ଟିଏମସିକୁ ଫେରିଲେ ମୁକୁଲ ରାୟ
ନୂଆଦିଲ୍ଲୀ
ଜୁନ ୧୧
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୀତୀନ ପ୍ରସାଦ ଦିନକ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ପରେ ଗେରୁଆ ଦଳରେ ଯେଉଁ ଆନନ୍ଦର ଲହରୀ ଖେଳି ଯାଇଥିଲା ସେଥିରେ ଆଜି ଭଟ୍ଟା ପଡିଛି । ୨୦୧୭ ନଭେମ୍ବରରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ମୁକୁଲ ରାୟ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ କୋଲକାତା ସ୍ଥିତ ‘ତୃଣମୂଳ ଭବନ’ରେ ପହଂଚି ଥିବାରୁ ସେ ବିଜେପି ଛାଡୁ ଥିବା ନେଇ କିଛି ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିବାକୁ ଯାଉଛି । ରାୟ ଥିଲେ ଟିଏମସିରୁ ବିଜେପିକୁ ଆମଦାନୀ ହୋଇଥିବା ପ୍ରଥମ ବିରୋଧୀ ନେତା । ବିଜେପି ତାଙ୍କୁ ଦଳର ଜାତୀୟ ଉପ ସଭାପତି ପଦରେ ବସାଇ ଥିଲା । ତେବେ, ୨୦୨୧ ବିଧାନସଭା ନିର୍ବାଚନ (ପଶ୍ଚିମ ବଂଗ )ର ଠିକ୍ ପୂର୍ବରୁ ବିଜେପିରେ ଯୋଗ ଦେଇ ନନ୍ଦିଗ୍ରାମ ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାଜିତ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ନେତୃତ୍ୱ ଅଧିକ ଗୁରୁତ୍ୱ ଦେଉଥିବାରୁ ଦଳର ବରିଷ୍ଠ ନେତା ମୁକୁଲ ରାୟ ଅସନ୍ତୁଷ୍ଟ ଥିଲେ । ଦଳ ଭିତରେ ସେ ଅଣନିଶ୍ୱାସୀ ହୋଇପଡୁ ଥିବା ରାୟ ଅଭିଯୋଗ କରୁଥିଲେ । ଆଜି ସେ ପୁଅ ଶୁଭ୍ରାଂସୁଙ୍କ ସହ କୋଲକାତା ସ୍ଥିତ ‘ତୃଣମୂଳ ଭବନ’ରେ ପହଂଚିବା ପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି)କୁ ଫେରୁ ଥିବା ସ୍ପଷ୍ଟ ହୋଇଛି । ଏକଦା ମୁକୁଳ ରାୟ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ଅତି ଘନିଷ୍ଟ ସହଯୋଗୀ ଥିଲେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରେ ଦଳରେ ଦ୍ୱତୀୟ ମୁଖ୍ୟ ଭାବେ ମାନ୍ୟତା ମିଳୁ ଥିଲା । ଟିଏମସିରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତିଆରା ବଢିବା ପରେ କ୍ଷୁବ୍ଧ ମୁକୁଲ ରାୟ ନଭେମ୍ବର, ୨୦୧୭ରେ ଟିଏମସି ଛାଡି ବିଜେପିକୁ ପଳାଇ ଥିଲେ । ୨୦୨୧ ବିଧାନସଭା ନିର୍ବାଚନରେ ପଶ୍ଚିମ ବଂଗରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସିକୁ ଉଲ୍ଲେଖନୀୟ ସଫଳତା ମିଳିବା ପରେ ଦଳ ଛାଡି ଥିବା ବହୁ ନେତା ଟିଏମସିକୁ ଫେରିବାକୁ ବ୍ୟଗ୍ରତା ଦେଖାଇଲେଣି । ମୁକୁଳ ରାୟ ସେମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଟିଏମସିକୁ ଫେରିବାକୁ ଆଗ୍ରହୀ ଥିବା ଖବର ଆସୁଥିଲା । ଆଜି ସେ କୋଲକାତା ଇଷ୍ଟର୍ଣ୍ଣ ମେଟ୍ରୋପଲିଟାନ୍ ବାଇପାସ୍ ରେ ଥିବା ‘ତୃଣମୂଳ ଭବନ’ରେ ପହଂଚି ଟିଏମସିକୁ ଫେରୁଥିବା ସ୍ପଷ୍ଟ କରିଛନ୍ତି । ରାୟ ‘ତୃଣମୂଳ ଭବନ’ରେ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଭେଟିବାକୁ ଅପେକ୍ଷାରେ ଥିବା ବେଳେ ଟିଏମସି ମମତା ମଧ୍ୟ କାଳୀଘାଟ ବାସଭବନରୁ ବାହାରି ସାରି ଥିବା ଅପରାହ୍ନରେ ଖବର ମିଳିଥିଲା । ଏହି ମୁଲାକାତ୍ ପାଇଁ ‘ତୃଣମୂଳ ଭବନ’ର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । କିଛି ଦିନ ହେଲା ରାୟ ବିଜେପିରୁ ଦୂରେଇ ରହୁଥିଲେ ଏବଂ ନିର୍ବାଚନ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା ପାଇଁ ବିଜେପି ନେତୃତ୍ୱ ପକ୍ଷରୁ ଜୁନ ୮ରେ ଅନୁଷ୍ଠିତ ବୈଠକରେ ମଧ୍ୟ ସେ ଅନୁପସ୍ଥିତ ଥିଲେ । ସେଥିରୁ ରାୟଙ୍କ ଘର ବାହୁଡାର ସ୍ପଷ୍ଟ ସୂଚନା ମିଳୁଥିଲା । ରାୟ ଆଜି ‘ତୃଣମୂଳ ଭବନ’ରେ ପହଂଚିବା ପରେ ୨୦୧୭ରେ ଦଳ ଛାଡିବା ପୂର୍ବରୁ ଯେଉଁ କୋଠରୀରେ ବସୁଥିଲେ ସେହି କୋଠରୀକୁ ଯାଇ ଦେଖିଥିଲେ । ବିଜେପିର କାର୍ଯ୍ୟଶୈଳୀ ଓ ସଂସ୍କୃତି ପଶ୍ଚିମ ବଂଗକୁ ସୁହାଇଲା ଭଳି ନୁହେଁ ବୋଲି ରାୟ ମନ୍ତବ୍ୟ ଦେଇଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ମୁକୁଳ ରାୟ ବିଜେପି ଛାଡୁ ଥିବା ଆଭାସ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ତାଙ୍କ ସହ ଟେଲିଫୋନରେ ଯୋଗଯୋଗ କରିଥିଲେ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ତାଙ୍କ ପତ୍ନୀଙ୍କ ଅବସ୍ଥା କେମିତି ଅଛି ପଚାଣି ବୁଝି ଥିଲେ । ଚିକିତ୍ସା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଉଲ୍ଲେଖନୀୟ ବିଷୟ ହେଉଛି, ରାୟଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଫୋନ୍ କରିବାର ଦିନକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ସଂପୃକ୍ତ ହସ୍ପିଟାଲରେ ପହଂଚି ରାୟଙ୍କ ପତ୍ନୀଙ୍କ ସ୍ୱସ୍ଥ୍ୟାବସ୍ଥା ବୁଝି ଥିଲେ । କେବଳ ରାୟ ନୁହନ୍ତି, ଆହୁରି ଅନେକ ନେତା ଟିଏମସିକୁ ଫେରିବା ଅପେକ୍ଷାରେ ଅଛନ୍ତି ବୋଲି ନିକଟରେ ଦଳର ନେତା ସୌଗତ ରାୟ ଗଣମାଧ୍ୟମକୁ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS