ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ଜୁଲାଇ ୦୩
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତିରଥ ସିଂହ ରାୱତ ଗତକାଲି ରାତିରେ ଇସ୍ତଫା ଦେବା ପରେ ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସି ପୁଷ୍କର ସିଂହ ଧାମୀଙ୍କୁ ନୂଆ ନେତା ଭାବେ ନିର୍ବାଚିତ କରାଯାଇଛି । ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜିର ବିଧାୟକ ଦଳ ବୈଠକରେ ଉପସ୍ଥିତି ଥିଲେ । ବୈଠକରେ ଧାମୀ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ପରେ ତୋମର ଘୋଷଣା କରିଛନ୍ତି ।
୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ପାଇଁ ୨୦୧୭ରେ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ବିଜେପି ୫୭ ଆସନରେ ବିଜୟୀ ହେବା ପରେ ରାଜ୍ୟରେ ସରକାର ଗଠନ କରିଥିଲା । ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଧାୟକ ତ୍ରିଭେନ୍ଦର ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ । ତେବେ, ବିଧାୟକ ଦଳରେ ଅସନ୍ତୋଷ ଲାଗି ରହିବାରୁ ଗତ ମାର୍ଚ୍ଚ ମାସରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦର ସିଂହ ରାୱତଙ୍କୁ ହଟାଇ ତିରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରି ଥିଲେ । ମାର୍ଚ୍ଚ ୧୦ ତାରିଖ ଦିନ ତିରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଭିନ୍ନ ବୟାନ ଦେଇ ବିବାଦୀୟ ହୋଇ ପଡି ଥିଲେ । ରାଜ୍ୟରେ ଆୟୋଜିତ ‘କୁମ୍ବମେଳା’ ମଧ୍ୟ ସରକାରୀ ଅବହେଳା କାରଣରୁ କରୋନା ‘ସୁପର ସ୍ପ୍ରେଡର’ ହୋଇ ଦେଶବ୍ୟାପୀ ସମାଲୋଚିତ ହୋଇଥିଲା ।
ତିରଥ ସିଂହ ରାୱତ ରାଜ୍ୟର ଗରୱାଲ ଲୋକସଭା କ୍ଷେତ୍ରରୁ ବିଜେପି ସାଂସଦ ଅଛନ୍ତି । ନିର୍ବାଚନ ବିଧି ମୁତାବକ ତିରଥ ସିଂହ ମୁଖ୍ୟମନ୍ତ୍ରୀ ପଦରେ ରହିବା ସକାଶେ ଛଅ ମାସ ମଧ୍ୟରେ, ଅର୍ଥାତ ସେପ୍ଟେମ୍ବର ୧୦ ସୁଦ୍ଧା ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବା ଆବଶ୍ୟକତା ରହିଛି । ତେବେ, ମାତ୍ର ଗୋଟିଏ ବର୍ଷ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଭାରତୀୟ ନିର୍ବାଚନ କମିସନ୍ ରାଜ୍ୟରେ କୌଣସି ଉପ ନିର୍ବାଚନ କରାଇବା ସପକ୍ଷରେ ନାହାନ୍ତି । ତେଣୁ, ସାମ୍ବିଧାନିକ ସଂକଟକୁ ଏଡାଇବା ପାଇଁ ତିରଥ ସିଂହ ରାୱତଙ୍କୁ ଇସ୍ତଫା ଦେବାକୁ ପଡିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଦଳର ନୂଆ ନେତା ଭାବେ ନିର୍ବାଚିତ ହୋଇଥିବା ପୁଷ୍କର ସିଂହ ଧାମୀ ଉଦ୍ଧାମ ସିଂହ ନଗର ଜିଲ୍ଲା ଖାତିମା ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ତାଙ୍କ ଜନ୍ମ ପିଥୋରାଗଡ଼ରେ ଏବଂ ସେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପୁତ୍ର । ଦଳର ଜଣେ ସାଧାରଣ କର୍ମୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯାଇଛି ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତୋମର ବିଧାୟକ ଦଳ ବୈଠକ ସରିବା ପରେ ଟ୍ୱିଟ୍ କରିଛନ୍ତି । ଗତ ଚାରି ମଧ୍ୟରେ ଧାମୀ ହେବାକୁ ଯାଉଛନ୍ତି ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS