀନଙ୍କୁ । ‘କଳାଘୋଡା’ ଭାବେ ସେ ଆବିର୍ଭୂତ ହୋଇ ପୁରୁଖା ନେତାଙ୍କ ସବୁ ଗଣିତକୁ ଭୁଲ ପ୍ରମାଣ କରି ଦେଲା । ବିଜୁ ବାବୁଙ୍କ ଦେହାନ୍ତ ହେଉ ହେଉ ଦଳରେ ନେତୃତ୍ୱ ନେଇ ଛକାପଂଝା ଚାଲିଲା । ତେବେ, ଦଳ ବଂଚିଲେ ନେତା । ତେଣୁ, ପ୍ରଥମେ ଦଳକୁ ସୁରକ୍ଷିତ ଓ ସଂଗଠିତ ରଖିବା ସକାଶେ ନେତାଏ ଟାଣି ଆଣିଲେ ବିଜୁ ପତ୍ର ନବୀନଙ୍କୁ ଓଡ଼ିଶା ରାଜନୀତିକୁ । ବିଜୁ ବାବୁ ବଂଚି ଥିବା ସମୟରେ ନବୀନ କେବେ ରାଜନୀତି ପ୍ରତି ରୁଚି ଦେଖାଇ ନଥିଲେ । ତେଣୁ, ତାଙ୍କୁ ମୁଣ୍ଡରେ ବସାଇ ଦଳକୁ ନିଜ ହାତମୁଠାରେ ରଖିବା କୌଶଳ କାର୍ଯ୍ୟକାରୀ କରିବାକୁ ଯାଇ ନବୀନଙ୍କୁ ତାଙ୍କ ପିତା ବିଜୁ ବାବୁଙ୍କ ଆସିକା ସଂସଦୀୟ ଆସନରୁ ପ୍ରାର୍ଥୀ କରାଗଲା । ସେ ଏହି ଆସନରୁ ନିର୍ବାଚିତ ହୋଇ ଦିଲ୍ଲୀ ଗଲେ ଏବଂ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ୧୩ ମାସିଆ ସରକାରରେ ଖଣି ଓ ଇସ୍ପାତ ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ମଧ୍ୟ ରହିଲେ । ତାହାରି ଭିତରେ ଓଡ଼ିଶା ଜନତା ଦଳରେ ବିଭାଜନ ହୋଇ ନବୀନଙ୍କ ନେତୃତ୍ୱରେ ‘ବିଜୁ ଜନତା ଦଳ’ ଗଠନ ହେଲା ଏବଂ ନବୀନ ବାବୁ ସ୍ଥାୟୀ ସଭାପତି ରହିବାର ବ୍ୟବସ୍ଥା ମଧ୍ୟ ହୋଇ ଗଲା । ଯେଉଁ ନେତାମାନେ ନବୀନ ନୂଆ ଦଳରେ ‘ପପୁ’ ହୋଇ ରହି ଯିବେ ବୋଲି ଆକଳନ କରି ନିଶ୍ଚିନ୍ତ ଥିଲେ ସେମାନେ ପରେ ପସ୍ତାଇଲେ । ନବୀନ ବାବୁ ୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଯେ ଆଜି ପର୍ଯ୍ୟନ୍ତ କେହି ତାଙ୍କୁ ଦୋହଲାଇ ପାରୁ ନାହାନ୍ତି । ପ୍ରଥମ ନଅ ବର୍ଷ ସେ ବିଜେପି ସହ ମେଂଟରେ ଶାସନ ଚଳାଇଲେ । ୨୦୦୯ରୁ ନିଜ ଦମ୍ ରେ ଓଡ଼ିଶାରେ ବିଜୁ ଜନତା ଦଳକୁ କ୍ଷମତାକୁ ଆଣି ମୁଖ୍ୟମନ୍ତ୍ରୀ ଆସନରେ ଅଛନ୍ତି । ୨୦୧୯ରେ ଆରମ୍ଭ ହୋଇଥିବା ପଂଚମ ପାଳି ସରକାରର ଦୁଇ ବର୍ଷ ପୂର୍ଣ୍ଣ ହୋଇଛି । ଏହି ଅବସରରେ ସେ ଜାତୀୟ ଗଣମାଧ୍ୟମର ବରିଷ୍ଠ ସଂପାଦକ ରାଜଦୀପ ସରଦେଶାଇଙ୍କୁ ଦେଇ ଥିବା ସାକ୍ଷାତକାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଓଡ଼ିଶାବାସୀ ତାଙ୍କ ବିକାଶ କାର୍ଯ୍ୟକୁ ପସନ୍ଦ କରୁଥିବାରୁ ସେ କ୍ରମାଗତ ଭାବେ ୨୨ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି । ଲୋକଙ୍କ ଭଲ ପାଇବା ନିକଟରେ ଚିଟ୍ ଫଣ୍ଡ୍ ଦୁର୍ନୀତି, ଖଣି ଦୁର୍ନୀତି ଭଳି ତାଙ୍କ ସରକାର ଅମଳର ବଡ଼ ବଡ଼ ଦୁର୍ନୀତି ସବୁ ମଧ୍ୟ ସରକାରଙ୍କୁ ପ୍ରଭାବିତ କରି ପାରି ନାହିଁ । ଗଲା ୨୬ ବର୍ଷ ମଧ୍ୟରେ ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ପ୍ୟାରୀ ମୋହନ ମହାପାତ୍ର, ବୈଜୟନ୍ତ ପଣ୍ଡାଙ୍କ ଭଳି ବହୁ ବଡ଼ ନେତା ବିଜୁ ଜନତା ଦଳରୁ ବିଦାୟ ହୋଇଛନ୍ତି । ତାହାର ମଧ୍ୟ ପ୍ରଭାବ ଦେଖିବାକୁ ମିଳି ନାହିଁ । ଏହାର କାରଣ କଣ (?) ବୋଲି ପ୍ରଶ୍ନ ହେବାରୁ ନବୀନ କହିଛନ୍ତି, ରାଜନୀତିରେ ଏଭଳି ଘଟିବା ସ୍ୱାଭାବିକ । ଅନ୍ୟ ନେତାଙ୍କ ଭଳି ସେ ସୁଦୀର୍ଘ ଭାଷଣ ଦେଇ ନଥାନ୍ତି, ଦୁଇ ଚାରି ପଦରେ ଭାଷଣ ସାରନ୍ତି । ଏହାର କାରଣ କଣ (?) ବୋଲି ପ୍ରଶ୍ନ ହେବାରୁ ନବୀନଙ୍କ ଉତ୍ତର ରହିଛି, ଲୋକଙ୍କୁ ସେ ଯେତିକି ସୂଚନା ଦେବାକୁ ଚାହାନ୍ତି, ସେତିକି କୁହନ୍ତି । ତେଣୁ, ତାଙ୍କ ଭାଷଣ ସର୍ବଦା ସଂକ୍ଷୀପ୍ତ । ୨୦୧୯ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ସେ ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଘୋଷଣା କରିଥିଲେ । ଚାଷୀ, ନାମମାତ୍ର ଚାଷୀ, କୃଷି ଶ୍ରମିକ ଓ ଭୂମିହୀନ ଶ୍ରମିକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଥିଲେ । ନିର୍ବାଚନ ପରାଜୟ ଭୟରେ ସେ ଏଭଳି କରିଥିଲେ କି (?) ବୋଲି ପ୍ରଶ୍ନର ଉତ୍ତରରେ ନବୀନ ବାବୁ କହିଛନ୍ତି, ତାଙ୍କ ପରେ ବିଜେପି ମଧ୍ୟ ଚାଷୀଙ୍କ ପାଇଁ ଏଭଳି ଘୋଷଣା କରିବାକୁ ବାଧ୍ୟ ହେଲା । ବିଜେପି ବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ତାଙ୍କର ଭୟ ନଥିବା ଦର୍ଶାଇ ନବୀନ ବାବୁ କହିଛନ୍ତି, ଓଡ଼ିଶାବାସୀ ତାଙ୍କ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ପସନ୍ଦ କରୁଛନ୍ତି, ଯାହାକି ଜାରି ରହିବ । ତେଣୁ, ସେ କାହାରିକୁ ଭୟ କରନ୍ତି ନାହିଁ । ନବୀନଙ୍କ ରୋକଠୋକ୍ ଉତ୍ତର ବିଜେପି କାନରେ ପହଂଚି ଯାଇଥିବ । ‘ପଶ୍ଚିମ ବଂଗ ପରେ ଓଡ଼ିଶା’ ବୋଲି ହୁଂକାର ମାରୁଥିବା ବିଜେପି ପଶ୍ଚିମ ବଂଗରେ ମମତା ଦିଦିଙ୍କଠାରୁ ବଡ଼ ଝଟକା ପାଇଛି । ତଥାପି, ‘୨୦୨୪ରେ ଓଡ଼ିଶା ଦଖଲ’ ବୋଲି ଆସ୍ଫାଳନ କରୁଛି । ନବୀନଙ୍କ ଏହି ସାକ୍ଷାତକାର ବିଜେପିର ସେହି ‘ସୁଖ ସ୍ୱପ୍ନ’କୁ ଭାଂଗିବାକୁ ଯଥେଷ୍ଟ ବୋଲି କୁହାଯାଇପାରେ ।
ବିହାରରେ ମଧ୍ୟ ‘ପପୁ’- ପପୁ ଯାଦବ …
ଦେଶରେ ‘ପପୁ’ ନାମଧାରୀ ନେତାଙ୍କ ମଧ୍ୟରେ ବିହାରର ତଥାକଥିତ ବାହୁବଳୀ ନେତା ପପୁ ଯାଦବ ମଧ୍ୟ ଅଛନ୍ତି । ପପୁଙ୍କ ବାସ୍ତବ ନାମ ହେଉଛି – ରାଜେଶ ରଂଜନ ଯାଦବ । ୧୯୮୯ରେ ବିହାରରେ ଘଟି ଥିବା ଏକ ଅପହରଣ ମାମଲାରେ ତାଙ୍କୁ ୩୨ ବର୍ଷ ପରେ ଗିରଫ କରାଯାଇ ଜେଲରେ ରଖା ଯାଇଛି । ଏହି ବାହୁବଳୀ ନେତାଙ୍କ ପାଇଁ କୌଣସି ରାଜନୈତିକ ଦଳ ଅଛୁଆଁ ନୁହେଁ । ୧୯୯୧, ୧୯୯୬, ୧୯୯୯, ୨୦୦୪ ଓ ୨୦୧୪ରେ ସେ ସ୍ୱାଧୀନ ପ୍ରାର୍ଥୀ, ସମାଜବାଦୀ ପାର୍ଟି (ଏସପି) ପ୍ରାର୍ଥୀ, ଲୋକ ଜନଶକ୍ତି ପାର୍ଟି (ଏଲଜେପି) ପ୍ରାର୍ଥୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆରଜେଡ଼ି (ରାଷ୍ଟ୍ରୀୟ ଜନତା ଦଳ)ରୁ ପ୍ରାର୍ଥୀ ହୋଇ ଲୋକସଭାକୁ ନିର୍ବାଚନ ହୋଇଥିଲେ । ୧୯୯୦ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ବିହାର ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ୨୦୧୫ ମେ’ ମାସରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଆରଜେଡ଼ିରୁ ବହିଷ୍କାର କରାଯିବାରୁ ସେ ‘ଜନ ଅଧିକାର ପାର୍ଟି) ନାମରେ ନିଜର ରାଜନୈତିକ ଦଳ ଗଠନ କରିଛନ୍ତି । ତାଙ୍କ ପତ୍ନୀ ରଂଜିତ ରଂଜନ ମଧ୍ୟ ୨୦୧୪ରେ ସାଂସଦ ଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ରଂଜିତ ରଂଜନ ଜେଡ଼ିୟୁଠାରୁ ପରାଜିତ ହେବା ପରେ କଂଗ୍ରେସରେ ଥିବା ସୂଚନା ମିଳିଛି । ପପୁ ଯାଦବଙ୍କ ପୁଅ ସାର୍ଥକ ରଂଜନ ଜଣେ କ୍ରିକେଟିଅର୍ । ସେ ଦିଲ୍ଲୀ ପାଇଁ ଖେଳନ୍ତି । ୩୨ ବର୍ଷ ତଳେ (୧୯୮୯ରେ) ହୋଇଥିବା ଅପହରଣ ମାମଲାରେ ପପୁ ଯାଦବଙ୍କୁ ଗତ ମେ’ ୧୧ ତାରିଖରେ ବିହାରର ପାଟନାରୁ ଗିରଫ କରାଯାଇ କଏଦୀ ଭାବେ ରଖା ଯାଇଛି । ବର୍ତ୍ତମାନ ସେ ଦରଭଙ୍ଗାସ୍ଥିତ ଡ଼ିଏମସିଏଚରେ ଚିକତ୍ସାଧୀନ । ରାଜୀବ ରଂଜନ ଓରଫ ପପୁଙ୍କ ଅଭିଯୋଗ ହେଉଛି, ସେ ସମାଜସେବା କରୁଛନ୍ତି । କିଛି ବିରୋଧୀ ମିଛ ମାମଲାରେ ତାଙ୍କୁ ଫସାଇ ଜେଲରେ ରଖାଇଛନ୍ତି । ଏହି ଅପହରଣ ମାମଲାର ଶୁଣାଣୀ ଗତ ମଂଗଳବାର ହୋଇଥିଲା । ଅଭିଯୋଗକାରୀମାନେ ଅଦାଲତରେ ହାଜିରା ଦେଇ ସେଭଳି କିଛି ଅପହରଣ ଘଟଣା ଘଟି ନ ଥିବା କହିବା ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖଲାସ କରାଯାଇଛି । କିନ୍ତୁ, ପପୁଙ୍କୁ ମୁକ୍ତି ମିଳି ନାହିଁ । ତାଙ୍କ ଖଲାସ ଦାବିରେ ସମର୍ଥକମାନେ ପ୍ରତିଦିନ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସୂଚନା ମିଳିଛି । ପପୁ କହିଛନ୍ତି, ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ରହିଛି । ରାଜନୈତିକ କାରଣରୁ ତାଙ୍କୁ ଏଭଳି ହଇରାଣ ହରକତ କରାଯାଉଛି । ତେବେ, ମାଧେପୁର ସେସନ୍ସ୍ କୋର୍ଟ ତାଙ୍କ ଜାମିନ ଆବେଦନକୁ ଦ୍ୱତୀୟ ଥର ଖାରଜ କରିବା ପରେ ପତ୍ନୀ ରଂଜିତ ରଂଜନଙ୍କ ପ୍ରତିକ୍ରିୟା ହେଉଛି – ‘ବହୁ ସଂଖ୍ୟକ ଗଧ ମିଶି ବାଘକୁ ପିଂଜରା ଭିତରେ ବାନ୍ଧି ରଖିବାର ପ୍ରାୟସ କରୁଛନ୍ତି । ତେବେ, ବାଘ ତ ସବୁ ବେଳେ ବାଘ ରହିବ । ଆଉ ଗଧମାନେ ଗଧ ହିଁ ରହିବେ’ । ରଂଜିତ ରଂଜନଙ୍କ ଏହି ପ୍ରତିକ୍ରିୟା ଏବେ ବିହାରରେ ଚର୍ଚ୍ଚାର ବିଷୟ ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS