ଏଲପିଜି ମୂଲ୍ୟ ବୃଦ୍ଧି ପରେ ବିକଟ ସ୍ଥିତିରେ ହାଣ୍ଡିଶାଳ
ପ୍ରସାଦ ରାଓ
ଜୁଲାଇ ୦୨
ଦେଶରେ ଏଲପିଜି (ଲିକ୍ୟୁଡ଼ ପେଟ୍ରୋଲିୟମ ଗ୍ୟାସ୍)ର ଆକାଶଛୁଆଁ ଦରବୃଦ୍ଧି ହାଣ୍ଡିଶାଳ ପାଇଁ ବଡ଼ ମାଡ଼ ହୋଇଛି । ତୈଳ କଂପାନୀମାନେ ତ ସରକାରୀ ନିୟନ୍ତ୍ରଣରେ ନାହାନ୍ତି । ନିୟନ୍ତ୍ରଣମୁକ୍ତ ହେବା ଦିନ ଠାରୁ ପ୍ରତି ମାସରେ ତୈଳ ଦର ସମୀକ୍ଷା ନାମରେ ମୂଲ୍ୟ ବଢାଇ ଚାଲିଛନ୍ତି । ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଏବଂ ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ତୈଳ ମୂଲ୍ୟ ବୃଦ୍ଧିର ବଡ଼ କାରଣ ବୋଲି ବିଭିନ୍ନ ସମୟରେ ଆଲୋଚନା ହୋଇ ଆସିଛି । ତେବେ, ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମି ଥିବା ବେଳେ ମଧ୍ୟ ଭାରତରେ ପେଟ୍ରୋଲ, ଡ଼ିଜେଲ, ରୋଷେଇ ଗ୍ୟାସ୍ ମହଙ୍ଗା ହେବା ପଛରେ ଯେ ରାଜନୈତିକ ଅଭିସନ୍ଧି ରହିଛି, ତାହା କାହାରିକୁ ଆଉ ଅଛପା ହୋଇ ରହି ନାହିଁ ।
ତେବେ, ଦେଶର ତୈଳ କଂପାନୀମାନେ ବିଭିନ୍ନ ତୈଳଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବା ସମୟରେ ସେହି ଗୋଟିଏ କଥା କହୁଛନ୍ତି -ବିଶ୍ୱ ବଜାରରେ ଅଶୋଧିତ ତୈଳର ଦରବୃଦ୍ଦି ସେମାନଙ୍କୁ ପେଟ୍ରୋଲ, ଡ଼ିଜେଲ ଓ ଏଲପିଜିର ଦର ବୃଦ୍ଧି ପାଇଁ ବାଧ୍ୟ କରୁଛି । ସେମାନେ ପ୍ରତି ମାସରେ ପ୍ରାରମ୍ଭରେ ତୈଳଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବା ସମୟରେ କମ୍ ଥର ଅତିକମ୍ ପରିମାଣରେ ଦର କମୁଥିବା ବେଳେ ଅଧିକ ଥର ଅଧିକ ପରିମାଣରେ ଦରବୃଦ୍ଧି ଘଟୁଥିବା ହିଁ ଚିନ୍ତାର କାରଣ ହୋଇଛି । ଚଳିତ ଜୁଲାଇ ମାସରେ ତୈଳ କଂପାନୀମାନେ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ରୋଷେଇ ଗ୍ୟାସ୍ ର ୧୪.୨ କେଜି ବିଶିଷ୍ଟ ଅଣ-ସବସିଡ଼ି ସିଲିଣ୍ଡର ମୂଲ୍ୟ ଏକାଥରେ ୨୫ଟଙ୍କା ୫୦ ପଇସା ବୃଦ୍ଧି କରି ସମଗ୍ର ଦେଶର ହାଣ୍ଡିଶାଳକୁ ପ୍ରଭାବିତ କରିଛନ୍ତି । ନୂଆ ଦର ଜୁଲାଇ ପହିଲାରୁ ଲାଗୁ ହୋଇ ସାଇଛି ।
କେନ୍ଦ୍ର ସରକାର ମହିଳା ସଶକ୍ତିକରଣ କଥା କହୁଛନ୍ତି । ଦେଶରେ ‘ଉଜ୍ୱଳା’ ଯୋଜନା କାର୍ଯ୍ୟକାରୀ କରି ହାଣ୍ଡିଶାଳଗୁଡିକୁ ଧୂମ୍ର-ମୁକ୍ତ କରି ଥିବାରୁ ସାବାସୀ ନେଉଛନ୍ତି । କୋଟି କୋଟି ଗରିବ ପରିବାରକୁ ମାଗଣାରେ ଗ୍ୟାସ୍ ସଂଯୋଗ ଦେଇଥିବାରୁ ସେସବୁ ପରିବାର ଉପକୃତ ହୋଇଥିବା ଏବଂ ହାଣ୍ଡିଶାଳଗୁଡିକ ଧୂମ୍ର-ମୁକ୍ତ ହେବା ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ହୋଇଥିବା କୁହାଯାଉଛି । ‘ଉଜ୍ୱଳା’ ଯୋଜନା ଏବେ କେନ୍ଦ୍ର ସରକାରଙ୍କ ସବୁ ଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଚାର ମାଧ୍ୟମ ହୋଇଛି । ସରକାରଙ୍କ ପ୍ରୟାସ ଦେଶର କୋଟି କୋଟି ମହିଳାଙ୍କୁ ‘କାଠ ଚୁଲି’ ଯୁଗରୁ ‘ରୋଷେଇ ଗ୍ୟାସ୍’ ବ୍ୟବହାର ଯୁଗକୁ ଆଣି ପାରିଛି ଏବଂ ଏହା ଦ୍ୱାରା ମହିଳାମାନେ ବିଭିନ୍ନ ଧୂମ୍ର ଜନତି ରୋଗ ଓ ଅସୁବିଧାରୁ ମୁକ୍ତି ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ପ୍ରେଟ୍ରୋଲିୟମ୍ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦାବି କରୁଛନ୍ତି ।
ତେବେ, ଯେଉଁ ରୋଷେଇ ଗ୍ୟାସ୍କୁ ନେଇ ଏତେ ସବୁ ରାଜନୀତି ଚାଲିଛି ତାହାର ଆକାଶଛୁଆଁ ମୂଲ୍ୟବୃଦ୍ଧି ଯେ ଗରିବ ଓ ମଧ୍ୟବିତ୍ତ ଶେଣ୍ରୀର ମହିଳାଙ୍କୁ ପୁନର୍ବାର ଧୂମ୍ର-ଯୁକ୍ତ ବ୍ୟବସ୍ଥା ଆଡକୁ ଫେରାଇ ନେଉଛି, ତାହା ବୋଧହୁଏ ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଆଜିର ଦିନରେ ନୂଆ ଗ୍ୟାସ୍ ସଂଯୋଗଟିଏ ନେବା ଯେତିକି ସହଜ ହୋଇଛି, ତାହାକୁ ବ୍ୟବହାରରେ ଲଗାଇବା ସେତିକି କଷ୍ଟକର ହୋଇଛି । ସରକାରଙ୍କ ‘ଉଜ୍ୱଳା’ ଯୋଜନାରେ ରୋଷେଇ ଗ୍ୟାସ୍ ସଂଯୋଗ ଦେଉଛନ୍ତି, କିନ୍ତୁ ରନ୍ଧନ ଗ୍ୟାସ୍ ହାଣ୍ଡି ନୁହେଁ । ସରକାର ବର୍ଷକୁ ୧୨ଟି ଗ୍ୟାସ୍ ସିଲିଣ୍ଡର ରିହାତି ମୂଲ୍ୟରେ ଦେଉଥିବା ବେଳେ ତା’ଠାରୁ ଅଧିକ ବ୍ୟବହାର ହେଲେ ବଜାର ଦରରେ କିଣିବାକୁ ପଡିଥାଏ । ପ୍ରତି ମାସରେ ରିହାତି ମୂଲ୍ୟର ଗ୍ୟାସ୍ ସିଲିଣ୍ଡରଟିଏ କିଣିବା କଷ୍ଟକର ହେଉଥିବା ବେଳେ କିଏ ବଜାର ଦରରେ କିଣିବାକୁ ସକ୍ଷମ ହେବ ?
ଦେଶରେ କ୍ରମାଗତ ଭାବେ ରୋଷେଇ ଗ୍ୟାସ୍ ର ମୂଲ୍ୟ ବୃଦ୍ଧି ଗରିବ ଶ୍ରେଣୀ ପାଇଁ କେବଳ ନୁହେଁ, ସବୁ ଶ୍ରେଣୀର ଉପଭୋକ୍ତାଙ୍କ ପାଇଁ କଷ୍ଟକର ହୋଇଛି ଏବଂ ତାହା ହାଣ୍ଡିଶାଳକୁ ପ୍ରଭାବିତ କରୁଛି । ଜୁଲାଇ ପହିଲାରୁ ରୋଷେଇ ଗ୍ୟାସ୍ ର ଯେଉଁ ମୂଲ୍ୟ ବୃଦ୍ଧି ହୋଇଛି (୧୪.୨ କିଗ୍ରା ସିଲିଣ୍ଡର) ସେଥିରେ ଓଡ଼ିଶାର ସବୁ ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛନ୍ତି । ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ମୂଲ୍ୟ ବୃଦ୍ଧି ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ଜୁଲାଇ ପହିଲାରୁ ୧୪.୨ କେଜି ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୮୬୧ ଟଙ୍କା ହୋଇ ଥିବା ବେଳେ ରାଜ୍ୟର ଅନ୍ୟ ସହରରେ ତାହାର ଭିନ୍ନ ଭିନ୍ନ ମୂଲ୍ୟ ରହିଛି । ମୂଲ୍ୟ ବୃଦ୍ଧି ପରେ ଅନୁଗୁଳ ସହରରେ ୧୪.୨ କେଜି ସିଲିଣ୍ଡର ମୂଲ୍ୟ ୮୭୮ ଟଙ୍କା ୫୦ ପଇସାରେ ପହଂଚି ଥିବା ବେଳେ ବାଲେଶ୍ୱରରେ ୮୭୭ ଟଙ୍କା, ବରଗଡ଼ରେ ୮୯୮ ଟଙ୍କା ୫୦ ପଇସା, ଭଦ୍ରକରେ ୮୭୫ ଟଙ୍କା, ବଲାଂଗୀରରେ ୮୬୨ ଟଙ୍କା, ବୌଦ୍ଧରେ ୮୭୩ ଟଙ୍କା, କଟକରେ ୮୬୧ ଟଙ୍କା ୫୦ ପଇସା, ଦେଓଗଡ଼ରେ ୮୯୪ ଟଙ୍କା ୫୦ ପଇସା, ଢେଙ୍କାନାଳରେ ୮୭୮ ଟଙ୍କା ୫୦ ପଇସା, ଗଜପତିରେ ୮୭୦ ଟଙ୍କା, ଗଂଜାମରେ ୮୮୨ ଟଙ୍କା, ଜଗତସିଂହପୁରରେ ୮୭୮ ଟଙ୍କା ୫୦ ପଇସା, ଯାଜପୁରରେ ୮୯୨ ଟଙ୍କା, ଝାରସୁଗୁଡ଼ାରେ ୮୯୧ ଟଙ୍କା, କଳାହାଣ୍ଡିରେ ୮୬୨ ଟଙ୍କା, କନ୍ଧମାଳରେ ୮୭୩ ଟଙ୍କା, କେନ୍ଦ୍ରାପଡାରେ ୮୭୮ ଟଙ୍କା ୫୦ ପଇସା, କେନ୍ଦୁଝରରେ ୮୯୨ ଟଙ୍କା, କୋରାପୁଟରେ ୮୬୩ ଟଙ୍କା, ମାଲକାନଗିରିରେ ୮୬୩ ଟଙ୍କା ୫୦ ପଇସା, ମୟୁରଭଂଜରେ ୮୯୪ ଟଙ୍କା, ନବରଂଗପୁରରେ ୮୬୩ ଟଙ୍କା, ନୟାଗଡ଼ରେ ୮୬୩ ଟଙ୍କା ୫୦ ପଇସା, ନୂଆପଡାରେ ୮୬୩ ଟଙ୍କା ୫୦ ପଇସା, ପୁରୀରେ ୮୬୩ ଟଙ୍କା, ରାୟଗଡ଼ାରେ ୮୬୩ ଟଙ୍କା, ସମ୍ବଲପୁରରେ ୮୬୯ ଟଙ୍କା, ସୋନପୁରରେ ୮୬୪ ଟଙ୍କା ଏବଂ ସୁନ୍ଦରଗଡ଼ରେ ୮୯୪ ଟଙ୍କା ରହି ଥିବା ଆଇଓସିଏଲ୍ ୱେବ୍ ପୃଷ୍ଠାରୁ ସୂଚନା ମିଳିଛି ।
ଜୁନ ମାସରେ ୧୪.୨ କେଜି ରେଷେଇ ଗ୍ୟାସ୍ ସିଲିଣ୍ଡର୍ ମୂଲ୍ୟ ଥିଲା ୮୩୫ ଟଙ୍କା ୫୦ ପଇସା । ଜୁଲାଇ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ତାହା ୮୬୧ ଟଙ୍କା ହୋଇଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀ ଏବଂ ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ତାହା (୧୪.୨ କେଜି ସିଲିଣ୍ଡର) ୮୩୪ ଟଙ୍କା ୫୦ ପଇସାରେ ପହଂଚିଛି । ଦେଶର ସର୍ବାଧିକ ସଂଖ୍ୟାରେ ଏଲପିଜି ଗ୍ରାହକ ଥିବା ଇଣ୍ଡିଆନ୍ ଅଏଲ କଂପାନୀର ‘ଇଣ୍ଡେନ୍’ ଗ୍ୟାସ୍ ମୂଲ୍ୟ ଦିଲ୍ଲୀରେ ମେ’ ଓ ଜୁନ ମାସରେ ୮୦୯ ଟଙ୍କା ଥିଲା । ସେହିଭଳି, କୋଲକାତାରେ ରୋଷେଇ ଗ୍ୟାସ୍ ର ମୂଲ୍ୟ ମେ’ ଓ ଜୁନ ମାସରେ ୮୩୫ ଟଙ୍କା ଥିବା ବେଳ ଜୁଲାଇରେ ୮୩୫ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ମେ’ ଓ ଜୁନରେ ରୋଷେଇ ଗ୍ୟାସ୍ ମୂଲ୍ୟ ୮୦୯ ଥିଲା । ଜୁଲାଇରେ ତାହା ୮୩୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଚେନ୍ନାଇରେ ଏହାର ମୂଲ୍ୟ ୮୨୫ ଟଙ୍କାରୁ ବୃଦ୍ଧି ପାଇ ୮୫୦ ଟଙ୍କା ୫୦ ପଇସାରେ ପହଂଚିଛି ।
ତୈଳ କଂପାନୀମାନେ ବାଣିଜ୍ୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ୧୯ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ମଧ୍ୟ ୭୬ ଟଙ୍କା ବଢାଇଛନ୍ତି । ଫଳରେ, ସାଧାରଣତଃ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଥିବା ଛୋଟ, ବଡ଼ ବ୍ୟବସାୟ ସଂସ୍ଥା ଓ କଳ କାରଖାନା ବିଶେଷ ପ୍ରଭାବିତ ହୋଇଛନ୍ତି । କାରଣ, ଘରୋଇ ରଂଧନ ଗ୍ୟାସ୍ ତୁଳନାରେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଟଥେଷ୍ଟ ଅଧିକ । ପୂର୍ବରୁ ବାଣିଜ୍ୟିକ ବ୍ୟବହାର ନକରି ସେମାନେ ଲୁଚା ଚୋରାରେ ୧୪.୨ କେଜିର ଘରୋଇ ରଂଧନ ଗ୍ୟାସ୍ ସିଲିଣ୍ଡରରେ କାମ ଚଳାଉ ଥିଲେ । ତେଣୁ, ରଂଧନ ଗ୍ୟାସ୍ ର କଳାବଜାର ଗ୍ରହକଙ୍କ ପାଇଁ ବଡ଼ ସମସ୍ୟା ଥିଲା । ଏବେ ମଧ୍ୟ ସେହି ସମସ୍ୟା ରହିବ ଏବଂ ବଢିବ ।
ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ଗତ ବର୍ଷ ଡ଼ିସେମ୍ବର ମାସ ପରଠାରୁ କ୍ରମାଗତ ଭାବେ ଏଲପିଜି ଦର କ୍ରମାଗତ ଭାବେ ବଢି ଆସୁଛି । ତୈଳ କଂପାନୀମାନେ ୨୦୨୧ ଫେବୃୟାରୀ ଓ ମାର୍ଚ୍ଚରେ ଏଲପିଜି (ଘରୋଇ ବ୍ୟବହାର ଉପଯୋଗୀ ୧୪.୨ କେଜି ସିଲିଣ୍ଡର) ଦର ବଢାଇ ଥିଲେ । ଏପ୍ରିଲ ମାସରେ ଏଲପିଜି ମୂଲ୍ୟ ମାତ୍ର ୧୦ ଟଙ୍କା କମି ଥିବା ବେଳେ ମେ’ ମାସରୁ ପୁନର୍ବାର ବଢି ଚାଲିଛି । ଡ଼ିସେମ୍ବର ପରଠାରୁ ଦେଶରେ ଏଲପିଜିର ୫ ଥର ମୂଲ୍ୟ ବୃଦ୍ଧି ଘଟିଲାଣି । ଫେବୃୟାରୀ ୪ ତାରିଖରେ ୨୫ ଟଙ୍କା,୧୫ ତାରିଖରେ ୫୦ ଟଙ୍କା ଏବଂ ୨୫ ତାରିଖରେ ପୁଣି ୨୫ ଟଙ୍କା ବଢିି ଥିଲା । ମାର୍ଚ୍ଚ ୨ରେ ତୈଳ କଂପାନୀମାନେ ଏଲପିଜି ମୂଲ୍ୟ ଆଉ ୨୫ ଟଙ୍କା ବୃଦ୍ଧି କଲେ । ଚେନ୍ନାଇରେ ଗତ ୬ ମାସରେ ଏଲପିଜି ମୂଲ୍ୟ ସର୍ବାଧିକ ୧୪୦ ଟଙ୍କା ବୃଦ୍ଧି ପାଇ ଥିବା ବେଳେ ଦେଶରେ ୧୭୫ ଟଙ୍କା ବୃଦ୍ଧି ପାଇଛି ।
କେବଳ ଏଲପିଜି ନୁହେଁ, ଦେଶରେ ପେଟ୍ରୋଲ, ଡ଼ିଜେଲ ଦରରେ ମଧ୍ୟ କ୍ରମାଗତ ବୃଦ୍ଧି ଘଟି ଲିଟର ୧୦୦ ଟଙ୍କାରେ ପହଂଚିଲାଣି । ଏହାଛଡା, ଖାଇବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ହାଣ୍ଡିଶାଳର ଚିନ୍ତା ବଢାିଚି । ଏହାସତ୍ତ୍ୱେ, କେନ୍ଦ୍ର ବା ରାଜ୍ୟ ସରକାରମାନେ ଚିନ୍ତିତ ନୁହନ୍ତି । କାରଣ, ସେମାନେ କରୋନା ପରିସ୍ଥିତିରେ ଉଜୁଡ଼ି ଯାଇଥିବା ଅର୍ଥନୀତିକୁ ପଟରିକୁ ଆଣିବା ପାଇଁ ତୈଳଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ଆଶ୍ରା କରିଛନ୍ତି । କେନ୍ଦ୍ର ସରକାର ‘ଉତ୍ପାଦ ଶୁଳ୍କ’ ନାମରେ ଉପଭୋକ୍ତାଙ୍କୁ ଲୁଟୁ ଥିବା ବେଳେ ରାଜ୍ୟ ସରକାରମାନେ ‘ଭାଟ୍’ ବୃଦ୍ଧି କରି ନିଜ ଆୟ ବଢାଉଛନ୍ତି । ସାଧାରଣ ଉପଭୋକ୍ତାଙ୍କୁ କିଏ ପଚାରେ ? କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ପ୍ରଶ୍ନ ହେଲେ ତାଙ୍କର ଉତ୍ତର ରହୁଛି – ସରକାର ତୈଳ ମୂଲ୍ୟ ନିର୍ଦ୍ଧାରଣ କରୁ ନାହାନ୍ତି, ତୈଳ କଂପାନୀମାନେ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟକୁ ଦେଖି ପ୍ରତି ମାସରେ ତାହା ଧାର୍ଯ୍ୟ କରୁଛନ୍ତି । ତାହା ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ । ଆଉ ସରକାର ଉତ୍ପାଦ ଶୁଳ୍କ ଆକାରରେ ଯେଉଁ ରାଜସ୍ୱ ପାଉଛନ୍ତି ସେଥିରୁ ରାଜ୍ୟମାନେ ଭାଗ ପାଉଛନ୍ତି ଏବଂ ଦେଶରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେବା ସହ କରୋନା ମୁକାବିଲା କାର୍ଯ୍ୟ ମଧ୍ୟ ହେଉଛି ।
ଯେତେବେଳେ ଦେଶର ତୈଳ ମନ୍ତ୍ରୀ ନିଜେ ତୈଳ କଂପାନୀଙ୍କ ତରଫଦାରୀ କରୁଛନ୍ତି ଏବଂ ମୂଲ୍ୟ ବୃଦ୍ଧି ଯଥାର୍ଥ ବୋଲି କହୁଛନ୍ତି ସାଧାରଣ ଉପଭୋକ୍ତା ଗୁହାରୀ କହିବେ କାହାକୁ । ଏହା ଏକ ବିକଟ ପରିସ୍ଥିତି ନୁହେଁ ତ ଆଉ କଣ ??
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS