ଜୀତୀନ ପ୍ରସାଦଙ୍କ ଦଳତ୍ୟାଗ କଂଗ୍ରେସ ପାଇଁ ବଡ଼ ଚେତାବନୀ ?
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁନ ୧୦
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୀତୀନ ପ୍ରସାଦଙ୍କ ଦଳତ୍ୟାଗକୁ ନେଇ କଂଗ୍ରେସର ପ୍ରତିକ୍ରିୟା ଅସ୍ୱାଭାବିକ ଭାବେ ନିମ୍ନ ସ୍ତରର ଥିଲେ ମଧ୍ୟ ଦଳରେ ଥିବା ବିଦ୍ରୋହୀ ଗୋଷ୍ଠୀ ‘ଜି-୨୩’କୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି । ଉପଯୁକ୍ତ ନେତୃତ୍ୱ ଅଭାବରୁ ଦେଶର ଏହି ସର୍ବ ପୂରାତନ ରାଜନୈତିକ ଦଳ ଦୁର୍ବଳ ଅବସ୍ଥାରେ ପହଂଚି ଯାଇଥିବା ଦୃଷ୍ଟିରୁ ଦଳୀୟ ସଂଗଠନର ପୁନର୍ଗଠନ ହେବା ଆବଶ୍ୟକ ବୋଲି ‘ଜି-୨୩’ ଗୋଷ୍ଠୀ ଭାରତୀୟ ଜାତୀୟ କଂଗ୍ରେସ ଅନ୍ତଃରୀଣ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଚିଠି ମାଧ୍ୟମରେ ପରାମର୍ଶ ଦେଇ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ । ଦୀର୍ଘ ସମୟ ବିତି ଯାଇଥିଲେ ସୁଦ୍ଧା ‘ଜି-୨୩’ର ଏହି ପରାମର୍ଶ ଅଣଦେଖା ହୋଇ ରହିଛି । ଦଳର ଶୀର୍ଷ ନେତୃତ୍ୱ ଆଜି ମଧ୍ୟ ସଂଗଠନକୁ ସଜାଡିବା ପ୍ରୟାସରେ ନାହାନ୍ତି । ଦଳର ନେତା ଓ କର୍ମୀଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଫଳରେ ଉଭୟ ଜାତୀୟ ଓ ରାଜ୍ୟସ୍ତରରେ କଂଗ୍ରେସ ସଂଗଠନ ଦୁର୍ବଳରୁ ଦୁର୍ବଳତର ହୋଇ କ୍ଷମତା ଅଳିନ୍ଦରୁ ଧୀରେ ଧୀରେ ଅଦୃଶ୍ୟ ହୋଇଯାଉ ଥିବା ଦେଖିବାକୁ ମିଳୁଛି । ଫଳରେ, ଦଳରେ ଯେଉଁ ହତାଶା ଭାବ ସୃଷ୍ଟି ହୋଇଛି ତାହା ପ୍ରତିଫଳନ ହେଉଛି ଏକଦା ରାହୁଲଙ୍କ ଅତ୍ୟନ୍ତ ଘନିଷ୍ଟ ଥିବା ଜୀତୀନ ପ୍ରସାଦଙ୍କ ଦଳତ୍ୟାଗ ଓ ବିଜେପିରେ ଯୋଗଦାନ ।
ସାଧାରଣତଃ, ଜାତୀୟ ଓ ରାଜ୍ୟସ୍ତରରେ କଂଗ୍ରେସର ମଂଗ ଧରି ଥିବା ନେତାମାନେ ପ୍ରତି କଥାରେ ସୋନିଆ ଓ ରାହୁଲଙ୍କ ସବୁଜ ସଂକେତ ଅପେକ୍ଷାରେ ଥାଆନ୍ତି । ଆବଶ୍ୟକତା ସମୟରେ ସେମାନଙ୍କଠାରୁ ଦିଗ୍ଦର୍ଶନ ପାଇବା ଆଶା ରଖି ଥାଆନ୍ତି । ତେବେ, ନେତା ଓ କର୍ମୀଙ୍କ କଥା ଶୁଣିବାକୁ ବା ସମସ୍ୟାର ସମାଧାନ କରବାକୁ ସୋନିଆ ବା ରାହୁଲଙ୍କ ସମୟ ବା ଆଗ୍ରହ ନଥାଏ । ଅନେକ ସମୟରେ ସେମାନେ ଆଶାର ବିପରିତ ନିଷ୍ପତ୍ତି ମଧ୍ୟ ନେଇ ଥାଆନ୍ତି, ଯାହାକି ଅସହ୍ୟ ହେଲେ ମଧ୍ୟ ଦଳରେ କାର୍ଯ୍ୟକାରୀ ହୋଇଥାଏ । ସୋନିଆ ଓ ରାହୁଲ ଗାନ୍ଧୀଙ୍କ ଏଭଳି ସ୍ପର୍ଶକାତରହୀନ ରାଜନୀତି କଂଗ୍ରେସର ବହୁ ତୁଂଗ ନେତାଙ୍କୁ ଦଳ ଛାଡିବାକୁ ବାଧ୍ୟ କରିଛି । ଜୀତୀନ ପ୍ରସାଦ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଜୀତୀନ ପ୍ରସାଦ ରାହୁଲଙ୍କ ଅନ୍ତରଂଗ ସହଯୋଗୀ ଭାବେ କମ୍ ବୟସରେ ୟୁପିଏ -ଦୁଇ ସରକାରରେ ରାଷ୍ଟ୍ରମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ଜୀତୀନ ପ୍ରସାଦ କଂଗ୍ରେସ ଛାଡି ବିଜେପିକୁ ଯିବା ‘ବ୍ୟକ୍ତିଗତ ସ୍ୱାର୍ଥ ଜନିତ’ ବୋଲି ଦଳର ଶୀର୍ଷ ନେତୃତ୍ୱ ଆଡୁ ପ୍ରତିକ୍ରିୟା ପାଇ ଥିବା ବେଳେ ‘କର୍ମୀଙ୍କ ସମସ୍ୟା ପ୍ରତି ଧ୍ୟାନ ନଦେଲେ ଆଗାମୀ ଦିନରେ ତାଙ୍କ ଭଳି ଆହୁରି ଅନେକ ନେତା ଦଳ ଛାଡି ପାରନ୍ତି’ ବୋଲି ଦଳ ଛାଡିବା ମାଧ୍ୟମରେ ଜୀତୀନ ପ୍ରସାଦ କଂଗ୍ରେସ ନେତୃତ୍ୱକୁ ପରୋକ୍ଷ ବାର୍ତ୍ତା ଦେଇଛନ୍ତି ବୋଲି କଂଗ୍ରେସରେ ଥିବା ବିଦ୍ରୋହୀ ନେତାମାନେ ମନ୍ତବ୍ୟ ରଖିଛନ୍ତି ।
‘ଜି-୨୩’ ନେତାମାନେ ଏଭଳି ରୁକ୍ଷ ମନ୍ତବ୍ୟ ଦେବାର ଆଧାର ଭାବେ ମଧ୍ୟ ପ୍ରଦେଶର ପ୍ରଭାବଶାଳୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦଳତ୍ୟାଗ ଓ ବିଜେପିରେ ଯୋଗଦାନକୁ ବିଚାରକୁ ନିଆଯାଇପାରେ । ଜ୍ୟୋତିରାଦିତ୍ୟ ଥିଲେ କଂଗ୍ରସ ଯୁବରାଜ ରହୁଲଙ୍କ ଅତି ଘନିଷ୍ଟ । ଭାରତୀୟ ରାଜନୀତି, ବିଶେଷକରି ମଧ୍ୟ ପ୍ରଦେଶ ରାଜନୀତିରେ ଗୋଆଲିୟର ରାଜ ପରିବାରର ବିଶେଷ ପ୍ରଭାବ ରହିଛି । ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପଛରେ ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ, ନିର୍ବାଚନ ସରିବା ପରେ ରାଜ୍ୟରେ ସରକାର ଗଠନ ବେଳକୁ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରା ନଯାଇ ଦଳର ବରିଷ୍ଠ ନେତା କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦିଆଗଲା । ଏହା ଥିଲା କଂଗ୍ରେସ ଶୀର୍ଷ ନେତୃତ୍ୱର ଏକତରଫା ନିଷ୍ପତ୍ତି, ଯାହାକି ଜ୍ୟୋତିରାଦିତ୍ୟଙ୍କୁ କ୍ଷୁବ୍ଧ କରିଥିଲା । ସେ ରାହୁଲଙ୍କ ଆଡକୁ ଚାହିଁ ଥିଲେ । କିନ୍ତୁ, ରହୁଲ ମୁହଁ ମୋଡି ଦେଲେ । କମଳନାଥ ‘କଳା ଘୋଡ଼ା’ ସଦୃଶ ଉଭା ହୋଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଜ୍ୟୋତିରାଦିତ୍ୟ ଅଣ-ନିଶ୍ୱାସୀ ହୋଇ ଗତ ବର୍ଷ ନିଜ ସମର୍ଥକ ୩୨ କଂଗ୍ରେସ ବିଧାୟକଙ୍କ ସହ ବିଜେପିକୁ ଚାଲି ଗଲେ । ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରର ପତନ ଘଟିଲା ଏବଂ ଶାସନ ବିଜେପି ହାତକୁ ଚାଲି ଗଲା ।
ରାଜସ୍ଥାନରେ ମଧ୍ୟ ସେଭଳି ଏକ ଅବସ୍ଥା ଦେଖିବାକୁ ମିଳି ଥିଲା । ରାହୁଲଙ୍କ ଏକଦା ଘନିଷ୍ଟ ବନ୍ଧୁ ଥିବା ଏବଂ ୟୁପିଏ – ଦୁଇ ସରକାରରେ ପ୍ରଭାବୀ ମନ୍ତ୍ରୀ ପଦ ପାଇ ଥିବା ସଚିନ ପାଇଲଟ୍ ମଧ୍ୟ ପ୍ରଦେଶ ସହ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଆଣିବାରେ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟ କରିଥିଲେ । ଦଳ କ୍ଷମତା ଦଖଲ କରି ରାଜ୍ୟରେ ସରକାର ପ୍ରତିଷ୍ଠା କଲା ବେଳକୁ କଂଗ୍ରେସ ଶୀର୍ଷ ନେତୃତ୍ୱ ସଚିନଙ୍କୁ ଅଣଦେଖା କରି ବର୍ଷିୟାନ ନେତା ଅଶୋକ ଗେହେଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେ । ସଚିନ ବିଦ୍ରୋହ କରିଥିଲେ ମଧ୍ୟ ସୋନିଆ ବା ରାହୁଲ ଗାନ୍ଧୀ ସେଥିପ୍ରତି ଧ୍ୟାନ ଦେଇ ନଥିଲେ । ସଚିନଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଦିଆଗଲା ସତ, କିନ୍ତୁ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କ ମନମାନୀ ଚାଲିଲା । ଫଳରେ, ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସଂପର୍କ ଛାୟାଯୁଦ୍ଧରେ ବଦଳି ଗଲା । କଂଗ୍ରେସର ଶୀର୍ଷ ନେତୃତ୍ୱ ନୀରବଦ୍ରଷ୍ଟା ହୋଇ ରହିଲେ । ହଠାତ୍ ଦିନେ ସଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀ ଗେହେଲଟ୍ ଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି କଂଗ୍ରେସ ଶୀର୍ଷ ନେତୃତ୍ୱର ନିଦ ହଜାଇ ଦେଲେ । ଜ୍ୟୋତିରାଦିତ୍ୟଙ୍କ ଭଳି ସେ ମଧ୍ୟ ରାଜସ୍ଥାନ କଂଗ୍ରେସ ବିଧାୟକ ଦଳରେ ବିଭାଜନ କରି ଗେହେଲଟ୍ ସରକାରଙ୍କ ପତନ ଘଟାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ‘ଘୋଡା ବେପାର’ରେ ସିଦ୍ଧହସ୍ତ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କ ଆତ୍ମସମର୍ପଣ କଲେ ।
ମୁଖ୍ୟମନ୍ତ୍ରୀ ଗେହେଲଟ୍ ସଚିନଙ୍କ ସମର୍ଥନରେ ବିଦ୍ରୋହରେ ସାମିଲ ହୋଇଥିବା କଂଗ୍ରେସ ବିଧାୟକମାନଙ୍କୁ ପୁଣି ଥରେ ମନାଇ ନିଜ ଗୋଠକୁ ଫେରାଇ ଆଣିଲେ । ହାଇକମାଣ୍ଡଙ୍କ ହସ୍ତକ୍ଷେପରେ ଗେହେଲଟ୍ ଓ ସଚିନଙ୍କ ମଧ୍ୟରେ ସାଲିସ ହେଲା । ରାଜସ୍ଥାନରେ କଂଗ୍ରେସ ସରକାର ପତନରୁ ବର୍ତ୍ତି ଗଲା ସିନା ନିଆଁ କୁହୁଳି କୁହୁଳି ରହିଛି । ବିଦ୍ରୋହ ପରେ ସଚିନ ପାଇଲଟ୍ ଦଳର ରାଜ୍ୟ ସଭାପତି ପଦ ଓ ଉପ ମୁଖ୍ୟମନ୍ତ୍ରୀତ୍ୱ ହରାଇଛନ୍ତି । ଗେହେଲଟ୍-ସଚିନ ବୁଝାମଣା ସମୟରେ ଦଳର ଶୀର୍ଷ ନେତୃତ୍ୱ ସଚିନଙ୍କୁ ଯାହା କିଛି ପ୍ରତିଶ୍ରୁତି ଦେଇଥିଲେ ତାହା ଏଯାବତ୍ ଅପୂରଣୀୟ ରହିଛି । ଫଳରେ, ରାଜସ୍ଥାନରେ ଗେହେଲଟଙ୍କ ସରକାର ନିଆଁ ଝୁଲ ଉପରେ ଝୁଲୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସଚିନ କେତେବେଳେ କଂଗ୍ରେସ ଛାଡି ବିଜେପି ଆଡେ ମୁହାଁଇବେ, ତାହା କହି ହେବ ନାହିଁ । ଜୀତୀନ ପ୍ରସାଦ ମଧ୍ୟ ଏକା ଗୋଷ୍ଠୀର । ଜୀତୀନଙ୍କ ଦଳତ୍ୟାଗକୁ ଆଉ ଏକ ‘ହାଇ-ପ୍ରୋଫାଇଲ୍ ଦଳତ୍ୟାଗ’ ବୋଲି କୁହାଯାଉଛି ।
ଜୀତୀନ ପ୍ରସାଦ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ ଦିଲ୍ଲୀରେ ଆୟୋଜିତ ଏକ ଦଳୀୟ ସଭାରେ ତାଙ୍କୁ ଆନୁଷ୍ଠାନିକ ଭାବେ ସଭ୍ୟ-ଚିରୁକୁଟି ପ୍ରଦାନ କରି ବିଜେପିକୁ ସ୍ୱାଗତ କରିଛନ୍ତି । ଜୀତୀନ ପ୍ରସାଦ ମଧ୍ୟ କଂଗ୍ରେସରେ କିଭଳି ଅଣ ନିଶ୍ୱାସୀ ହୋଇ ରହିଥିଲେ ତାହା ଭାଷଣ ମାଧ୍ୟମରେ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପ୍ରତି ଆସ୍ଥାଭାବ ପ୍ରକଟ କରିଛନ୍ତି । ନୀତୀନ ପ୍ରସାଦଙ୍କ ପରେ କିଏ କଂଗ୍ରେସ ଛାଡିବ, ତାହା ସ୍ପଷ୍ଟ ନୁହେଁ । ତେବେ, ସମସ୍ତଙ୍କ ନଜର ରହିଛି କଂଗ୍ରେସରେ ଥିବା ‘ଜି-୨୩’ ଉପରେ । ପୂର୍ବତନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବ୍ବଲ, ଆନନ୍ଦ ଶର୍ମାଙ୍କ ସମେତ ଦଳର ବହୁ ପ୍ରମୁଖ ନେତା ଜି -୨୩ରେ ଅଛନ୍ତି । ଏହି ନେତାମାନେ ଗତ ବର୍ଷ ଏଆଇସିସି ଅନ୍ତଃରୀଣ ଅଧ୍ୟକ୍ଷା ସୋନିଆଙ୍କୁ ଚିଠି ଲେଖି ଦଳର ଦୁର୍ବଳ ସ୍ଥିତି ସଂପର୍କରେ ଚେତାଇ ଥିଲେ । ଳ୍କୁ ପୁନଃ ସଂଗଠିତ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ପରୋକ୍ଷରେ ସୋନିଆ ଓ ରାହୁଲଙ୍କ ନେତୃତ୍ୱ ପ୍ରତି ଚ୍ୟାଲେଂଜ ସୃଷ୍ଟି କରିଥିଲେ ।
ଦଳରେ ନିଷ୍ପତ୍ତି ନେବା ଅଧିକାର ଏକକ ନେତୃତ୍ୱ ହାତରେ ନ୍ୟସ୍ତ ନ ରହି ମିଳିତ ନିଷ୍ପତ୍ତିର ପରିବେଶ ସୃଷ୍ଟି କରାଯିବାକୁ ଏବଂ ଜନସାଧାରଣଙ୍କ ଦ୍ୱାରା ଗ୍ରହଣୀୟ ହେଉଥିବା ଜଣେ ପୂର୍ଣ୍ଣକାଳୀନ ସଭାପତି ଚୟନ କରାଯାଇ ଜାତୀୟ ଓ ରାଜ୍ୟସ୍ତରରେ ଦଳକୁ ପନଃ ସଂଗଠିତ କରାଯିବାକୁ ଏହି ଚିଠିରେ ପ୍ରସ୍ତାବ ଦିଆଯାଇଥିଲା । ଚିଠି ମିଳିବା ପରେ ଏଆଇସିସି ଅନ୍ତଃରୀଣ ସଭାପତି ଥିବା ସୋନିଆ ଗାନ୍ଧୀ ତାଙ୍କ ପଦରୁ ଇସ୍ତଫା ଦେଇ ନୂତନ ସଭାପତି ଚୟନ ପାଇଁ ରାସ୍ତା ସଫା କରିବାକୁ ଆଗେଇ ଆସିଥିଲେ । ତେବେ, ତାଙ୍କ ଅନୁଗତ ନେତାମାନେ ତାହା କରାଇ ନ ଦେଇ ସ୍ଥାୟୀ ସଭାପତି ଚୟନ ପର୍ଯ୍ୟନ୍ତ ସୋନିଆ ଅନ୍ତଃରୀଣ ସଭାପତି ରହିବେ ବୋଲି ଏଆଇସିସି କାର୍ଯ୍ୟକର୍ତ୍ତା ବୈଠକରେ ପ୍ରସ୍ତାବ ଗୃହୀତ କରାଇ ନେଲେ । ଏଯାବତ୍ ତାହା କାଏମ ରହିଛି । ସ୍ଥାୟୀ କଂଗ୍ରେସ ସଭାପତି ଚୟନ ହୋଇପାରୁ ନାହିଁ କି ସୋନିଆ, ରାହୁଲ କ୍ଷମତାର ଡୋର ଛାଡୁ ନାହାନ୍ତି । କଂଗ୍ରେସ ସଂଗଠନ ଦିନକୁ ଦିନ ରସା ତଳକୁ ଧସି ଯାଉଥିବା ସେମାନେ କ୍ଷମତାର ପାହାଡ ଉପରେ ବସି ନୀରୋଙ୍କ ଭଳି ବଂଶୀବାଦନରେ ମଜ୍ଜି ରହିଛନ୍ତି । ଏଭଳି ଅବସ୍ଥା ବେଶି ଦିନ ରହିଲେ ହଠାତ୍ କେଉଁ ଦିନ ସମୁଦାୟ କଂଗ୍ରେସ ଦଳ ଯେ ବିଜେପିରେ ଲୀନ ହୋଇଯିବ, ଜାଣି ହେବେ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS