ରାଜ୍ୟପାଳଙ୍କ ଚିଠି ସାର୍ବଜନୀନ ହେବାରୁ ମମତା-ଧନକର ବିବାଦ ତେଜିଲା
କୋଲକାତା
ଜୁନ୍ ୧୬
ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ସରି ମାସାଧିକ କାଳ ବିତି ଯାଇଥିଲେ ମଧ୍ୟ ରାଜ୍ୟପାଳ ଜଗଦୀପ ଧନକର ଓ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ମଧ୍ୟରେ ବିବାଦ ଥମିବାର ନା’ନେଉ ନାହିଁ । ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ବ୍ୟାପକ ହିଂସା ପାଇଁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଓ ତାଙ୍କ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖି ଥିବା ଚିଠିର ନକଲ ଟ୍ୱିଟରରେ ସାର୍ବଜନୀନ ହେବା ପରେ ପଶ୍ଚିମ ବଂଗ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ରାଜ୍ୟପାଳ ଧନକର ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ପଳାଇ ଆସିଛନ୍ତି । ଦିଲ୍ଲୀରେ ସେ କାହାକୁ କାହାକୁ ଭେଟିବେ, ତାହା ସ୍ପଷ୍ଟ ହୋି ନଥିଲେ ମଧ୍ୟ ରାଜ୍ୟପାଳ ଧନକର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟପାଳ ଧନକର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖି ଥିବା ଚିଠିରେ ବିଧାନସଭା ନିର୍ବାଚନ ପରବର୍ତ୍ତୀ ବ୍ୟାପକ ହିଂସା ପାଇଁ ରାଜ୍ୟ ସରକାରଙ୍କୁ ଖୋଲାଖୋଲି ଦାୟୀ କରିଛନ୍ତି । ୨୦୧୬ରେ ହୋଇଥିବା ନାରଦା ଷ୍ଟ୍ରିଂଗ୍ ଅପରେସନକୁ ନେଇ ସିବିଆଇ ୨୦୨୧ ବିଧାନସଭା ନିର୍ବାଚନ ପରେ (ମେ’ ୧୭ତାରିଖରେ) ପଶ୍ଚିମ ବଂଗ ସରକାରର ଦୁଇ ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଗିରଫ କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କୋଲକାତାସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଧସେଇ ପଶିବା ଘଟଣାକୁ ରାଜ୍ୟପାଳ ତାଙ୍କ ଚିଠିରେ ତୀବ୍ର ସମାଲୋଚନା କରିଛନ୍ତି । ଏହାଛଡା, ନିର୍ବାଚନ ପରବର୍ତ୍ତୀ ହିଂସାରେ ଯେଉଁମାନେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କ ଥଇଥାନ ଓ କ୍ଷତିପୂରଣ ଦେବା ଦିଗରେ ସରକାରଙ୍କ ସନ୍ଦେହଜନକ ନିରବତାକୁ ମଧ୍ୟ ରାଜ୍ୟପାଳ ସମାଲୋଚନା କରିବା ସହ ଏହି ହିଂସା ପଛରେ ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ସମର୍ଥନ ଥିବା ସରକାରୀ ନିରବତାରୁ ସ୍ପଷ୍ଟ ହେଉଛି ବୋଲି ଅଭିଯୋଗ ବାଢିଛନ୍ତି । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖା ଯାଇଥିବା ଚିଠିର ନକଲ ମଂଗଳବାର ଦିନ ଟ୍ୱିଟରରେ ସାର୍ବଜନୀନ ହେବା ପରେ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ସହ ରାଜପାଳ ଧନକରଙ୍କ ସଂପର୍କ ଅଧିକ ତୀକ୍ତ ହୋଇଛି । ରାଜ୍ୟପାଳ ତାଙ୍କ ଚିଠି ଟ୍ୱିଟ୍ ମାଧ୍ୟମରେ ସାର୍ବଜନୀନ କରିବା ଏକ ଖରାପ ପରଂପରା ସୃଷ୍ଟି କରିଛି ବୋଲି ପଶ୍ଚିମ ବଂଗ ସରକାର ଗତକାଲି ରାତିରେ ଏକାଧିକ ଟ୍ୱିଟ୍ କରିବା ପରେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ବିବାଦ ଅଧିକ ଘନିଭୂତ ହୋଇଛି । ଚିଠି ସାର୍ବଜନୀନ ହେବା ଗ୍ରହଣୀୟ ନୁହେଁ ଏବଂଏହା ଏକ ଏକପାଖିଆ ପଦକ୍ଷେପ ବୋଲି ପଶ୍ଚିମ ବଂଗ ସରକାର କହିଛନ୍ତି । ଇତିମଧ୍ୟରେ, ପଶ୍ଚିମ ବଂଗ ରାଜ୍ୟପାଳ ୧୫ ତାରିଖ ସନ୍ଧ୍ୟାରୁ ଦିଲ୍ଲୀ ପଳାଇ ଆସି ବାତାବରଣକୁ ଅଧିକ ରହସ୍ୟମୟ କରିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS