ମୋଦୀଙ୍କ ନୂଆ ମନ୍ତ୍ରୀ ପରିଷଦ ଆଲୋଚନାର ଖୋରାକ ଯୋଗାଇଛି..
ପ୍ରସାଦ ରାଓ
ଜୁଲାଇ ୦୯
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ତାଙ୍କ ମନ୍ତ୍ରୀ ପରିଷଦରେ ବଡ ଧରଣର ଅଦଳ ବଦଳ କରି କିଛି ପୁରୁଖା ମନ୍ତ୍ରୀଙ୍କୁ ‘ଅକର୍ମା’ ଦର୍ଶାଇ ମନ୍ତ୍ରୀ ପରିଷଦରୁ ହଟାଇବା ଏବଂ ଅନେକ ନୂଆ ମୁହଁଙ୍କୁ ସାମିଲ କରିବା ଘଟଣା ସଂପୂର୍ଣ୍ଣ ଭାବେ ସରକାରୀ ବ୍ୟାପାର ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୈତିକ ବିଶ୍ଲେଷକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । ପ୍ରାଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦରୁ ୧୨ ଜଣ ମନ୍ତ୍ରୀଙ୍କୁ ବାହାର ରାସ୍ତା ଦେଖାଇ ଥିବା ବେଳେ ନୂଆ ମନ୍ତ୍ରୀ ପରିଷଦରେ ୩୬ଟି ନୂଆ ମୁହଁ ନେଇଛନ୍ତି । ଅଧିକାଂଶ ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳାଇ ନୂଆ ମନ୍ତ୍ରୀଙ୍କ ହାତରେ ସମର୍ପିଛନ୍ତି । କିଛି ପୁରୁଣା ମନ୍ତ୍ରୀଙ୍କୁ ଭଲ କାମ କରିଥିବା ଦର୍ଶାଇ ପଦୋନ୍ନତି ଦେବା ସହ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି । ଅଧିକ ସଂଖ୍ୟାରେ ମହିଳା, ଆଦିବାସୀ, ହରିଜନ ଓ ଓବିସିଙ୍କୁ ନୂଆ ମନ୍ତ୍ରୀ ପରିଷଦରେ ସାମିଲ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀ ପରିଷଦରେ ବ୍ରାହ୍ମଣ ଓ ଉଚ୍ଚ ଜାତିର ପ୍ରଭାବ ଅନୁଭୂତ ହୋଇଥିବା ବେଳେ ମୋଦୀ-୨ ମନ୍ତ୍ରୀ ପରିଷଦରେ ଆଦିବାସୀ, ହରିଜନ ଓ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ଅଧିକ ରହିଛି । ବୋଧହୁଏ ୨୦୨୨ ଓ ୨୦୨୩ରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନଗୁଡିକୁ ଆଖିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି ବୋଲି ଅଭିଜ୍ଞ ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି ।
ତେବେ, ବିଦାୟୀ ମନ୍ତ୍ରୀମାନଙ୍କୁ ନେଇ ବିଭିନ୍ନ ମହଲରେ ଅଧଇକ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଏହି ତାଲିକାରେ ୧୨ ଜଣ ଥିବା ବେଳେ ଜଣେ ମନ୍ତ୍ରୀଙ୍କୁ କର୍ଣ୍ଣଟକ ରାଜ୍ୟପାଳ ଭାବେ ଥଇଥାନ ସରି ଥିବାରୁ ଅନ୍ୟ ବିଦାୟୀ ମନ୍ତ୍ରୀ କିଭଳି ଭାବେ ଥଇଥାନ ହେଉଛନ୍ତି ତାହା ଦେଖିବା ସମୟ ଆସିଛି । ବିଦାୟୀ ମନ୍ତ୍ରୀଙ୍କ ମଧ୍ୟରୁ ଯେଉଁମାନଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ବରିଷ୍ଠ ନେତା ଏବଂ ପୂର୍ବ ଆଇଟି (ସୂଚନା ଓ ପ୍ରଯୁକ୍ତି), ଆଇନ, ନ୍ୟାୟ ବ୍ୟାପାର, ଯୋଗଯୋଗ ଓ ଇଲୋକ୍ଟ୍ରୋନିକ୍ସ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଦେକର୍ ଏବଂ ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ପ୍ରଧାନମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ମନ୍ତ୍ରୀ ପରିଷଦରୁ ବିଦା କରି ଗୁରୁତ୍ୱପୂର୍ଣ୍ଣ ଆଇଟି ମନ୍ତ୍ରଣାଳୟକୁ ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ହେବାର ସୁଯୋଗ ପାଇଥିବା ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ସମର୍ପି ଥିବା ବେଳେ ଆଇନ ଓ ନ୍ୟାୟିକ ମନ୍ତ୍ରଣାଳୟ ଜଣେ କନିଷ୍ଠ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ହାତରେ ସମର୍ପିଛନ୍ତି । ମନ୍ତ୍ରୀ ପରିଷଦରେ ଉତ୍ତର ପୂର୍ବାଂଚଳର ପ୍ରତିନିଧିତ୍ୱ କରୁଥିବା ରିଜ୍ଜୁ ଅଦଳ ବଦଳ ପୂର୍ବରୁ ଦେଶର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ଭଲ କାମ କରିଥିବା ଦର୍ଶାଇ ତାଙ୍କୁ ନୂଆ ମନ୍ତ୍ରୀ ପରିଷଦରେ କ୍ୟାବିନେଟ୍ ପାହ୍ୟା ଦିଆଯିବା ସହ ଆଇନ ମନ୍ତ୍ରୀ କରାଯାଇଛି ।
ସେହିପରି, ଆଉ ଜଣେ ପୁରୁଖା ମନ୍ତ୍ରୀ ପ୍ରକାଶ ଜାଭଦେକର୍ ବୁଧବାର ଦିନ ମନ୍ତ୍ରୀ ପରିଷଦରୁ ବିଦା ନେଇଛନ୍ତି । ସେ ଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ । ତାଙ୍କୁ ‘ଅକର୍ମା’ ଦର୍ଶାଯାଇ ମନ୍ତ୍ରୀ ପରିଷଦରୁ ବିଦା କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଜଣେ କନିଷ୍ଠ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ କରାଯାଇଛି । ଠାକୁର ୨୦୧୯ରେ ମୋଦୀ-୨ ସରକାରରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀଥାରମଣଙ୍କ ସହଯୋଗୀ ବା ରାଷ୍ଟ୍ରମନ୍ତ୍ରୀ ଭାବେ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ । ଭଲ କାମ କରିଥିବା ଦର୍ଶାଯାଇ ତାଙ୍କୁ ପଦୋନ୍ନତି ଦିଆଯିବା ସହ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ କରାଯାଇଛି । ମୋଦୀ-୨ ମନ୍ତ୍ରୀ ପରିଷଦରୁ ବିଦାୟ ନେଇ ଥିବା ତୃତୀୟ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ହେଉଛନ୍ତି – କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାାଣ, ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଦେଶରେ କୋଭିଡ଼ ପରିଚାଳନାକୁ ନେଇ ଯେତେ ଯାହା ଅବ୍ୟବସ୍ଥା ହୋଇଛି ତାହା ତାଙ୍କ ମୁଣ୍ଡରେ ଥାପି ବିଦାୟ କରାଯାଇଛି । ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି ଗୁଜରାଟର ସାଂସଦ ମନସୁଖ ମାଣ୍ଡଭ୍ୟଙ୍କୁ । ବିଭାଗ ତାଙ୍କ ପାଇଁ ନୂଆ ହେଲେ ମଧ୍ୟ କୋଭିଡ଼ ପରିଚାଳନାରେ ଅବ୍ୟବସ୍ଥା ପାଇଁ ଅଧିକ ବଦନାମ ରହି ଥିବା ଗୁଜରାଟକୁ ସେ ଠିକ୍ ବାଟକୁ ଆଣି ପାରିବେ ବୋଲି ମୋଦୀ ସରକାର ଆଶା ରଖିଥିବା ବିଶ୍ଲେଷକମାନେ କହୁଛନ୍ତି । ଗୁଜରାଟ, ୟୁପି, ପଂଜାବ, ଉତ୍ତରାଖଣ୍ଡ ଓ ଅନ୍ୟ କିଛି ରାଜ୍ୟରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।
ଏହି ତିନି ଜଣ ବିଦାୟୀ ମଧ୍ୟରୁ ପ୍ରଥମେ ଆମେ ପୂର୍ବ କେନ୍ଦ୍ର ଆଇନ, ଆଇଟି ଓ ନ୍ୟାୟିକ ବିଭାଗର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ବିବଦମାନ ଚେହେରାକୁ ନେଇ ଆଲୋଚନା କରିବା । ଗଲା କିଛି ମାସ ହେଲା ସରକାରଙ୍କ ନୂଆ ଆଇଟି (ସୂଚନା ଓ ପ୍ରଯୁକ୍ତି) ଆଇନକୁ ନେଇ ସେ ବିବାଦରେ ଥିଲେ । ଏହାର ପୃଷ୍ଠଭୂମୀ ହେଉଛି, କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନ । ‘ଟ୍ୱିଟର୍’ ମାଧ୍ୟମରେ ସରକାର ବିରୋଧୀ ଚାଷୀ ଆନ୍ଦୋଳନ ଦେଶ ଭିତରୁ ଓ ବାହାରୁ ବିଶେଷ ସମର୍ଥନ ପାଉଥିବା ସରକାରଙ୍କ ଗାତ୍ରଦାହର କାରଣ ହୋଇଛି । ‘ହ୍ୱାଟସ୍ ଆପ୍’ ମଧ୍ୟ ସରକାରଙ୍କ ଟାର୍ଗେଟ୍ ରେ ରହିଛି । ଚାଷୀ ଆନ୍ଦୋଳନକୁ ନେଇ ସରକାର ଚାପରେ ଥିବା ସମୟରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ସ୍ୱୀଡେନର ଜଣେ ଯୁବା ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଟ୍ୱିଟ୍ କରିବା ମୋଦୀ ସରକାରଙ୍କୁ କ୍ଷୁବ୍ଧ କରିଥିଲା । ଥନବର୍ଗଙ୍କ ଟ୍ୱିଟ୍ ‘ଟ୍ୱିଟର୍’ରେ ପ୍ରସାରିତ ହୋଇ ଥିବାରୁ ସରକାର ‘ଟ୍ୱିଟିର୍’କୁ ଟାର୍ଗେଟ କରି ଦିଲ୍ଲୀ ପୁଲିସରେ ଏକ ମାମଲା ରୁଜୁ କଲେ ଏବଂ ଦିଲ୍ଲୀ ପୁଲିସ ମାମଲାର ତଦନ୍ତ କରି ଗ୍ରେଟାଙ୍କ ସହ ସଂପର୍କରେ ଥିବା ଅଭିଯୋଗରେ ବେଂଗାଲୁରୁର ଜଣେ ଯୁବା ପରିବେଶ କର୍ମୀ ଦିଶା ରବିଙ୍କୁ ଗିରଫ କରି ଦିଲ୍ଲୀ ଉଠାଇ ଆଣିଲେ । ‘ଟୁଲକିଟ୍’ ମାଧ୍ୟମରେ ସରକାରଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଦିଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେଲା । ପରେ, ଦିଲ୍ଲୀ ପୁଲିସ ଦ୍ୱାରା ହୋଇଥିବା ଦେଶଦ୍ରୋହ ଅଭିଯୋଗର ଯଥେଷ୍ଟ ତଥ୍ୟ ଓ ପ୍ରମାଣ ନଥିବା ଦର୍ଶାଇ ଦିଲ୍ଲୀ ଅଦାଲତ ଦିଶାଙ୍କୁ ଜାମିନରେ ଖଲାସ କରିବା ପରେ ସରକାରଙ୍କ ରୋଷର ଶିକାର ହୋଇଥିଲେ ‘ହ୍ୱାଟସ୍ ଆପ୍’, ‘ଟ୍ୱିଟର୍’ଏବଂ ‘ଫେସ୍ ବୁକ୍’ ଭଳି ଆନ୍ତର୍ଜାତିକ ମାନ୍ୟତା ଥିବା ସାମାଜିକ ଗଣମାଧ୍ୟମ ।
ସାମାଜିକ ଗଣମାଧ୍ୟମ ଏବଂ ଓଟିଟି ପ୍ଲାଟଫର୍ମଗୁଡିକ ଉପରେ ଅଂକୁଶ ଲଗାଇବା ସକାଶେ ସରକାର ନୂଆ ଆଇଟି ଆଇନର ଆଶ୍ରୟ ନେଲେ । ଆଇଟି ମନ୍ତ୍ରୀ ଥିବା ରବି ଶଙ୍କ ପ୍ରସାଦ ଚଳିତ ବର୍ଷ ପ୍ରାରମ୍ଭରେ ଏହି ଆଇନ ପ୍ରବର୍ତ୍ତନ କରି ମେ’ ମାସରୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରିବା ଆରମ୍ଭ କଲେ । କିଛି ବଡ଼ ସାମାଜିକ ଗଣମାଧ୍ୟମ ନୂଆ ଆଇଟି ଆଇନକୁ ବାଧ୍ୟବାଧକତାରେ କାର୍ଯ୍ୟକାରୀ କରିବାକୁ ରାଜି ହୋଇଥିବା ବେଳେ ‘ଟ୍ୱିଟର୍’ ଉପଭୋକ୍ତାଙ୍କ ବ୍ୟକ୍ତିଗତ ଗୋପନୀୟତା ଏବଂ ସ୍ୱାଧୀନ ମତବ୍ୟକ୍ତ କରିବାର ସାମ୍ବିଧାନିକ ଅଧିକାର କଥା ଉଠାଇ ଏପର୍ଯ୍ୟନ୍ତ ନୂଆ ଆଇଟି ଆଇନ କାର୍ଯ୍ୟକାରୀ କରି ନାହିଁ । ଫଳରେ, କେନ୍ଦ୍ର ସରକାର ଓ ‘ଟ୍ୱିଟର୍’ ମଧ୍ୟରେ କିଛି ମାସ ହେଲା ଆଇନଗତ ଯୁଦ୍ଧ ଚାଲିଛି । ‘ଟ୍ୱିଟର୍’ କର୍ତ୍ତୃପକ୍ଷଙ୍କୁ ସାବାଡ କରିବା ପାଇଁ ସରକାର ସଂସ୍ଥାର ଇଂଟରମିଡ଼ିଆରି ଅଧିକାରକୁ ରଦ୍ଦ କରି ଦେଇଛନ୍ତି । ଫଳରେ, ‘ଟ୍ୱିଟର୍’ରେ ଯାହା ଭିଡ଼ିଓ ଓ ଲେଖା ପ୍ରସାରିତ ହେବ ତାହା ଉପରେ ଯଦି କେହି ଆପତ୍ତି ଉଠାଏ ତେବେ ପୋଷ୍ଟ୍ କରିଥିବା ଉପଭୋକ୍ତା ନୁହେଁ, ‘ଟ୍ୱିଟର’ କର୍ତ୍ତୃପକ୍ଷ ସିଧାସଳଖ ଉତ୍ତରଦାୟୀ ରହବେ ।
ନିକଟରେ, ବିଭିନ୍ନ କଥିତ ଆପତ୍ତିଜନକ ପୋଷ୍ଟ୍ କୁ ନେଇ ଆମେରିକାରେ ଅବସ୍ଥାପିତ ‘ଟ୍ୱିଟର୍’ କର୍ତ୍ତୃପକ୍ଷଙ୍କ ବିରୋଧରେ ବଭିନ୍ନ ଥାନାରେ ମାମଲା ରୁଜୁ କରାଯାଇଛି । ଦିଲ୍ଲୀରେ ରୁଜୁ ହୋଇଥିବା ଏକ ମାମଲାରେ ଦିଲ୍ଲୀ ପୁଲିସ ଭାରତରେ ଅବସ୍ଥାପିତ ଟ୍ୱିଟର୍ ଇଂଡ଼ିଆ ମୁଖ୍ୟଙ୍କୁ ଗିରଫ କରିବାକୁ ଉଦ୍ୟମ କରିଛନ୍ତି । ଦିଲ୍ଲୀ ପୁଲିସ ‘ଟ୍ୱିଟର୍’ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ଭୟଭୀତ କରିଥିବା ଅଭିଯୋଗ ହୋଇଛି । ପୁଲିସ ଟ୍ୱିଟର ଇଂଡ଼ିଆ ମୁଖ୍ୟଙ୍କ ବିରୋଧରେ ବିଭିନ୍ନ ମାମଲା ରୁଜୁ କରି ତାଙ୍କ ଜେରା କରିବା ନାଁରେ ବେଂଗାଲୁରୁ ପର୍ଯ୍ୟନ୍ତ ମାଡି ଯାଇଥିଲେ । ୟୁପିର ଗାଜିଆବାଦରେ ଘଟି ଥିବା ଏକ ହିଂସାତ୍ମକ ଘଟଣାର ଭିଡ଼ିଓ ‘ଟ୍ୱିଟର’ରେ ପ୍ରସାରିତ ହେବା ପରେ ଟ୍ୱିଟର୍ ଇଂଡ଼ିଆ ମୁଖ୍ୟଙ୍କୁ ପ୍ରତ୍ୟକ୍ଷ ଭାବେ ୟୁପିର ଏକ ଥାନାରେ ହାଜର ହେବାକୁ ନୋଟିସ ଜାରି ହୋଇଛି । ଅଦାଲତରୁ ସୁରକ୍ଷା ମିଳି ଥିଲେ ମଧ୍ୟ ତୁରନ୍ତ ଆଇଟି ଆଇନ କାର୍ଯ୍ୟକାର ନ କଲେ ସରକାର ଚାହିଁଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ ବୋଲି ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ କହି ସାରିଲେଣି । ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଗୁରୁବାର ଦିନ ଦାୟିତ୍ୱ ନେଉ ନେଉ କହିଛନ୍ତି, ଭାରତରେ ବ୍ୟବସାୟ କରୁଥିବାରୁ ଟ୍ୱିଟରତ କର୍ତ୍ତୃପକ୍ଷ ଭାରତର ଆଇନ କାନୁନ ମାନିବାକୁ ଓ କାର୍ଯ୍ୟକାରୀ କରିବାକୁ ବାଧ୍ୟ ।
ତେବେ, ଆଇଟି ମନ୍ତ୍ରୀ ଥିବା ରବି ଶଙ୍କର ପ୍ରସାଦଙ୍କୁ କାହିଁକି ବିଦା କରା ଗଲା (?), ଏବେ ସେହି ପ୍ରଶ୍ନ ସମସ୍ତଙ୍କୁ ଘାରିଛି । ସୂଚନାଯୋଗ୍ୟ ଯେ, ସରକାର-ଟ୍ୱିଟର ବିବାଦ ଆନ୍ତର୍ଜାତିକ ସ୍ତରରେ ଆଲୋଚନା, ସମାଲୋଚନାର ବିଷୟ ହୋଇ ସାରିଛି । ବିଭନ୍ନ ଜାତୀୟ, ଆନ୍ତର୍ଜାତିକ ମାନବାଧିକାର ସଂଗଠନ ଭାରତରେ ସ୍ୱାଧୀନତା ଅଧିକାରର କଂଠରୋଧ କରାଯାଉଥିବା ଅଭିଯୋଗ ଆଣି ସରକାରଙ୍କୁ କାଠଗଡ଼ାରେ ଠିଆ କରାଇଛନ୍ତି । ‘ଟ୍ୱିଟର୍’ ମଧ୍ୟ ନିକଟରେ ଏକ ଆମେରିକୀୟ ଆଇନର ଦ୍ୱାହି ଦେଇ କେନ୍ଦ୍ର ସୂଚନା, ପ୍ରଯୁକ୍ତି ଓ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ‘ଟ୍ୱିଟର୍’ ଆକାଂଉଟକୁ ଘଂଟାଏ ବ୍ଲକ୍ କରିଥିଲା । ତୁମ୍ବିତୋଫାନ ହେବା ପରେ ଏହି ଆକାଉଂଟ ଚାଲୁ ହେଲା । ଏହା ରବି ଶଙ୍କର ପ୍ରସାଦଙ୍କ ପାରିବା ପଣିଆ ପ୍ରତି ଏକ ଚ୍ୟାଲେଂଜ ଥିଲା । ଏହି କାରଣରୁ ସେ ବିଜେପିର ଜଣେ ଆଗ ଧାଡିର ନେତା ଏବଂ ଜାତୀୟ ପ୍ରବକ୍ତା ହୋଇ ମଧ୍ୟ ନିଜ ଆସନକୁ ସୁରକ୍ଷିତ ରଖି ପାରିଲେ ନାହିଁ । ଆମେରିକା ସହ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କକୁ କାଏମ ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରବି ଶଙ୍କର ପ୍ରସାଦଙ୍କୁ ବଳୀ ଚଢାଇଲେ ବୋଲି କିଛି ବିଶ୍ଲେଷକ ମତ ଦେଲେଣି । ସେହିଭଳି, ବିଭିନ୍ନ କାରଣରୁ ଆନ୍ତର୍ଜାତିକ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାର ରେଟିଂ କମି ଯିବା ଯୋଗୁଁ ପ୍ରକାଶ ଜାଭଦେକରଙ୍କୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପଦରୁ ବିଦାୟ କରାଯାଇଥିବା ଆଲୋଚନା ହେଉଛି । ପ୍ରଦାନମନ୍ତ୍ରୀ ମୋଦୀ ଆଇନ, ନ୍ୟାୟିକ ବ୍ୟବସ୍ଥା, ଆଇଟି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ନୂଆ ମନ୍ତ୍ରୀଙ୍କ ହାତରେ ଦେଇ ନିଜର ତଥା ସରକାରଙ୍କ ମଳିନ ଭାମୂର୍ତ୍ତୀକୁ ସଜାଡିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି ।
ଅଦଳ ବଦଳରେ ବଳୀ ପଡି ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ନେଇ ଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଛି । ଦେଶ ୨୦୨୦ ଓ ୨୦୨୧ରେ କରୋନାର ଦୁଇଟି ଲହରର ସାମ୍ନା କରିଛି । ୨୦୨୧ ଜାନୁୟାରୀ ୧୬ ତାରିଖରୁ ଦେଶରେ କୋଭିଡ଼ ଟିକାକରଣ ଆରମ୍ଭ ହୋଇ ଟିକା ଅଭାବରୁ ମନ୍ଥର ଗତିରେ ଚାଲିଛି । ତେବେ, କୋଭିଡ଼ ପରିଚାଳନାରେ ଡକ୍ଟର ହର୍ଷବର୍ଦ୍ଧନ ବିଫଳ ହୋଇଥିବା ଦର୍ଶାଯାଇ ତାଙ୍କୁ କେନ୍ଦ୍ର ମନ୍ତରୀ ପରିଷଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ମନସୁଖ ମାଣ୍ଡଭ୍ୟ ଏହି ମନ୍ତ୍ରଣାଳୟର ଦାୟିତ୍ୱ ନେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, ଦେଶରେ କୋଭିଡ଼ ପରିଚାଳନା ସଂପର୍କିତ ସମସ୍ତ ନିଷ୍ପତ୍ତି ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ଏବଂ ଅନ୍ୟ ବହୁ ମନ୍ତ୍ରୀ ଓ ବିଶେଷଜ୍ଞଙ୍କ ସଂପୃକ୍ତି ଥିବା ବେଳେ ଏକ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ବଳୀ ପକାଗଲା କାହିଁକିଁ ?
୨୦୨୦ ମାର୍ଚ୍ଚ ତୃତୀୟ ସପ୍ତାହରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବ୍ୟାପୀ ‘ତାଲାବନ୍ଦ’ ଘୋଷଣା କରି ଥିଲେ । ଫଳରେ, କୋଟି କୋଟି ପ୍ରବାସୀ ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ହରାଇ ଦୁଃଖ କଷ୍ଟରେ ନିଜ ନିଜ ଘରକୁ ଫେରି ଥିଲେ । ରାଜ୍ୟ ସରକାରମାନେ ସେମାନଙ୍କୁ ଥଇଥାନ କରିବାରେ ବିଫଳ ହେବାରୁ ଦ୍ୱିତୀୟ ଲହର ଆସିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ କାମଧନ୍ଦା ଅନ୍ୱେଷଣରେ ପୁନର୍ବାର ପ୍ରବାସକୁ ଫେରିଲେ । କୋଭିଡ଼ର ଦ୍ୱିତୀୟ ଲହର ଅଧିକ ଭୟଂକର ଥିଲା । ଦ୍ୱିତୀୟ ଲହରରେ ତରଳ ମେଡ଼ିକାଲ ଅକ୍ସିଜେନର ଘୋର ଅଭାବ, କଳାବଜାର, ଉପଯୁକ୍ତ ଚିକିତ୍ସା ଅଭାବରୁ କୋଭିଡ଼ ରୋଗୀଙ୍କ ମୃତ୍ୟୁ ସମେତ ଦିଲ୍ଲୀ, ୟୁପି ସମେତ ବିଭିନ୍ନ ରାଜ୍ୟରେ ଏତେ ଅଧିକ ସଂଖ୍ୟାରେ କୋଭିଡ଼ ମୃତ୍ୟୁ ଘଟିଲା ଯେ ଶବଦାହ ପାଇଁ ସ୍ଥାନାଭାବ, ଜାଳେଣୀ କାଠର ଅଭାବ ଦେଖା ଦେବା, ଦାହ ସଂସ୍କାର ହୋଇ ନ ପାରି ଶହ ଶହ ସଂଖ୍ୟାରେ ଶବ ବିଭିନ୍ନ ନଦୀରେ ଭାସିବା ଭଳି ଘଟରା ଦେଖିବାକୁ ମିଳି ଥିଲା । ଦେଶବ୍ୟାପୀ ବିଭିନ୍ନ ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସା ଉପକରଣ, ଡ଼ାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଅଭାବ ସରକାରଙ୍କୁ ନିନ୍ଦିତ କରିଥିଲା ।
ଦେଶରେ ଜୁନାୟାରୀ ୧୬ରୁ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆବଶ୍ୟକ ମୁତାବକ ଟିକା ଯୋଗାଇ ଦେବାରେ ସରକାର ବିଫଳ ହେବାରୁ ରାଜ୍ୟମାନଙ୍କରେ ଟିକାକରଣ କାର୍ଯ୍ୟ ଅଧାପନ୍ତୁରିଆ ରହିଛି । ଟିକାକରଣ ଏବଂ ତରଳ ମେଡ଼ିକାଲ ଅକ୍ସିଜେନ୍ ଯୋଗାଣକୁ ନେଇ ସରକାର ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଭର୍ଚ୍ଛିତ ହୋଇଛନ୍ତି । ଏସବୁ ପାଇଁ କେବଳ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଦାୟି କରିବା ଠିକ୍ କି ? ଅକ୍ସିଜେନ୍, ଟିକାକରଣ ଏବଂ କୋଭିଡ଼ ଚିକିତ୍ସା ସଂପର୍କିତ ପ୍ରାୟ ସମସ୍ତ ନିଷ୍ପତ୍ତି ପିଏମଓ ଓ ବିଶେଷଜ୍ଞ କମିଟି ସ୍ତରରେ ହେଉଥିବା ବେଳେ ଏକାକୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ‘ନିକମା’ କହି ବଳୀ ପକାଯିବା ଅନେକଙ୍କ ପାଇଁ ଗ୍ରହଣୀୟ ହେଉ ନାହିଁ । ଆସନ୍ତା ବର୍ଷ ୟୁପି ସମେତ ଅନ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ନିଜ ଚେହେରାକୁ ଉଜ୍ୱଳ କରିବା ପାଇଁ ହର୍ଷବର୍ଦ୍ଧନଙ୍କ ଭଳି ନିର୍ମାୟା ଲୋକଙ୍କୁ ବଳୀ ପକାଇଛନ୍ତି ବୋଲି ରାଜନୀତି ବିଶେଷଜ୍ଞମାନେ କହୁଛନ୍ତି।
ବୁଧବାର କେନ୍ଦ୍ର ମନ୍ତ୍ରୀ ପରିଷଦରୁ ବାଦ୍ ପଡି ଥିବା ଅନ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି, ସନ୍ତୋଷ ଗଂଗୱାର, ରମେଶ ନିଶଙ୍କ ପୋଖରିଆଲ, ଓଡ଼ିଶାର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସଦାନନ୍ଦ ଗୌଡ଼, ବାବୁଲ ସୁପ୍ରିୟୋ, ସଂଜୟ ଧୋତ୍ରେ, ରାଓସାହିବ ପାଟିଲ୍, ଦେବଶ୍ରୀ ଚୌଧୁରୀ, ରତନଲାଲ କଟାରିଆ ଓ ଥୱରଚାନ୍ଦ୍ ଗେହେଲୋଟ୍ । ବୁଧବାର ଅଦଳବଦଳ ପୂର୍ବରୁ ଗେହେଲୋଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ଥଇଥାନ କରାଯାଇଛି । ନୂଆ ମନ୍ତ୍ରୀମାନେ ଶପଥ ନେଉଥିବା ବେଳେ ବିଦାୟୀ ମନ୍ତ୍ରୀମାନେ ବିଷର୍ଣ୍ଣ ବଦନରେ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳି ଥିଲେ । ଅଦଳ ବଦଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ସ୍ଥାନରେ ପେଟ୍ରୋଲିୟମ ଓ ପ୍ରକୃତି ଗ୍ୟାସ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ମନ୍ତ୍ରଣାଳୟ ହରଦୀପ ସିଂହ ପୁରୀଙ୍କ ହାତକୁ ଯାଇଛି । ଅବଶ୍ୟ, ପ୍ରେଟ୍ରୋଲ, ଡ଼ିଜେଲ ଓ ରୋଷେଇ ଗ୍ୟାସର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଦେଶବ୍ୟାପୀ ସମାଲୋଚିତ ଶରବ୍ୟ ଥିଲେ । ଜନ ଅସନ୍ତୋଷ ଓ ବିରୋଧୀ ଦଳଙ୍କ ଆନ୍ଦୋଳନ ଧମକ ସରକାରଙ୍କୁ ଚାପରେ ରଖିଥିଲା । ତେଣୁ, ପ୍ରଧାନମନ୍ତ୍ରୀ ସରକାରର ଭାବମୂର୍ତ୍ତୀ ସଜାଡିବା ପାଇଁ ଧର୍ମେନ୍ଦ୍ରଙ୍କୁ ଶିକ୍ଷା ବିଭାଗରେ ନେଇ ଥଇଥାନ କରିଛନ୍ତି ସିନା ମନ୍ତ୍ରୀ ପରିଷଦରୁ ବିଦା କରି ନାହାନ୍ତି । ଅନେକଙ୍କ ପାଇଁ ଗ୍ରହଣୀୟ ହେଉ ନାହିଁ । ତେବେ, ପେଟ୍ରୋଲ, ଡ଼ିଜେଲ ଓ ଜାଲେଣୀ ଗ୍ୟାସ୍ ରୁ ମିଳୁଥିବା ବର୍ଦ୍ଧିତ ରାଜସ୍ୱରେ ଦେଶ ଓ ସରକାର ଚାଲୁ ଥିବାରୁ ଧର୍ମେନ୍ଦ୍ରବର୍ତ୍ତି ଯାଇଥିବା ଆଲୋଚନା ହେଉଛି ।
ଆଉ, ଓଡ଼ିଶାର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ! ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିରୂପ ବା ରେପ୍ଲିକା ଭାବେ ପରିଚିତ ଷଡଙ୍ଗୀ କେନ୍ଦ୍ରୀୟ ରାଜନୀତିରେ ଅନଫିଟ୍ ବୋଲି ପ୍ରମାଣିତ ହୋଇ ବିଦା ହୋଇ ଗଲେ । ତାଙ୍କୁ ବିଦାୟ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କୁ କିଛି କହି ନଥିବା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ହିଁ ତାଙ୍କ ସହ କଥା ହୋଇଥିବା ଷଡଙ୍ଗୀ ଓଡ଼ିଆ ଗଣମାଧ୍ୟମକୁ କହିଛନ୍ତି । ଷଡଙ୍ଗୀ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ହୋଇ ଦୁଃଖ ନଥିବା କହୁଥିବା ବେଳେ ତାଙ୍କ ଦଳରେ ମଧ୍ୟ କେହି ସେଥି ପାଇଁ ଦୁଃଖି ଥିବା ମନେ ହେଉ ନାହିଁ । ଓଲଟା, ରାଜ୍ୟକୁ ଷଡଙ୍ଗୀଙ୍କ ବଦଳରେ ଦୁଇଟି କେନ୍ଦ୍ର ମନ୍ତ୍ରୀ ପଦ ମିଳିଛି ବୋଲି ବିଜେପି ରାଜ୍ୟ ନେତାମାନେ ଖୁସି ମନାଉଛନ୍ତି । ଓଡ଼ିଶାର ରାଜ୍ୟ ସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ନୂଆ ମନ୍ତ୍ରୀ ପରିଷଦରେ କ୍ୟାବିନେଟ୍ ପାହ୍ୟା ପାଇବା ସହ ରେଳ ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇଛନ୍ତି । ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟଡୁଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ତେଣୁ, ଦଳ ଷଡଙ୍ଗୀଙ୍କ ପାଇଁ ଦୁଃଖ ନୁହେଁ । କେନ୍ଦ୍ର ମନ୍ତ୍ରୀ ହେବା ଦୌଡରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଥିଲେ । କିନ୍ତୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେପି ଗୋଷ୍ଠୀ ସହ ତାଙ୍କ ଗୋଷ୍ଠୀର ତାଳମେଳ ଠିକ୍ ନଥିବାରୁ ଅପରାଜିତା ନିରାଶ ହୋଇଥିବା ଆଲୋଚନା ହେଉଛି ।
ଏବେ ଆଉ ଗୋଟିଏ କଥା ଚର୍ଚ୍ଚାକୁ ଆସିଲାଣି । ପୂର୍ବ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଦଳବଦଳରେ କମ୍ ଗୁରୁତ୍ୱ ରଖୁଥିବା ଶିକ୍ଷା ବିଭାଗ ମିଳି ଥିବା ବେଳେ ନୂଆ କରି ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳବାଇ, ସୂଚନା ଓ ପ୍ରଯୁକ୍ତି, ଯୋଗଯୋଗ ଏବଂ ଇଲୋକ୍ଟ୍ରୋନିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିଛି । ବୈଷ୍ଣବଙ୍କ ପୂର୍ବରୁ ଓଡ଼ିଶାରୁ ଭକ୍ତ ଚରଣ ଦାସ ଏବଂ କାହ୍ନୁ ଚରଣ ଲେଙ୍କାଙ୍କୁ ରେଳବାଇ ମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା । ବୈଷ୍ଣବଙ୍କୁ ରେଳ ମନ୍ତ୍ରୀ କରି ଏବଂ ରାଜ୍ୟରୁ ତିନି ଜଣଙ୍କୁ ମନ୍ତ୍ରୀ ପରିଷଦରେ ସ୍ଥାନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ପ୍ରତି ତାଙ୍କ ଭଲ ପାଇବା ପ୍ରଦର୍ଶନ କରିଛନ୍ତି ବୋଲି ରାଜ୍ୟ ବିଜେପି ନେତୃତ୍ୱ ଏବେ ପ୍ରଚାର ଆରମ୍ଭ କରି ଦେଲେଣି । ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏହି ପ୍ରଚାର ଜାରି ରହିବ । ତେବେ, ଆସନ୍ତା ଅଢେଇ ବର୍ଷରେ ନୂଆ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ରୀୟ ନେତୃତ୍ୱର ସହଯୋଗ ଉପରେ ସବୁ କିଛି ନିର୍ଭର କରୁଥିବାରୁ ରାଜ୍ୟର ଶାସକ ବିଜେଡ଼ି ଏନେଇ ଚିନ୍ତିତ ନଥିବା ଦେଖିବାକୁ ମିଳୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS