ବିହାରରେ ପ୍ରତିଶୋଧ ରାଜନୀତି, ସଭାପତି ପଦରୁ ବହିଷ୍କୃତ ହେଲେ ଚିରାଗ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁନ ୧୫
୨୦୨୦ ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁ)କୁ ଗମ୍ଭୀର ଚୋଟ ପହଂଚାଇ ଥିବା ଏଲଜେପି (ଲୋକ ଜନଶକ୍ତି ପାର୍ଟି) ମୁଖ୍ୟ ଚିରାଗ ପାଶ୍ୱାନଙ୍କୁ ବହୁମୂଲ୍ୟ ଦେବାକୁ ପଡିଛି । ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିରେ ଆଜି ତାଙ୍କୁ ଏଲଜେପି ସଭାପତି ପଦରୁ ବହିଷ୍କାର କରାଯିବା ସହ ସୁରଜ ଭାନଙ୍କୁ ନୂତନ କାର୍ଯ୍ୟକାରୀ ସଭାପତି ଓ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ୫ ଦିନ ମଧ୍ୟରେ ଦଳର ଜାତୀୟ କାର୍ଯ୍ୟକାରୀଣୀ ବୈଠକ ଡାକି ନୂଆ ସଭାପତି ନିର୍ବାଚନ କରାଇବାକୁ ସୁରଜ ଭାନଙ୍କୁ ଦଳ ନିର୍ଦେଶ ଦେଇଥିବା ଆଜି ଏଲଜେପିର ବିଦ୍ରୋହୀ ଗୋଷ୍ଠୀ ସୂତ୍ରରୁ ସୂଚନା ମିଳିଛି ।
୩୮ ବର୍ଷ ବୟସ୍କ ଚିରାଗ ପାଶ୍ୱାନ ତାଙ୍କ ବାପା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳର ଜାତୀୟ ସଭାପତି, ସଂସଦୀୟ ଦଳର ନେତା ଏବଂ ପାର୍ଲାମେଂଟାରୀ ବୋର୍ଡ ଅଧ୍ୟକ୍ଷ ଥିଲେ । ଦଳ ଭିତରେ ତାଙ୍କର ମୁନମୁଖୀ କାର୍ଯ୍ୟକଳାପକୁ ନେଇ ତୀବ୍ର ଅସନ୍ତୋଷ ଥିଲା । ଦାଦା ପଶୁପତି କୁମାର ପାରସ ରାତାରାତି ତାଙ୍କୁ ଏଲଜେପି ମୁଖ୍ୟ ପଦରୁ ହଟାଇ ନିଜ ହାତକୁ ଦଳର ଦାୟିତ୍ୱ ନେଇଛନ୍ତି । ମା’ ରୀନା ପାଶ୍ୱାନଙ୍କୁ ଏଲଜେପି ସଭାପତି କରାଯାଉ ବୋଲି ପ୍ରସ୍ତାବ ସହ ଚିରାଗ ଦାଦା ପଶୁପତିଙ୍କୁ ଭେଟିବାକୁ ଆଜି ପଶୁପତିଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲେ ମଧ୍ୟ ଭେଟ ପାଇ ନଥିଲେ । ଦାଦାଙ୍କ ବାସଭବନରେ ତାଙ୍କୁ ଭବ୍ୟ ସ୍ୱାଗତ ମିଳିବା ଦୂରେ ଥାଉ, ଦୁଇ ଘଂଟା କାଳ ବାହାରେ ବସାଇ ରଖାଯିବା ପରେ ପଶୁପତି ଘରେ ନାହାନ୍ତି ବୋଲି ତାଙ୍କୁ ଜଣାଇ ଦିଆଯାଇଥିଲା । ଚିରାଗଙ୍କ ଏଭଳି ଦୁର୍ଯୋଗ ପଛରେ ବିହାର ମୁଖ୍ୟମନ୍ତ୍ରୀଙ୍କ ପ୍ରଚ୍ଛନ୍ନ ଷଡଯନ୍ତ୍ର ଥିବା ତାଙ୍କ ସମର୍ଥକ ଅନୁମାନ କରୁଛନ୍ତି ।
ଲୋକସଭାରେ ଚିରାଗଙ୍କୁ ମିଶାଇ ଏଲଜେପିର ମୋଟ ୬ ଜଣ ସାଂସଦ ଅଛନ୍ତି । ସେଥିରୁ ୫ ଜଣ ପଶୁପତିଙ୍କୁ ଦଳର ସଭାପତି ଭାବେ ଗ୍ରହଣ କରି ସଂସଦରେ ଚିରାଗଙ୍କ ସ୍ଥାନରେ ତାଙ୍କୁ ଏଲଜେପି ମୁଖ୍ୟ ଭାବେ ସ୍ୱୀକୃତି ଦିଆଯିବାକୁ ପ୍ରସ୍ତାବ ରଖିଛନ୍ତି । ପିତା ରାମ ବିଳାଶ ପାଶ୍ୱାନ ମୃତ୍ୟୁ ପୂର୍ବରୁ ଚିରାଗଙ୍କ ଆତରେ ଦଳର ନେତୃତ୍ୱ ସମର୍ପି ତାଙ୍କ ଏଲଜେପିର ଜାତୀୟ ସଭାପତି ଘୋଷଣା କରିଥିଲେ । ଦଳର ନେତୃତ୍ୱ ହାତକୁ ଆସିବା ପରେ ଚିରାଗଙ୍କ ମନମୁଖୀ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସେ ନିଜ ମନ ମୁତାବକ ଦଳକୁ ଚଳାଇବାକୁ ଚାହିଁ ଥିଲେ । ୨୦୨୦ ଅକ୍ଟୋବର-ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହୋଇଥିଲା । ଠିକ୍ ନିର୍ବାଚନ ପୂର୍ବରୁ ରାମ ବିଳାଶ ପାଶ୍ୱାନଙ୍କ ଦେହାନ୍ତ ଘଟିବାରୁ ଚିରାଗ ଦିଗହରା ହୋଇ ଗୋଟିଚାଳନା କରିଥିଲେ । ସେ ଏନଡ଼ିଏ ସହ ଅଛନ୍ତି, ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଅତୁଟ ରହିବ । ତେବେ, ଏନଡ଼ିଏର ଅନ୍ୟତମ ଅଂଶୀଦାର ଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାଙ୍କ ଦଳ ‘ଜେଡ଼ିୟୁ’କୁ ଏଲଜେପି ବିରୋଧ କରିବ ବୋଲି ଚିରାଗ ସ୍ପଷ୍ଟ କରି ଦେଇ ଥିଲେ ।
ଚିରାଗଙ୍କ ଏହି ନିଷ୍ପତ୍ତି ଦ୍ୱାରା ବିହାର ବିଧାନସଭା ନିର୍ବାଚନରେ ବିଜେପିର କିଛି କ୍ଷତି ହେବାର ନ ଥିଲା । ବରଂ, ଜେଡିୟୁର ପକ୍ଷ ଛେଦନ ହେଲେ ଦଳ ବିହାର ନିର୍ବାଚନରେ ଲାଭବାନ ହେବ, ଏକଥା ବିଜେପି ନେତୃତ୍ୱ ଜାଣି ଥିଲେ । ତେଣୁ, ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ଗୃହ ମନ୍ତ୍ରୀ ଶାହା ନିର୍ବାଚନ ସମୟରେ ଏନଡ଼ିଏର ଏହି ଦୁଇ ଅଂଶୀଦାର ଦଳଙ୍କ ମଧ୍ୟରେ ବିବାଦ ତୁଟାଇବାର ଉପକ୍ରମ କରି ନଥିଲେ । ବିହାରରେ ଚିରାଗଙ୍କ ଭତ୍ତିଭୂମି ସୁଦୃଢ ନଥିଲେ ମଧ୍ୟ ସେ ନିର୍ବାଚନ ହୋଇଥିବା ୨୪୩ (୨୪୫ରୁ) ବିଧାନସଭା ଆସନରେ ଜେଡ଼ିୟୁ ପ୍ରାର୍ଥୀଙ୍କ ବିରୋଧରେ ନିଜର ପ୍ରାର୍ଥୀ ଦେଇଥିଲେ । ତେବେ, ଚିରାଗଙ୍କ ଏଲଜେପି ମାତ୍ର ଗୋଟିଏ ବିଧାନସଭା ଆସନରେ ବିଜୟୀ ହେଲା । କିନ୍ତୁ, ଏହି ରଣନୀତିରୁ ଫାଇଦା ପାଇଲା ବିଜେପି ଏବଂ ପ୍ରଥମ ଥର ପାଇଁ ବିହାର ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ନୀତୀଶ କୁମାରଙ୍କ ଦୀର୍ଷ ବର୍ଷ ଧରି ରହି ଆସି ଥିବା ପ୍ରଭୁତ୍ୱକୁ କ୍ଷଣକରେ ଧୂଳିସାତ କରି ଦେଲା । ୨୦୨୦ ବିଧାନସଭା ନିର୍ବାଚନରେ ଜେଡ଼ିୟୁ କମ୍ ସଂଖ୍ୟକ ଆସନରେ ନିର୍ବାଚିତ ହୋଇ ବିଜେପି ପଛକୁ ରହିଛି । ତେବେ, ଏନଡ଼ିଏକୁ ସଂଖ୍ୟାଗରିଷ୍ଠତା ମିଳି ଥିବାରୁ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇ ମଧ୍ୟ ନିର୍ବାଚନ ପୂର୍ବ ବୁଝାମଣା ଭିତ୍ତିରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ନୀତୀଶ କୁମାରଙ୍କ ହାତରେ ସମର୍ପି ଦେଇଛି । ନୀତୀଶ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ବିଧାନସଭାର ୨୪୩ ଆସନରୁ ମାତ୍ର ୪୩ଟି ଆସନ ପାଇ ଥିବାରୁ ପୂର୍ବ ଭଳି ମୂଲଚାଲ କରିବା ସ୍ଥିତିରେ ନାହାନ୍ତି । ବିଜେପିର ବଡ଼ ଭାଇ ପଣିଆ ତାଙ୍କ ଅଶ୍ୱସ୍ତିରେ ପକାଉଛି ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭଲ ଭାବେ ଜାଣନ୍ତି ଯେ ବିହାରରେ ତାଙ୍କ ଚେର କାଟିବା ପାଇଁ ଏଲଜେପି ନେତା ଚିରାଗ ପାଶ୍ୱାନଙ୍କୁ ବିଜେପି ମୋହରା ଭାବେ ବ୍ୟବହାର କରିଥିଲା । ଫଳରେ, ପର୍ବ ବିଧାନସଭା ନିର୍ବାଚନ ତୁଳନାରେ ୨୦୨୦ ନିର୍ବାଚନରେ ଜେଡ଼ିୟୁକୁ ୨୮ଟି କମ୍ ବିଧାନସଭା ଆସନ ମିଳିଥିବା ବେଳେ ବିଜେପିକୁ ଅଧିକ ୨୧ଟି ଆସନ (ମୋଟ ୭୪) ମିଳିଛି । ଚିରାଗ ପାଶ୍ୱାନ ନୀତୀଶ କୁମାରଙ୍କୁ ବିରୋଧ କରିବାକୁ ଯାଇ ଜେଡ଼ିୟୁ ଭୋଟ ବ୍ୟାଙ୍କରେ ଘଳିଆ କରିଥିବା ବେଳେ ବିଜେପିକୁ ଏକକ ସଂଖ୍ୟାଗରିଷ୍ଠତା ପାଇବାରେ ସାହାଯ୍ୟ କରିଛନ୍ତି । ଏହି ସାହାଯ୍ୟ ପ୍ରତିବଦଳରେ ଚିରାଗଙ୍କୁ ତାଙ୍କ ବାପାଙ୍କ କୋଟାରେ କେନ୍ଦ୍ର ମନ୍ତ୍ରୀତ୍ୱ ମିଳି ଯିବ ବୋଲି ତାଙ୍କ (ଚିରାଗଙ୍କ) ସମର୍ଥକମାନେ ମଧ୍ୟ ଆଶା ରଖି ଥିଲେ । ତେବେ, ନିର୍ବାଚନରେ ଆଶାତୀତ ସଫଳତା ପାଇ ମଧ୍ୟ ବିଜେପି ଚିରାଗଙ୍କୁ ପୁରସ୍କୃତ କରିନି । ଅପରପକ୍ଷରେ, ନୀତୀଶଙ୍କ ବିଷ ଦୃଷ୍ଟିରେ ପଡି ଚିରାଗ ଦଳ ଭିତରେ ବିଦ୍ରୋହର ସାମ୍ନା କରିବା ସହ ଏଲଜେପି ଜାତୀୟ ସଭାପତି ପଦ ହରାଇଛନ୍ତି ।
ଦଳକୁ ନିଜ କବ୍ଚାକୁ ନେଇ ସାରି ଥିବା ଦାଦା ପଶୁପତି କୁମାର ପାରସ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶାଂସାରେ ପୋତି ପକାଇଛନ୍ତି । ନୀତୀଶ ଜଣେ ‘ଭଲ ନେତା ଓ ଦକ୍ଷ ପ୍ରଶାସକ’ ବୋଲି ପଶୁପତି କୁମାର ମନ୍ତବ୍ୟ ରଖିଛନ୍ତି । ନିକଟ ଭବିଷ୍ୟତରେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ସଂପ୍ରସାରଣ ହେବାର ସମ୍ଭାବନା ଥିବାରୁ ଚିରାଗଙ୍କ ସ୍ଥାନରେ ପଶୁପତି କୁମାର ପାରସ କେନ୍ଦ୍ରର ମନ୍ତ୍ରୀ ହେବେ ବୋଲି ତାଙ୍କ ସମର୍ଥକମାନେ ଆଶା କରୁଛନ୍ତି । ସେମାନଙ୍କ ମତରେ, ୨୦୧୯ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ବିଳାଶ ପାଶ୍ୱାନ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ହାଜିପୁର ଆସନ ସାନ ଭାଇ ପଶୁପତିଙ୍କୁ ଛାଡି ଥିଲେ । କାରଣ, ପଶୁପତି ହିଁ ଦଳକୁ ସମ୍ଭାଳି ପାରିବେ ବୋଲି ତାଙ୍କର ବିଶ୍ୱାସ ଥିଲା । ଗତ ବର୍ଷ ଅକ୍ଟୋବର ମାସରେ ପଶୁପତି ଏକ ସ୍ଥାନୀୟ ଚ୍ୟାନେଲରେ ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉନ୍ନୟନ କାର୍ଯ୍ୟକୁ ପ୍ରଶଂସା କରିଥିଲେ ପୁତୁରା ଚିରାଗ ତାଙ୍କୁ ଘରକୁ ଡ଼କାଇ ‘ଦଳରୁ ନିଲମ୍ବନ କରିବାକୁ ବେଶି ସମୟ ଲାଗିବ ନାହିଁ’ ଧମକ ଦେଇଥିଲେ । ସେହି ଦିନ ପଶୁପତି ଦାଦା-ପୁତୁରା ସଂପର୍କ କଟି ଯାଇଥିବା ଚିରାଗଙ୍କୁ ଚେତାଇ ଦେଇ ଫେରି ଆସିଥିଲେ । ଆଜି ସେ ତାହା କରି ଦେଖାଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ପରିଷଦରେ ଅଧିକ ପ୍ରତିନିଧିତ୍ୱ ଚାହୁଁଛି ଜେଡ଼ିୟୁ
କେନ୍ଦ୍ର ମନ୍ତ୍ରୀ ପରିଷଦରେ ଏନଡ଼ିଏର ସବୁ ଅଂଶୀଦାରମାନଙ୍କୁ ‘ସମ୍ମାନଜନକ’ ପ୍ରତିନିଧିତ୍ୱ ମିଳିବା ଆବଶ୍ୟକ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁ) ଗତ ଶନିବାର ଦିନ ମତ ରଖିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପରେ ଏହି ଦଳର ଜାତୀୟ ସଭାପତି ଭାବେ ମଂଗ ଧରି ଥିବା ଆରସିପି ସିଂହ କେନ୍ଦ୍ର ମନ୍ତ୍ରୀ ପରିଷଦରେ ସମ୍ଭାବ୍ୟ ସଂପ୍ରସାରଣକୁ ଦୃଷ୍ଟିରେ ରଖି ଏଭଳି ମନ୍ତବ୍ୟ ଦେଇଥିବା ଅନୁମାନ କରାଯାଉଛି । ଆରସିପି ସିଂହ ରାଜ୍ୟସଭାରେ ଜେଡ଼ିୟୁ ସଂସଦୀୟ ଦଳ ନେତା ଅଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସନା ମଧ୍ୟରେ ବିବାଦ ଏବଂ ପରେ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ରାଜ୍ୟରେ ସରକାର ଗଠନ କରିବା ପରେ ଏନଡ଼ିଏରୁ ଓହରି ଯାଇଥିଲା । ଲୋକସଭାରେ ଶିବସେନାର ୧୮ ଜଣ ସାଂସଦ ଅଛନ୍ତି । ସେମାନେ ଏନଡ଼ିଏରୁ ଓହରି ଯିବା ପରେ ସଂସଦରେ ବିଜେପି ସମର୍ଥକ ରାଜନୈତିକ ଦଳଙ୍କ ମଧ୍ୟରେ (ସଭ୍ୟା ସଂଖ୍ୟା ଦୃଷ୍ଟିରୁ) ବିଜେପି ପଛକୁ ଜେଡ଼ିୟୁ ରହିଛି । ଲୋକସଭାରେ ଜେଡ଼ିୟୁ ସାଂସଦ ସଂଖ୍ୟା ହେଉଛି ୧୬ । ରାଜ୍ୟସଭାରେ ମଧ୍ୟ ଜେଡ଼ିୟୁର ୫ ଜଣ ସାଂସଦ ଅଛନ୍ତି । ନିକଟରେ କେନ୍ଦ୍ର ମନ୍ତ୍ରୀ ପରିଷଦର ପ୍ରସାରଣ ହେବା ସମ୍ଭାବନା ଥିବାରୁ ଏବଂ ଜେଡ଼ିୟୁ ଚିରାଗ ପାଶ୍ୱାନଙ୍କୁ ଏଲଜେପି ସଭାପତି ପଦରୁ ହଟାଇ ପଶୁପତିଙ୍କୁ ଦଳର ନେତା କରାଇବା ମାଧ୍ୟମରେ ବିହାର ରାଜନୀତିକୁ ଏକ ନୂଆ ମୋଡ ଦେବାରେ ସକ୍ଷମ ହୋଇ ଥିବାରୁ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଜେଡ଼ିୟୁର ସମ୍ମାନଜନକ ପ୍ରତିନିଧିତ୍ୱ କଥା ଉଠାଇ ମୂଲଚାଲ କରିବାକୁ ଚାହୁଁ ଥିବା ଅନୁମାନ କରାଯାଉଛି ।
କେନ୍ଦ୍ର ମନ୍ତ୍ରୀ ପରିଷଦରେ ଜେଡ଼ିୟୁ ଅଧିକ ପ୍ରତିନିଧିତ୍ୱ ପାଇଁ ଦାବି କରିବ କି ବୋଲି ପାଟନା ଠାରେ ଗଣମାଧ୍ୟମ ପ୍ରତିନିଧିମାନେ ଦଳର ଜାତୀୟ ସଭାପତି ସିଂହଙ୍କୁ ପ୍ରା୍ନ କରିବାରୁ ସେ କହିଥିଲେ, ଏଥିରେ ଦାବି କରିବାର କଣ ଅଛି, ପାରସ୍ପରିକ ବୁଝାମଣା ଭିତ୍ ତିରେ ତାହା ହେବା ଆବଶ୍ୟକ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ବିପୁଳ ଜନମତ ପାଇ କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଥିଲା । ନୂଆ ସରକାରରେ ଜେଡ଼ିୟୁକୁ ଅଧିକ ପ୍ରତିନିଧିତ୍ୱ ମିଳିବ ବୋଲି ନୀତୀଶ କୁମାର ଆଶା କରିଥିଲେ । ତେବେ, ବିଜେପି ନିଜ ବଳରେ ଲୋକସଭାରେ ସଂଖ୍ୟା ଗରିଷ୍ଠ ସଂଖ୍ୟା ପାଇଛି ବାଲି ଦର୍ଶାଇ ବିଜେପି ନେତୃତ୍ୱ ଏନଡ଼ିଏର ଅନ୍ୟ ଅଂଶୀଦାରଙ୍କୁ ଗୋଟିଏ ଲେଖାଁଏ ମନ୍ତ୍ରୀ ପଦ ଦେବ ବୋଲି କହିବାରୁ ନୀତୀଶ କ୍ଷୁବ୍ଧ ହୋଇ ଦଳକୁ ମନ୍ତ୍ରୀ ପରିଷଦରେ ସାମିଲ ହେବାରୁ ଦୂରେଇ ରଖିଥିଲେ । ନିକଟରେ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜେପିକୁ ଶକ୍ତ ଧକ୍କା ମିଳିଛି । ପଂଜାବର ଶିରୋମଣୀ ଅକାଳୀ ଦଳ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲି ଥିବା ଚାଷୀ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇ ଏନଡ଼ିଏରୁ ଓହରି ସାରିଛି । ଏଭଳି ପରିସ୍ଥିତିରେ ନୀତୀଶଙ୍କୁ ଅସନ୍ତୁଷ୍ଟ କରିବାକୁ ବିଜେପି ଚାହିଁ ନ ପାରେ ବୋଲି ତାଙ୍କ ଭକ୍ତମାନେ ଆଶା କରୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS