ଡ଼ୋମିନିକାରୁ ଖାଲି ହାତରେ ଫେରିଲେ ଭାରତୀୟ ଟିମ୍


ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁନ ୦୪
ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ନେଇ ଥିବା ୧୩,୫୦୦ କୋଟି ଟଙ୍କାର ଋଣ ଅର୍ଥ ଆତ୍ମସାତ କରି ବିଦେଶକୁ ଲୁଚି ପଳାଇ ଥିବା ହୀରା ବ୍ୟବସାୟୀ ମେହୁଲ ଚୋକସୀ କାରବିଆନ ରାଷ୍ଟ୍ର ଡ଼ୋମିନିକାରେ ଧରା ପଡିବା ପରେ ତାଙ୍କ ପ୍ରତ୍ୟାର୍ପଣ କରାଇ ଭାରତ ଆଣିବାକୁ ଯାଇଥିବା ଆଠ ଜଣିଆ ମଲ୍ଟି ଏଜେନ୍ସି ଟିମ୍ ଖାଲି ହାତରେ ଫେରିଥିବା ଜଣାପଡିଛି । ୬୨ ବର୍ଷ ବୟସ୍କ ଚୋକସୀ ତାଙ୍କ ଭଣଜା ନୀରବ ମୋଦୀଙ୍କ ସହ ମିଶି ଏତେ ବଡ଼ ବ୍ୟାଙ୍କ ଠକେଇ କରିଥିଲେ । ନୀରବ ମୋଦୀ ଲଣ୍ଡନରେ ଆତ୍ମଗୋପନ କରିଥିବା ବେଳେ ଧରାପଡି ସେଠାକାର ଜେଲରେ ଥିବା ବେଳେ ମେହୁଲ ଚୋକସୀ ମାର୍ଚ୍ଚ ୨୭ରେ ଡ଼ୋମିନିକା ପୁଲିସ ହାତରେ ଧରାପଡି ସେଠାକାର ଜେଲରେ ଅଛନ୍ତି । ଦୁଇ ବ୍ୟାଙ୍କ ଠକଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରି ଆଣିବାକୁ ଭାରତ ସରକାର ଯୋରଦାର ଉଦ୍ୟମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି ।
ହୀରା ବ୍ୟବସାୟୀ ଚୋକସୀ ଭଣଜା ନୀରବ ମୋଦୀଙ୍କ ସହ ୨୦୧୮ରେ ପିଏନବି ଋଣ ଠକେଇ ମାମଲାରେ ସରକାରଙ୍କ ନଜରକୁ ଆସିବା ପରେ ଗିରଫ ଭୟରେ ରାତାରାତି ଦେଶ ଛାଡି ପଳାଇ ଥିଲେ । ଚୋକସୀ ଭାରତରୁ ଖସି ପଳାଇବା ପରେ କାରବିଆନ୍ ରାଷ୍ଟ୍ର ଆଂଟିଗୁଆରେ ଆତ୍ମଗୋପନ କରିବା ସହ ସେଠାକାର ନାଗରିକତ୍ୱ କିଣି ଆଂଟିଗୁଆର ସ୍ଥାୟୀ ନାଗରିକ ହୋଇଛନ୍ତି । ତାଙ୍କୁ ଆଟିଗୁଆରୁ ପ୍ରତ୍ୟାର୍ପଣ କରାଇ ଭାରତ ଆଣିବା ସକାଶେ ଭାରତୀୟ ଏଜେନ୍ସୀମାନେ ଉଦ୍ୟମ ଚଳାଇ ଥିବା ବେଳେ ଚୋକସୀ ହଠାତ୍ ମେ’୨୩ ତାରିଖ ଦିନ ଅଂଟିଗୁଆରୁ ନିଖୋଜ ହୋଇଯାଇଥିଲେ । ତାଙ୍କ ବିରୋଧରେ ଇଂଟରପୋଲ୍ ନୋଟିସ ଜାରି ଥିବାରୁ ଆଂଟିଗୁଆ ପୁଲିସ ଚୋକସୀଙ୍କୁ ଖୋଜିବା ଆରମ୍ଭ କରିଥିଲେ । ମେ’ ୨୭ ତାରିଖ ଦିନ ଡ଼ୋମିନିକା ପୁଲିସ ତାଙ୍କୁ ବେଆଇନ ଅନୁପ୍ରବେଶ ଅଭିଯୋଗରେ ଗିରଫ କରିବା ପରେ ସେଠାରୁ ତାଙ୍କୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଚୋକସୀ ଡ଼ୋମିନିକାରୁ ଗିରଫ ହୋଇ ଥିବାରୁ ତାଙ୍କୁ ଡ଼ୋମିନିକାରୁ ସିଧାସଳଖ ଭାରତ ପ୍ରତ୍ୟାର୍ପଣ କରାଯିବା ଆଂଟିଗୁଆ ସରକାର ଚାହୁଁଛନ୍ତି । ଆଂଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟନ୍ ବ୍ରାଉନେ ମଧ୍ୟ ସେହି ମର୍ମରେ ମନ୍ତବ୍ୟ ରଖିଛନ୍ତି । ‘ଆମେ ତାଙ୍କୁ ଆଂଟିଗୁଆକୁ ପ୍ରତ୍ୟାର୍ପଣ କରିବାକୁ ଡ଼ୋମିନିକାକୁ ମନା କରିଛୁ । ଚୋକସୀଙ୍କ ବିରୋଧରେ ଭାରତରେ ବହୁ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଭଳି ଆପରାଧିକ ମାମଲା ଥିବାରୁ ସେ ଭାରତକୁ ପ୍ରତ୍ୟାର୍ପିତ ହୋଇ ସେସବୁ ମାମଲାର ସାମ୍ନା କରିବା ଆବଶ୍ୟକ’ ବୋଲି ପ୍ରଦାନମନ୍ତ୍ରୀ ବ୍ରାଉନେ କହିଥିବା ଆଂଟିଗୁଆ ନ୍ୟୁଜ୍ ରୁମ୍ ଖବରରୁ ଜଣାପଡିଛି । ଭାରତ ସରକାର ଏହି ସୂଚନା ପାଇବା ପରେ ଚୋକସୀଙ୍କୁ ଭାରତ ଆଣିବା ପାଇଁ ଏନଫୋର୍ସମେଂଟ୍ ଡ଼ିରେକ୍ଟୋରେଟ୍ (ଇଡ଼ି) ଏବଂ ସିବିଆଇର ବ୍ୟାଂକ୍ ସିକ୍ୟୁରିଟିସ୍ ଏଣ୍ଡ୍ ଫ୍ରଡ୍ସ୍ (ମୁମ୍ବାଇ ଡ଼ିଭିଜନ)ର ମୁଖ୍ୟଙ୍କୁ ନେଇ ଏକ ଆଠ ଜଣିଆ ଟିମ୍ କୁ ଡ଼ୋମିନିକା ପଠାଇ ଥିଲେ । ଚେକସୀଙ୍କୁ ଭାରତ ପ୍ରତ୍ୟାର୍ପଣ ସକାଶେ ହୋଇଥିବା ଆବେଦନକୁ ଡ଼ୋମିନିକା ଅଦାଲତର ଅନୁମାଦନ ମିଳିଲେ ଏହି ଟିମ୍ ତାଙ୍କୁ ସାଂଗରେ ଧରି ଭାରତ ଫେରିଥା’ନ୍ତେ । ତେବେ, ଚୋକସୀ ଭାରତୀୟ ନାଗରିକ ନୁହନ୍ତି, ଆଂଟିଗୁଆ ନାଗରିକ; ତାଙ୍କୁ ଆଂଟିଗୁଆକୁ ହିଁ ପ୍ରତ୍ୟାର୍ପଣ କରାଯାଉ ବୋଲି ଚୋକସୀଙ୍କ ଓକିଲ ଡ଼ୋମିନିକା ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ହାଇକୋର୍ଟ ଏହି ପିଟିସନ୍ ଉପରେ ଶୁଣାଣୀକୁ ଗୁରୁବାର ଦିନ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିବା ଫଳରେ ଭାରତୀୟ ଟମ୍ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛନ୍ତି ।
ମେହୁଲ ଚୋକସୀ ଭାରତରୁ ଫେରାର ହୋଇଯିବା ପରେ ଆଂଟିଗୁଆର ନାଗରିକତ୍ୱ ନେଇ ସେଠାରେ ବସବାସ କରୁଥିଲେ । ତାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ଭାରତ ସରକାରଙ୍କ ଆଡୁ ଯୋରଦାର ଉଦ୍ୟମ ଚାଲି ଥିବା ଜାଣିବା ପରେ ଚୋକସୀ ହଠାତ୍ ମେ’ ୨୩ରେ ଆଂଟିଗୁଆରୁ ନିଖୋଜ ହୋଇଥିଲେ । ଜଳପଥରେ ସେ ଡ଼ୋମିନିକା ଦେଇ କ୍ୟୁବା ପଳାଇବାକୁ ଯୋଜନା କରିଥିଲେ ବୋଲି ସନ୍ଦେହ କରାଯାଉଛି । ତେବେ, ତାଙ୍କୁ ଅପହରଣ କରାଯାଇ ଡ଼ୋମିନିକା ଅଣା ଯାଇଥିବା ଚୋକସୀ ଅଭିଯୋଗ କରିଛନ୍ତି । ଆଂଟିଗୁଆ ପୁଲିସ୍ ଚୋକସୀଙ୍କୁ ଖୋଜିବା ଦିଗରେ ତତ୍ପରତା ପ୍ରକାଶ କରିଥିବା ବେଳେ ଡ଼ୋମିନିକା ପୁଲିସ୍ ମେ’ ୨୭ରେ ତାଙ୍କୁ ଡ଼ୋମିନିକାରେ ବେଆଇନ ଅନୁପ୍ରବେଶ ଅଭିଯୋଗରେ ଗିରଫ କରିଥିଲେ । ଫଳରେ, ତାଙ୍କର ସମସ୍ତ ଯୋଜନା ପଣ୍ଡ ହୋଇଛି । ଚୋକସୀଙ୍କ ବିରୋଧରେ ଡ଼ୋମିନିକାରେ ବେଆଇନ ଅନୁପ୍ରବେଶ ମାମଲା ଚାଲିଛି । ଏହି ମାମଲାରେ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଡ଼ୋମିନିକା ହାଇକୋର୍ଟରେ ଚୋକସୀଙ୍କ ପ୍ରତ୍ୟାର୍ପଣ ପିଟିସନ୍ ବିଚାରାଧୀନ ଥିବା ବେଳେ ମାଜିଷ୍ଟ୍ରେଟ୍ କୋର୍ଟରେ ବେଆଇନ ଅନୁପ୍ରବେଶ ମାମଲା ବିଚାରାଧୀନ ଥିବାରୁ ଚୋକସୀଙ୍କ ଭାରତ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିଳମ୍ବିତ ହେବା ନିଶ୍ଚିତ । ଅଂଟିଗୁଆରେ ମଧ୍ୟ ଚୋକସୀଙ୍କ ନାଗରିକତ୍ୱ ଓ ପ୍ରତ୍ୟାର୍ପଣକୁ ନେଇ ଏକାଧିକ ମାମଲା ଚାଲି ଥିବା ଜଣାପଡିଛି । ପରିସ୍ଥିତିକୁ ଦେଖି ଚୋକସୀଙ୍କୁ ଭାରତ ଆଣିବାକୁ ଯାଇଥିବା ଟିମ୍ ଗୁରୁବାର ରାତିରେ ଡ଼ୋମିନିକାର ମାଲଭିଲେ ହଲ୍ ବିମାନ ବନ୍ଦରରୁ କ୍ୱାତାର ଏୟାରୱେଜ୍ ର ଏକ ଘରୋଇ ଜେଟ୍ ବିମାନରେ ଭାରତ ଫେରିଥିବା ସୂଚନା ମିଳିଛି ।
ଏଠାରେ ଉଲ୍ଲେଖନୀୟ ଯେ, ହୀରା ବ୍ୟବସାୟୀ ନୀରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ ଚୋକସୀ ଜାଲ୍ କାଗଜପତ୍ର ଦାଖଲ କରି ପଂଜାବ ନ୍ୟାସନାଲ୍ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କା ଋଣ ଉଠାଇ ଥିଲେ । ସେମାନେ ଋଣ ପରିଶୋଧ କରୁ ନଥିବା ୨୦୧୮ରେ ଜଣାପଡିବା ପରେ ଦୁହେଁ ଗିରଫ ଭୟରେ ପରିବାର ସହ ଦେଶରୁ ଆନ୍ତର୍ଦ୍ଧ୍ୟାନ ହୋଇଯାଇଥିଲେ । ମୋଦୀ-ଚୋକସୀଙ୍କ ଫେରାର ଯୋଜନା ସଂପର୍କରେ ଭାରତୀୟ ଗୁଇନ୍ଦା ଏଜେନ୍ସୀଗୁଡ଼ିକ କେମିତ ଟେର୍ ପାଇ ନଥିଲେ (!), ତାହା ଆଜି ମଧ୍ୟ ରହସ୍ୟମୟ ରହିଛି । ଇତିମଧ୍ୟରେ, ହୀରା ବ୍ୟବସାୟୀ ନୀରବ ମୋଦୀ ଛଦ୍ମବେଶରେ ଲଂଡ଼ନରେ ଘୁରି ବୁଲୁଥିବା ବେଳେ ଧରା ପଡି ସେଠାକାର ନ୍ୟାୟିକ ହାଜତରେ ଅଟକ ଅଛନ୍ତି । ସେ ମଧ୍ୟ ଭାରତକୁୁ ପ୍ରତ୍ୟାର୍ପଣ ମାମଲାର ସାମ୍ନା କରୁଛନ୍ତି । ଉଭୟ ନୀରବ ମୋଦୀ ଓ ମେହୁଲ ଚୋକସୀଙ୍କୁ ଖୁବଶୀଘ୍ର ଭାରତ ଫେରାଇ ଅଣାଯିବ ବୋଲି ସରକାର ବାରମ୍ବାର ଦାବି କରୁଥିବା ବେଳେ ବିଭିନ୍ନ କାରଣରୁ ସେଥିରେ ସଫଳତା ମିଳୁ ନାହିଁ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS