ଏଲଜେପି ବିବାଦ ଲୋକସଭାରେ ପହଂଚିଲା
ନୂଆଦିଲ୍ଲୀ
ଜୁନ୍ ୧୬
ବିହାର ଲୋକ ଜନଶକ୍ତି ପାର୍ଟି ବା ଏଲଜେପିରେ ଗଲା ସୋମବାରରୁ ଆରମ୍ଭ ହୋଇଥିବା ନେତୃତ୍ୱ କନ୍ଦଳ ଆଜି ଦିଲ୍ଲୀ ସଂସଦ ଭବନରେ ପହଂଚିଛି । ଲୋକସଭାରେ ଏଲଜେପିର ୬ ଜଣ ସାଂସଦ ଥିବା ବେଳେ ସେଥିରୁ ୫ ଜଣ ପଶୁପତି କୁମାର ପାରସଙ୍କ ନେତୃତ୍ୱରେ ଅଲଗା ହୋଇ ପଶୁପତିଙ୍କୁ ଲୋକସଭାରେ ଏଲଜେପିର ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କୁ ସେମାନେ ଗତକାଲି ତାହା ବିଧିବଦ୍ଧ ଭାବେ ଜଣାଇବା ପରେ ବାଚସ୍ପତି ପଶୁପତି କୁମାରଙ୍କୁ ଏଲଜେପି ସଂସଦୀୟ ଦଳ ନେତା ଭାବେ ସ୍ୱୀକୃତି ଦେଇଛନ୍ତି । ବାଚସ୍ପତିଙ୍କ ଏହି ନିଷ୍ପତ୍ତି ପଶୁପତିଙ୍କ ପୁତୁରା ତଥା ଗତକାଲି ଦଳର ଅଧ୍ୟକ୍ଷ ପଦରୁ ବିରୋଧୀଙ୍କ ଦ୍ୱାରା ବିତାଡିତ ହୋଇଥିବା ଏଲଜେପି ସାଂସଦ ଚିରାଗ ପାଶ୍ୱାନଙ୍କୁ କ୍ଷୁବ୍ଧ କରିଛି । ଏଲଜେପି ବିଦ୍ରୋହୀଙ୍କ ଅଲଗା ଗୋଷ୍ଠୀ ଗଠନ ନିଷ୍ପତ୍ତି ଏବଂ ପଶୁପତିଙ୍କୁ ସେମାନେ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରିବା ଦଳୀୟ ସମ୍ବିଧାନର ଧାରା ୨୬କୁ ବିରୋଧ କରୁଛି ସାଂସଦ ଚିରାଗ ପାଶ୍ୱାନ ବାଚସ୍ପତି ବିରଳାଙ୍କୁ ଚିଠି ଲେଖି ଜଣାଇବା ସହ ପଶୁପତିଙ୍କୁ ଏଲଜେପି ସଂସଦୀୟ ଦଳ ନେତା ଭାବେ ସେ ଦେଇଥିବା ସ୍ୱୀକୃତିକୁ ପୁନର୍ବିଚାର କରି ନୂତନ ନିର୍ଦେଶନାମା ଜାରି କରିବାକୁ ଅନୁରୋଧ କରିଛନ୍ତି । ଚିରାଗ ଦର୍ଶାଇଛନ୍ତି ଯେ, ଲୋକସଭାରେ ଏଲଜେପି ସଂସଦୀୟ ଦଳର ନେତା କିଏ ରହିବ ସେସଂପକରେ ଦଳର ଜାତୀୟ ପାର୍ଲାମେଂଟାରୀ ବୋର୍ଡ ହିଁ ନିଷ୍ପତ୍ତି ନେବା ଅଧିକାର ରଖିଛି । ଏଲଜେପି ସଂବିଧାନର ଧାରା ୨୬ରେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା ବେଳେ ପଶୁପତି କୁମାର ପାରସ ଓ ଅନ୍ୟ ୪ ଜଣ ଏଲଜେପି ସାଂସଦଙ୍କୁ ନେଇ ଲୋକସଭାରେ ଏଲଜେପିର ଏକ ଅଲଗା ଗୋଷ୍ଠୀ ଗଠନ କରିବା ଏବଂ ନିଜକୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରାଇ ନେବା ସଂବିଧାନ ବିରୋଧୀ । ବାଚସ୍ପତି ନିଜ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ଏବଂ ପଶୁପତିଙ୍କ ନିଯୁକ୍ତିକୁ ଅସିଦ୍ଧ ଘୋଷଣା କରି ଏକ ସଂଶୋଧିତ ଆଦେଶ ଜାରି କରନ୍ତୁ ବୋଲି ଚିରାଗ ପାଶ୍ୱାନ ନିବେଦନ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଦିବଂଗତ ନେତା ରାମ ବିଳାଶ ପାଶ୍ୱାନଙ୍କ ଦ୍ୱାରା ଗଠିତ ଲୋକ ଜନଶକ୍ତି ପାର୍ଟିର ଜାତୀୟ ଅଧ୍ୟକ୍ଷ ପଦରୁ ଗତକାଲି ଚିରାଗଙ୍କୁ ବହିଷ୍କାର କରାଯାଇଥିବା ଏବଂ ପଶୁପତି କୁମାର ଦଳର ଜାତୀୟ ସଭାପତି ଭାବେ ଦାୟିତ୍ୱ ନେଇ ଥିବା ଗତକାଲି ଏଲଜେପି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଘୋଷଣା କରାଯାଇଥିଲା । ଅପରପକ୍ଷରେ, ଚିରାଗ ପାଶ୍ୱାନ ଦଳର ଜାତୀୟ ଅଧ୍ୟକ୍ଷ ଭାବେ ଗତକାଲି ଦଳର ପର୍ଲାମେଂଟାରୀ ବୋଡ ବୈଠକ ଡାକି ଦାଦା ପଶୁପତି କୁମାର ପାରସଙ୍କ ସମେତ ଦଳର ୫ ସାଂସଦଙ୍କୁ ଏଲଜେପିରୁ ବହିଷ୍କାର କରାଗଲା ବୋଲି ଘୋଷଣା କରିଛନ୍ତି । ଦଳର ନେତୃତ୍ୱ ପାଇଁ ଦାଦ-ପୁତୁରାଙ୍କ ଏହି ଲଢେଇ ବିହାର ରାଜନୀତିରେ ଭୂକଂପ ସୃଷ୍ଟି କରିଛି । ୨୦୨୦ ବିହାର ବିଧାନସଭା ନିର୍ବାଚନରେ ବିଜେପି ସହ ମେଂଟ ନ କରିବାକୁ ତାଙ୍କ (ଚିରାଗଙ୍କ) ନିଷ୍ପତ୍ତିକୁ ଦାଦା ପଶୁପତି ବିରୋଧ କରିଥିଲେ । ଏହାସତ୍ତ୍ୱେ ସେ ଏକାକୀ ନିର୍ବାଚନ ମଇଦାନରେ ରହିବାରୁ ଦାଦା ପଶୁପତିଙ୍କ ଆକ୍ରେଶର ଶିକାର ହୋଇଛନ୍ତି ବୋଲି ଚିରାଗ ଅଭିଯୋଗ କରିଛନ୍ତି । ତେବେ, ଚିରାଗଙ୍କୁ ଏଲଜେପିରେ ଏକଘରିଆ କରି ଦଳର ନେତୃତ୍ୱ ହଡପ କରିଥିବା ପଶୁପତିଙ୍କ ପଛରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାଙ୍କ ଦଳ ଜେଡିୟୁର ଷଡଯନ୍ତ୍ର ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS