ଫାଦର ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁ ଏକ ‘ସରକାରୀ ପ୍ରୟୋଜିତ ହତ୍ୟା’ ?
ପ୍ରସାଦ ରାଓ
ଜୁଲାଇ ୦୬
ଦେଶରେ କୋଭିଡ଼ ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହରରେ ଅନେକ ମୃତ୍ୟୁ ଘଟିଲାଣିି । କିଏ ନିଜ ସଂପର୍କିୟକୁ ହରାଇଛି ତ କିଏ ବନ୍ଧୁବର୍ଗଙ୍କୁ । ଏହି ଦୁଇଟି ଲହରରେ ଅନେକ ଅଜଣା ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ଘଟିଛି । ମୃତ୍ୟୁ ହିଁ ମୃତ୍ୟୁ ଖବର ମନକୁ କିଛି ସମୟ ପାଇଁ ବିଚଳିତ କରିଛି ସିନା ସମୟକ୍ରମେ ଏଭଳି ଖବର ଦେହସୁହା ହେଲାଣି । ତେବେ, ସୋମବାର ମୁମ୍ବାଇର ହୋଲି ଫ୍ୟାମିଲି ହସ୍ପିଟାଲରେ ଘଟିଥିବା ୮୪ ବର୍ଷ ବୟସ୍କ ସାମାଜିକ କାର୍ଯ୍ୟକର୍ତ୍ତା ଫାଦର ଷ୍ଟାନ୍ ସ୍ୱାମୀଙ୍କ ମୃତ୍ୟୁ ଏକ ନିଆରା ଘଟଣା । ଯାହାକି ଆଜିର ଦିନରେ ଆମ ସରକାରୀ, ପ୍ରଶାସନିକ ଓ ବିଚାର ବ୍ୟବସ୍ଥା ପ୍ରତି ଅଂଗୁଳୀ ନିର୍ଦେଶ କରୁଛି ।
ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ ଥାଇ ଚଳନଶକ୍ତୀ ହରାଇ ଥିବା ଜଣେ ୮୪ ବର୍ଷର କୁଆଡେ ମାଓବାଦୀଙ୍କ ପ୍ରତ୍ୟକ୍ଷ ସମର୍ଥକ ଥିଲେ ଏବଂ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ଥିଲେ ! ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଚାଲିଥିବା ଷଡ଼ଯନ୍ତ୍ରରେ ସେ କୁଆଡେ ସାମିଲ ଥିଲେ !! ଦେଶର ଅତ୍ୟନ୍ତ କୁଶଳୀ ଅପରାଧ ତଦନ୍ତକାରୀ ସଂସ୍ଥା ‘ଏନଆଇଏ’ ବା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଏଭଳି ଅଭିଯୋଗ କରିଛି । ଫାଦର ଷ୍ଟାନ ସ୍ୱାମୀ ଏସବୁ ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରି ଥିଲେ ସୁଦ୍ଧା ନା ବିଚାର ବିଭାଗ, ନା ସରକାରଙ୍କ ଗୃହ ମନ୍ତ୍ରଣାଳୟ – କେହି ଶେଷ ପର୍ଯ୍ୟନ୍ତ କର୍ଣ୍ଣପାତ କରି ନାହାନ୍ତି । ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ଥାଇ ବୃଦ୍ଧ ଜଣକ ଏନଆଇଏ ସ୍ୱତନ୍ତ୍ର ଅଦାଲତରେ ବାରମ୍ବାର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିଲେ ସୁଦ୍ଧା ଏଥିରେ କୌଣସି ସତ୍ୟତା ନଥିବା ଦର୍ଶାଇ ଏନଆଇଏ ଜାମିନ ଆବେଦନର ବିରୋଧ କରି ଚାଲିବା ଅମାନୁଷିତା ହିଁ କୁହାଯାଇପାରେ ।
ଶେଷରେ, ସୋମବାର ଦିନ ଏହି ବୃଦ୍ଧ ଫାଦରଙ୍କ ମୁମ୍ବାଇ ‘ହୋଲି ଫ୍ୟାମିଲି ହସ୍ପିଟାଲ’ରେ ଶ୍ୱାସକ୍ରିୟାରେ ଅସୁବିଧା ଏବଂ ହୃଦଘାତରେ ମୃତ୍ୟୁ ଘଟିଛି । ଅପରାହ୍ନରେ, ମୁମ୍ବାଇ ହାଇକୋର୍ଟରେ ଫାଦର ଷ୍ଟାନ ସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣୀ ଚାଲି ଥିବା ବେଳେ ଦିନ ସାଢେ ଦୁଇଟାରେ ଫାଦର ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଓକିଲ ଅଦାଲତଙ୍କୁ ଜଣାି ଥିଲେ । ସ୍ୱାମୀଙ୍କ ଜାମିନ ଆବେଦନ ଶୁଣାଣୀ କରୁଥିବା ବିଚାରପତି ଦ୍ୱୟ ଜଷ୍ଟିସ ଏସ.ଏସ.ସିନେ୍ଦ ଓ ଜଷ୍ଟିସ ଏନ.ଜେ.ଜମାଦାର ଏହି ଖବର ପାଇ ଏକପ୍ରକାର ତଟସ୍ଥ ରହି ଯାଇଥିଲେ । ଅଦାଲତ ତାଙ୍କ ସପକ୍ଷରେ ରାୟ ଦେଇ ଥା’ନ୍ତେ କି ନ ଥା’ନ୍ତେ ଭିନ୍ନ କଥା, କିନ୍ତୁ ଷ୍ଟାନଙ୍କ ଜେଲରୁ ବାହାରିବା ଆଶାର ସେଇଠି ପରିସମାପ୍ତି ଘଟିଲା । ସରକାର ଓ ଏନଆଇଏ ଚାହିଁଲେ ମଧ୍ୟ ଷ୍ଟାନଙ୍କୁ ଆଉ ହାତ ମୁଠାରେ ପାଇବେ ନାହିଁ ।
ଫାଦର ଷ୍ଟାନ ସ୍ୱାମୀ ତାମିଲନାଡୁର ତିରୁଚିରାପଲ୍ଲୀରେ ଜନ୍ମିତ ଥିଲେ ମଧ୍ୟ ତାଙ୍କ କର୍ମକ୍ଷେତ୍ର ଥିଲା ଅବିଭକ୍ତ ବିହାରର ଆଦିବାସୀ ଅଧ୍ୟୁଷିତ ଚାଇଁବସା ଅଂଚଳ । ୨୮ ବର୍ଷ ବୟସରେ ସେ ଚାଇଁବସା (ବର୍ତ୍ତମାନ ଝାଡ଼ଖଣ୍ଡ ରାଜ୍ୟର ରାଂଚିରେ ଥିବା) ଚାଲି ଆସି ‘ହୋ’ ଆଦିବାସୀଙ୍କ ଜୀବନ ଶୈଳୀ ଉପରେ ଗବେଷଣା କରୁଥିଲେ । ଗବେଷଣା କରୁ କରୁ ସେ ଗରିବ ଆଦିବାସୀଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରି ସରକାରଙ୍କ ଚକ୍ଷୁଶୂଳ ହୋଇଥିଲେ । ସେ ଜଣେ ସମାଜ ବିଜ୍ଞାନୀ ଥିଲେ । ସମାଜ ବିଜ୍ଞାନରେ ଅଧିକ ଜ୍ଞାନ ଆହରଣ ପାଇଁ ସେ ବେଲଜିୟମ୍ ଯାଇ ଗୋଟିଏ ବର୍ଷ କୋର୍ସ କରି ଥିଲେ । ସେଠାରେ ତାଙ୍କୁ ସମାଜ ବିଜ୍ଞାନ (ସୋସିଓଲୋଜି)ରେ ଡକ୍ଟରେଟ୍ ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା । ତେବେ, ଅର୍ଜିତ ଜ୍ଞାନକୁ ମାନବ କଲ୍ୟାଣରେ ଲଗାଇବା ଲକ୍ଷ୍ୟ ନେଇ ସେ ଡ଼କ୍ଟରେଟକୁ ଉପେକ୍ଷା କରି ଫେରି ଆସି ଥିଲେ ଚାଇଁବସା । ଆଦିବାସୀ ସଂପ୍ରଦାୟ ଉପରେ ହେଉଥିବା ଅତ୍ୟାଚାର ସଂପର୍କିତ ଖବର ସଂଗ୍ରହ କରିବା ସହ ସେ ସେମାନଙ୍କ ସାମ୍ବିଧାନିକ ଅଧିକାର ପାଇଁ ଲଢେଇରେ ସାମିଲ ହୋଇ ଯାଇଥିଲେ ।
ଷ୍ଟେନ ସ୍ୱାମୀ ପିୟୁସିଏଲ (ପିପୁଲ୍ସ ୟୁନିୟନ ଫର୍ ସିଭିଲ ଲିବରିଟିଜ୍) ରାଂଚି ଶାଖାର ମୁଖ୍ୟ ଥିଲେ । ଦେଶରେ କଂଗ୍ରେସ ଶାସନ ଅମଳରେ ଆତଙ୍କରାଜ ବିରୋଧରେ ଯେଉଁ ‘ପୋଟା’ ଆଇନ (ପ୍ରିଭେନ୍ସନ୍ ଅଫ୍ ଟେରରିଜିମ୍ ଆକ୍ଟ୍) କାର୍ଯ୍ୟକାରୀ କରାଯାଇଥିଲା ତାହାର ଉଚ୍ଛେଦ ଦାବିରେ ସେ ଜୋରଦାର ଲଢେଇ ଆରମ୍ଭ କରିଥିଲେ । ଆବଶ୍ୟକ ତଥ୍ୟ, ପ୍ରମାଣ ନଥାଇ ଆଦିବାସୀଙ୍କୁ କିଭଳି ଏହି ଆଇନ ବଳରେ ଗିରଫ କରାଯାଉଛି ଓ ଜେଲ୍ ପଠା ଯାଉଛି ତାହା ଉପରେ ସେ ଏକ ଗବେଷଣାତ୍ମକ ପୁସ୍ତକ ମଧ୍ୟ ଲେଖି ଥିଲେ । ଜେଲରେ ସଢୁଥିବା ଆଦିବାସୀଙ୍କ ଅଧିକାର ସପକ୍ଷରେ ଲଢିବା ପାଇଁ ‘ଜଂଗଲ ବଚାଓ’ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଫାଦର ଷ୍ଟାନ ସ୍ୱାମୀ ସେଥିରେ ସାମିଲ ହୋଇ ହଜାର ହଜାର ଆଦିବାସୀ କେିମତି ଜଂଗଲ ଆଇନର ଉଲଂଘନ ଅଭିଯୋଗରେ ଗିରଫ ହୋଇ ଜେଲରେ ସଢୁଛନ୍ତି, ତାହା ଲୋକଲୋଚନକୁ ଆଣିଥିଲେ । ଜଂଗଲ ଅଧିକାର ଆଇନ ଓ ସିଡ୍ୟୁଲ୍ଡ ଏରିଆ ଆକ୍ଟକୁ ପଂଚାୟତ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା ସପକ୍ଷରେ ମଧ୍ୟ ସେ ଆନ୍ଦୋଳନରେ ସାମିଲ ଥିଲେ ।
ଆଦିବାସୀଙ୍କ ପାଇଁ ପ୍ରଶାସନିକ ସ୍ୱାୟତ୍ତତା ଦାବି କରି ଯେଉଁ ଆନ୍ଦୋଳନ ହୋଇଥିଲା ଫାଦର ଷ୍ଟାନ ସ୍ୱାମୀ ତାହାର ମଧ୍ୟ ନେତୃତ୍ୱ ନେଇଥିଲେ । ‘ପିଥାଲଗାଡ଼ି ଆନ୍ଦୋଲନ’ ନାମରେ ପରିଚିତ ଏହି ଆନ୍ଦୋଳନର ସମର୍ଥନରେ ସେ ଓ ତାଙ୍କ ସହଯୋଗୀ ସାମାଜିକ କାର୍ଯ୍ୟକର୍ତ୍ତାମାନେ ‘ଫେସ ବୁକ୍’ରେ ଲଗାତର ପୋଷ୍ଟିଂ କରିବାରୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସରକାରଙ୍କ ବିଷ ଦୃଷ୍ଟିକୁ ଆସିଥିଲେ । ଫାଦର ଷ୍ଟାନ ସ୍ୱାମୀ ଓ ତାଙ୍କ ଅନୁଗାମୀଙ୍କ ବିରୋଧରେ ବହୁ ସଂଖ୍ୟାରେ ଆପରାଧିକ ମାମଲାମାନ କରାଯାଇ ଆନ୍ଦୋଳନ ଦବାଇବା ଉଦ୍ୟମ ହୋଇଥିଲା । ଝାଡ଼ଖଣ୍ଡରେ ‘ଆଦାନୀ ଗୃପ୍’ ପକ୍ଷରୁ ବଡ଼ ଧରଣର ଏକ ଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହି ପ୍ରକଳ୍ପ ହେଲେ ହଜାର ହଜାର ଆଦିବାସୀ ବିସ୍ଥାପିତ ହେବେ ଏବଂ ଜୀବିକା ହରାଇବେ । ଗିରଫ ହେବା ପୂର୍ବରୁ ଫାଦର ଷ୍ଟାନ ସ୍ୱାମୀ ‘ଆଦାନୀ ଗୃପ୍’ର ଏହି ପ୍ରକଳ୍ପ ବିରୋଧରେ ସ୍ୱର ଉତ୍ତୋଳନ କରି କେନ୍ଦ୍ର ସରକାରଙ୍କ ବିଷ ଦୃଷ୍ଟିରେ ରହି ଥିଲେ ।
୨୦୨୦ ଅକ୍ଟୋବରରେ ଫାଦରଙ୍କୁ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ମାଓବାଦୀଙ୍କ ସହ ସଂପର୍କ ଥିବା ଅଭିଯୋଗରେ ଗିରଫ କରା ଗଲା । ୨୦୧୭ ଡ଼ିସେମ୍ବର ୩୧ରେ ଭୀମା-କୋରେଗାଓଁରେ ଘଟି ଥିବା ହିଂସାକାଣ୍ଡ ସହ ମଧ୍ୟ ତାଙ୍କୁ ଏନଆଇଏ ଛନ୍ଦି ଦେଲା । ସେ କୌଣସି ପ୍ରକାର ଏହି ଘଟଣାରେ ସଂପୃକ୍ତ ନଥିବା ମୃତ୍ୟୁ ପର୍ଯ୍ୟନ୍ତ ଫାଦର ଷ୍ଟାନ ସ୍ୱାମୀ ସଫେଇ ଦେଇ ଆସିଛନ୍ତି । କିନ୍ତୁ, ସରକାର ବା ତଦନ୍ତକାରୀ ସଂସ୍ଥା ଏନଆଇଏ ତାହା ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ଷ୍ଟାନ ସ୍ୱାମୀ ଏନଆଇଏ ଦ୍ୱାରା ଗିରଫ ହୋଇ ଦୀର୍ଘ ୯ ମାସ କାଳ ମହାରାଷ୍ଟ୍ରର ତାଲୋଜା ଜେଲ୍ ରେ ଅଟକ ଥିଲେ । ଷ୍ଟାନଙ୍କ ସହଯୋଗୀମାନେ କହିବା ଅନୁଯାୟୀ, ଗିରଫ ହୋଇ ଜେଲ୍ ଯିବା ସମୟରେ ଫାଦର ଷ୍ଟାନ୍ ସ୍ୱାମୀ ସୁସ୍ଥ ଥିଲେ । ଜେଲରେ ଉପଯୁକ୍ତ ଚିକିତ୍ସା ଅଭାବରୁ ସେ ଚଳନଶକ୍ତୀହୀନ ହେବା ସହ ପାର୍କିନସନ୍ ଭଳି ମାରାତ୍ମକ ରୋଗର ଶିକାର ହେଲେ । ସେ କୋଭିଡ଼ରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ ଏବଂ ମୁମ୍ବାଇ ଜେ.ଜେ. ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଜେଲ୍ କୁ ଫେରି ଥିଲେ ।
ଫାଦର ଷ୍ଟାନ ସ୍ୱାମୀ ପାର୍କିନସନ୍ ରୋଗ ଯୋଗୁଁ ନିଜ ହାତରେ ଖାଇବାକୁ ସକ୍ଷମ ନଥିଲେ । ତାଙ୍କ ଓଠର ମାଂସପେଶୀ ଦୁର୍ବଳ ହୋଇଯିବା କାରଣରୁ ସେ ପାଣି ମଧ୍ୟ ପିଇ ପାରୁ ନ ଥିଲେ । ପାଣି ପିଇବା ପାଇଁ ସେ ଏକ ସିପର୍ କପ୍ ଓ ଷ୍ଟ୍ର’ ଯୋଗାଇ ଦେବାକୁ ଜେଲ କତ୍ତୃପକ୍ଷଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ତାହା ତାଙ୍କୁ ମିଳି ନ ଥିଲା । ଫାଦର୍ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବାରମ୍ବାର ଏନଆଇଏ ସ୍ୱତନ୍ତ୍ର ଅଦାଲତରେ ଜାମିନ ଆବେଦନ କରିଥିଲେ ସୁୁଦ୍ଧା ତଦନ୍ତକାରୀ ସଂସ୍ଥା ଏନଆଇଏର ଦୃଢ ବିରୋଧ ଯୋଗୁଁ ଜାମିନ ଆବେଦନ ଖାରଜ ହୋଇ ଯାଉଥିଲା । ପରେ, ସେ ମୁମ୍ବାଇ ହାଇକୋର୍ଟର ଆଶ୍ରୟ ନେଇଥିଲେ । ଜେଲ୍ ରେ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଘୋର ଅବନତି ଘଟିବା ଅଦାଲତ ଜାଣିବା ପରେ ମେ’ ୨୮ ତାରିଖ ଦିନ ଏନଆଇଏ କର୍ତ୍ତୃପକ୍ଷଙ୍କ ଘୋର ବିରୋଧ ସତ୍ତ୍ୱେ ମୁମ୍ବାଇ ହାଇକୋର୍ଟ ତାଙ୍କୁ ‘ହୋଲି ଫ୍ୟାମିଲି ହସ୍ପିଟାଲ’କୁ ସ୍ଥାନାନ୍ତର ପାଇଁ ତଲୋଜା ଜେଲ୍ କତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ।
ଏନଆଇ ଚାହୁଁ ଥିଲା ଫାଦର୍ ଙ୍କୁ ପୁନର୍ବାର ସରକାରୀ ସୁବିଧାପ୍ରାପ୍ତ ଜେ.ଜେ.ହସ୍ପିଟାଲକୁ ହିଁ ପଠାଯାଉ । ତେବେ, ସେ ଜେଲ୍ ଭିତରେ ମରିବେ ସିନା ଜେ.ଜେ.ହସ୍ପିଟାଲ ଯିବେ ନାହିଁ ବୋଲି ଫାଦର ଷ୍ଟାନ ସ୍ୱାମୀ ଅଡି ବସିବାରୁ ହାଇକୋର୍ଟ ଏନଆଇଏର ଯୁକ୍ତିକୁ ଅଗ୍ରାହ୍ୟ କରି ଫାଦର୍ ଷ୍ଟାନ ସ୍ୱାମୀଙ୍କୁ ମୁମ୍ବାଇର ‘ହୋଲି ଫ୍ୟାମିଲି ହସ୍ପିଟାଲ’କୁ ସ୍ଥାନାନ୍ତର ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇ ଥିଲେ । ଶେଷରେ, ଫାଦର ଷ୍ଟାନ ସ୍ୱାମୀ ଶ୍ୱାସ ପ୍ରଶ୍ୱାସ ନେଇ ନ ପାରି ହୃଦ୍ଘାତରେ ସେହି ଘରୋଇ ହସ୍ପିଟାଲରେ ହିଁ ମୃତ୍ୟୁବରଣ କଲେ ।
ଜେଲ୍ ରେ ଥିବା ବେଳେ ଫାଦର ଷ୍ଟାନ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସମସ୍ତେ ବିଚଳିତ ଥିବା ବେଳେ ଏନଆଇଏ କତ୍ତୃପକ୍ଷ ସେଭଳି କିଛି ଗୁରୁତର ଅବସ୍ଥା ନାହିଁ କହି ଷ୍ଟାନ ସ୍ୱାମୀଙ୍କ ଜାମିନ ଆବେଦନକୁ ବାରମ୍ବାର ବିରୋଧ କରିବା ରହସ୍ୟମୟ ନୁହେଁ କି ? ଏହା ପଛରେ ପରୋକ୍ଷ ସରକାରୀ ଇଂଗିତ ଥିବା ଅନୁମାନ କରି ହେବ । ସେ ଜାମିନ ପାଇଁ ଅପେକ୍ଷା କରି ଶେଷରେ ମରି ଗଲେ ସିନା ସରକାର ବା ତଦନ୍ତକାରୀ ଏଜେନ୍ସିର ସହାନୁଭୂତି ଟିକେ ପାଇଲେ ନାହିଁ । ଫାଦର୍ ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁ ପରେ ଦେଶ, ବିଦେଶରେ ଶୋକ ପ୍ରକାଶ କରାଯିବା ସହ ସରକାରଙ୍କ ଜଘଣ୍ୟ ଆଚରଣକୁ ନିନ୍ଦା କରାଯିବାରୁ ଏବେ ସରକାର ସଫେଇ ଦେବା ଆରମ୍ଭ କରିଛନ୍ତି । ଜେଲ୍ ଭିତରେ ଫାଦରଙ୍କ ସ୍ୱାସ୍ଥ୍ୟ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଇଛି ଏବଂ ତାଙ୍କୁ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖି ସମସ୍ତ ସୁବିଧା ପ୍ରଦାନ କରାଯାଇଛି ବୋଲି ସରକାର କହିଛନ୍ତି । ତେବେ, ଫାଦର ଷ୍ଟାନଙ୍କ ସମର୍ଥକମାନେ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି ।
ଜଣେ ୮୪ ବର୍ଷର ବୃଦ୍ଧଙ୍କୁ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ଥିବା ଅଭିଯୋଗରେ ଗିରଫ କରାଯାଇ ୯ ମାସ କାଳ ଜେଲରେ ଅଟକ ରଖାଯିବା, ବାରମ୍ବାର ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବା ଏବଂ ମୃତ୍ୟୁ ପରେ ଜେଲରେ କିଛି ଅବହେଳା ହୋଇ ନାହିଁ ବୋଲି ସରକାର ସଫେଇ ଦେବା ଅମାନୁଷିକ ବୋଲି ଫାଦର ଷ୍ଟାନ ସ୍ୱାମୀଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି । ‘ଫାଦରଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ, ଏହା ଏକ ସରକାରୀ ପ୍ରୟୋଜିତ ହତ୍ୟା’ ବୋଲି ଭୀମା-କୋରେଗାଓଁ ହିଂସା ମାମଲାରେ ଛନ୍ଦି ହୋଇ ଦୀର୍ଘ ବର୍ଷ ହେଲା ଜେଲରେ ଅଟକ ଥିବା ୧୬ ଅଭିଯୁକ୍ତଙ୍କ ପରିବାର ଆଜି ଏକ ମିଳିତ ବିବୃତିରେ କହିଛନ୍ତି । ସେମାନେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ସରକାର, ତଦନ୍ତକାରୀ ସଂସ୍ଥା ଏବଂ ଦେଶର ବିଚାର ବ୍ୟବସ୍ଥାକୁ ଦାୟି କରିଛନ୍ତି ।
ଉଲ୍ଲେଖନୀୟ ଯେ, ବ୍ରିଟିଶ ଶାସନକୁ ବିରୋଧ କରି ମହାରାଷ୍ଟ୍ରର ଭୀମା-କୋରେଗାଓଁରେ ହୋଇ ଥିବା ସଂଗ୍ରାମର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆଦିବାସୀ, ଦଳିତଙ୍କ ସମାଜର ସଂଗଠନ ‘ଏଲଗାର ପରିଷଦ’ ପକ୍ଷରୁ ୨୦୧୭ ଡ଼ିସେମ୍ବର ୩୧ ତାରିଖରେ ମହାରାଷ୍ଟ୍ରର ପୁଣେସ୍ଥିତ ସାନିୱାରୱାଡା ଫୋର୍ଟରେ ସମାବେଶର ଆୟୋଜନ ହୋଇଥିଲା । ସମାବେଶରେ ବହୁ ସଂଖ୍ୟାରେ ସାମାଜିକ କାର୍ଯ୍ୟକର୍ତ୍ତା ଓ ଶିକ୍ଷାବିତ ଯୋଗ ଦେଇଥିଲେ । ସମାବେଶ ସରିବା ପରେ ଭୀମା-କୋରେଗାଓଁରେ ହୋଇଥିବା ହିଂସା ପାଇଁ ବକ୍ତାମାନଙ୍କ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦାୟି ବୋଲି ଦର୍ଶାଇ ପୁଲିସ ଏତଲା ରୁଜୁ କରିବା ସହ ବ୍ୟାପକ ଗିରଫଦାରୀ କରିଥିଲେ । ଯେଉଁମାନେ ଗିରଫ ହୋଇ ଜେଲରେ ଅଛନ୍ତି ସେମାନେ ହେଉଛନ୍ତି ଜ୍ୟୋତି ରାଘବା ଜଗତପ, ସାଗର ତାତ୍ୟାରାମ ଗୋରଖେ, ରମେଶ ମୁରଲିଧର ଗାଇଚର, ସୁଧୀର ଧାୱଲେ, ସୁରେନ୍ଦ୍ର ଗାଡଲିଙ୍ଗ, ମହେଶ ରାଉତ, ସୋମା ସେନ୍, ରୋନା ୱିଲସନ, ଅରୁଣ ଫେରେଇରା, ସୁଧା ଭରଧ୍ୱଜ, ବରବରା ରାଓ, ଭେରନନ୍ ଗୋନସାଲଭିସ, ଆନନ୍ଦ ତେଲତୁମ୍ବଡେ, ଗୌତମ ନଭଲାଖ ଓ ହାନି ବାବୁ ।
ମୋଟ ୧୬ ଜଣ ସାମାଜିକ କାର୍ଯ୍ୟକର୍ତ୍ତା ଗିରଫ ହୋଇଥିବା ବେଳେ ସେଥିରୁ ହାଇଦ୍ରାବାଦର ବରିଷ୍ଟ ମାଓବାଦୀ ସମର୍ଥକ ତଥା ଲେଖକ ବରବରା ରାଓ ସ୍ୱାସ୍ଥ୍ୟଗତ କାରଣରୁ ଚଳିତ ବର୍ଷ ପ୍ରାରମ୍ଭରେ ଜାମିନରେ ଆସିଛନ୍ତି । ଅନ୍ୟ ୧୫ ଜଣ ଜେଲ୍ ରେ ଅଛନ୍ତି । ୨୦୧୭ ଡ଼ିସେମ୍ବର ୩୧ ତାରିଖ ହିଂସା ପାଇଁ ହୋଇଥିବା ଏତଲାରେ ସେମାନଙ୍କ ନାମ ନଥିବା ସତ୍ତ୍ୱେ ସେମାନଙ୍କୁ ବିଭିନ୍ନ ସମୟରେ ଗିରଫ କରାଯାଇ ଅଟକ ରଖାଯାଇଛି । ‘ଏଲଗାର ପରିଷଦ’ ସମାବେଶରେ ସେମାନେ ଉପସ୍ଥିତ ନ ଥିଲେ ବୋଲି ସେମାନେ କହୁଛନ୍ତି ସିନା ମାଓ ସଂପର୍କ ଏବଂ ଦେଶ ବିରୋଧୀ କାର୍ଯ୍ୟ ଅଭଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି । ସେମାନଙ୍କୁ ଜାମିନ ମିଳୁ ନାହିଁ । ଫାଦର ଷ୍ଟାନ ସ୍ୱାମୀ ମଧ୍ୟ ଏହି ମାମଲାରେ ୨୦୨୦ ଅକ୍ଟୋବରରେ ଗିରଫ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ, ଏକ ‘ଇନଷ୍ଟିଚ୍ୟୁସନାଲ ମର୍ଡର’ ବୋଲି ଭୀମା-କୋରେଗାଓଁ ମାମଲାରେ ଅଭିଯୁକ୍ତ ୧୬ ଜଣଙ୍କ ପରିବାର ମିଳିତ ବିବୃତି ଦେବା ସରକାରଙ୍କ ଅଡୁଆ ବଢାଇଛି । ଜାମିନରେ ଥିବା କବି ଓ ଲେଖକ ବରବରା ରାଓଙ୍କ ପରିବାର ମଧ୍ୟ ଏଥିରେ ଦସ୍ତଖତ କରିଛନ୍ତି । ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁ ‘ସ୍ୱାଭାବିକ ନୁହେଁ, ସରକାରୀ ପୟୋଜିତ ହତ୍ୟା’ ବୋଲି ଯେଉଁ ଅଭିଯୋଗ ହେଉଛି ତାହାର ତଦନ୍ତ କରିବ କିଏ ? ଏହି ମିଳିତ ବିବୃତି ଦେଶରେ ରାଜନୈତିକ ଝଡ଼ ସୃଷ୍ଟି କରିବ ସିନା ସରକାରଙ୍କ ଔଧତ୍ୟକୁ ଧରାଶାୟୀ କଲା ଭଳି ଭୂକଂପ ସୃଷ୍ଟି କରି ପାରିବ ନାହିଁ – ଏକଥା କାହାରିକୁ ଅଛପା ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS