ଏହା ଥିଲା କଣ ଡ଼ୋମିନିକାରେ ଭାରତର ଏକ ‘ସର୍ଜିକାଲ୍ ଅପରେସନ୍’ ?
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁନ ୦୬
ଦେଶ ଦୁଇ ବର୍ଷ ପାଖାପାଖି ହେଲା କୋଭିଡ଼ ମହାମାରୀ ସହ ସଂଘର୍ଷ କରୁଛି । କୋଭିଡ଼ ପରିଚାଳନା ଓ ଦେଶରେ ଟିକାକରଣକୁ ନେଇ କେନ୍ଦ୍ର ସରକାର ନିଜେ ନିଜର କାନ୍ଧ ଥାପୁଡାଉ ଥିବା ବେଳେ ବିରୋଧୀଙ୍କ ସମାଲୋଚନା ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରୁଛି । କୋଭିଡ଼ ପରିଚାଳନାରେ ଭାରତର ଦୟନୀୟତାକୁ କେବଳ ବିରୋଧୀ ନୁହନ୍ତି, ବିଦେଶୀ ଗଣମାଧ୍ୟମ ଓ ସାମାଜିକ କର୍ମୀମାନେ ମଧ୍ୟ ଚୁଟକି ନେଉ ଥିବା ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ପ୍ରଶ୍ନ କରି ସରକାରଙ୍କ ଅଡୁଆ ବଢାଉଛି । ‘ଟ୍ୱିଟର୍’ ଭଳି ଆମେରିକୀୟ ମଲ୍ଟି ବ୍ଲଗିଂ ସାମାଜିକ ଗଣମାଧ୍ୟମ ଭାରତ ସରକାରଙ୍କୁ ନାକେଦମ୍ କରିଥିବା ବେଳେ ସରକାର ବୋଧହୁଏ ସମସ୍ତଙ୍କ ନଜର କୋଭିଡ଼ ଉପରୁ ହଟାଇବା ସକାଶେ ପୁଲୱାମା ଭଳି ଆଉ ଏକ ‘ସର୍ଜିକାଲ୍ ଅପରେସନ୍’ର ଆବଶ୍ୟକତା କରୁଛନ୍ତି । ନିକଟରେ, କାରବୀୟାନ ଦ୍ୱୀପ ଆଂଟିଗୁଆ ଓ ଡ଼ୋମିନିକାରେ ଘଟି ଥିବା ଘଟଣାବଳୀ ପଛରେ ଭାରତ ସରକାରଙ୍କ ଅଦୃଶ୍ୟ ହାତ ଥିବା ନେଇ ହୋଇଥିବା ଅଭିଯୋଗ ଏଭଳି ଏକ ‘ଗୋପନୀୟ ଅପରେସନ୍’ର ଭ୍ରମ ସୃଷ୍ଟି କରିଛି ।
କେନ୍ଦ୍ର ସରକାର ଯେ କୌଣସି ପରିସ୍ଥିତିରେ ଆଂଟିଗୁଆର ନାଗରିକତା ନେଇ ସେଠାରେ ସ୍ୱଚ୍ଛନ୍ଦରେ ଜୀବନ ନିର୍ବାହ କରୁଥିବା ଫେରାର ହାରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରି ଆଣିବାକୁ ଚାହୁଁଛନ୍ତି । ଚୋକସୀ ହେଉଛନ୍ତି ୨୦୧୮ରେ ସିବିଆଇ ମାମଲା ରୁଜୁ କରିଥିବା୧୩,୫୦୦ କୋଟି ଟଙ୍କାର ପିଏନବି (ପିଏନବି (ପଂଜାବ ନ୍ୟାସନାଲ ବ୍ୟାଙ୍କ) ୠଣ ଜାଲିଆତି ମାମଲାରେ ଅନ୍ୟତମ ଅଭିଯୁକ୍ତ । ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏତଲାରେ ତାଙ୍କ ନାମ ଥିବା କୌଣସି ସୂତ୍ରରୁ ଜାଣିବା ପରେ ସେହି ବର୍ଷ ଜାନୁୟାରୀ ମାସରେ ଚୋକସୀ ଦେଶ ଛାଡି ପଳାଇ ଥିଲେ । ୨୦୧୮ ଜାନୁୟାରୀରେ ସେ ଫେରାର ହୋଇଥିଲେ ମଧ୍ୟ ୨୦୧୬ରୁ ଆଂଟିଗୁଆର ନାଗରିକତ୍ୱ ନେଇ ସେଠାରେ ରହଣୀର ବ୍ୟବସ୍ଥା କରି ସାରିଥିଲେ । ଭଣଜା ନୀରବ ମୋଦୀ ଓ ମାମୁଁ ମେହୁଲ ଚୋକସୀ ମିଳିତ ଭାବେ ଏହି ଋଣ ଜାଲିଆତିରେ ସାମିଲ ଥାଇ ଦେଶ ଛାଡି ପଳାଇବା ଘଟଣା କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇ ଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପିର ସରକାର ଥିବା ବେଳେ ଏହି ଗୁଜରାଟୀ ବ୍ୟବସାୟୀ ଦ୍ୱୟ ଦେଶରେ ଏତେ ବଡ଼ ଠକେଇ କରି ଓ ସିବିଆଇ ଆଖିରେ ଧୁଳି ଦେଇ ବିଦେଶକୁ ଫେରାର ହୋଇଯିବା ଘଟଣା ଜାତୀୟ ଗଣମାଧ୍ୟମରେ ସବୁଠାରୁ ବଡ଼ ଖବର ଥିଲା । ସରକାର ନିଜ ମୁହଁ ବଂଚାଇବା ପାଇଁ ପୂର୍ବ ୟୁପିଏ -୨ ସରକାର ଉପରେ ଦୋଷ ଲଦି ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହ ଶାସନ କାଳରେ ଏହି ପିଏନବି ଋଣ ଜାଲିଆତି ହୋଇଛି ବୋଲି ମୋଦୀ ସରକାର ଅଭିଯୋଗ କରି ଟେବୁଲ୍ ପାଲଟି ଦେବାର ଉଦ୍ୟମ କରିଥିଲେ । ତେବେ, ନୀରବ ଓ ମେହୁଲ ସିବିଆଇ ତଦନ୍ତର ସାମ୍ନା କରୁଥିବା ବେଳେ କେଉଁ ସୂତ୍ରରୁ ଖବର ପାଇ ରାତି ଅଧିଆ ଫେରାର ହୋଇ ଗଲେ (!) ଏବଂ ସିବିଆଇ ତାହା ଜାଣି ପାରିଲା ନାହିଁ – ତାହା ଆଜି ସୁଦ୍ଧା ବଡ଼ ପ୍ରଶ୍ନ ହୋଇ ରହିଛି ।
ଇତିମଧ୍ୟରେ, ହୀରା ବ୍ୟବସାୟୀ ନୀରବ ମୋଦୀ ଛଦ୍ମବେଶରେ ବୁଲୁ ଥିବା ବେଳେ ଲଣ୍ଡନରେ ଧରା ପଡି ସେଠାକାର ଜେଲରେ ଅଛନ୍ତି । ତାଙ୍କ ବିରୋଧରେ ଭାରତ ପ୍ରତ୍ୟାର୍ପଣ ମାମଲା ଲଣ୍ଡନ ଅଦାଲତରେ ବିଚାରାଧୀନ ରହିଛି । ଅପରପକ୍ଷରେ, ମାମୁଁ ମେହୁଲ ଚୋକସୀ ବହୁ ଆଗରୁ ଆଂଟିଗୁଆର ନାଗରିକତ୍ୱ ନେଇ ସେଠାରେ ବିଳାସମୟ ଜୀବନ ଅତିବାହିତ କରୁଛନ୍ତି । ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରି ଆଣିବା ସହ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ନିକଟରେ ଉପସ୍ଥାପନ କରିବା କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ୍ ହୋଇ ରହିଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଅପରାଧ ତଦନ୍ତକାରୀ ସଂସ୍ଥା ମେହୁଲଙ୍କୁ ଆଂଟିଗୁଆରୁ ଭାରତକୁ ପ୍ରତ୍ୟାର୍ପଣ କରି ଆଣି ମୋଦୀ ସରକାରଙ୍କୁ ଆଶ୍ୱସ୍ତ କରିବା କାର୍ଯ୍ୟରେ ଦୀର୍ଘ ଦିନ ହେଲା ଲାଗିଛନ୍ତି । ତେବେ, ଏପର୍ଯ୍ୟନ୍ତ ଆଶା ମୁତାବକ ସଫଳତା ମିଳି ନାହିଁ । ୨୦୧୯ରୁ କୋଭିଡ଼ ମହାମାରୀକୁ ନେଇ ଅସ୍ତବ୍ୟସ୍ତ ଜୀବନ ବିତାଉ ଥିବା ଭାରତୀୟମାନେ ମେହୁଲ ଚୋକସୀଙ୍କ କଥା ପ୍ରାୟତଃ ଭୁଲି ଯାଇଥିବା ବେଳେ ହଠାତ୍ ମେହୁଲ ଆଂଟିଗୁଆରୁ ନିଖୋଜ ହୋଇ ଦୁଇ ଦିନ ପରେ ଡ଼ୋମିନିକାରେ ଧରା ପଡିବା ଏବଂ ସେଠାରେ ତାଙ୍କ ବିରୋଧରେ ବେଆଇନ ଅନୁପ୍ରବେଶ ମାମଲା ହୋଇ ବିଚାରଣା ଚାଲିବା ପୁନର୍ବାର ମୋଦୀ-ଚୋକସୀ ଏପିସୋଡକୁ ଜୀବନ୍ତ କରିଛି ।
ଚୋକସୀ ନିଖୋଜ ନାହାନ୍ତି, ନିଜର ଜଣେ ବିଦେଶୀ ବାନ୍ଧବୀଙ୍କ ସହ ମଉଜ କରିବାକୁ (ଭଲ ସମୟ ବିତାଇବାକୁ) ଡ଼ୋମିନିକା ପଳାଇଛନ୍ତି ବୋଲି ଚୋକସୀଙ୍କ ନିଖୋଜ ହେବା ପରେ ଆଂଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟନ୍ ବ୍ରାଉନେ କାରବୀୟ ଗଣମାଧ୍ୟମରେ ମନ୍ତବ୍ୟ ରଖିବା ସଂପୂର୍ଣ୍ଣ ମାମଲାକୁ ନୂଆ ମୋଡ ଦେଇଥିଲା । ତେବେ, ଚୋକସୀ ନିଜ ଇଚ୍ଛାରେ ଡ଼ୋମିନିକା ଯାଇ ନାହାନ୍ତି, ତାଙ୍କୁ ଅପହରଣ କାଯାଇ ନିର୍ଯ୍ୟାତନା ଦିଆଯିବା ପରେ ବଂଡଲ୍ ବାନ୍ଧି ଏକ ଜଳଯାନ (ୟାଚ୍)ରେ ଜବରଦସ୍ତ ଡ଼ୋମିନିକା ନିଆଯାଇ ଥିବା ମେହୁଲଙ୍କ ପତ୍ନୀ ପ୍ରୀତି ଚୋକସୀ ଓ ତାଙ୍କ ଓକିଲ ବିଜୟ ଅଗ୍ରୱାଲ ଅଭିଯୋଗ କରିଛନ୍ତି । ମେହୁଲ ଚୋକସୀଙ୍କ ଅପହରଣ ପଛରେ ଜଣେ ବୁଲଗେରୀୟ ମହିଳାଙ୍କ ସକ୍ରୀୟ ଭୂମିକା ରହି ଥିବା କୁହାଯାଉଛି । ଚୋକସୀଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରି ନେଇ ଯିବା ସକାଶେ ଏହା ଭାରତୀୟ ଏଜେନ୍ସୀଗୁଡ଼ିକର ଏକ ଷଡଯନ୍ତ୍ର ଥିଲା ବୋଲି ସେମାନେ ଅଭିଯୋଗ କରିବା ପରେ ସଂପୂର୍ଣ୍ଣ ଘଟଣା ରହସ୍ୟମୟ ହୋଇପଡିଛି ।
ଚୋକସୀଙ୍କ ଯେଉଁ ବୁଲଗେରୀୟ ବାନ୍ଧବୀଙ୍କ କଥା ଚର୍ଚ୍ଚାକୁ ଆସିଛି ତାଙ୍କ ନାମ ବାରବାରା ଜେରାବିକା ବୋଲି ପ୍ରୀତି କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଭାରତ ଆଡୁ ଏହି ‘ହନିଟ୍ରାପ୍’ ବିଛା ଯାଇ ଜେରାଇକାଙ୍କ ଜରିଆରେ ମେହୁଲଙ୍କୁ ଆଂଟିଗୁଆର ଜଲ୍ଲି ‘ଜଲ୍ଲି ହାରବର’କୁ ନିଆଯାଇ ଥିଲା ଏବଂ ସେଠାରେ ଗୋଟିଏ ଆପାର୍ଟମେଂଟକୁ ନିଆଯାଇ ଶାରୀରିକ ନିର୍ଯ୍ୟାତନା ଦିଆଯିବା ପରେ ଡ଼ୋମିନିକାକୁ ଚାଲାଣ କରା ଯାଇଥିଲା । ଡ଼ୋମିନିକା ପୁଲିସ ସେଠାରେ ତାଙ୍କୁ (ମେହୁଲଙ୍କୁ) ବେଆଇନ ଅନୁପ୍ରବେଶ ଅଭିଯୋଗରେ ଗିରଫ କରି ଅଟକ ରଖିଛନ୍ତି । ଚୋକସୀଙ୍କ ଓକିଲ ବିଜୟ ଅଗ୍ରୱାଲ ମଧ୍ୟ ଏକାଭଳି ଅଭିଯୋଗ କରିଛନ୍ତି । ଚୋକସୀ ଡ଼ୋମିନିକାରେ ଗିରଫ ହେବା ପରେ ତାଙ୍କ ବିଦେଶୀ ବାନ୍ଧବୀ ଜେରାବିକା କୁଆଡେ ଗାଏବ ହୋଇଯାଇଛନ୍ତି । ସେ ପାତାଳରେ ଧସି ଯାଇଛନ୍ତି ନା ସମୁଦ୍ରରେ ଲୀନ ହୋଇଯାଇଛନ୍ତି, କେହି ଜାଣିପାରୁ ନାହାନ୍ତି । ଡ଼ୋମିନିକା ବୈଦ୍ୟୁତିକ ଗଣମାଧ୍ୟମରେ କେବଳ ଜଣେ ଅର୍ଦ୍ଧ ନଗ୍ନ ମହିଳାଙ୍କ ବିଚ୍ ରେ ବୁଲା ଥିବା ଫଟୋ ବହୁଳ ଭାବେ ପ୍ରସାରିତ ହେଉଛି । ତାହା ଜେରାବିକାଙ୍କ ଫଟୋ ବୋଲି କୁହାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ମେହୁଲ ଚୋକସୀ ଆଂଟିଗୁଆରୁ ନିଖୋଜ ହୋଇଯାଇ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ମେ’ ୨୩ରେ ଆଂଟିଗୁଆ ପୁଲିସ ନିକଟରେ ଏତଲା ଦିଆଯାଇଥିଲା । ଆଂଟିଗୁଆ ପୁଲିସ ମେହୁଲଙ୍କୁ ଖୋଜିବା ଆରମ୍ଭ କରିଥିବା ବେଳେ ସେ ନିଖୋଜ ନୁହନ୍ତି, ବୋଧହୁଏ ନିଜ ବାନ୍ଧବୀଙ୍କ ସହ ମଉଜ କରିବାକୁ ଯାଇଛନ୍ତି ବୋଲି ଅଂଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟନ୍ ବ୍ରାଉନେ କାରବୀୟ ଗଣମାଧ୍ୟମରେ ମନ୍ତବ୍ୟ ରଖି ଥିଲେ । ମେ’ ୨୫ରେ ଡ଼ୋମିନିକା ପୁଲିସ ନିଜ ଆଡୁ ଏକ ବିବୃତି ଜାରି କରି ମେହୁଲ ଚେକସୀ ବେଆଇନ ଭାବେ ଡ଼ୋମିନିକାରେ ଅନୁପ୍ରବେଶ କରି ଧରା ପଡିଛନ୍ତି ଏବଂ ତାଙ୍କୁ ଗିରଫ କରାଯାଇଛି ବୋଲି ଜଣାଇଛନ୍ତି । ମେ’ ୨୬ରେ ଚୋକସୀଙ୍କ ଲିଗାଲ ଟିମ୍ ଡ଼ୋମିନିକା ଅଦାଲତରେ ଏକ ହେଭିଅସ୍ କର୍ପସ୍ ପିଟିସନ ଦାଖଲ କରି ଚୋକସୀ ସ୍ୱଇଚ୍ଛାରେ ଡ଼ୋମିନକା ଯାଇ ନାହାନ୍ତି, ତାଙ୍କୁ ଅପହରଣ କରି ନିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ଅପହରଣ ପରେ ତାଙ୍କ ଗୋଡ, ହାତ ବାନ୍ଧି ନିର୍ଯ୍ୟାତନା ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ବର୍ତ୍ତମାନ ଡ଼ୋମିନିକା ହାଇକୋର୍ଟରେ ମେହୁଲଙ୍କ ଭାରତ ପ୍ରତ୍ୟାର୍ପଣ ମାଲା ବିଚାରାଧୀନ ଥିବା ବେଳେ ଅନ୍ୟ ଏକ ଅଦାଲତରେ ଡ଼ୋମିନିକାରେ ବେଆଇନ ଅନୁପ୍ରବେଶ ମାମଲାର ବିଚାରଣା ଚାଲିଛି । ଚୋକସୀ ଆହତ ଅବସ୍ଥାରେ ସେଠାକାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଏଠାରେ ଉଲ୍ଲେଖନୀୟ ଘଟଣା ହେଉଛି, ମେହୁଲ ଚୋକସୀ ଡ଼ୋମିନିକାରେ ପୁଲିସ ହେପାଜତରେ ଥିବା ଖବର ପାଇବା ପରେ ମେ’୨୭ ତାରିଖ ଦିନ କ୍ୱାତାରର ଏକ ବେମ୍ବାଡିୟର୍ ଗ୍ଲୋବାଲ ୫୦୦୦ ବିଜିନେସ୍ ଏକଜିକ୍ୟୁଟିଭ ଜେଟ୍ ବିମାନରେ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଓ ସିବିଆଇର ଏକ ଆଠ ଜଣିଆ ଟିମ୍ ଡ଼ୋମିନିକା ଯାଇ ସେଠାକାର ଡ଼ଗଲାସ୍ ଚାର୍ଲେସ ବିମାନ ବନ୍ଦରରେ ଅବତରଣ କରିଥିଲେ । ବିମାନଟି ୨୭ ତାରିଖ ଅପରାହ୍ନରେ ୟୁଏଇର ଦୋହାରୁ ଆସି ଦିଲ୍ଲୀରେ ପହଂଚି ଥିଲା ଏବଂ ପରେ ଦିଲ୍ଲୀରୁ ବାହାରି ଡ଼ୋମିନିକା ଅଭିମୁଖେ ଯାତ୍ରା କରିଥିଲା ବୋଲି ବିମାନ ଚଳାଚଳ ସଂପର୍କିତ ନଥିପତ୍ରରୁ ସୂଚନା ମିଳିଛି । ଏହାକୁ ଭାରତୀୟ ଇଂଟେଲିଜେନ୍ସ୍ ଅଧିକାରମାନେ ସ୍ୱୀକାର କରିଥିବା ମଧ୍ୟ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ପିଏନବି ଋଣ ଜାଲିଆତି ମାମଲାରେ ଫେରାର ଥିବା ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ଭାରତକୁ ଆଣିବା ସକାଶେ ଏହି ଟିମ୍ ଯାଇଥିବା କୁହାଯାଇଥିଲା ।
ଠିକ୍ ସେହି ସମୟରେ ଅଂଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟନ୍ ବ୍ରାଉନେ ମଧ୍ୟ କାରବୀୟ ଗଣମାଧ୍ୟମରେ ମନ୍ତବ୍ୟ ରଖି ଥିଲେ, ମେହୁଲ ଚୋକସୀ ତାଙ୍କ ବାନ୍ଧବୀଙ୍କ ସହ ଭଲ ସମୟ ବିତାଇବାକୁ (ମଉଜ କରିବା ପାଇଁ) ଡ଼ୋମିନିକା ପଳାଇ ବଡ଼ ଭୁଲ କରିଛନ୍ତି । ତାଙ୍କୁ ପ୍ରତ୍ୟାର୍ପଣ କରାଇ ନେବାକୁ ଏକ ଭାରତୀୟ ଜେଟ୍ ମଧ୍ୟ ଡ଼ୋମିନିକାରେ ପହଂଚିଛି । ଚୋକସୀ ଆଂଟିଗୁଆ ପାଇଁ ମଧ୍ୟ ସମସ୍ୟା ହୋଇ ଥିବାରୁ ତାଙ୍କୁ ଦେଶକୁ ଫେରାଇ ନେବାକୁ ଆଂଟିଗୁଆ ସରକାର ଚାହୁଁ ନାହାନ୍ତି । ଭାରତୀୟ ଟିମ୍ ତାଙ୍କୁ ଡ଼ୋମିନିକାରୁ ଭାରତ ନେଇ ଯିବା ଠିକ୍ ହେବ ବୋଲି ସେ କହିଥିଲେ । ଫେରାର ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ପ୍ରତ୍ୟାର୍ପଣ କରାଇ ଭାରତ ଆଣିବାକୁ ସମସ୍ତ ଉଦ୍ୟମ ଜାରି ରହିଛି । ବର୍ତ୍ତମାନ ସେ ଡ଼ୋମିନିକାରେ ନ୍ୟାୟିକ ହେପାଜତରେ ଅଛନ୍ତି । କିଛି ଆଇନଗତ କାର୍ଯ୍ୟ ସମାପିତ ହେଲେ ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରାଇବାକୁ ଉଦ୍ୟମ ଜାରି ରହିବ ବୋଲି ଗତ ଗୁରୁବାର ଦିନ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀରେ ସୂଚନା ଦିଆଯାଇଥିଲା ।
ମେହୁଲ ୨୮ ତାରିଖ ଦିନ ଡ଼ୋମିନିକା ଅଦାଲତରେ ପକ୍ଷ ରଖି ତାଙ୍କ ବିରୋଧରେ ଅଣାଯାଇ ଥିବା ଅନୁପ୍ରବେଶ ଅଭିଯୋଗକୁ ଖଣ୍ଡନ କରିବା ସହ ନିଜକୁ ନିଦେ୍ର୍ଦାଶ ବୋଲି ଯୁକ୍ତି ବାଢିଛନ୍ତି । ଏହା ଉପରେ ଜୁଲାଇରେ ଶୁଣାଣୀ ହେବାକୁ ଥିବା ବେଳେ ଚୋକସୀଙ୍କ ବେଆଇନ ଅନୁପ୍ରବେଶ ମାମଲାର ବିଚାର କରୁଥିବା ଅନ୍ୟ ଏକ ଅଦାଲତ ତାଙ୍କୁ ଦେଶରୁ ବାହାର କରି ଦିଆଯିବ ନାହିଁ, ଜୁନ୧୪ରେ ତାଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣୀ ହେବ ବୋଲି ଅଦାଲତ ବୋଲି ଅଦାଲତ ନିର୍ଦେଶନାମା ଜାରି କରିଛନ୍ତି । ତେବ, ଚୋକସୀଙ୍କ ଜାମିନ ଆବେଦନକୁ ଅଦାଲତ ଖାରଜ କରିଛନ୍ତି । ମେହୁଲ ଚୋକସୀ ଆଉ ଭାରତୀୟ ନାଗରିକ ନ ଥିବାରୁ ଏବଂ ଆଂଟିଗୁଆ ନାଗରିକ ହୋଇଥିବାରୁ ତାଙ୍କୁ ଭାରତକୁ ନୁହେଁ, ଅଂଟିଗୁଆକୁ ପ୍ରତ୍ୟାର୍ପଣ କରାଯିବାକୁ ଡ଼ୋମିନିକା ହାଇକୋର୍ଟରେ ହେଭିୟସ୍ କର୍ପସ୍ ପିଟିସନ ଦାଖଲ ହୋଇଛି, ଯାହାରକି ବିଚାରଣା ହେବାକୁ ଯାଉଛି ।
ଚୋକସୀଙ୍କୁ ଆଂଟିଗୁଆରୁ ଅପହରଣ କରାଯାଇ ଜଳଯାନ (ୟାଚ୍) କୁ ନିଆଯିବା ପରେ ସେଥିରେ ଥିବା ଦୁଇ ଜଣ ବ୍ୟକ୍ତି ଜିପିଏସ ମାଧ୍ୟମରେ ନରେନ୍ଦ୍ର ସିଂହ ନାମକ କେହି ଜଣେ ବ୍ୟକ୍ତିଙ୍କ ସହ ତାଙ୍କର କଥାବାର୍ତ୍ତା କରାଇ ଥିଲେ । ସିଂହ ତାଙ୍କ ମାମଲାର ତଦନ୍ତ ଦାୟିତ୍ୱରେ ଅଛନ୍ତି ବୋଲି ମେହୁଲଙ୍କୁ କୁହାଯାଇଥିଲା । ସିଂହ ମଧ୍ୟ ମେହୁଲଙ୍କୁ ‘ଜଲ୍ଲି ହାରବର’ରେ କଣ ହେଲା ଏବଂ ମହିଳା ଜଣକ କିଏ ତାହା ବାହାରେ ପ୍ରଘଟ ନ କରିବାକୁ ଚେତାବନୀ ଦେଇ ଥିଲେ । ସେ ଭାରତ ପ୍ରତ୍ୟାର୍ପିତ ହେବାକୁ ଚାହୁଁଛନ୍ତି କି ବୋଲି ଯଦି ଅଦାଲତ ପ୍ରଶ୍ନ କରେ ‘ହଁ’ କହିବାକୁ ତାଙ୍କୁ ସିଂହ କହିବା ସହ ‘ତୁମେ ଏହା ନ ମାନିଲେ ଡ଼ୋମିନିକା ଜେଲରେ ପ୍ରବଳ ମାଡ଼ ଖାଇବ ଏବଂ ଭାରତରେ ପହଂଚିଲା ବେଳକୁ ଦେହର ଚମଡା ନଥିବ’ ବୋଲି ତାଙ୍କ ସ୍ୱାମୀଙ୍କୁ ସିଂହ ଧମକ ଦେଇଥିଲେ ବୋଲି ମେହୁଲଙ୍କ ପତ୍ନୀ ପ୍ରୀତି ଅଭିଯୋଗ କରିଛନ୍ତି । ମେହୁଲ ଚୋକସୀ ଏବେ ଡ଼ୋମିନିକାର ଚାଇନା ଫ୍ରେଣ୍ଡସିପ୍ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ବାରବାରାଙ୍କ ଟୁ-ପିସ୍ ପିନ୍ଧା ଫଟୋ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହେଉଥିଲେ ମଧ୍ୟ ତାହା ବାସ୍ତବରେ ବାରବାର ଜାରାବିକାଙ୍କର କି ନୁହେଁ, କେହି କହିପାରୁ ନାହାନ୍ତି । ତେବେ, ପ୍ରୀତି ତାଙ୍କୁ ବାରବାର ବୋଲି ଚିହ୍ନଟ କରୁଛନ୍ତି ।
ପ୍ରୀତିଙ୍କ ଅଭିଯୋଗ ହେଉଛି, ବାରବାରା ଜାରାବିକା ନାମକ ବୁଲଗେରୀୟ ମହିଳା ଜଣକ ଗଲା ଛଅ ମାସ ହେଲା ଚୋକସୀଙ୍କ ପିଛା ପଡି ଥିଲେ । ସେ ଆଂଟିଗୁଆରେ ଚୋକସୀଙ୍କ ଘର ନିକଟରେ ଘରଟିଏ ନେଇ ରହୁଥିଲେ । ନିଜକୁ ଜଣେ ଉଦ୍ୟୋଗୀ ଭାବେ ପରିଚିତ କରାଇ ସେ ପ୍ରାତଃ ଭ୍ରମଣ ସମୟରେ ଚୋକସୀଙ୍କ ସହ ସଂପର୍କକୁ ସୁଦୃଢ କରିଥିଲେ । ମେ’ ୨୩ ତାରିଖ ସନ୍ଧ୍ୟାରେ ସେ ମେହୁଲଙ୍କୁ ଏକ ଆପାର୍ଟମେଂଟ୍ ଦେଖାଇବା ବାହାନାରେ ଆଂଟିଗୁଆର ଜଲ୍ଲି ହାରବର୍ କୁ ଡ଼କାଇ ଥିଲେ । ସେ ଆପାର୍ଟମେଂଟଟି କିଣିବାକୁ ଆଗ୍ରହୀ ବୋଲି କହି ତାହା ଦେଖାଇବାକୁ ଚୋକସୀଙ୍କ ନେଇ ଥିଲେ । ଚୋକସୀ ସଂପୃକ୍ତ ଆପାର୍ଟମେଂଟରେ ପ୍ରବେଶ କରିବା କ୍ଷଣି ସେଠାରେ ଉପସ୍ଥିତ ଥିବା ୮/ ୧୦ ଜଣ ବ୍ୟକ୍ତି ତାଙ୍କ (ଚୋକସୀଙ୍କ) ପାଟିରେ କନା ବିଣ୍ଡା ପୁରାଇ ଦେବା ସହ ଗୋଟିଏ ହ୍ୱିଲ୍ ଚେୟାରରେ ବସାଇ ବାନ୍ଧି ପକାଇ ଥିଲେ । ତାହା ପରେ ତାଙ୍କୁ ଜଳଯନରେ ଅପହରଣ କରାଯାଇଛି । ଅପହରଣ ପର ଦିନରୁ ବାରବାର ଜେରାବିକା ଆଂଟିଗୁଆରୁ ଗାଏବ ହୋଇଯାଇଛନ୍ତି । ଚୋକସୀଙ୍କୁ ଅପହରଣ କରିବା ଅନ୍ୟ କାହାରି କାର୍ଯ୍ୟ ନୁହେଁ, ଶତ ପ୍ରତିଶତ ଭାରତୀୟ ଏଜେନ୍ସୀଙ୍କ ଷଡଯନ୍ତ୍ର ବୋଲି ପ୍ରୀତି କହିଛନ୍ତି ।
ପିଏନବି ଋଣ ଜାଲିଆତି ମାମଲାରେ ଚୋକସୀଙ୍କ ନାମରେ ସିବିଆଇ ମାମଲା ରୁଜୁ କରିବାର ବହୁ ଆଗରୁ ଚୋକସୀ ଆଂଟିଗୁଅ ଓ ବାରବାଡାର ନାଗରିକତ୍ୱ ନେଇ ସାରିଛନ୍ତି । ସେ ଆଂଟିଗୁଆ ନାଗରିକ ଥିବାରୁ ତାଙ୍କୁ ଅଦାଲତ ଭାରତ ପ୍ରତ୍ୟାର୍ପଣ କରିବା ପ୍ରଶ୍ନ ଉଠୁ ନାହିଁ ବୋଲି ଚୋକସୀଙ୍କ ଓକିଲ କହୁଛନ୍ତି । ଅପରପକ୍ଷରେ, ଚୋକସୀଙ୍କ ବିରୋଧରେ ଭାରତରେ ଆପରାଧୀକ ମାମଲା ଥିବାରୁ ଏବଂ ତାଙ୍କ ବିରୋଧରେ ଇଂଟରପୋଲ୍ ର ନୋଟିସ ଜାରି ରହି ଥିବାରୁ ଭାରତକୁ ତାଙ୍କ କଷ୍ଟୋଡି ମିଳିବ ବୋଲି ଭାରତ ସରକାର ଆଶାବାଦୀ ।
ଇତିମଧ୍ୟରେ, ଭାରତ ଡ଼ୋମିନିକା ସହ ତାହାର କୂଟନୈତିକ ସଂପର୍କ ବଢାଇଛି ଏବଂ ସେଠାକାର ୫୦ ପ୍ରତିଶତ ଲୋକଙ୍କୁ ଟିକାରକଣ କରିବା ସକାଶେ ଗତ ପେବୃୟାରୀ ମାସରେ ୩୫,୦୦୦ କୋଭାକ୍ସିନ୍ ଟିକା ପଠାଇଛି । ଡ଼ୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ୍ ସ୍କ୍ରିଟ୍ ଙ୍କୁ ମଧ୍ୟ ୨୦୧୬ ମସିହାରେ ପଞ୍ଜାବର ଲଭଲି ପ୍ରଫେସନାଲ୍ ୟୁନିଭରସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧୀ ଦିଆଯାଇଛି । ଡ଼ୋମିନିକା ପାଇଁ ଭାରତ ଏତେ ସବୁ କରିବା ପଛରେ ଚୋକସୀଙ୍କ ଭାରତ ପ୍ରତ୍ୟାର୍ପଣ କରି ଆଣିବା ମୁଖ୍ୟ ଉଦେ୍ଦଶ୍ୟ ବୋଲି କୁହାଯାଉଛି । ଡ଼ୋମିନିକା ଅଦାଲତରେ ଚୋକସୀ ମାମଲା ବିଚାରାଧୀନ ଥିବାରୁ ସେଠାକୁ ଯାଇଥିବା ଉଚ୍ଚସ୍ତରୀୟ ସିବିଆଇ ଓ ଏମଇଏ ଟିମ୍ ଖାଲି ହାତରେ ଫେରି ଆସିଛନ୍ତି । ତେବେ, ଭାରତର ଏହି ଗୋପନ ଅଭିଯାନ ଚେକସୀ ପରିବାର ପାଇଁ ଆଉ ଅଛପା ହୋଇ ରହି ନାହିଁ । ଅଦାଲତ ଯୁଦ୍ଧରେ ଚୋକସୀ ପରିବାର ଜିତିବେ କି ଭାରତ ସରକାର, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS