ମୁମ୍ବାଇରେ ପାୱାର-ପ୍ରଶାନ୍ତ ଭେଟ ୨୦୨୪ ରଣନୀତି ପ୍ରସ୍ତୁତି ପାଇଁ ନୁହେଁ ତ ?
ମୁମ୍ବାଇ
ଜୁନ ୧୧
୨୦୨୧ ବିଧାନସଭା ନିର୍ବାଚନରେ ପଶିମ ବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ଏବଂ ତାମିଲନାଡୁରେ ଡ଼ିଏମକେ ନେତା ଏମ.କେ.ଷ୍ଟାଲିନଙ୍କୁ ବିପୁଳ ବିଜୟ ଦେଇଥିବା ରଣନୀତିକାର ପ୍ରଶାନ୍ତ କିଶୋର ଭବିଷ୍ୟତରେ ଆଉ କାହାରି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତି କରିବେ ନାହିଁ ଏବଂ ଏହି କାର୍ଯ୍ୟରୁ ଦୂରେଇ ଯିବେ ବୋଲି ଗଣମାଧ୍ୟମ ସାକ୍ଷାତକାରରେ କହିଥିବା ବେଳେ ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟି ତାଙ୍କ ସହ ଦିବା ଭୋଜନ କରିଥିବା କଥା ପ୍ରଘଟ ହେବା ପରେ ୨୦୨୪ ନିର୍ବାଚନକୁ ନେଇ ନୂଆ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଥିବା ଆଲୋଚନା ଯୋର ଧରିଛି । ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ବିକଳ୍ପ ଭାବେ ନିର୍ବାଚନ ମଇଦାନରେ ଏକ ମିଳିତ ବିରୋଧୀ ଦଳକୁ ଠିଆ କରାଇବାର ରଣନୀତି ଚାଲିଛି । ଏହି ପରିପ୍ରେକ୍ଷୀରେ ପାୱାର- ପ୍ରଶାନ୍ତ କିଶୋର ଭେଟଘାଟକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ତେବେ, ପ୍ରଶାନ୍ତ କିଶୋରଙ୍କ ନିକଟତମ ମହଲ ଏଭଳି କିଛି ରଣନୀତି ପ୍ରସ୍ତୁତ ହେଉଥିବା କଥାକୁ ଅଗ୍ରାହ୍ୟ କରିଛନ୍ତି । ପଶ୍ଚିମ ବଂଗ ଓ ତାମିଲନାଡୁ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଡ଼ିଏମକେ ନେତା ଏମ.କେ.ଷ୍ଟାଲିନଙ୍କ ବିଜୟ ପାଇଁ ଯେଉଁ ଜାତୀୟସ୍ତର ନେତାମାନେ ଅକୁଣ୍ଠ ସମର୍ଥନ ଦେଇଥିଲେ ସେମାନଙ୍କୁ ସାଧୁବାଦ ଜଣାଇବା ପ୍ରଶାନ୍ତ କିଶୋରଙ୍କ ଏହି ଗସ୍ତର ଉଦେ୍ଦଶ୍ୟ ବୋଲି ସେମାନେ କହିଛନ୍ତି । ତେବେ, ରାଜନୈତିକ ମହଲ ଏହାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ ଭାବୁଛନ୍ତି, ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଜଣେ ମିଳିତ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ଉପସ୍ଥାପନ କରିବା ଦିଗରେ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଶାନ୍ତ କିଶୋର ଏହି କାର୍ଯ୍ୟରେ ବାହାରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ସକ୍ରୀୟ ରାଜନୀତିରେ ମଧ୍ୟ ଅଭିଜ୍ଞତା ରହିଛି । ସେ କିଛି ସମୟ ପାଇଁ ବିହାର ରାଜନୀତିରେ ସକ୍ରୀୟ ଥିଲେ ଏବଂ ଜେଡ଼ିୟୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ମଧ୍ୟ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ । ନୀତୀଶଙ୍କ ସହ ସଂପର୍କ ତୀକ୍ତ ହେବା ପରେ ସେ ଜେଡ଼ିୟୁ ଛାଡି ଥିଲେ । ପୁନର୍ବାର ସେ ରାଜନୀତିରେ ସକ୍ରୀୟ ହେବେ କି (?) ବୋଲି ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିବାରୁ ସେ ନିଜକୁ ଜଣେ ‘ବିଫଳ ରାଜନୀତିଜ୍ଞ’ ବୋଲି କହିଥିଲେ । ସେ ନିର୍ବାଚନ ରଣନୀତି ପ୍ରସ୍ତୁତିରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇ ଥିବା ମଧ୍ୟ ଗଣମାଧ୍ୟମକୁ କହିଥିଲେ । ତେବେ, ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ଏକ ପ୍ରତିକୂଳ ପରିସ୍ଥିତିରେ ଟିଏମସିକୁ ବିପୁଳ ବିଜୟ ଦେଇଥିବା ପ୍ରଶାନ୍ତ କିଶୋରଙ୍କୁ ଏତେଶୀଘ୍ର ନିର୍ବାଚନ ରଣନୀତି ପ୍ରସ୍ତୁତିରୁ ମୁକ୍ତି ମିଳିବା ଆଶା ଦିଶୁ ନାହିଁ । କାରଣ, ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ ଠିକଣା ଜବାବ ଦେବାକୁ ଦେଶର ସମସ୍ତ ବିରୋଧୀ ଦଳ ଏବଂ ଆଂଚଳିକ ଦଳକୁ ସଂଗଠିତ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାହୁଁଛନ୍ତି । ସେ ନିଜକୁ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖୁଛନ୍ତି କି (?) ବୋଲି ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କୋଲକାତାରେ ତାଙ୍କୁ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ ହୋଇଥିଲା । ମମତା ନିର୍ଲିପ୍ତ ଭାବେ ଉତ୍ତର ରଖିଥିଲେ ଉତ୍ତର ଥିଲା – ପ୍ରଥମେ ସେ କୋଭିଡ଼ ଲଢେଇ ଲଢିବାକୁ ଚାହୁଁଛନ୍ତି । ପରେ, ୨୦୨୪ ନିର୍ବାଚନ । ‘୨୦୨୪ ନିର୍ବାଚନରେ ଆମେ ବିଜେପିକୁ ମିଳିତ ଭାବେ ସାମ୍ନା କରିବୁ’ ବୋଲି ମମତାଙ୍କ ଉତ୍ତର ଦେଶର ବିରୋଧୀ ଏକତା ଆଡକୁ ଇଂଗିତ କରୁଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS