ବାପା ଠକେଇ ଅଭିଯୁକ୍ତ, ଝିଅ ତଥାକଥିତ ପର୍ଯ୍ୟାବରଣ କର୍ମୀ !
ପ୍ରସାଦ ରାଓ
ଭୁବନେଶ୍ୱର
ଜୁନ ୦୯
ବାପା ଠକେଇ ଅଭିଯୁକ୍ତ । କିନ୍ତୁ, ଝିଅ ହେଉଛି ତଥାକଥିତ ପର୍ଯ୍ୟାବରଣ କର୍ମୀ । ଖବରଟି ନିଶ୍ଚିତ ଭାବେ ରୋଚକ । କାହାଣୀର ଆରମ୍ଭ ମଣିପୁରରୁ ଏବଂ ତାହାର ଲିଂକ୍ ରହିଛି ରାଜଧାନୀ ଭୁବନେଶ୍ୱର ଓ ନୂଆଦିଲ୍ଲୀ ସହ । କାହାଣୀର ନାୟକ (ଖଳ ନାୟକ) ହେଉଛନ୍ତି କଅଁରଜିତ ସିଂହ କାଂଗଜୁମ୍ ଓରଫ ଡକ୍ଟର କେକେ ସିଂହ । ନିଜକୁ ଇଂଟରନ୍ୟାସନାଲ ୟୁଥ କମିଟି (ଆଇୱାଇସି)ର ଅଧ୍ୟକ୍ଷ ବୋଲି ପରିଚିତ କରାଇ ଆନ୍ତର୍ଜାତିକ ୟୁଥ୍ ଏକ୍ସଚେଂଜ୍ କାର୍ଯ୍ୟକ୍ରମରେ ସାମିଲ କରାଇବା ନାମରେ ବିଭିନ୍ନ ଦେଶର ବହୁ ଛାତ୍ର, ସଂଗଠନ ଓ ବ୍ୟବସାୟିକ ଅନୁଷ୍ଠାନକୁ ଠକି ଥିବା କାଂଗଜୁମଙ୍କୁ ମଣିପୁର ପୁଲିସ ଓ ଦିଲ୍ଲୀ ପୁଲିସର ଏକ ସ୍ପେଶାଲ ସେଲ୍ ସପ୍ତହକ ତଳେ ଦିଲ୍ଲୀରୁ ଗିରଫ କରିବା ପରେ ଏହି ବ୍ୟକ୍ତିଙ୍କୁ ନେଇ ଅନେକ ରୋଚକ କାହାଣୀ ସାମନାକୁ ଆସିଛି ।
କାଂଗଜୁମ୍ ୟୁଏନଓ ଅଧିନସ୍ଥ ଗ୍ଲୋବାଲ ୟୁଥ ଫୋରମ୍ ର ନିର୍ଦେଶକ ଭାବେ ନିଜକୁ ପରିଚିତ କରାଇ ମଣିପୁର ପୋରମପଟ ଥାନା ଅନ୍ତର୍ଗତ ଲାଲମବଂଗ ମାଖୋଙ୍ଗର ସୋରମ ଗାୟତ୍ରୀ ନାମକ ଜଣେ ମହିଳାଙ୍କୁ ଜାଲି କାଗଜପତ୍ରରେ ଏକ ଗୃହପଯୋଗୀ ଜମି ବିକ୍ରି କରିଥିଲେ । ନିଜକୁ ସଂପୃକ୍ତ ଜମିର ମାଲିକ ଭାବେ ଦାବି କରୁଥିବା ଜଣେ ମହିଳାଙ୍କ ଉପସ୍ଥିତିରେ ପୋରମପଟ ସବ୍ ରେଜିଷ୍ଟ୍ରାରଙ୍କ ସାମ୍ନାରେ ବିକ୍ରି କବଲା ହୋଇଥିଲା । ତେବେ, ଗାୟତ୍ରୀ ତାଙ୍କୁ ବିକ୍ରି କରାଯାଇଥିବା ଜମିର କାଗଜପତ୍ର ଜାଲ୍ ବୋଲି ପୋରମପଟ ଥାନାରେ ଏତାଲା ଦେବା ପରେ ପୁଲିସ ତାହାର ତଦନ୍ତ କରିଥିଲେ । ମହିଳାଙ୍କ ଅଭିଯୋଗରେ ସତ୍ୟତା ଥିବା ଜଣାପଡିବା ପରେ କାଂଗଜୁମଙ୍କୁ ଗିରଫ କରାଯାଇ ଏକ ସପ୍ତାହ କାଳ ଜେରା କରାଯିବା ପରେ ଗତକାଲି ଇଂଫାଲ୍ ଇଷ୍ଟ୍ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଇଂଫାଲ୍ ଇଷ୍ଟ୍ ସିଜିଏମ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପୋରମପଟ ପୁଲିସ ଉପସ୍ଥାପନ କରିଥିବା କାଗଜପତ୍ରକୁ ଯାଂଚ କରିବା ଏବଂ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ କାଗଜୁମଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି ।
ଇତିମଧ୍ୟରେ, କାଂଗଜୁମ୍ ଶିଶୁ ଅଧିକାର ଓ ପରିବେଶ ସଂପର୍କିତ ବିଷୟରେ କାର୍ଯ୍ୟ କରୁଥିବା ଜଣେ ନେପାଳୀ ଛାତ୍ରଙ୍କୁ ଆନ୍ତର୍ଜାତିକ ୟୁଥ୍ କମିଟି (ଆଇୱାଇସି) ନାମରେ ଠକିଥିବା ଅଭିଯୋଗରେ ପୋରମପଟ ଥାନାରେ ଏକ ମାମଲା ହୋଇଛି । ପୁଲିସ ଠକେଇ, ଜାଲିଆତି ଓ ଅନ୍ୟାନ୍ୟ ଆପରାଧିକ ମାମଲାରେ କାଂଗଜୁମଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କ ଆନୁଷ୍ଠାନିକ ଭାବେ ଗିରଫ କରିବା ସକାଶେ ଇଂଫାଲ୍ ଇଷ୍ଟ୍ ସିଜେଏମଙ୍କ ନିକଟରେ ଆବେଦନ କରିଥିଲେ । ଏଥିପାଇଁ ଅଦାଲତ ଅନୁମତି ଦେଇ ଥିବାରୁ କାଂଗଜୁମଙ୍କୁ ପୁନର୍ବାର ଅଦାଲତରେ ହାଜର କରାଯିବ ବୋଲି ଆଜି ସୂଚନା ମିଳିଛି । ତାଙ୍କ ସଂଗଠନ ଜାତିସଂଘ ସହ ସଂପୃକ୍ତ ଥିବା ଦର୍ଶାଇ ଅନ୍ୟୁନ ୧୨ଟି ଦେଶର ଶତାଧିକ ଯୁବକ, ଯୁବତୀଙ୍କୁ ବିଭିନ୍ନ ଉପାୟରେ କାଂଗଜୁମ୍ ଠକି ଥିବା ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ବିଷୟ ହୋଇଛି ।
କଅଁରଜିତ ସିଂହ କାଂଗଜୁମ୍ ଓରଫ କେ.କେ.ସିଂହ ବିଭିନ୍ନ ଉପାୟରେ ଦେଶୀ, ବିଦେଶୀ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ଓ ବ୍ୟବସାୟ ପ୍ରତିଷ୍ଠାନକୁ କୋଟି କୋଟି ଟଙ୍କା ଠକି ସେମାନଙ୍କ ବିଶ୍ୱାସଭଂଗ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଭିତ୍ତିରେ ମଣିପୁର ପୁଲିସ ଦିଲ୍ଲୀ ପୁଲିସ ସହାୟତାରେ ତାଙ୍କୁ ଦିଲ୍ଲୀରୁ ଗିରଫ କରି ୀ ଇଂଫାଲ୍ ନେଇ ଯିବା ପରେ ଏହି ଠକ ବ୍ୟକ୍ତିଙ୍କ ଚରିତ୍ରର ଖୁଲାସା ହୋଇଛି । କାଂଗଜୁମ୍ ୨୦୧୪ରୁ ୨୦୧୯ ମଧ୍ୟରେ ୩ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଠକେଇ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । କୋଭିଡ଼ ମହାମାରୀ ପ୍ରାରମ୍ଭରେ କାଂଗଜୁମ୍ ନିଜ ୯ ବର୍ଷର ଝିଅ ଲିସିପ୍ରିୟାଙ୍କୁ କୋଭିଡ଼ କ୍ରାଉଡ ଫଣ୍ଡ୍ ସଂଗ୍ରହରେ ଲଗାଇ ଥିଲେ । ଲିସିପ୍ରିୟା ୭୫ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରି ନୋବେଲ୍ ସିଟିଜନ ଫାଉଣ୍ଡେସନ୍ (ଏନସିଏଫ) ନାମକ ଏକ ଏନଜିଓ (ସ୍ୱେଚ୍ଛାସେବୀ ସଂଗଠନ)କୁ ହସ୍ତାନ୍ତର କରିଥିବା କହୁଥିବା ବେଳେ ବାସ୍ତବରେ ଏହି ଅର୍ଥ ବାଟମାରଣା ହୋଇଥିବା ସନ୍ଦେହ କରାଯାଉଛି । ଇଂଟରନ୍ୟାସନାଲ୍ ୟୁଥ କମିଟି (ଆଇୱାଇସି) ଭଳି ଏନଏଫସି ମଧ୍ୟ କାଂଗଜୁମ୍ ଙ୍କ ଦ୍ୱାରା ପରିଚାଳିତ ଏକ ସଂସ୍ଥା ବୋଲି ସୂଚନା ମିଳିଛି ।
କାଗଜୁମ୍ ଗିରଫ ହେବା ପରେ ନିଜ ଠକ ଚରିତ୍ର ପାଇଁ ଯେତିକି ଚର୍ଚ୍ଚିତ ରହି ନାହାନ୍ତି, ତା’ଠାରୁ ଅଧିକ ଚର୍ଚ୍ଚିତ ରହିଛନ୍ତି ନିଜର ନଅ ବର୍ଷର ଝିଅ ଲିସିପ୍ରିୟାଙ୍କୁ ନେଇ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ କେ.କେ.ସିଂହ ଓରଫ କଅଁରଜିତ ସିଂହ କାଂଗଜୁମ୍ ଝିଅ ଲିସିପ୍ରିୟାକୁ ସାତ ବର୍ଷ ହୋଇଥିବା ବେଳେ ନିଜ ଠକେଇ କାର୍ଯ୍ୟରେ ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ । ଇଂଟରନ୍ୟାସନାଲ ୟୁଥ୍ କମିଟି (ଆଇୱାଇସି) ନାମକ ସଂଗଠନ ଗଢି (ଓଡ଼ିଶାରେ ତାହାର ଚେର ଏବଂ ଦିଲ୍ଲୀେରେ ତାହାର ଶାଖା ପ୍ରଶାଖା ରହିଥିବା କୁହାଯାଉଛି) କାଂଗଜୁମ୍ ଝିଅ ଲିସିପ୍ରିୟାକୁ ଜଣେ ପରିବେଶ କର୍ମୀ ଭାବେ ପ୍ରୋଜେକ୍ଟ୍ କରିବା ମାଧ୍ୟମରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ଲିସିପ୍ରିୟାଙ୍କୁ ପରିବେଶ ସଂପର୍କରେ ବିଭିନ୍ନ ଆନ୍ତର୍ଜାତିକ ଫୋରମ୍ ଦ୍ୱାରା ଆୟୋଜିତ ଆଲୋଚନା ଏବଂ ପରିବେଶ ସଂପର୍କିତ ପ୍ରତିବାଦ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ଦେଇ ତାଙ୍କୁ ଭାରତର ଗ୍ରେଟା ଥନବର୍ଗ ଭାବେ ଉପସ୍ଥାପନ କରାଇଥିଲେ ।
ଗ୍ରେଟା ଥନବର୍ଗ ହେଉଛନ୍ତି ଜଣେ ସ୍ୱଳ୍ପ ବୟସ୍କା ସ୍ୱୀଡେଶ୍ ପରିବେଶକର୍ମୀ । ଭାରତରେ ଚାଲି ଥିବା ତିନି କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନର ସମର୍ଥନରେ ଟ୍ୱିଟ୍ କେନ୍ଦ୍ର ସରକାରଙ୍କ ଆକ୍ରୋଶର ସାମ୍ନା କରିବା ପରେ ଗ୍ରେଟା ହେଉଛନ୍ତି ଭାରତରେ ପରିଚିତ ନାମଟିଏ । ତେଣୁ, କାଂଗଜୁମ୍ ନିଜ ଝିଅକୁ ଗ୍ରେଟାଙ୍କ ଭଳି ଜଣେ ପରିବେଶ ସଚେତନ କାର୍ଯ୍ୟକର୍ତ୍ତା ଭାବେ ବିଶ୍ୱ ଦରବାରରେ ଉପସ୍ଥାପନ କରିବାକୁ ଜାଲିଆତିର ବାଟ ଆପଣାଇବାକୁ ମଧ୍ୟ ପଛାଇ ନଥିଲେ । ୨୦୧୯ ମେ’ ମାସରେ ଜେନେଭାସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଆୟୋଜନ ଷଷ୍ଠ ‘ଗ୍ଲୋବଲ ପ୍ଲାଟଫର୍ମ ଫର୍ ଡ଼ିଜାଷ୍ଟର୍ ରିସ୍କ ରିଡକ୍ସନ୍’ କାର୍ଯ୍ୟକ୍ରମର ଗୋଟିଏ ଅଧିବେଶନରେ ସାତ ବର୍ଷର ଝିଅ ଲିସିପ୍ରିୟାଙ୍କୁ ବକ୍ତା ଭାବେ ନିମନ୍ତ୍ରଣ କରାଯାଇଥିବା ଯୋରଦାର ପ୍ରଚାର ହେବା ପରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ଝିଅଟିଗଣମାଧ୍ୟମର ନଜରକୁ ଆସି ଯାଇଥିଲା । ଏଡେ କୁନି ଝିଅଟିଏ ଏକ ବିଶ୍ୱସ୍ତରୀୟ ପ୍ଲାଟଫମ୍ ରେ ଭାରତର ପରିବେଶ ପରିବର୍ତ୍ତନକୁ ଉପୁଜି ଥିବା ସମସ୍ୟା ଉପରେ କି ଭାଷଣ ଦେବ ଜାଣିବାକୁ ଉତ୍ସୁକ ଗଣମାଧ୍ୟମ ପ୍ରତିନିଧିମାନେ ଖୋଳତାଡ ଆରମ୍ଭ କରିଥିଲେ ।
ଖୋଳତାଡରୁ ଜଣାପଡିଲା, ଜାତିସଂଘ ୱେବ୍ ସାଇଟରେ ସଂପୃକ୍ତ ଆନ୍ତର୍ଜାତିକ ଆଲୋଚନାଚକ୍ରର କୌଣସି ଅଧିବେଶନରେ ବକ୍ତାଙ୍କ ତାଲିକାରେ ଲିସିପ୍ରିୟାଙ୍କ ନାମ ନାହିଁ । ଲିସିପ୍ରିୟା ଆଇୱାଇସିର ‘ଚାଇଲ୍ଡ୍ ଡ଼ିଜାଷ୍ଟର ରିସ୍କ୍ ରିଡକ୍ସନ୍’ର ଜଣେ ପ୍ରବକ୍ତା ବୋଲି ହିଁ ୱେବ୍ ସାଇଟରେ ଥିବା ପ୍ରେସ୍ ଇସ୍ତାହାରରେ ଦର୍ଶାଯାଇଛି । ସେ ଜାତିସଂଘର ସଂପୃକ୍ତ ଅଧିବେଶନରେ ଯୋଗ ଦେଉଥିଲେ ମଧ୍ୟ କୌଣସି ଅଧିବେଶନରେ ବକ୍ତା ନଥିବା ଜଣାପଡିବା ପରେ ଆଇୱାଇସର କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ତେବେ, ସେତେବେଳକୁ ବାପା କାଂଗଜୁମ୍ ଝିଅ ଲିସିପ୍ରିୟାଙ୍କୁ ଆନ୍ତର୍ଜାତିକ ପରିବେଶ ଆନ୍ଦୋଳନ ବା ଗ୍ରୀନ୍ ମୁଭମେଂଟର ‘ପୋଷ୍ଟର ଗର୍ଲ’ରେ ପରିଣତ କରି ସାରି ଥିଲେ । ଲିସିପ୍ରିୟା ରିତିମତ ବିଭିନ୍ନ ସମୟରେ ପାର୍କ, ଜାତୀୟ କିର୍ତ୍ତୀରାଜି ଏବଂ ଜନଗହଳିପୂର୍ଣ୍ଣ ରାସ୍ତାରେ ପ୍ଲାକାଡ୍ ଧରି ସ୍କୁଲ ପାଠ୍ୟକ୍ରମରେ ପରିବେଶ ପରିବର୍ତ୍ତନ ସଚେତନା ସଂପର୍କିତ ଶିକ୍ଷାକୁ ବାଧ୍ୟତାମୂଳକ କରାଯିବାକୁ ଦାବି କରୁଥିବା ଦେଖିବାକୁ ମିଳୁଥିଲା ।
ଆନ୍ତର୍ଜାତିକ ସ୍ତରରେ ସ୍ୱୀଡ଼େନ ପରିବେଶ କର୍ମୀ ଗ୍ରେଟା ଥମବର୍ଗଙ୍କ ସମତୁଲ ହେବ ପାଇଁ ଲିସିପ୍ରିୟାଙ୍କୁ ବାରମ୍ବାର ଭୁବନେଶ୍ୱରରୁ ଦିଲ୍ଲୀ ଯାଇ ବିଭିନ୍ନ ବିକ୍ଷୋଭ ଓ ପ୍ରଦର୍ଶନରେ ଭାଗ ନେବାକୁ ପଡୁଥିଲା । ୨୦୧୮ରେ ସ୍ୱୀଡ଼େନ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଯେମିତି ବାୟୁମଂଡଳରେ ଅଂଗାରକାମ୍ଳ ସ୍ତର କମ୍ କରାଯିବା ଦାବିରେ ସ୍କୁଲରୁ ବାହାରି ଯାଇ ସ୍ୱୀଡ଼େନ ପାର୍ଲାମେଂଟ ସମ୍ମୁଖରେ ବିକ୍ଷୋଭରେ ଭାଗ ନେଉ ଥିଲେ ସେହିଭଳି ଲିସିପ୍ରିୟାଙ୍କ ମଧ୍ୟ ଦିଲ୍ଲୀରେ ଉପସ୍ଥାପନ କରାଯାଉଥିଲା । ସେ ଭୁବନେଶ୍ୱରରେ ପାଠ ପଢୁଥିବା ବେଳେ ସପ୍ତାହକୁ ଅନ୍ତତଃ ଦୁଇ ଥର ସ୍କୁଲ ଛାଡି ଦିଲ୍ଲୀ ଧାଉଁ ଥିଲେ । ଗ୍ରେଟା ୧୫ ବର୍ଷ ବୟସରେ ଫ୍ରାଇଡେ କ୍ଲାସ୍ ଛାଡି ଘର ଠାରୁ କିଛି ଦୂରରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ଭାଗ ନେଉଥିବା ବେଳେ ଲିସିପ୍ରିୟା ମାତ୍ର ସାତ ବର୍ଷ ବୟସରେ ଭୁବନେଶ୍ୱରରୁ ୧୭୦୦ କିମି ଦୂର ଦିଲ୍ଲୀ ଯାଇ ପରିବେଶ ସଂପର୍କିତ ବିକ୍ଷୋଭରେ ଭାଗ ନେବା ଏବଂ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିବା ‘ବ୍ରାଂଡ୍ ମେକିଂ’ ଛଡା ଆଉ କିଛି ନଥିଲା ବୋଲି ଆଲୋଚନା ହେଉଛି । ଏହି ବ୍ରାଂଡ୍ ମେକିଂ ପଛରେ ଥିବା ଆଇୱାଇସିର ଅଧ୍ୟକ୍ଷ ହେଉଛନ୍ତି ତାଙ୍କ ପିତା କେକେ ସିଂହ ଓରଫ କଅଁରଜିତ୍ ସିଂହ କାଂଗୁଜାମ୍ ।
କେକେ ସିଂହଙ୍କ ସଂପର୍କରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ଯେ, ସେ ଜାଲିଆତି, ହିଂସାତ୍ମକ ଆକ୍ରମଣ ଏବଂ ବିଶ୍ୱାସ ଭଂଗ ଅଭିଯୋଗରେ ୨୦୧୬ରେ ମଣିପୁର ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ତେବେ, ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ମଣିପୁରରୁ ଫେରାର ହୋଇଯାଇଥିଲେ । ୨୦୧୪ ଜାନୁୟାରୀରେ ସେ ମଣିପୁର ରାଜଧାନୀ ଇଂଫାଲରେ ବିଶ୍ୱ ଯୁବ ସମ୍ମିଳନୀ ଆୟାଜନ କରି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ହୋଟେଲ ଶିଳ୍ପ, ବ୍ୟକ୍ତିବିଶେଷ ଏବଂ ମଣିପୁର ସରକାରଙ୍କୁ ଠକି ଥିବା ଅଭିଯୋଗ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ସେ ୧୯ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । କାଂଗଜୁମ୍ ନିଜକୁ ‘ୟୁନେସ୍କୋ ୟୁଥ୍ ଫାଉନ୍ଡେସନ୍’ର ନିର୍ଦେଶକ ଓ କାର୍ଯ୍ୟକାରୀ ମୁଖ୍ୟ ଦର୍ଶାଇ ରାଜ୍ୟ ସରକାର ଓ ବିଦେଶରୁ ଆସିଥିବା ପ୍ରତିନିଧିମାନଙ୍କୁ ଠକି ଥିଲେ ବୋଲି କୁହାଯାଉଛି । ଜାତିସଂଘ ପକ୍ଷରୁ ମଧ୍ୟ ଏଭଳି ଏକ ସଂସ୍ଥା ଥିବା ଅଗ୍ରାହ୍ୟ କରାଯାଇଛି । ଲିସିପ୍ରିୟାଙ୍କୁ ଅପର୍ଯ୍ୟାବରଣ କର୍ମୀ ଭାବେ ଯେତେସବୁ ଆନ୍ତର୍ଜାତିକ ପୁରସ୍କାର ଓ ସମ୍ମାନ ମିଳିଛି ସେସବୁ ତାଙ୍କ ପିତାଙ୍କ ଦ୍ୱାରା ପରିଚାଳିତ ଆଇୱାଇସି ଦ୍ୱାରା ପ୍ରୟୋଜିତ ଥିବା ଗଣମାଧ୍ୟମ ଖୋଳତାଡରୁ ଜଣାପଡିଛି ।
କାଂଗଜୁମ୍ ନିଜ କାର୍ରେ ଜାତିସଂଘ ପତାକା ଲଗାଇ ବୁଲୁ ଥିବା, କୋଟ୍ ରେ ଜାତିସଂଘ ବ୍ୟାଜ୍ ଲଗାଉ ଥିବା ଏବଂ ଜାଲି କାଗଜପତ୍ର ଓ ଦସ୍ତଖତରେ ଲୋକଙ୍କୁ ଠକୁ ଥିବା ନେଇ ୨୦୧୫ ମସିହାରେ ଜଣେ ମଣିପୁରୀ ସାମ୍ବାଦିକ ପଦାରେ ପକାଇ ଥିଲେ । ୨୦୧୬ରେ ସେ ମଣିପୁରରୁ ଫେରାର ହେବା ପରେ ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କ ଖୋଜଖବର ନଥିଲା । ୨୦୧୮ରେ ସେ ହଠାତ୍ ଆଇୱାଇସିର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବେ ଉଭା ହୋଇ ସମସ୍ତଙ୍କୁ ଚକିତ କରିଥିଲେ । ଭୁବନେଶ୍ୱରରେ ଏହି ସଂଗଠନର ଚେର ଥିବା ବେଳେ ଦିଲ୍ଲୀରେ ଶାଖା ପ୍ରଶାଖା ଥିଲା । ସେ ନିଜକୁ ମଲ୍ଟି -ହ୍ୟୁମାନିଟାରିଆନ୍ ଆୱାର୍ଡ ୱିନର୍ ଏବଂ ଜାତିସଂଘର ‘ୱାଲ୍ଡ ପ୍ରୋଗ୍ରୋମ୍ ଅଫ୍ ଆକ୍ସନ୍ ଫର୍ ୟୁଥସ୍’ର ମୁଖ୍ୟ ପୁରୋଧା ଦର୍ଶାଇ ବଡ଼ ବଡ଼ ଅଧିକାରୀ ଓ ରାଜନେତାଙ୍କ ସହ ବସାଉଠା କରୁଥିଲେ । ତେଣୁ, ତାଙ୍କ ବିରୋଧରେ ହେଉଥିବା ଜାଲିଆତି ଅଭିଯୋଗ ତାଙ୍କୁ ବା ଲିସିପ୍ରିୟାଙ୍କ ଇମେଜ୍ ବିଲ୍ଡିଂକୁ କୌଣସି ଭାବେ ପ୍ରଭାବିତ କରି ନଥିଲା । ସପ୍ତାହକ ତଳେ ସେ ଦିଲ୍ଲୀରୁ ଇଂଫାଲ୍ ପୁଲିସ ଦ୍ୱାରା ଗିରଫ ହୋଇ ମଣିପୁର ସ୍ଥାନାନ୍ତର ହେବା ପରେ କାଂଗଜୁମ୍ ଓ ଝିଅ ଲିସିପ୍ରିୟା ଚର୍ଚ୍ଚାକୁ ଆସିଛନ୍ତି । ବାପା ଗିରଫ ହେବା ପରେ ମଧ୍ୟ ଝିଅର ଇମେଜ ବିଲ୍ଡିଂ ନିଶା ଛାଡି ନ ଥିବା ମିଳିଥିବା ସଦ୍ୟ ସୂଚନାରୁ ଜଣାପଡିିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS