ସମ୍ଭାବ୍ୟ କୋଭିଡ଼ ତୃତୀୟ ଲହରକୁ ନେଇ ଚିତ୍ର ଅସ୍ପଷ୍ଟ !
ପ୍ରସାଦ ରାଓ
ଜୁଲାଇ ୦୩
କୋଭିଡ଼ର ଦ୍ୱିତୀୟ ଲହର ଏପ୍ରିଲ ଓ ମେ’ ମାସରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିବା ପରେ ଜୁନ ମାସରୁ ନିମ୍ନମୁଖୀ ହୋଇଛି । ଜୁନରୁ ଦେଶରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା କମି ଜୁଲାଇରେ ୪୫ ହଜାର ତଳେ ରହିଛି । ଶନିବାର ସକାଳ ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ୪୪ ହଜାର ୧୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ୭୩୮ଟି କୋଭିଡ଼ ଜନିତ ମୃତ୍ୟୁ ଘଟିଛି । ଫଳରେ, ଦେଶରେ ମୋଟ କୋଭିଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫ ଲକ୍ଷ ୨ ହଜାର ୩୬୨ରେ ପହଂଚି ଥିବା ବେଳେ କୋଭିଡ଼ ଜନତି ମୃତ୍ୟୁ ସଂଖ୍ୟା ମଧ୍ୟ ୪ ଲକ୍ଷ ୧ ହଜାର ୫୦ରେ ପହଂଚିଛି । ତେବେ, କୋଭିଡ଼ ଆକ୍ଟିଭ୍ କେସ୍ ସଂଖ୍ୟା ୪ ଲକ୍ଷ ୯୫ ହଜାର ୫୩୩କୁ କମିଛି ।
ଭାରତରେ ୨୦୨୦ ମାର୍ଚ୍ଚରୁ କୋଭିଡ଼ର ପ୍ରଥମ ଲହର ଆରମ୍ଭ ହୋଇ ବର୍ଷ ଶେଷ ଯାଏଁ ପ୍ରଭାବ ଜାରି ରଖିଥିଲା । ୨୦୨୧ର ମଧ୍ୟ ମାର୍ଚ୍ଚରୁ ଦ୍ୱିତୀୟ ଲହର ଚାଲିଛି ।
ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ଅଧିକ ଘାତକ ରହିଛି । ନୂଆ ନୂଆ ପ୍ରଜାତିର ଆବିର୍ଭାବ କୋଭିଡ଼ ସଂକ୍ରମଣକୁ ଅଧିକ ଭୟଂକର କରିଥିବା ବେଳେ ଜାନୁୟାରୀ ୧୬ରୁ ଚାଲି ଥିବା ଟିକାକରଣ ଏବଂ ସରକାରୀ ସ୍ତରରେ ଜାରି ହୋଇଥିବା ବିଭିନ୍ନ କଟକଣା ଏହାକୁ ରୋକିବାର ଏକମାତ୍ର ମାଧ୍ୟମ ଭାବେ ବିଚାର କରାଯାଉଛି । ଏବେ, ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । କିନ୍ତୁ, ତୃତୀୟ ଲହର ଆସିବ କି ନାହିଁ ଏବଂ ଯଦି ଆସେ ଏହା କେତେଦୂର ଘାତକ ସିଦ୍ଧ ହେବ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ ।
କିଛି ବିଶେଷଜ୍ଞଙ୍କ ମତରେ ଦେଶରେ କୋଭିଡ଼ର ତୃତୀୟ ଲହର ଆସିବା ସମ୍ଭାବନା କ୍ଷୀଣ । ସଂକ୍ରମଣକୁ ଦୃତ ବେଗରେ ଆଗକୁ ନେଲା ଭଳି କୌଣସି ମ୍ୟୁଟାଂଟର ଆବିର୍ଭାବ ନ ଘଟିଲେ କୋଭିଡ଼ର ସମ୍ଭାବ୍ୟ ତୃତୀୟ ଲହର ଜନଜୀବନକୁ ବିଶେଷ ପ୍ରଭାବିତ କଲା ଭଳି ହେବ ନାହିଁ ବୋଲି କାନପୁର ଆଇଆଇଟିର ‘ସୂତ୍ର ମଡେଲ୍ ଆନାଲିସିସ୍’ରୁ ଜଣାପଡିଛି । ଏହି ‘ମଡେଲ ଆନାଲିସିସ୍ ଟିମ୍’ର ବୈଜ୍ଞାନିକଙ୍କ ଦଳରେ ସାମିଲ ଥିବା କାନପୁର ଆଇଆଇଟିର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯଦି ଦୃତ ବେଗରେ ସଂକ୍ରମଣ କଲା ଭଳି କୌଣସି ମ୍ୟୁଟାଂଟ୍ ର ଆବିର୍ଭାବ ନ ଘଟିଲେ କୋଭିଡ଼ର ସମ୍ଭାବ୍ୟ ତୃତୀୟ ଲହର ଖୁବ୍ ଶୀଘ୍ର ଅପସରି ଯିବ । କିନ୍ତୁ, ଦୃତ ଗତିରେ ସଂକ୍ରମିତ କଲା ଭଳି କୌଣସି ମ୍ୟୁଟେଂଟ୍ ଆବିର୍ଭାବ ଘଟିଲେ ତୃତୀୟ ଲହର ପ୍ରଥମ ଲହର ଭଳି ଘାତକ ହେବ ।
ପ୍ରଫେସର ଅଗ୍ରୱାଲ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ତିନି ପ୍ରକାର ସିନେରିଓ ଉପସ୍ଥାପନ କରିଛନ୍ତି । ପ୍ରଥମଟି ହେଲା, ତୃତୀୟ ଲହର ଆସିବ ଏବଂ ଖୁବ୍ ଶୀର୍ଘ ଅପସରି ଯିବ । ଦ୍ୱତୀୟ ସିନେରିଓ ହେଲା, ତୃତୀୟ ଲହରରେ ଯଦି ଦୃତ ବେଗରେ ସଂକ୍ରମଣ କଲା ଭଳି ମ୍ୟୁଟାଂଟ୍ ନଥିବ ତେବେ ତାହା ମଧ୍ୟ ଅଧିକ ଦିନ ତିଷ୍ଠିବ ନାହିଁ । ତୃତୀୟ ସିନେରିଓ ହେଉଛି, ଦୃତ ବେଗରେ ସଂକ୍ରମିତ କଲା ଭଳି ଯଦି କୌଣସି ମ୍ୟୁଟାଂଟର ଆବିର୍ଭାବ ଘଟେ ତେବେ ତୃତୀୟ ଲହର ପ୍ରଥମ ଲହର ଭଳି ଘାତକ ହେବ । ଯଦି କୌଣସି ଘାତକ ମ୍ୟୁଟାଂଟ୍ ର ଆବିର୍ଭବ ନ ଘଟିବ, ଅଗଷ୍ଟରେ ସ୍ଥିତି ସାମାନ୍ୟ ହୋଇଯିବ ବୋଲି ‘ସୂତ୍ର ମଡେଲ୍ ଆନାଲିସିସ୍’କୁ ଆଧାର କରି ପ୍ରଫେସର ଅଗ୍ରୱାଲ କହିଛନ୍ତି ।
ସେ କହିଛନ୍ତି, କୋଭିଡ଼ ଟିକା ଆଶାରୁ ୨୦ ପ୍ରତିଶତ କମ୍୍ କାମ କରୁଥିଲେ ତାହାର ମଧ୍ୟବର୍ତ୍ତୀକାଳୀନ ପ୍ରଭାବ ଦେଖିବାକୁ ମିଳି ପାରେ । ତୃତୀୟରେ, ଅଗଷ୍ଟରେ ପଚିଶି ପ୍ରତିଶତ ଅଧିକ ସଂକ୍ରମଣ କଲା ଭଳି ମ୍ୟୁଟାଂଟ୍ ଆସିବା ଆଶଙ୍କା ମଧ୍ୟ ରହିଛି । ଇମ୍ୟୁନିଟିକୁ ମାତ୍ ଦେଲା ଭଳି କୌଣସି ମ୍ୟୁଟାଂଟ ଯଦି ଆସେ ତେବେ ଉପରର ସମସ୍ତ ସମ୍ଭାବନା ଅକାମୀ ହୋଇଯିବ । କୋଭିଡ଼ରୁ ସୁସ୍ଥ ହୋଇଥିବା ଲୋକଙ୍କ ଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି ) କେତେଦୂର ସବଳ ରହୁଛି ଏବଂ ଭ୍ୟାକ୍ସିନ୍ ଦ୍ୱାରା ପ୍ରାପ୍ତ ରୋଗ ପ୍ରତିରୋଧକ ଶକ୍ତିର ବାସ୍ତବିକତା ଉପରେ ଭବିଷ୍ୟତ ନିର୍ଭର କରୁଛି ବୋଲି ସେ କହିଛନ୍ତି ।
ଇତିମଧ୍ୟରେ, ସ୍ୱଦେଶୀ କୋଭିଡ଼ ଟିକା ଉତ୍ପାଦନକାରୀ କଂପାନୀ ଭାରତ ବାୟୋଟେକ୍ ଲିମିଟେଡ଼ ତାହାର ‘କୋଭାକ୍ସିନ’ ଟିକାର ତୃତୀୟ ପର୍ଯ୍ୟାୟ ମାନବିକ ପରୀକ୍ଷଣ ଶେଷ କରିଥିବା ସୂଚନା ଦେଇଛି । ‘କୋଭାକ୍ସିନ’ ଟିକା କୋଭିଡ଼ ସିଂପ୍ଟମେଟିକଙ୍କ ରୋଗ ନିଦାନ କ୍ଷେତ୍ରରେ ୭୭.୮ ପ୍ରତିଶତ ଫଳପ୍ରଦ ଥିବା ବେଳେ ‘ଡ଼େଲଟା’ ପ୍ରଜାତି କ୍ଷେତ୍ରରେ ୬୫.୨ ପ୍ରତିଶତ ଏବଂ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ୯୩. ୪ ପ୍ରତିଶତ ଫଳପ୍ରଦ ଥିବା କଂପାନୀ ଦାବି କରିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS