ୟୁପିରେ ‘ଦୁଇ ସନ୍ତାନ ନୀତି’ ଚିଠା ଆଇନ, ସଂଖ୍ୟାଲଘୁ ସଂପ୍ରଦାୟ ବିବ୍ରତ
ପ୍ରସାଦ ରାଓ
ଜୁଲାଇ ୧୦
ରବିବାର ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍ତର ପ୍ରଦେଶ ସରକାର ଏକ ନୂଆ ଜନସଂଖ୍ୟା ନୀତି କାର୍ଯ୍ୟକାରୀ କରିବାକୁ ଚିଠା ଆଇନ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ୨୦୨୧ ରୁ ୨୦୩୦ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ନୀତି କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସ୍ଥିର କରିଥିବା ଜଣାପଡିଛି । ରାଜ୍ୟରେ ଜନସଂଖ୍ୟା ବିଷ୍ଫୋରଣରେ ଲଗାମ ଲଗାଇବା ପାଇଁ ସରକାର ଏଭଳି ଏକ ଚିଠା ନୀତି ପ୍ରସ୍ତୁତ କରିଛନ୍ତି ଯେ ତାହା କାର୍ଯ୍ୟକାରୀ ହେଲେ ଦୁଇଟିରୁ ଅଧିକ ସନ୍ତାନ ଥିବା ଥିବା ପରିବାର ସମସ୍ତ ପ୍ରକାର ସରକାରୀ ସୁବିଧାରୁ ବଂଚିତ ହେବେ । ଯେଉଁ ପରିବାର ଦୁଇଟି ସନ୍ତାନରେ ସୀମିତ ରହିବେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ । ସରକାର ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର କଂଟ୍ରସେପ୍ଟିଭର ବ୍ୟବହାରକୁ ବଢାଇବାକୁ ଏବଂ ସୁରକ୍ଷିତ ଗର୍ଭପାତକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ-୪ର ଆକଳନ ଭିତ୍ତିରେ ୟୁପି ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଦିଗରେ ଏକ ଚିଠା ଆଇନ ପ୍ରସ୍ତୁତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପ୍ରସ୍ତାବିତ ନୂଆ ନୀତିରେ ପରିବାରର ବୟସ୍କ ଲୋକଙ୍କୁ ଯେମିତି ଉପଯୁକ୍ତ ସେବା ମିଳିବ ଏବଂ ୧୧ରୁ ୧୯ ବର୍ଷ ବୟସ୍କ ପିଲାମାନେ ଯେପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ନ୍ୟୁଟ୍ରିସନ କ୍ଷେତ୍ରରେ ଉନ୍ନତ ମାନର ସେବା ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।
ରାଜ୍ୟ ସରକାର ଏହି ଚିଠା ଆଇନରେ ଦୁଇ ସନ୍ତାନକୁ ନୀତିକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଯେଉଁମାନେ ନିଜର ବା ପତ୍ନୀଙ୍କ ପରିବାର କଲ୍ୟାଣ ଅସ୍ତ୍ରୋପଚାର କରାଇ ନେଇ ପରିବାରକୁ ଦୁଇ ସନ୍ତାନ ନୀତିରେ ସୀମିତ ରଖିବେ ସେମାନଙ୍କୁ ସରକାର ସୁୁଲଭ ଋଣ ବ୍ୟବସ୍ଥାରେ ଘରଟିଏ ନିର୍ମାଣ କରିବାକୁ ବା କିଣିବାକୁ ଋଣ ଯୋଗାଇ ଦେବେ । ସେହି ପରିବାରକୁ ପାଣି, ବିଦ୍ୟୁତ ଓ ଗୃହ ଟିକସରେ ରିହାତି ମିଳିବ । ତେବେ, ଯେଉଁମାନେ ଏହି ପରିବାର ନିୟନ୍ତ୍ରଣ ନୀତିର ଉଲଂଘନ କରି ଦୁଇରୁ ଅଧିକ ସନ୍ତାନର ପିତୃତ୍ୱ ବା ମାତୃତ୍ୱ ଅର୍ଜନ କରିବେ ସେମାନଙ୍କୁ ସରକାରଙ୍କ କୌଣସି କଲ୍ୟାଣମୂଲକ ଯୋଜନାର ସୁଫଳ ମିଳିବ ନାହିଁ । ସେମାନେ ପଂଚାୟତ ବା ପୌର ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ । ରାଜ୍ୟ ସରକାରଙ୍କ ଅଧିନରେ ଚାକିରୀ ପାଇଁ ଅବେଦନ କରିବା ଯୋଗ୍ୟତା ମଧ୍ୟ ହରାଇବେ । ସରକାରୀ ନୁଯୁକ୍ତିରେ ଥିଲେ ପଦୋନ୍ନତି ପାଇଁ ହକଦାର୍ ହେବେ ନାହିଁ । ସେମାନଙ୍କ ପରିବାରକୁ ମିଳି ଥିବା ରେସନ୍ କାର୍ଡ ୪ ଜଣଙ୍କ ପାଇଁ ସୀମିତ ରହିବ । ସେମାନେ ସମସ୍ତ ପ୍ରକାରର ସରକାରୀ ରିହାତି ପାଇବାରୁ ବଂଚିତ ହେବେ ବୋଲି ଜଣାପଡିଛି ।
ସରକାରୀ ଗେଜେଟ୍ ନୋଟିଫିକେସନ ପ୍ରକାଶ ପାଇବାର ବର୍ଷକ ପରେ ନୂଆ ଆଇନ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ୟୁପି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରଥମେ ଏହି ଆଇନ ସର୍ବସାଧାରଣରେ ଉପସ୍ଥାପନ କରାଯାଇ ଜନମତ ଆହ୍ୱାନ କରାଯିବ । ଲ’ କମିସନ୍ ତାହାର ପୁନଃ ଅନୁଧ୍ୟାନ କରିବା ପରେ ଆଇନରେ ଯଦି କିଛି ପରିବର୍ତ୍ତନ କରାଯିବ ତାହା ପବ୍ଲିକ ଡ଼ୋମିନ୍ ରେ ଉପଲବ୍ଧ କରାଯିବ । ରାଜ୍ୟର ପ୍ରତ୍ୟେକ ପରିବାରଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ପରିବାର ନିୟନ୍ତ୍ରଣ ସଂପର୍କରେ ଜନସଚେତନତା ଜାଗ୍ରତ ପାଇଁ ଏହି ଆଇନ କାର୍ଯ୍ୟକାରୀ କରାଯିବା ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ସେ କହିଛନ୍ତି, ରାଜ୍ୟ ଜନସଂଖ୍ୟାରେ ସ୍ଥିରତା ଆଣିବା ହେଉଛି ଏହି ଚିଠା ଆଇନର ଉଦେ୍ଦଶ୍ୟ । ନୂଆ ଜନସଂଖ୍ୟା ନୀତିରେ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଡ଼େମୋଗ୍ରାଫିକ୍ ବାଲାନ୍ସ’ ରକ୍ଷା କରିବା ଉଦ୍ୟମ ହେବ । ଲୋକଙ୍କ ନିକଟରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପହଂଚାଇବା ଏବଂ ଅପପୃଷ୍ଟିକୁ ଦୂରେଇ ମାତୃ ଓ ଶିଶୁ ମୃତ୍ୟୁହାରକୁ ସର୍ବନିମ୍ନ ସ୍ତରକୁ ଆଣିବା ହେଉଛି ନୂଆ ଚିଠା ଆଇନର ମୌଳିକ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ, କେବଳ ୟୁପିରେ ନୁହେଁ, ବିଜେପି ଶାସିତ ଆସାମରେ ମଧ୍ୟ ‘ଦୁଇ ସନ୍ତାନ’ ଆଇନ ଆସୁଥିବା ସୂଚନା ମିଳିଛି । ଆସାମ ସରକାର ଆସନ୍ତା ବଜେଟ ଅଧିବଶେନରେ ଏସଂପର୍କିତ ଆଇନ ଆଣୁଥିବା ଜଣାପଡିଛି । ଆସାମ ସରକାର ମଧ୍ୟ ଦୁଇଟି ସନ୍ତାନ ଥିବା ପରିବାରଙ୍କୁ ସରକାରୀ ଚାକିରୀ ଏବଂ ବିଭିନ୍ନ ସରକାରୀ ପ୍ରୟୋଜିତ କଲ୍ୟାଣକାରୀ ଯୋଜନାର ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ନିଷ୍ପତ୍ତି ନେଇଥିବା ପ୍ରକାଶ । ତେବେ, ୟୁପି ସରକାରଙ୍କ ଦୁଇ ସ୍ତାନ ନୀତି ମୁସଲମାନ ସଂପ୍ରଦାୟ ବିରୋଧରେ ଏକ ଷଡଯନ୍ତ୍ର ବୋଲି ସମାଜବାଦୀ ପାର୍ଟି ପଟରୁ ଅଭିଯୋଗ କରାଯାଇଛି । ସମାଜବାଦୀ ପିର୍ଟି ବିଧାୟକ ଇକବଲ ମେହେମୁଦ ଏଭଳି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ସରକାର ନୂଆ ଆଇନ ପୁନଃ ବିବାହ ଏବଂ ବିଧବା ବା ସ୍ୱାମୀ ପରିତ୍ୟକ୍ତାଙ୍କ ବିବାହକୁ ନିରୁତ୍ସାହିତ କରିବାକୁ ଉଦ୍ଦିଷ୍ଟ । ପୂର୍ବରୁ ବିବାହ କରିଥିବା ମହିଲା ପୁନଃ ବିବାହ କରି ଗର୍ଭବତୀ ହେଲେ ପୂର୍ବରୁ ଥିବା ସନ୍ତାନଙ୍କୁ ବିଚାରକୁ ନିଆଯାଇ ସାମାଜିକ ଓ ଅର୍ଥନୈତିକ ସୁବିଧା ପାଇବାରୁ ବଂଚିତ ହେବେ ବୋଲି ସମାଜବାଦୀ ପାର୍ଟି ବିଧାୟକ ଅଭିଯୋଗ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟରେ, ୧୯୭୫ରେ ଦେଶରେ ଜାରି ହୋଇଥିବା ଜରୁରୀ ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଂଜୟ ଗାନ୍ଧୀ ଦୁଇ ସନ୍ତାନ ନୀତି କାର୍ଯ୍ୟକାରୀ କରାଇବାକୁ ଯାଇ ପରୁଷ ଓ ମହିଳାଙ୍କୁ ଘରୁ ଟାଣି ନେଇ ଜୋର ଜବରଦସ୍ତ ପରିବାର କଲ୍ୟାଣ ଅସ୍ତ୍ରେପଚାର କରାଇବାରୁ ତକ୍ରାଳୀନ କଂଗ୍ରେସ ସରକାର ନିନ୍ଦିତ ହୋଇଥିଲେ । ଚୀନରେ ମଧ୍ୟ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ୧୯୭୯ରେ ଗୋଟିଏ ସନ୍ତାନ ନୀତି ବାଧ୍ୟତାମୂଳକ କରାଯାଇଥିଲା । ତେବେ, ଏହି ନୀତି ଯୋଗୁଁ ଚୀନରେ ଶିଶୁ ଜନ୍ମ ହାର ହ୍ରାସ ପାଇବା ସହ ସମାଜରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ୨୦୧୫ରେ ଚୀନ ସରକାର ତାହା ପ୍ରତ୍ୟାହର କରି ନେଇ ଦୁଇ ସନ୍ତାନ ନୀତି କାର୍ଯ୍ୟକାରୀ କରିଥିଲେ ।
ଏଭଳି ଜନସଂଖ୍ୟା ନିୟନ୍ତ୍ରଣ ନୀତି ବଡ଼ ବଡ଼ ଦେଶରେ ଯୁବାଙ୍କ ସଂଖ୍ୟା ହ୍ରାସ ଓ ବୟସ୍କଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବା ଭଳି ସମସ୍ୟା ସୃଷ୍ଟି କରିଛି । ଏହାଛଡା, ସମାଜରେ ପୁରୁଷ, ମହିଳା ଭେଦଭାବ ବୃଦ୍ଧି ପାଇ କନ୍ୟାଭୃଣ ହତ୍ୟା ବୃଦ୍ଧି ପାଇବା ଫଳରେ ପୁରୁଷ-ମହିଳା ସନ୍ତୁଳନ ବିଗିଡ଼ି ଯାଇଛି । ଭାରତରେ ମଧ୍ୟ ପୁଅଟିଏ ପାଇବା ପାଇଁ ପରିବାରର ପୁରୁଷ ଓ ମହିଳାମାନେ ଏତେଦୂର ବ୍ୟଗ୍ର ଯେ ମହିଳାଙ୍କ ଗର୍ଭରେ କନ୍ୟା ସନ୍ତାନର ଭୃଣ ଥିବା ଜାଣିଲେ ତାହାକୁ ଗର୍ଭପାତ କରାଇ ହତ୍ୟା କରାଇବାକୁ ପଛାଉ ନାହାନ୍ତି । ଦୁଇ ସନ୍ତାନ ନୀତି ବାଧ୍ୟତାମୂଳକ ହେଲେ କନ୍ୟାଭୃଣ ହତ୍ୟା ଆହୁରି ଅଧିକ ବଢିବ ବାଲି ଏବେ ଅନେକ ଆଶଙ୍କା କଲେଣି । ଚୀନରେ ଦୁଇ ସନ୍ତାନ ନୀତି ହେବା ପରେ ମଧ୍ୟ ପୁରୁଷ ଓ ମହିଳାଙ୍କ ଅନୁପାତ ୨୦୧୬ରେ ଜଣେ ମହିଳାକୁ ୧.୧୫ ପୁରୁଷ ଥିଲା । ଭାରତ ମଧ୍ୟ ଏକା ଭଳି ଚ୍ୟାଲେଂଜର ସାମନା କରି ପାରେ ବୋଲି ତଥ୍ୟାଭିଜ୍ଞ ମହଲ କହୁଛନ୍ତି ।
ମୋ ଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS