ପାଇଲଟଙ୍କୁ ମନାଇବା ଉଦ୍ୟମ ଚାଲିଛି, ଦାୟିତ୍ୱରେ ଅଛନ୍ତି ପ୍ରିୟଙ୍କା
ନୂଆଦିଲ୍ଲୀ
ଜୁନ ୧୨
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୀତୀନ ପ୍ରସାଦଙ୍କ ପରେ ଦଳର ଅନ୍ୟତମ ଅସନ୍ତୁଷ୍ଟ ନେତା ତଥା ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ କଂଗ୍ରେସ ଛାଡି ବିଜେପିକୁ ଚାଲି ଯାଇ ପାରନ୍ତି । ଏଭଳି କଳ୍ପନାଜଳ୍ପନା କଂଗ୍ରେସ ହାଇକମାଣ୍ଡଙ୍କୁ ଆତଙ୍କିତ କରିଛି । ଏଭଳି ସଂଭାବନାକୁ ନିଜେ ସଚିନ ପାଇଲଟ୍ ଅଗ୍ରାହ୍ୟ କରିଥିଲେ ମଧ୍ୟ କଂଗ୍ରେସ ହାଇକାମଣ୍ଡ୍ ତାଙ୍କୁ ଦିଲ୍ଲୀ ଡ଼କାଇ ମନାଇବାକୁ ଉଦ୍ୟମ କରୁଥିବା ପରିସ୍ଥିତିର ଗମ୍ଭୀରତାକୁ ସୂଚାଉଛି । ସଚିନଙ୍କୁ ମନାଇବା ଦାୟିତ୍ୱ ଦଳର ଜାତୀୟ ସାଧାରଣ ସଂପାଦିକା ପ୍ରିୟଂକା ଗାନ୍ଧୀ ଭଦ୍ରାଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଜଣାପଡିଛି । ରାଜସ୍ଥାନ ବିଧାନସଭା ନିର୍ବାଚନ ପରଠାରୁ ସେଠାରେ କ୍ଷମତାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲଟ୍ ଓ ଯୁବ ନେତା ସଚିନ ପାଇଲଟ୍ ଙ୍କ ମଧ୍ୟରେ ଛାୟାଯୁଦ୍ଧ ଚାଲିଛି । ସଚିନ ରାଜସ୍ଥାନରେ କଂଗ୍ରେସକୁ କ୍ଷମତାକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେଣୁ, ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ଆଶା ରଖି ଥିଲେ । ତେବେ, କଂଗ୍ରେସ ହାଇକମାଣ୍ଡ୍ ଦଳ କ୍ଷମତାକୁ ଆସିବା ପରେ ସଚିନଙ୍କୁ ଉପେକ୍ଷା କରି ଦଳର ‘ପୁରୁଣା ଘୋଡ଼ା’ ଅଶୋକ ଗେହୋଲଟ୍ ଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ । କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ଅତି ଘନିଷ୍ଟ ସହଯୋଗୀ ହୋଇ ମଧ୍ୟ ସଚିନ ମୁଖ୍ୟମନ୍ତ୍ରୀ ଚୟନ ବେଳେ ତାଙ୍କଠାରୁ କୌଣସି ପ୍ରକାର ସହଯୋଗ, ସମର୍ଥନ ନ ପାଇବାରୁ ଅସନ୍ତୁଷ୍ଟ ରହି ଥିଲେ । ତେବେ, ତାଙ୍କୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କରାଯାଇ ସନ୍ତୁଷ୍ଟ କରିବାକୁ ଦଳ ପଦକ୍ଷେପ ନେଇ ଥିଲା । ଏହାସତ୍ତ୍ୱେ ଅସନ୍ତୋଷର ନିଆଁରେ ଜଳୁ ଥିବା ପାଇଲଟ୍ ତାଙ୍କୁ ମୁଖ୍ୟମନ୍ତ୍ରୀ ସବୁ କ୍ଷେତ୍ରରେ ଅଣଦେଖା କରୁଥିବା ଅଭିଯୋଗ କରି ଗେହୋଲଟ୍ ଙ୍କ ବିରୋଧରେ ବିଦ୍ରୋହର ସୂତ୍ରପାତ କରିଥିଲେ । ଠିକ୍ ସେହି ସମୟରେ ମଧ୍ୟ ପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ବିରୋଧରେ ବିଦ୍ରୋହ ହୋଇଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ ଥିବା ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ହାଇକମାଣ୍ଡଙ୍କ ଦ୍ୱାରା ଉପେକ୍ଷିତ ହେବା ପରେ କମଲନାଥ ସରକାରଙ୍କ ବିରୋଧରେ ବିଦ୍ରୋହ କରି ନିଜ ସମର୍ଥକ କଂଗ୍ରେସ ବିଧାୟକଙ୍କ ସହ ବିଜେପିରେ ଯୋଗ ଦେଇଥିଲେ । ଫଳରେ, ମଧ୍ୟ ପ୍ରଦେଶରେ କମଲନାଥ ସରକାରଙ୍କ ପତନ ଘଟି ଥିଲା ଏବଂ ବିଜେପି କ୍ଷମତାକୁ ଫେରିଥିଲା । ରାଜସ୍ଥାନରେ ମଧ୍ୟ ସେଭଳି ଏକ ଷଡଯନ୍ତ୍ର ହୋଇଥିଲା । କିନ୍ତୁ, ସଚିନଙ୍କ ସମର୍ଥନରେ ବିଦ୍ରୋହରେ ଭାଗ ନେଇ ଥିବା ବିଧାୟକମାନେ ଦିଲ୍ଲୀରେ ଡ଼େରା ପକାଇ ମଧ୍ୟ କଂଗ୍ରେସ ହାଇକମାଣ୍ଡଙ୍କ ଅନୁକଂପା ନ ପାଇବାରୁ ମୁଖ୍ୟମନ୍ତ୍ରୀ ଗେହୋଲଟ୍ ଙ୍କ ଶିବିରକୁ ଫେରିବା ଆରମ୍ଭ କରିଥିଲେ । ଅବଶ୍ୟ ପରେ, କଂଗ୍ରେସ ମୁଖ୍ୟ ପାଇଲଟ୍ ଙ୍କୁ ଦେଖା ଦେଇ ଗେହୋଲଟଙ୍କ ସହ ବୁଝାମଣା କରାଇଥିଲେ । ରାଜସ୍ଥାନରେ କଂଗ୍ରେସ ସରକାର ଭାଂଗିବା ପାଇଁ ହୋଇଥିବା ଷଡଯନ୍ତ୍ର ଫେଲ୍ ମାରିଥିଲା । ତେବେ, ଏହି ବିଦ୍ରୋହ ପାଇଁ ସଚିନଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଛି । କେନ୍ଦ୍ରୀୟ ନେତୃତ୍ୱ ପାଇଲଟ୍ ଓ ଗେହୋଲଟ୍ ଙ୍କ ମଧ୍ୟରେ ଯେଉଁ ବୁଝାମଣା କରିଥିଲେ ତାହାର କାର୍ଯ୍ୟକାରିତାକୁ ପାଇଲଟ୍ ଅପେକ୍ଷା କରିବାର ଦୀର୍ଘ ଦିନ ବିତି ଗଲାଣି । କିନ୍ତୁ, ମୁଖ୍ୟମନ୍ତ୍ରୀ ଗେହୋଲଟ୍ ତାଙ୍କ କ୍ୟାବିନେଟ୍ ର ସଂପ୍ରସାରଣ କରୁ ନାହାନ୍ତି । ବିଭିନ୍ନ ପଦପଦବୀରେ ନିଯୁକ୍ତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଟାଳି ଚାଲିଛନ୍ତି । ଫଳରେ, ସଚିନ ଓ ତାଙ୍କ ସମର୍ଥକ ବିଧାୟକମାନେ କ୍ଷୁବ୍ଧ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୀତୀନ କୁମାର ଦୁଇ ଦିନ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ପରେ ଅସନ୍ତୁଷ୍ଟ ସଚିନଙ୍କୁ ନେଇ ଗଣମାଧ୍ୟମରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ସଚିନଙ୍କ ବିଜେପିରେ ଯୋଗ ଦେବା ନେଇ ବିଜେପି ନେତ୍ରୀ ରିତା ବହୁଗୁଣା ଯୋଶୀ ତାଙ୍କ ସହ ଆଲୋଚନା କରିଛନ୍ତି ବୋଲି ଖବର ପ୍ରସାରିତ ହେବା ପରେ ସଚିନ ରାଜସ୍ଥାନରେ ଗଣମାଧ୍ୟମ ନିକଟରେ ତାହାକୁ ଅସ୍ୱୀକାର କରିଛନ୍ତି । ସେ ମଧ୍ୟ ତାହା ଶୁଣୁଛନ୍ତି, ତେବେ ରିତା ବହୁଗୁଣା ଯୋଶୀ ତାଙ୍କ ସହ ନୁହେଁ, ବରଂ ସଚିନ ତେନ୍ଦୁଲକରଙ୍କ ସହ ଆଲୋଚନା କରିଥାଇ ପାରନ୍ତି ବୋଲି ସଚିନ କହିଛନ୍ତି । ଏହାର କିଛି ଘଂଟା ପରେ ସଚିନ ହାଇକମାଣ୍ଡଙ୍କ ଡ଼କରା ପାଇ ଶୁକ୍ରବାର ରାତିରେ ଦିଲ୍ଲୀରେ ପହଂଚିଛନ୍ତି । ଦଳର ରାଜସ୍ଥାନ ଶାଖାରେ ଯେଉଁ ଅଶାନ୍ତି ଲାଗି ରହିଛି ତାହା ଦୂର କରିବା ଦିଗରେ ଦଳ କାର୍ଯ୍ୟ କରୁଛି ବୋଲି ଏଆଇସିସିର ଜଣେ ବରିଷ୍ଟ ନେତା କହିଛନ୍ତି । ସେ ସଚିନଙ୍କ ସହ ଯୋଗଯୋଗରେ ଥିବା ବେଳେ ପରିସ୍ଥିତି ଯେପରି ନିୟନ୍ତ୍ରଣ ବାହାରକୁ ନ ଯାଏ ସେ ଦିଗରେ ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କାର୍ଯ୍ୟ କରୁଥିବା ସୂଚନା ମିଳିଛି । ରାଜସ୍ଥାନ ସମସ୍ୟାର ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନ ପାଇଁ ଦଳ କାର୍ଯ୍ୟ ଚାଲିଛି । ‘ସବୁ ପକ୍ଷ ସନ୍ତୁଷ୍ଟ ହେବା ଭଳି ପଦକ୍ଷେପ ନେବାକୁ ଆମେ ଚାହୁଁଛି’ ବୋଲି ରାଜସ୍ଥାନ ଦାୟିତ୍ୱରେ ଥିବା ଏଆଇସିସ ସାଧାରଣ ସଂପାଦକ ଅଜୟ ମାକନ ଆଜି ଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS