ଚୋକସୀଙ୍କ ଅଡୁଆ ବଢୁଛି
ନୂଆଦିଲ୍ଲୀ
ଜୁନ ୧୨
୧୩ ହଜାର ୫୦୦ କୋଟି ଟଙ୍କାର ପିଏନବି (ପଂଜାବ ନ୍ୟାସନାଲ ବ୍ୟାଙ୍କ) ଋଣ ଜାଲିଆତିରେ ଛନ୍ଦି ହୋଇ ୨୦୧୮ ଜାନୁୟାରୀରୁ ଦେଶରୁ ଫେରାର ଥିବା ଭାରତୀୟ ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କ ଅଡୁଆ ବଢିବାରେ ଲାଗିଛି । ଭାରତରୁ ଫେରାର ହେବା ପରେ ସେ କାରବୀୟ ରାଷ୍ଟ୍ର ଆଂଟିଗୁଆରେ ଥିଲେ । ତାଙ୍କୁ ଭାରତ ପ୍ରତ୍ୟାର୍ପଣ କରାଇବା ସକାଶେ ଭାରତ ସରକାରଙ୍କ ଆଡୁ ଉଦ୍ୟମ ଯୋରଦାର ହୋଇଥିବା ବେଳେ ଚୋକସୀ ମେ’ ୨୩ ତାରିଖ ଦିନ ହଠାତ୍ ଆଂଟିଗୁଆରୁ ନିଖୋଜ ହେଲେ । ୨୫ ତାରିଖ ଦିନ ନାଟକୀୟ ପରିସ୍ଥିତିରେ ଡ଼ୋମିନିକା ପୁଲିସ ବେଆଇନ ଅନୁପ୍ରବେଶ ଅଭିଯୋଗରେ ତାଙ୍କୁ ଗିରଫ କରି ଆଂଟିଗୁଆ ସରକାରଙ୍କୁ ଜଣାଇଲେ । ଡ଼ୋମିନିକା ପୁଲିସ ଚୋକସୀଙ୍କ ବିରୋଧରେ ବେଆଇନ ଅନୁପ୍ରବେଶ ମାମଲା କରିଥିବାରୁ ସେଠାରେ ତାଙ୍କ ବିଚାରଣା ହେବ । ସେ ସ୍ୱଇଚ୍ଛାରେ ଡ଼ୋମିନିକାରେ ପ୍ରବେଶ କରି ନଥିଲେ, ତାଙ୍କୁ ଅପହରଣ କରାଯାଇ ଡ଼ୋମିନିକା ଅଣା ଯାଇଛି ବୋଲି ଚୋକସୀ ଡ଼ୋମିନିକା ଅଦାଲତରେ ଅଭିଯୋଗ କରିବା ପରେ ଘଟଣା ରହସ୍ୟମୟ ଓ ରୋଚକ ହୋଇଛି । ସେ ଆଂଟିଗୁଆର ନାଗରିକ ହୋଇଥିବାରୁ ତାଙ୍କୁ ଆଂଟିଗୁଆ ପ୍ରତ୍ୟାର୍ପଣ କରାଯାଉ ବୋଲି ମଧ୍ୟ ଚେକସୀଙ୍କ ଡ଼ୋମିନିକା ହାଇକୋର୍ଟରେ ହେଭିଅସ୍ କର୍ପସ ପିଟିସନ ଦାଖଲ କରିଛନ୍ତି । ଚୋକସୀଙ୍କ ଜାମିନ ଆବେଦନ ଉପରେ ଡ଼ୋମିନିକା ହାଇକୋର୍ଟରେ ଶୁକ୍ରବାର ଦିନ ଶୁଣାଣୀ ଥିଲା । ତେବେ, ଗୁରୁବାର ଦିନ ଭାରତ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦୁଇଟି ପିଟିସନ୍ ଦାଖଲ କରାଯାଇଛି । ଚୋକସୀ ଏଯାବତ୍ ଭାରତୀୟ ନାଗରିକ ଥିବା ଏବଂ ୧୩,୫୦୦ କୋଟି ଟଙ୍କାର ପିଏନବି ଋଣ ଜାଲିଆତି ଘଟଣାରେ ତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇ ଥିବାରୁ ତଦନ୍ତକୁ ଆଗେଇ ନେବା ସକାଶେ ତାଙ୍କୁ ଭାରତ ପ୍ରତ୍ୟାର୍ପଣ କରାଯିବା ଜରୁରୀ ବୋଲି ଏହି ଦୁଇ ପିଟିସନ ମାଧ୍ୟମରେ ଭାରତ ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି । ଶୁକ୍ରବାର ଦିନ ଡ଼ୋମିନିକା ହାଇକୋର୍ଟର ବିଚାରପତି ୱନାଂଟେ ଆଡରିନ-ରବର୍ଟସ୍ ଚୋକସୀଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ବେଳେ ଭାରତ ସରକାରଙ୍କ ଦ୍ୱାରା ଉପସ୍ଥାପନ ହୋଇଥିବା ଦଲିଲକୁ ଅନୁଧ୍ୟାନ କରିଥିଲେ । ଏହାସହ ଚେକସୀଙ୍କ ଓକିଲ ଓ ଡ଼ୋମିନିକା ସରକାରଙ୍କ ଓକିଲଙ୍କ ଯୁକ୍ତି ଶୁଣିଥିଲେ । ପରେ, ସେ ଚୋକସୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ବୋଲି ଆଂଟିଗୁଆର ଗଣମାଧ୍ୟମ ‘ଆଂଟିଗୁଆ ନ୍ୟୁଜରୁମ୍’କୁ ଉଦ୍ଧାର କରି ଭାରତୀୟ ଗଣମାଧ୍ୟମ ଖବର ପରିବେଷଣ କରିଛନ୍ତି । ବିଚାରପତି କହିଛନ୍ତି, ଚୋକସୀଙ୍କ ବିରୋଧରେ ଆସି ଥିବା ଅଭିଯୋଗର ଏପର୍ଯ୍ୟନ୍ତ ବିଚାରଣା ଆରମ୍ଭ ହୋଇ ନାହିଁ । ଏହି ମନ୍ତବ୍ୟ ଚେକସୀଙ୍କ ଭାରତ ପ୍ରତ୍ୟାର୍ପଣକୁ ବିଳମ୍ବିତ କରିବ ବୋଲି ଅନୁମାନ କରାଯାଉଛି । ତେବେ, ଚୋକସୀଙ୍କ ପାଇଁ ତାହା ଏକମାତ୍ର ଆଶ୍ୱାସନା ହୋଇଛି । ଭାରତରେ ପିଏନବି ଋଣ ଜାଲିଆତି ମାମଲାର ତଦନ୍ତ କରୁଥିବା ସିବିଆଇ ଡ଼ିଆଇଜି ସାରଦା ରାଉତ ଏବଂ କମନୱେଲ୍ଥ ଅଫ୍ ଡ଼ୋମିନିକାରେ ଥିବା ଭାରତୀୟ ହାଇକମିସନ୍ ର କନ୍ସୁଲାର ଅଫିସର ଆଜାଦ ସିଂହ ଗୁରୁବାର ଦିନ ଡ଼ୋମିନିକା ହାଇକୋର୍ଟରେ ଦେଶ ପକ୍ଷରୁ ଏହି ଦୁଇଟି ପିଟିସନ୍ ଦାଖଲ କରିଛନ୍ତି । ଚୋକସୀ ଭାରତରେ ଆପରାଧୀକ ଷଡଯନ୍ତ୍ର, ଜାଲିଆତି ଓ ମନି ଲଣ୍ଡରିଂ ଭଳି ଗୁରୁତର ମାମଲାରେ ସଂପୃକ୍ତ । ସେ ଭାରତୀୟ ନାଗରିକତ୍ୱ ସମର୍ପଣ (ସରେଣ୍ଡର୍) କରି ସାରିଛନ୍ତି ବୋଲି ଦାବି କରିଥିଲେ ମଧ୍ୟ ତାହା ଭାରତ ସରକାର ଗ୍ରହଣ କରି ନାହାନ୍ତି । ଚେକସୀ ଭାରତୀୟ ନଗରିକ ଥିବା ସମୟରେ ହିଁ ପିଏନବି ଋଣ ଜାଲିଆତି ସହ ସାମିଲ ଥିଲେ ବୋଲି କେନ୍ଦ୍ର ସରକାର ଡ଼ୋମିନିକା ହାଇକୋର୍ଟରେ ପକ୍ଷ ରଖି ଥିବା ଜଣାପଡିଛି । ମହତ୍ୱପୂର୍ଣ୍ଣ କଥା ହେଉଛି, ମେ’ ୨୩ ତାରିଖ ଦିନ ବୁଲଗେରୀୟାର ଜଣେ ମହିଳା ବାରବାର ଜାରାବିକା ଦୁଇ ଜଣ ଭାରତୀୟଙ୍କ ସହ ମିଶି ତାଙ୍କୁ ଆଂଟିଗୁଆରୁ ଅପହରଣ କରି ଡ଼ୋମିନିକାରେ ପହଂଚାଇ ଥିଲେ ବୋଲି ଚୋକସୀ ଡ଼ୋମିନିକା ଅଦାଲତରେ ଅଭିଯୋଗ କରିବା ସହ ଏହା ପଛରେ ଭାରତୀୟ ଏଜେନ୍ସୀଙ୍କ ହାତ ଥିବା ଅଭିଯୋଗ କରିଥିଲେ । ତେବେ, ଗୁଲଗେରିଆର ବାରବାରା ଜାରାବିକା ନିକଟରେ ଦିଲ୍ଲୀରେ ବୈଦ୍ୟୁତିକ ଗଣମାଧ୍ୟମକୁ ବିବୃତି ଦେଇ ସେ କୌଣସି ଭାରତୀୟ ଏଜେନ୍ସୀଙ୍କ ସହ ସଂପୃକ୍ତ ନୁହନ୍ତି ବା ଚୋକସୀ ଅପହରଣ ଘଟଣା ସହ ତାଙ୍କର କିଛି ସଂପର୍କ ନାହିଁ ବୋଲି ଦେଇଥିବା ବିବୃତି ସଂପୂର୍ଣ୍ଣ ଘଟଣାକୁ ଅଧିକ ରହସ୍ୟମୟ କରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS