ନଅଟି ୟୁରୋପୀୟ ରାଷ୍ଟ୍ରଙ୍କ ଅନୁମୋଦନ, ‘କୋଭିସିଲ୍ଡ୍’ ଟିକା ନେଇ ଥିବା ବ୍ୟକ୍ତି ବିଦେଶ ଭ୍ରମଣରେ ଯାଇ ପାରିବେ
ପ୍ରସାଦ ରାଓ
ଜୁଲାଇ ୦୧
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ‘କୋଭିସିଲ୍ଡ’ ଟିକା ନେଇ ଥିବା ବ୍ୟକ୍ତିମାନେ ଅନ୍ୟ ରାଷ୍ଟ୍ର ଭ୍ରମଣରେ ଯାଇ ପାରିବେ । ନଅଟି ୟୁରୋପୀୟ ରାଷ୍ଟ୍ର ଏହି ଅନୁମତି ପ୍ରଦାନ କରିଥିବା ଜଣାପଡିଛି । ସଂପୃକ୍ତ ରାଷ୍ଟ୍ରଙ୍କ ମଧ୍ୟରେ ଅଷ୍ଟ୍ରିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ, ଆଇସଲ୍ୟାଣ୍ଡ୍, ଆୟାରଲ୍ୟାଣ୍ଡ୍ ଓ ସ୍ପେନ୍ ଅନ୍ତର୍ଭୁକ୍ତ । ସ୍ୱିଜରଲ୍ୟାଣ୍ଡ ମଧ୍ୟ ‘କୋଭିସିଲ୍ଡ୍’ ଟିକା ନେଇ ଥିବା ବ୍ୟକ୍ତିଙ୍କୁ ବିଦେଶ ଗସ୍ତ ଅନୁମତି ଦେଇଛି ।
ଇତିମଧ୍ୟରେ, ଭାରତୀୟ ଟିକା ଉତ୍ପାଦନକାରୀ କଂପାନୀ ‘ଜାଇଡସ୍ କାଡ଼ିଲା’ ତାହାର କୋଭିଡ଼ – ୧୯ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ ଦେବାକୁ ଭାରତୀୟ ଡ୍ରଗ୍ ରେଗୁଲେଟରଙ୍କୁ ଆବେଦନ କରିଥିବା ଗୁରୁବାର ଦିନ ସୂଚନା ଦେଇଛି । କାଡ଼ିଲା ବାର୍ଷିକ ୧୨୦ ନିୟୁତ ଡୋଜ୍ ଟିକା ଉତ୍ପାଦନ କରିବା ଲକ୍ଷ୍ୟ ରଖିିଛି । ‘ଜାଇଡ଼ସ୍ କାଡ଼ିଲା’ର କୋଭିଡ଼ ଟିକା ‘ଜାଇକୋଭ୍-ଡ଼ି’କୁ ଭାରତରେ ଜରୁରୀ ବ୍ୟବହାର (ଇୟୁ) ଅନୁମତି ମିଳିଲେ ଏହା ହେବ ଦେଶରେ ବ୍ୟବହାର ଉପଯୋଗୀ ପଂଚମ କରୋନା ଟିକା । ସଂପ୍ରତି ‘ମଡ଼ର୍ଣ୍ଣା’, ଅଷ୍ଟ୍ରାଜେନିକା ଏବଂ ଏସଆଇଆଇରେ ଭାଗିଦାରୀରେ ବିକଶିତ ଓ ଉତ୍ପାଦିତ ‘କୋଭିସିଲ୍ଡ୍’, ‘ଭାରତ ବାୟୋଟେକ୍’ର ‘କୋଭାକ୍ସିନ୍’ ଏବଂ ରଷିଆ ଗାମାଲେ ଇନଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ‘ସ୍ପୁଟନିକ-ଭି’ ଭାରତରେ ବ୍ୟବହାର ଅନୁମତି ପାଇଛି ।
ଅନ୍ୟ ଏକ ଖବର ଅନୁଯାୟୀ, ଭାରତରେ ଦୁଇରୁ ୧୭ ବର୍ଷ ବୟସର ପିଲାଙ୍କୁ ଟିକାକରଣ ପାଇଁ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଦ୍ୱାରା ବିକଶିତ ‘କୋଭାଭାକ୍ସ’ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଆବେଦନକୁ ଅନୁମତି ନ ଦେବା ସକାଶେ ସେଂଟ୍ରାଲ୍ ଡ଼୍ରଗ୍ ଅଥରିଟି ଅଫ୍ ଇଂଡ଼ିଆର ବିଶେଷଜ୍ଞ ପ୍ୟାନେଲ୍ ବିଧବାର ଦିନ ସୁପାରିଶ କରିଛନ୍ତି । ଏସଆଇଆଇ ପକ୍ଷରୁ ସୋମବାର ଦିନ ଏହି ଆବେଦନ ହୋଇଥିଲା । ଦେଶର୧୦ଟି ସ୍ଥାନରେ ୨ରୁ ୧୧ ଏବଂ ୧୨ରୁ ୧୭ ବର୍ଷ ବୟସର ୯୬୦ ବାଳକ, ବାଳିକାଙ୍କୁ ନେଇ ଏହି ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡ଼ିସିଜିଆଇ (ଡ୍ରଗ୍ସ୍ କଂଟ୍ରୋଲର ଜେନେରାଲ ଅଫ୍ ଇଂଡ଼ିଆ)ଙ୍କ ନିକଟରେ ଆବେଦନ ହୋଇଥିଲା ।
ଇତିମଧ୍ୟରେ ଭାରତର କରୋନା ଗ୍ରାଫ୍ ତଳ ମୁହାଁ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମି ନାହିଁ । ଆଜି ସକାଳ ୯ଟା ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୮,୭୮୬ ନୂଆ କୋଭିଡ଼ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଗତକାଲି ତୁଳନାରେ ସାମାନ୍ୟ ଅଧିକ । ତେବେ, ଦେଶରେ କରୋନା ଆକ୍ଟିଭ୍ କେସ୍ ସଂଖ୍ୟା ୫ ଲକ୍ଷ ୨୩ ହଜାର ୨୫୭କୁ କମିଛି । କିନ୍ତୁ, ଗତ ୨୪ ଘଂଟାରେ ଦେଶରେ ୧,୦୦୫ ଜଣଙ୍କ କୋଭିଡ଼ ଜନିତ ମୃତ୍ୟୁ ଘଟି ଥିବା ସୂଚନା ମିଳିଛି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୦୪ ଲକ୍ଷ ୧୧ ହଜାର ୬୩୪କୁ ବୃଦ୍ଧି ପାଇଥିଲେ ମଧ୍ୟ ଜାତୀୟ ରିକଭରି ହାର ୯୬.୯୭ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ଆଜି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ସୂଚନା ମିଳିଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗୁରୁବାର ସକାଳ ସୁଦ୍ଧା ୩,୯୯, ୪୫୯ରେ ପହଂଚିଛି ।
ବିଶ୍ୱରେ କୋଭିଡ଼ ଟିକାଦାନ କ୍ଷେତ୍ରରେ ଦେଖା ଦେଇଥିବା ଘୋର ଅସମତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି । ଏହାର ଡ଼ାଇରେକ୍ଟର ଜେନେରାଲ ଟେଡରସ୍ ଆଦହାନମ୍ ଘେବ୍ରିୟସ୍ ଭର୍ଚୁଆଲ ମାଧ୍ୟମରେ ଆଜି ‘ଇଣ୍ଡିଆ ଗ୍ଲୋବାଲ ଫେରମ୍’କୁ ସଂଭାଷଣ ଦେଇ ଏହି କ୍ଷୋଭ ପ୍ରକାଶ କରିଛନ୍ତି । ବିଶ୍ୱର କିଛି ରାଷ୍ଟ୍ର କୋଭିଡ଼ ଟିକାଦାନ କ୍ଷେତ୍ରରେ ସର୍ବାଗ୍ରେ ରହି ଥିବା ବେଳେ ଆଉ କିଛି ରାଷ୍ଟ୍ର ନିଜର ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ଲୋକ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥାଇ କରୋନାରେ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ଥିବା ଲୋକଙ୍କୁ ଟିକା ଦେବାକୁ ସକ୍ଷମ ହେଉ ନାହାନ୍ତି ।
ଟିକା ବିତରଣରେ ଅସମତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ପରିପ୍ରେକ୍ଷୀରେ କୋଭିଡ଼କୁ ପରାହତ କରିବାକୁ ହେଲେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସବୁ ରାଷ୍ଟ୍ର ନିଜ ଜନସଂଖ୍ୟାର ଅନ୍ୟୁନ ୧୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି । କୋଭିଡ଼-୧୯ ଭ୍ୟାକ୍ସିନେସନ୍ ସଂପର୍କିତ ଜାତିସଂଘ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ରାଷ୍ଟ୍ରରେ ୬୦ ପ୍ରତିଶତ ଲୋକଙ୍କୁ ଟିକାକରଣ ହୋଇ ସାରି ଥିବା ବେଳେ ଆଉ କିଛି ରାଷ୍ଟ୍ରରେ ଏହା ମାତ୍ର ୧ ପ୍ରତିଶତ ରହିଛି । ସମଗ୍ର ବିଶ୍ୱରେ କୋଭିଡ଼ ପରାହତ ନ ହଲେ ଏହି ମହାମାରୀ ସଂପୂର୍ଣ୍ଣ ଭାବେ ପରାହତ ହେବ ନାହିଁ ବୋଲି ଡ଼ବ୍ଲୁଏଚଓ ମୁଖ୍ୟ ଚେତାଇ ଦେଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS