‘ଡ୍ରୋନ୍’ ଆକ୍ରମଣ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାର ଦୁର୍ବଳତା ପଦାରେ ପକାଇଛି !
ପ୍ରସାଦ ରାଓ
ଜୁଲାଇ ୦୧
ଗତ ରବିବାର ଦିନ ଜମ୍ମୁରେ ଥିବା ଭାରତୀୟ ବିମାନ ବାହିନୀର ଏୟାର ବେସ୍ ଉପରେ ‘ଡ୍ରୋନ୍’ ଆକ୍ରମଣ ଏବଂ ତାହା ପରେ ବିଭିନ୍ନ ସେନା ଅଂଚଳରେ ଏକାଧିକ ‘ଡ୍ରୋନ୍’ ଠାବ ହେବା ଘଟଣା ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇବା ସହ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ପଦାରେ ପକାଇଛି । ପଡୋଶୀ ପାକିସ୍ତାନରେ ଆଡ୍ଡା ଜମାଇ ପାକ୍ ପ୍ରୋତ୍ସାହନରେ ଭାରତର ସୀମାନ୍ତ ଅଂଚଳରେ ବିଭିନ୍ନ ସେନା ଘାଟୀ ଓ ସିଭିଲିଆନ୍ ଅଂଚଳରେ ଆକ୍ରମଣ ପାଇଁ ଯୋଜନା କରୁଥିବା ଆତଙ୍କବାଦୀ ସଂଗଠନମାନେ ଏବେ ‘ଡ୍ରୋନ୍’କୁ ଏକ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରିବା ଆରମ୍ଭ କରି ଥିବାରୁ ଭାରତ ଏହାର ଉଚିତ ଜବାବ ଦେବା ପାଇଁ ନିଜ ପ୍ରତିରକ୍ଷା ଭିତ୍ତିଭୂମିରେ ‘ଆଂଟି ଡ୍ରୋନ୍ ଟେକ୍ନୋଲୋଜି’କୁ ସାମିଲ କରିବା ଆବଶ୍ୟକ ହୋଇପଡିଛି । ଜମ୍ମୁ ‘ଏୟାର ବେସ୍’ରେ ରବିବାର ହୋଇଥିବା ‘ଡ୍ରୋନ୍’ ଆକ୍ରମଣରେ ପାକିସ୍ତାନ ଭିତ୍ତିକ ‘ଲସ୍କର-ଇ-ତୋଇବା’ ସଂଗଠନ ସଂପୃକ୍ତ ଥିବା ଯେତେବେଳେ ତଦନ୍ତରୁ ସ୍ପଷ୍ଟ ହୋଇ ଗଲାଣି ‘ଆଂଟି ଡ୍ରୋନ୍ ଟେକ୍ନୋଲୋଜି’ ତୁରନ୍ତ ଭାରତର ପ୍ରତିରକ୍ଷା ତୁଣୀରରେ ସାମିଲ କରାଯିବା ଆବଶ୍ୟକ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ଏବେ ମତ ଦେବା ଆରମ୍ଭ କଲେଣି ।
ପୂର୍ବରୁ, ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଧାରଣା ଭିନ୍ନ ଥିଲା । ଭାରତ-ପାକିସ୍ତାନ ସୀମାନ୍ତରେ ‘ଲାଇନ୍ ଅଫ୍ କଂଟ୍ରୋଲ’ରେ ଉଭୟ ଦେଶର ଏୟାର ଡ଼ିଫେନ୍ସ ବ୍ୟବସ୍ଥା ଫଳପ୍ରଦ ଭାବେ ସକ୍ରିୟ ଥିବାରୁ ଏବଂ ଦୁଇ ଦେଶ ସଂପୂର୍ଣ୍ଣ ସୀମାନ୍ତରେ ଏୟାର ଡ଼ିଫେନ୍ସ୍ ରାଡ଼ାରମାନ ମୁତୟନ କରି ଥିବାରୁ ଅସ୍ତ୍ରଶସ୍ତ୍ର ଖଚିତ ‘ଡ୍ରେନ୍’ ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ଅନୁପ୍ରବେଶର ଦୁଃସାହସ କରି ପାରିବେ ନାହିଁ ଏବଂ ଆକ୍ରମଣ ଉଦ୍ୟମ କଲେ ମଧ୍ୟ ତିଷ୍ଠି ପାରିବ ନାହିଁ ବୋଲି ଭାରତୀୟ ସାମରିକ ବିଶେଷଜ୍ଞଙ୍କ ମଧ୍ୟରେ ବଦ୍ଧ ଧାରଣା ଥିଲା । କିନ୍ତୁ, ଜମ୍ମୁ ଆଇଏଏଫ୍ ଏୟାର ବେସ୍ ରେ ରବିବାର ହୋଇଥିବା ‘ଡ୍ରୋନ୍’ ଆକ୍ରମଣ ବିଶେଷଜ୍ଞଙ୍କ ପୂର୍ବ ଧାରଣାକୁ ଭୁଲ ପ୍ରମାଣିତ କରିଛି । ମାତ୍ର ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇପାରୁ ଥିବା ‘ଡ୍ରୋନ୍’ ଯେ ଭାରତୀୟ ବିମାନ ବାହିନୀର ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନର କ୍ଷତି ପହଂଚାଇ ପାରିବ ତାହା ରବିବାର ଘଟଣାରୁ ସ୍ପଷ୍ଟ ହେବା ପରେ ବିଶେଷଜ୍ଞମାନେ ଆଂଟି ଟ୍ରୋନ୍ ଟେକ୍ନୋଲୋଜି ଭାରତୀୟ ପ୍ରତିରକ୍ଷା ଭିତ୍ତିଭୂମିରେ ସାମିଲ ହେବା ଉପରେ ଏବେ ଗୁରୁତ୍ୱ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ୨୦୨୦ରୁ ଦେଶର ପଶ୍ଚିମ ସୀମାନ୍ତ, ଅର୍ଥାତ ଜମ୍ମୁ-କଶ୍ମୀରରୁ ଗୁଜରାଟ ମଧ୍ୟବର୍ତ୍ତୀ ସୀମାନ୍ତ ଅଂଚଳରେ ୯୯ରୁ ଅଧିକ ‘ଡ୍ରୋନ୍’ ଠାବ କଲେଣି । ଏପରିକି, ପୂର୍ବ ଭାରତର ମାଓ ଉପଦୃତ ଅଂଚଳରେ ମଧ୍ୟ ବିଏସଏଫ୍ ଏକାଧିକ ‘ଡ୍ରୋନ୍’ ଠାବ କରିଥିବା ଜଣାପଡିଛି । ଭାରତୀୟ ସାମରିକ ଗୁଇନ୍ଦା ବିଭାଗ ଓ ଜମ୍ମୁ-କଶ୍ମୀର ପୁଲିସ ଗତ ରବିବାର ଜମ୍ମୁ ‘ଏୟାର ବେସ୍’ ଉପରେ ହୋଇ ଥିବା ‘ଡ୍ରୋନ୍’ ଆକ୍ରମଣର ତଦନ୍ତ କରି ତାହା ପଛରେ ‘ଲସ୍କର-ଇ-ତୋଇବା’ ଓ ‘ଜୈସ୍ -ଏ-ମହମ୍ମଦ’ ସଂଗଠନର ହାତ ଥିବାର ସୁରାକ ପାଇଛନ୍ତି । ଏହି ପାକ୍ ଭିତ୍ତିକ ଆତଙ୍କୀ ସଂଗଠନଗୁଡିକ ଭାରତୀୟ ସୀମାନ୍ତରେ ସକ୍ରୀୟ ଥିବା ଅଂତଙ୍କବାଦୀ ଓ ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ପହଂଚାଇବାରେ ‘ଡ୍ରୋନ୍’ର ବ୍ୟବହାର ସୁରକ୍ଷିତ ଭାବି ଏହି କାର୍ଯ୍ୟ ଚଳାଇ ଆସିଛନ୍ତି, ଯାହାକି ଭାରତୀୟ ସାମରିକ ବିଶେଷଜ୍ଞମାନଙ୍କୁ ଅଛପା ନାହିଁ ।
ଗଲା କିଛି ବର୍ଷ ହେଲା ଏହା ଚାଲିଛି ଏବଂ ‘ଡ୍ରୋନ୍’ ଭାରତାୟ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ହୋଇ ରହିଛି । ଦେଶର ଜାତୀୟ ନିରାପତ୍ତା ପରିଷଦ ଏହା ଭଲ ଭାବେ ଜାଣନ୍ତି । ତଥାପି, ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ‘ଆଂଟି ଡ୍ରୋନ୍ ଟେକ୍ନୋଲୋଜି’ ସାମିଲ ହେବା ବିଳମ୍ବିତ ହୋଇ ଚାଲିଛି । ଅଧିକାଂଶ କ୍ଷେତ୍ରରେ ଏହି ଟେକ୍ନୋଲୋଜି ଆଣିବା କାର୍ଯ୍ୟ ‘ରିକ୍ୱେଷ୍ଟ୍ ଫର୍ ଇନ୍ଫରମେସନ୍’ (ଆରଏଫଆଇ) ସ୍ତରରେ ଥିବା ବିଶେଷଜ୍ଞମାନେ କହୁଛନ୍ତି । ଦେଶର ପ୍ରତିରକ୍ଷା ସାମଗ୍ରୀ ସଂପର୍କରେ ଗବେଷଣା ଓ ଉତ୍ପାଦନ କାର୍ଯ୍ୟ ସଂପାଦନା କରୁଥିବା ଡ଼ିଆରଡ଼ିଓ (ଡ଼ିଫେନ୍ସ ରିସର୍ଚ୍ଚ ଆଣ୍ଡ୍ ଡ଼େଭଲପମେଂଟ୍ ଅଗ୍ରାନାଇଜେସନ୍) ‘ଅଂଟି ଡ୍ରୋନ୍ ଟେକ୍ନୋଲୋଜି’ ବିକଶିତ କରି ଗଲା ଜାନୁୟାରୀ ମାସରେ ମାନସର୍ ଠାରେ ଥିବା ଏନଏସଜି ବେସ୍ ରେ ତାହାର ସଫଳ ପରୀକ୍ଷଣ କରିଥିଲେ ମଧ୍ୟ ଦେଶର ପ୍ରତିରକ୍ଷା ବିଭାଗ ଭିତ୍ତିଭୂମିରେ ତାହାକୁ ସାମିଲ କରିବା ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇ ନାହାନ୍ତି । ଡ଼ିଆରଡ଼ିଓର ଏହି ଟେକ୍ନୋଲେଜି ଏଯାବତ୍ ଏଲଏସି ବା ଏଲଓସିରେ ପରୀକ୍ଷଣ ହୋଇପାରି ନାହିଁ ।
ପଡୋଶୀ ଚୀନ୍ ଦ୍ୱିପାକ୍ଷୀକ ଲାଭ ପାଇଁ ପାକିସ୍ତାନରେ ଅସ୍ତ୍ରଶସ୍ତ୍ର ଓ ‘ଡ୍ରୋନ୍’ ଟେକ୍ନୋଲୋଜି ଠୁଳ କରି ଚାଲି ଥିବା ବେଳେ ଭାରତ ‘ଡ୍ରୋନ୍’ ଓ ‘ଆଂଟି ଡ୍ରୋନ୍ ଟେକ୍ନୋଲୋଜି’ ହାସଲ କରିବାରେ କରିବାରେ ମନ୍ଥରତା ଦେଶର ପ୍ରତିରକ୍ଷାକୁ ଦୁର୍ବଳ କରି ରଖିଛି । ରବିବାର ଆକ୍ରମଣ ପରେ ମଧ୍ୟ ଭାରତୀୟ ସୀମାନ୍ତରେ ଦୁଇଟି ‘ଡ୍ରୋନ୍’ ଠାବ ହୋଇଥିଲା । ସେନା ବାହାନୀ ଗୁଳି କରି ସେଗୁଡିକୁ ଘଉଡାଇ ଦେଇଥିଲେ । ସୀମାନ୍ତରେ ଖଂଜା ହୋଇଥିବା ଏୟାର ଫୋର୍ସର ପ୍ରତିରକ୍ଷା ରାଡାରଗୁଡିକ ସେଗୁଡିକୁ ଠାବ କରି ନ ପାରିବା ହେଉଛି ମୁଖ୍ୟ ସମସ୍ୟା । ପାକିସ୍ତାନ ପ୍ରୟୋଜିତ ଆତଙ୍କୀ ସଂଗଠନମାନେ ଏବେ ‘ଡ୍ରୋନ୍’କୁ ମାଧ୍ୟମ କରି ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ପ୍ରତି ଚ୍ୟାଲେଂଜ କରିବାର ଦୁଃସାହାସ କରିଥିବା ବେଳେ ଭାରତ ମନ୍ଥରତା ଛାଡି ‘ଡ୍ରୋନ୍’ଗୁଡିକୁ ନିଷ୍କ୍ରୀୟ କରିବାର ଟେକ୍ନୋଲୋଜି ତୁରନ୍ତ ହାସଲ କରିବା ଆବଶ୍ୟକ । ନହେଲେ ଦେଶର ପ୍ରତିରକ୍ଷା ବଳ ନିରୁତ୍ସାହିତ ହେବା ସହ ସୀମାନ୍ତରେ ଆତଙ୍କୀ କାର୍ଯ୍ୟକଳାପ ବଢିବାକୁ ବଳ ମିଳିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS