‘ଗିଲୋୟୀ’ର ମାତ୍ରାଧିକ ସେବନ ଦ୍ୱାରା ‘ଲିଭର୍ ଡ଼୍ୟାମେଜ୍’ ସମ୍ଭାବନା ମଧ୍ୟ ରହିଛି !


ପ୍ରସାଦ ରାଓ
ଜୁଲାଇ ୦୫
‘ଗିଲୋୟୀ’ ହେଉଛି ଏକ ଔଷଧୀୟ ଲଟା, ଯାହାର ପତ୍ରର ଆକାର ପାନ ପତ୍ର ଭଳି । ବାଡ଼ି ବଗିଚାରେ ଏହା ସହଜରେ ଉପଲବ୍ଧ । ଇଂରାଜୀରେ ଏହାର ନାମ ‘ଟିନୋସ୍ପୋରା କାର୍ଡିଫୋଲିଆ’, ହିନ୍ଦୀରେ ‘ଗିଲେୟୀ’ ଏବଂ ଆୟୁର୍ବେଦ ଜଗତରେ ‘ଗୁଡ଼ୁଚିପତ୍ର’ ନାମରେ ପରିଚିତ । ଉତ୍ତର ଓ ପୂର୍ବ ଭାରତରେ ‘ଗିଲୋୟୀ’ ଅତ୍ୟନ୍ତ ଲୋକପ୍ରିୟ । ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ଏହାର ବେଶ୍ ମହତ୍ୱ ରହିଛି । ‘ଗିଲୋୟୀ’ ରସରେ ଭିଟାମିନ ‘ସି’, ମିନରାଲ, କାଲସିୟମ ଓ ଆଇରନ୍ ଭରପୁର । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଭରପୁର ଥିବାରୁ କୋଭିଡ୍ ପରିସ୍ଥିତିରେ ‘ଗିଳୋୟୀ’ର ଚାହିଦା ଅଧିକ । ମହାମାରୀ କୋଭିଡ଼-୧୯ ବା ସାର୍ସ-କୋଭ-୨ ପରିସ୍ଥିତିରେ ପ୍ରତ୍ୟେକ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି ।
କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଇମ୍ୟୁନିଟି ବୁଷ୍ଟର୍ ଭାବେ ଯେଉଁ ସବୁ ବିକଳ୍ପ ଔଷଧର ଅନୁମୋଦନ ଦେଇଛି ସେଥିରେ ‘ଗିଲୋୟୀ’ ଅନ୍ତର୍ଭୁକ୍ତ । ଆୟୁର୍ବେଦ ହେଉ ବା ଏଲୋପାଥୀ ଔଷଧ ଦୋକାନ ହେଉ ବା ଯୋଗଗୁରୁ ରାମଦେବଙ୍କ ‘ପତଂଜଳୀ’ ଷ୍ଟାର୍ ହେଉ ବା ଗୁରୁ ରବିଶଙ୍କରଙ୍କ ‘ଶ୍ରୀ ଶ୍ରୀ’ ବ୍ରାଣ୍ଡ୍ ଔଷଧ ଦୋକାନ ହେଉ, ସବୁଠି ‘ଗିଲୋୟୀ’ ଜୁସ୍ ଉପଲବ୍ଧ । ‘ଗିଲୋୟୀ’ ଜୁସ୍ ର ଗ୍ରହଣୀୟତା ବଢିବା ପରେ ଘରେ ଘରେ ଏହି ଗଛର ଲଟା ଦେଖିବାକୁ ମିଳୁଛି । ନିଜ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଅଧିକାଂଶ ଲୋକ ଏହି ପତ୍ରର ଜୁସ୍ ପିଇବା ଯୋଗୁଁ ଆଜିର ଦିନରେ ଏହାର ଚାହିଦା ଅଧିକ ଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ, ମୁମ୍ବାଇର ଡ଼ାକ୍ତରମାନେ ଏବେ ‘ଗିଲୋୟୀ’ ଜୁସ୍ କୁ ନେଇ ଏକ ନୂଆ ଦିଗ ଉନ୍ମୋଚନ କରିଛନ୍ତି । ‘ଗିଲୋୟୀ’ରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ଅଧିକ ଥିଲେ ମଧ୍ୟ ଡ଼ାକ୍ତରଙ୍କ ପରାମର୍ଶ ବିନା ତାହାର ସେବନ ଯକୃତକୁ ଗମ୍ଭୀର ଭାବରେ ପ୍ରଭାବିତ କରିବାରେ ବା ନଷ୍ଟ କରିପାରେ ବୋଲି ସେମାନେ କହିଛନ୍ତି ।
୨୦୨୦ ସେପ୍ଟେମ୍ବରରୁ ଡ଼ିସେମ୍ବର ମଧ୍ୟରେ କୋଭିଡ଼-୧୯ ମହାମାରୀର ପ୍ରଥମ ଲହରରେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାିବା ପାଇଁ ‘ଗିଲୋୟୀ’ ଜୁସ୍ ସମେତ ବିଭିନ୍ନ ଔଷଧୀୟ ଲଟାର ରସ ଏବଂ ପାରଂପରିକ ଔଷଧ ସେବନ କରି ଅନ୍ୟୁନ ଛଅ ଜଣ ରୋଗୀ ଗୁରୁତର ‘ଲିଭର ଡ୍ୟାମେଜ୍’ର ସମ୍ମୁଖୀନ ହୋଇଥିବା ମୁମ୍ବାଇ ଡ଼ାକ୍ତରଙ୍କ ଦ୍ୱାରା ହୋଇଥିବା ଷ୍ଟଡ଼ିରୁ ଜଣାପଡିଛି । ଡ଼ାକ୍ତରଙ୍କ କହିବା ଅନୁଯାୟୀ, ଏହି ରୋଗୀମାନେ ଗୁରୁତର ଜଣ୍ଡିସ୍ (କାମଳ ରୋଗ) ରୋଗ ଓ ଲେଥର୍ଜିର ଶିକାର ହୋଇ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଆସି ଥିଲେ । ସମସ୍ତେ ନିଜ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ପାଇଁ ‘ଗିଲୋୟୀ’ ରସ ସେବନ କରୁଥିଲେ । ଜଣେ ୬୨ ବର୍ଷର ମହିଳା ହସ୍ପିଟାଲରେ ଚିକିତ୍ସିତ ହେବାର ଚାରି ମାସ ପରେ ମୃତ୍ୟୁବରଣ କରିଥିଲେ । ମହିଳା ଜଣକର ତଳି ପେଟରେ ପାଣି (ଫ୍ଲାଇଡ୍) ଜମି ରହି ଥିବା ସେ ଡ଼ାକ୍ତରଖାନାକୁ ଆସିବା ସମୟରେ ଜଣାପଡିଥିଲା । ଏହା ଥିଲା ‘ଲିଭର ଫେଲ୍ୟୁଏର’ର ସଂକେତ ବୋଲି ଡ଼ାକ୍ତରମାନେ କହିଛନ୍ତି ।
‘ଗିଲୋୟୀ’ ରସ ସେବନ ଦ୍ୱାରା ‘ଯକୃତ’ କ୍ଷତିଗ୍ରସ୍ତ ହେଉଥିବା ‘ପ୍ରଥମ ଥର ପାଇଁ ଆମେ ବାୟୋପ୍ସିରୁ ଜାଣିଲୁ’ ବୋଲି ଡ଼କ୍ଟର ଅଭୟ ନାଗରାଲ ନାମକ ଜଣେ ହେପାଟୋଲୋଜିଷ୍ଟ୍ କହିଛନ୍ତି । ଡ଼କ୍ଟର ନାଗରାଲଙ୍କ ଏସଂପର୍କିତ ସନ୍ଦର୍ଭ ‘ଇଣ୍ଡିଆନ ନ୍ୟାସନାଲ ଆସୋସିଏସନ୍ ଫର୍ ଦି ଷ୍ଟଡ଼ି ଅଫ୍ ଦି ଲିଭର’ର ଏକ ମେଡ଼ିକାଲ୍ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ଜଣାପଡିଛି । ଡ଼କ୍ଟର ନାଗରାଲଙ୍କ ଗବେଷଣା ସହ ସଂପୃକ୍ତ ନଥିବା ଅନ୍ୟ ଜଣେ ଲିଭର୍ ଟ୍ରାନ୍ସପ୍ଲାଂଟ ସର୍ଜନ ଡ଼କ୍ଟର ଏ.ଏସ.ସୋଇନ ମଧ୍ୟ ଏକାଭଳି ମତ ରଖିଛନ୍ତି । ସେ କହିଛନ୍ତି, ଦିଲ୍ଲୀରୁ ମୁମ୍ବାଇ ଭିତରେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନ୍ତତଃ ପାଂଚଟି ‘ଗିଲୋୟୀ’ ସଂପର୍କିତ ଲିଭର୍ ଡ଼୍ୟାମେଜ୍ କେସ୍ ଦେଖିଛନ୍ତି । ସେଥିରୁ ଜଣକର ମୃତ୍ୟୁ ଘଟିଛି । କୋଭିଡ଼ ମହାମାରୀ ସମୟରେ ନିଜ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେମାନେ ‘ଗିଲୋୟୀ’କୁ ଆଂଟି ଅକ୍ସିଡେଂଟ୍ ଭାବେ ସେବନ କରୁଥିଲେ । ଦୁର୍ଭଗ୍ୟବଶତଃ, ମାତ୍ରାଧିକ ସେବନ ଯୋଗୁଁ ସେମାନଙ୍କ ‘ଲିଭର୍ ଟକ୍ସିସିଟ୍’ ବଢି ଯକୃତ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ପାଂଚ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟି ଥିବା ବେଳେ ଅନ୍ୟମାନେ ‘ଗିଲୋୟୀ’ ସେବନ ବନ୍ଦ କରିବାରୁ ସୁସ୍ଥ ହୋଇ ଫେରିଛନ୍ତି ବୋଲି ଡ଼କ୍ଟର ସୋଇନ କହିଛନ୍ତି ।
ଆୟୁଷ ମନ୍ତ୍ରଣାଳୟ ସାର୍ସ କୋଭ-୨ର ମୁକାବିଲା ପାଇଁ ଇମ୍ୟୁନିଟି ବୁଷ୍ଟର୍ ଭାବେ ଅନ୍ୟାନ୍ୟ ବିକଳ୍ପ ସହ ‘ଗିଲୋୟୀ’କୁ ମଧ୍ୟ ଏକ ବିକଳ୍ପ ଭାବେ ଅନୁମୋଦନ ଦେଇଛି । ତେବେ, ଡ଼ାକ୍ତରଙ୍କ ପରାମର୍ଶ ବିନା ଅନେକ ଏହାର ସେବନ କରୁ ଥିବାରୁ ଯକୃତ୍ ରୋଗରେ ପୀଡ଼ିତ ହେଉଛନ୍ତି ବୋଲି ମୁମ୍ବାଇରେ ହୋଇଥିବା ଷ୍ଟଡ଼ିରୁ ଜଣାପଡିଛି । ଏଥିରେ କୁହାଯାଇଛି ଯେ, ଡ଼ାକ୍ତରଙ୍କ ସହ ପରାମର୍ଶ ନକରି ସେମାନେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ‘ଗିଲୋୟୀ’ ସେବନ କରିବାରୁ ସମ୍ଭବତଃ ‘ଅଟୋ-ଇମ୍ୟୁନ୍ ରେସ୍ପନ୍ସ୍’ର ଶିକାର ହୋଇଛନ୍ତି । ସେମାନଙ୍କୁ ଲିଭର୍ ଡ୍ୟାମେଜ୍ ହୋଇଥିବା ଲିଭର୍ ବାୟୋପ୍ସିରୁ ଜଣାପଡିଛି । ମଣିଷ ଦେହରେ ସ୍ୱାଭାବିକ ଭାବେ ଉପଲବ୍ଧ ଥିବା ରୋଗ ପ୍ରତିରୋଧକ ଶକ୍ତି ବାହାରୁ କୌଣସି ଭାଇରସ୍ ର ପ୍ରବେଶ ଦେଖିଲେ ତାହା ବିରୋଧରେ ଲଢେଇ କରିଥାଏ ଏବଂ ଭାଇରସ୍ କୁ ନଷ୍ଟ କରିଥାଏ । ତାହାକୁ ଡ଼ାକ୍ତରୀ ଭାଷାରେ ‘ଇମ୍ୟୁନ୍ ରେସପନ୍ସ୍’ କୁହାଯାଏ । ତେବେ, ହାଇଫୋଥାଇରୋଜିମ୍, ଡ଼ାଇବେଟିସ୍ ଭଳି ରୋଗୀଙ୍କ କ୍ଷେତ୍ରରେ ‘ଗିଲୋୟୀ’ ସେବନ ଯକୃତ ଉପରେ ଗୁରୁତର ପ୍ରଭାବ ପକାଇ କ୍ଷତିଗ୍ରସ୍ତ କରିଥାଏ ।
ମଣିଷ ଦେହରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଯେତେବେଳେ ଦେହର ସୁସ୍ଥ କୋଷିକା ଓ ଟିସୁଗୁଡିକୁ ଆକ୍ରମଣ କରି ନଷ୍ଟ କରେ ତାହାକୁ ‘ଅଟୋ-ଇମ୍ୟୁନ୍ ରେସ୍ପନ୍ସ’ କୁହାଯାଏ । ‘ଗିଲୋୟୀ’ରେ ରୋଗ ପ୍ରତିରୋଧକ ଶକ୍ତି ଭରପୁର ଥିଲେ ମଧ୍ୟ ଏହାର ମାତ୍ରଧିକ ସେବନ ଦ୍ୱାରା ବା ଯେଉଁମାନଙ୍କ ଅଟୋ-ଇମ୍ୟୁନ୍ ସମସ୍ୟା ରହିଛି ସେମାନଙ୍କ କ୍ଷେତ୍ରରେ ‘ଆଟୋ-ଇମ୍ୟୁନ୍ ରେସ୍ପନ୍ସ’ ସୃଷ୍ଟି ହୋଇଥାଏ । ମୁମ୍ବାଇ ଷ୍ଟଡ଼ିରେ ସାମିଲ ଛଅ ରୋଗୀଙ୍କ କ୍ଷେତ୍ରରେ ତାହା ହୋଇଛି । ‘ଗିଲୋୟୀ’ ସେବନ ଦ୍ୱାରା ଅଟୋ-ଇମ୍ୟୁନ୍ ରେସ୍ପନ୍ସ’ ଦେଖା ଦେଇ ସେମାନଙ୍କ ଯକୃତ୍ କୋଷିକାଗୁଡିକ ନଷ୍ଟ ହେବା ସହ ଜୀବନ ନେଲା ଭଳି ଗୁରୁତର ‘ଲିଭର ଇନ୍ଜ୍ୟୁରୀ’ ହୋଇଥିଲା ବୋଲି ଡ଼କ୍ଟର ନାଗରାଲ କହିଛନ୍ତି । ‘ଗିଲୋୟୀ’ ସେବନ ଜନିତ ଲିଭର୍ ଡ଼୍ୟାମେଜ୍ ସମସ୍ୟାକୁ ନେଇ ପ୍ରଥମେ ଯଶଲୋକ ହସପିଟାଲକୁ ଆସି ଥିବା ଚେମ୍ବୁରର ଜଣେ ୪୧ ବର୍ଷିୟ ବ୍ୟକ୍ତି ସ୍ୱୀକାର କରିଛନ୍ତି ଯେ, ତାଙ୍କ ବନ୍ଧୁ କୋଭିଡ଼ରେ ଆକ୍ରାନ୍ତ ହେବା ପରେ ସେ ଓ ତାଙ୍କର କିଛି ବନ୍ଧୁ ପ୍ରତି ଦିନ ସକାଳେ ‘ଗିଲୋୟୀ’ ଜୁସ୍ ସେବନ କରିବା ଆରମ୍ଭ କରିଥିଲେ । ପଡ଼ିଶା ଘରେ ‘ଗିଲୋୟୀ’ ଗଛ ଥିବାରୁ ସହଜରେ ଉପଲବ୍ଧ ହେଉଥିଲା । ୪୫ ଦିନ ଲଗାତର ସେବନ କରିବା ପରେ ସେ ଜଣ୍ଡିସରେ ଆକ୍ରନ୍ତ ହୋଇ ହସପିଟାଲ ଆସିଲେ ।
ଜଣେ ୩୮ ବର୍ଷିୟ ଥାଲସେମିଆ ଆକ୍ରାନ୍ତ ରୋଗୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ପ୍ରତିଦିନ ୧୫ ଏମଏଲ ପାଣିରେ ତିନି ଚାରିଟି ‘ଗିଲୋୟୀ’ ପତ୍ରର ରସକୁ ମିଶାଇ ଛଅ ମାସ କାଳ ସେବନ କରିଥିଲେ । ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ମଧ୍ୟରେ ଜଣେ ‘ହାଇପୋଥାଇରଡିଜିମ୍’ ରୋଗୀ ମଧ୍ୟ ଅନ୍ତର୍ଭୁକ୍ତ । ଡ଼କ୍ଟର ସୋଇନ କହିଛନ୍ତି, ଡ଼ାଇବେଟିସ୍ ବା ଆଲକୋହଲ୍ ସେବନ ଯୋଗୁଁ ବେସ୍ ଲାଇନ ଲିଭର ଡ଼୍ୟାମେଜ୍ ଥିବା ରୋଗୀମାନେ ଅଟୋ-ଇମ୍ୟୁନ୍ ହେପାଟାଇଟିସରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଛି । ତେଣୁ, ବଜାରରେ ମିଳୁଥିବା ‘ଗିଲୋୟୀ’ ଗ୍ୟାବଲେଟ୍ ଓ ଜୁସ୍ ବୋତଲ ଡ଼ବା ଉପରେ ସମ୍ଭାବ୍ୟ ଲିଭର୍ ଇନଜ୍ୟୁରୀ ସଂପର୍କରେ ସତର୍କ ସୂଚନା ଲେଖା ରହିବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି । ଆୟୁଷ ମନ୍ତ୍ରଣାଳୟ ଏହି ପରାମର୍ଶକୁ କେତେଦୂର ଗ୍ରହଣ କରୁଛି ତାହା ସମୟ କହିବ ।
ମୋଅନୁଭବ.କମ୍

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS