ୟୁରୋପରେ କଂଗ୍ରେସ ସଭାପତି ନିଯୁକ୍ତ ହେଲେଣି, ଦେଶରେ କେବେ ?
ପ୍ରସାଦ ରାଓ
ଜୁଲାଇ ୧୧
ଦେଶ ଭିତରେ ନ ହେଲେ ୟୁରୋପୀୟ ରାଷ୍ଟ୍ରରେ କଂଗ୍ରେସ ତାହାର ସଂଗଠନକୁ ସୁଦୃଢ କରିବା ପ୍ରକ୍ରିୟା ଜାରି ରଖିଥିବା ସୂଚନା ମିଳିଛି । ଭାରତୀୟ ଜାତୀୟ କଂଗ୍ରେସର ବୈଦେଶିକ ସଂଗଠନ ଦାୟିତ୍ୱରେ ଥିବା ବରିଷ୍ଠ ନେତା ସାମ୍ ପିଟ୍ରୋଡା ନିକଟରେ ବିଭିନ୍ନ ୟୁରୋପୀୟ ରାଷ୍ଟ୍ର ପାଇଁ ଦଳର ‘କଂଟ୍ରି ପ୍ରେସିଡେଂଟ’ଙ୍କ ନାମ ଘୋଷଣା କରି ଦେଶବାସୀଙ୍କୁ ଚକିତ କରିଛନ୍ତି । ଭାରତରେ କଂଗ୍ରେସର ସ୍ଥିତି ଦୋଦୁଲ୍ୟମାନ ଥିଲେ ମଧ୍ୟ ବିଦେଶରେ, ବିଶେଷକରି ୟୁରୋପରେ ଯେ ଦଳର ଆଦର୍ଶ ପ୍ରତି ଯେ ବେଶ୍ ଆଗ୍ରହ ଓ ସମ୍ମାନ ରହିଛି ତାହା ସେ ଏସବୁ ନିଯୁକ୍ତି ମାଧ୍ୟମରେ ପ୍ରତିପାଦିତ କରିଛନ୍ତି । ଟେକ୍ନୋକ୍ରାଟ୍ ରୁ ରାଜନେତା ପାଲଟି ଥିବା ପିଟ୍ରୋଡା କଂଗ୍ରେସର ଓଭରସିଜ୍ ଡ଼ିପାର୍ଟମେଂଟ ବା ବୈଦେଶିକ ବିଭାଗ ମୁଖ୍ୟ ଅଛନ୍ତି ।
ପିଟ୍ରୋଡା ବିଭିନ୍ନ ୟୁରୋପିୟ ରାଷ୍ଟ୍ରରେ ନିଯୁକ୍ତି ପାଇଥିବା ନୂଆ କଂଗ୍ରେସ ସଭାପତିମାନଙ୍କ ନାମ ନିକଟରେ ଘୋଷଣା କରିଛନ୍ତି । ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ସେମାନେ ସମସ୍ତେ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ଇଣ୍ଡଆନ୍ ଓଭରସିଜ୍ କଂଗ୍ରେସ (ଆଇଓସି)ର ନରୱେ ‘କଂଟ୍ରି ହେଡ୍’ ନିଯୁକ୍ତି ପାଇଥିବା ଗାରିସୋବେର ସିଂହ ଗିଲ୍ ହେଉଛନ୍ତି ଜୋଟିଏ ବିଅର୍ ପ୍ରସ୍ତୁତକାରୀ କଂପାନୀର ମାଲିକ । ‘ଚକ୍ର’ ବ୍ରାଣ୍ଡ୍ ର ବିଅର୍ ସେ ପ୍ରସ୍ତୁତ କରନ୍ତି । ସେହିଭଳି, ଫିନଲାଣ୍ଡରେ ୩୫ ବର୍ଷିୟ ବୈଜ୍ଞାନିକ କୋମଲ କୁମାର ଜାଭରାପ୍ପାଙ୍କୁ ‘କଂଟ୍ରି ଫେସିଡେଂଟ୍’ ନିଯୁକ୍ତି ଦିଆଯାଇଛି । ଅନ୍ୟ ଯେଉଁମାନେ ଆଇଓସିର ୟୁରୋପୀୟ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ସେମାନେ ହେଲେ – ଦୀଲବାଗ ଚାନା (ଇଟାଲୀ), ଜୟ କୋଚାଟ୍ଟୁ (ସ୍ୱିଜରଲ୍ୟାଣ୍ଡ), ସୋନିଆ ହେଲ୍ଡଷ୍ଟେଡ (ସ୍ୱୀଡ଼େନ), ସୁନିଲ କୋରାହ (ଅଷ୍ଟ୍ରିଆ), ସୁଖେଭାନ ପ୍ରିତ ସିଂହ (ବେଲଜିଅମ), ହରପିନ୍ଦର ସିଂହ ଘାଗ (ହଲାଣ୍ଡ) ଏବଂ ଅମରଜିତ ସିଂହ (ପୋଲାଣ୍ଡ) ।
ନରୱେ ପାଇଁ ‘କଂଟ୍ରି ହେଡ୍’ ନିଯୁକ୍ତି ଗିଲ୍ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ଜାତୀୟ ସ୍ତରର ଫୁଟବଲ ଖେଳାଳୀ । ସେ ୟୁରୋପରେ ଆଇଓସିର ପ୍ରତିଷ୍ଠାତା ସଦସ୍ୟ ଅଛନ୍ତି । ତାଙ୍କ ମତରେ ନରେୱେରେ ଭାରତୀୟ ଜାତୀୟ କଂଗ୍ରେସର ସ୍ଥିତି ବେଶ୍ ଉତ୍ସାହଜନକ । ତାଙ୍କ ବାପା ଆଜୀବନ କଂଗ୍ରେସରେ ଥିଲେ । ସେ ଏବେ ଦଳର ମଂଗ ଧରିଛନ୍ତି । ଭାରତକୁ ବିଦେଶୀ ପୁଂଜୀ ଓ ଶିଳ୍ପ ସଂସ୍ଥା ଆଣିବା ତାଙ୍କର ବଡ଼ ଲକ୍ଷ୍ୟ । ସେ ରାଜନୀତିକୁ କୁଦିଲେ କାହିଁକି (?) ବୋଲି ପ୍ରଶ୍ନର ଉତ୍ତର ଦେଇ ଗିଲ୍ କହିଛନ୍ତି – ‘ଆପଣମାନେ ଜାଣନ୍ତି… ଆଜି ଆମ ଦେଶର ଅବସ୍ଥା କଣ ।’
ସେହିଭଳି, ଫିନଲାଣ୍ଡର ‘କଂଟ୍ରି ପ୍ରେସିଡେଂଟ୍’ ନିଯୁକ୍ତ ହୋଇଥିବା ବୈଜ୍ଞାନିକ କୋମଲ କୁମାର ଜାଭରାପ୍ପା ଜଣେ ମଲିକୁଲାର୍ ବାୟୋଲୋଜିଷ୍ଟ । କୋପେନହାଗାନର ଏକ ଜଣାଶୁଣା ହସପିଟାଲରେ ସେ କାର୍ଯ୍ୟରତ । ବ୍ଲଡ୍ କ୍ୟାନସର ଉପରେ ଗବେଷଣା କରୁଛନ୍ତି । ତାଙ୍କ ଘର କର୍ଣ୍ଣାଟକର ମହୀଶୂରରେ । ଅଳ୍ପ ଦିନ ହେଲା ଫିନଲାଣ୍ଡରେ ଆଇଓସି ଶାଖା ଖୋଲିଛି । ସେ କଂଗ୍ରସର ଆଇଓସି ମୁଖ୍ୟ ସାମ୍ ପିଟ୍ରୋଡାଙ୍କ ସହ ଇମେଲ୍ ରେ ଯୋଗାଯୋଗ କରି ଫିନଲାଣ୍ଡରେ ଦଳର ଦାୟିତ୍ୱ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ । ରାଜନୀତି ପ୍ରତି ତାଙ୍କର ଆଗ୍ରହର କାରଣ ସଂପର୍କରେ ପ୍ରଶ୍ନ ହେବାରୁ ଜାଭରାପ୍ପା କହିଛନ୍ତି, ଜଣେ ବୈଜ୍ଞାନିକ ଭାବେ ସେ ବିଭିନ୍ନ ଦେଶରେ କାମ କରିଛନ୍ତି । ତେବେ, ଯେତେବେଳେ ଭାରତ, ଭାରତର ବୈଜ୍ଞାନିକ ଗବେଷଣା କ୍ଷେତ୍ର ଏବଂ ସ୍ୱାସ୍ଥ୍ୟ ସେବା ଉପରେ ଦୃଷ୍ଟି ବୁଲାଉଛନ୍ତି, ଦେଖୁଛନ୍ତି ଦେଶରେ ଉନ୍ନତ ମାନର ଗବେଷଣା କାର୍ଯ୍ୟର ଅଭାବ ରହୁଛି । ତାଙ୍କ ଭଳି ବୈଜ୍ଞାନିକମାନେ ଭାରତରେ ଗବେଷଣା କ୍ଷେତ୍ରରେ କାମ କରିବା ଉଚିତ ବୋଲି ସେ ଅନୁଭବ କରୁଛନ୍ତି ।
ଭବିଷ୍ୟତରେ ସେ ଭାରତ ଫେରିବେ ଏବଂ ଦେଶ ପାଇଁ କିଛି ଉନ୍ନତ ମାନର ଗବେଷଣା କାର୍ଯ୍ୟ କରିବେ ବୋଲି ମନସ୍ତ କରିଛନ୍ତି ଜାଭାରପ୍ପା କହିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସର ଆଦର୍ଶ ତାଙ୍କୁ ଆଇଓସି ଆଡକୁ ଆକର୍ଷିତ କରିଛି ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ୟୁରୋପୀୟ ରାଷ୍ଟ୍ର ପାଇଁ ଆଇଓସି ଆବାହକ ଅଛନ୍ତି ରଜୱିନ୍ଦର ସିଂହ । ୨୩ଟି ୟୁରୋପୀୟ ରାଷ୍ଟ୍ରରେ ଆଇଓସିର ଭଲ ସ୍ଥିତି ରହିଛି । କିନ୍ତୁ, ୟୁକେରେ ଆଇଓସି ସଂଗଠନ ଅଧିକ ସୁଦୃଢ ଥିବା ସେ କହିଛନ୍ତି,ା ବିଭିନ୍ନ ୟୁରୋପୀୟ ରାଷ୍ଟ୍ର ପାଇଁ ଯେଉଁ ‘କଂଟ୍ରି ପ୍ରେସିଡେଂଟ’ମାନଙ୍କୁ ନିଯୁକ୍ତ ଦିଆଯାଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବ୍ୟବସାୟୀ, ପ୍ରଫେସନାଲ୍ ଏବଂ ଶିକ୍ଷା କ୍ଷେତ୍ରରୁ ଆସିଛନ୍ତି । ସେ ନିଜେ ମଧ୍ୟ ଜଣେ ହୋଟେଲ ଓ ରିଏଲ ଇଷ୍ଟେଟ୍ ବ୍ୟବସାୟୀ ।
ଇଟାଲୀ ପାଇଁ ନିଯୁକ୍ତ ଦୀଲବାଗ ଚାନା ଜଣେ ଇମିଗ୍ରେସନ୍ କନସଲଟାଂଟ, ସ୍ୱୀଡ଼େନ ପାଇଁ ନିଯୁକ୍ତ ସୋନିଆ ହେଲ୍ଡଷ୍ଟେଡ ଷ୍ଟକହୋମର ଏକ ହସ୍ପିଟାଲରେ ଏଚଆର ମ୍ୟାନେଜର, ବେଲଜିଅମ୍ ପାଇଁ ନିଯୁକ୍ତ ସୁଖେଭାନ ପ୍ରିତ ସିଂହ ଜଣେ ଭାରତୀୟ ଖାଦ୍ୟ ବ୍ୟବସାୟୀ ଏବଂ ବିତରକ, ହଲାଣ୍ଡ ପାଇଁ ନିଯୁକ୍ତ ହରପିନ୍ଦର ସିଂହ ଘାଗ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀ, ସ୍ୱିଜରଲ୍ୟାଣ୍ଡ ପାଇଁ ନିଯୁକ୍ତ ଜୟ କୋଚାଟ୍ଟୁ ଜଣେ ବ୍ୟବସାୟୀ ଏବଂ ବିଶ୍ୱ ମାଲୟାଲୀ କାଉନସିଲ ସହ ସଂପୃକ୍ତ, ପୋଲାଣ୍ଡ ପାଇଁ ନିଯୁକ୍ତ ଅମରଜିତ ସିଂହ ଫିନାନ୍ସ୍ ସେକ୍ଟରରେ କାମ କରନ୍ତି ଏବଂ ଅଷ୍ଟ୍ରିଆ ପାଇଁ ନିଯୁକ୍ତ ସୁନିଲ କୋରାହ ଜଣେ ଆଇଟି ସ୍ପେଶାଲିଷ୍ଟ୍ ବୋଲି ଆଇଓସି ୟୁରୋପୀୟ ସଂଗଠନ ଆବାହକ ରଜୱିନ୍ଦର କହିଛନ୍ତି ।
ସମଗ୍ର ୟୁରୋପରେ କଂଗ୍ରେସର ଆଦର୍ଶକୁ ପ୍ରସାରିତ କରି ପ୍ରଫେସନାଲମାନଙ୍କୁ ଦଳୀୟ ସଂଗଠନ ପ୍ରତି ଆକୃଷ୍ଟ କରିବା ପାଇଁ ସାମ୍ ପିଟ୍ରୋଡାଙ୍କ ଆଇଓସି ଭଳି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ନେତୃତ୍ୱାଧୀନ ‘ଅଲ୍ ଇଂଡିଆ ପ୍ରଫେସନାଲ କଂଗ୍ରେସ’ ମଧ୍ୟ କାମ କରୁଛି । ବର୍ତ୍ତମାନ ଦୁଇ ସଂଗଠନ ମିଳିତ ଭାବେ ଏଦିଗରେ କାର୍ଯ୍ୟ କରୁଥିବା ମ୍ୟୁନିଚ୍ କୃଷି ବିଜ୍ଞାନୀ ରାହୁଲ ପଥିନେଟ୍ଟିଲ ରାଜ୍ ସୂଚନା ଦେଇଛନ୍ତି । ଥରୁରଙ୍କ ସଂଗଠନ ‘ଅଲ୍ ଇଂଡିଆ ପ୍ରଫେସନାଲ କଂଗ୍ରେସ’ ସହ ରାଜ୍ ଜଡିତ ଥିବା ଜଣାପଡିଛି । ୟୁରୋପରୁ ମିଳି ଥିବା ଏହି ସୂଚନା ଦେଶର କଂଗ୍ରେସ କର୍ମୀ ଓ କଂଗ୍ରେସ ପ୍ରେମୀଙ୍କୁ ଉତ୍ସାହିତ କଲା ଭଳି । ତେବେ, ଦେଶର ମୂଳ କଂଗ୍ରେସର ଅବସ୍ଥା ଦୋଦୂଲ୍ୟମାନ ଥିବାରୁ ସେମାନେ ଚିନ୍ତାରେ ।
୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରସର ଦୁଃଖଦ ବିପର୍ଯ୍ୟୟ ଘଟିବା ପରେ ଗାନ୍ଧୀ ପରିବାରର ଦାୟଦ ରାହୁଲ ଗାନ୍ଧୀ ଏହି ବିପର୍ଯ୍ୟୟ ପାଇଁ ନିଜକୁ ଦାୟି କରି ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଇ ଥିଲେ । ଏହାର ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଦଳ ଜଣେ ପୂର୍ଣ୍ଣ ସମୟ ସ୍ଥାୟୀ ସଭାପତି ପାଇ ପାରି ନାହିଁ । ସବୁ ଦଳୀୟ କାର୍ଯ୍ୟ ଅସ୍ଥାୟୀ ବ୍ୟବସ୍ଥାରେ ଚାଲିଛି । ରାହୁଲଙ୍କ ପଦତ୍ୟାଗ ପରେ ପୂର୍ବତନ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅନ୍ତଃରୀଣ ସଭାପତି ନିଯୁକ୍ତ ହୋଇ ଦଳର ମଂଗ ଧରି ଥିଲେ ଏବଂ ଅତିଶୀଘ୍ର ଦଳର ଜଣେ ସ୍ଥାୟୀ ସଭାପତିଙ୍କୁ ଚୟନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ସୁଦ୍ଧା ତାହା ଅପୂରଣୀୟ ରହିଛି ।
ଏହାକୁ ନେଇ ଦଳରେ ବିଭିନ୍ନ ସମୟରେ ଝଡ ସୃଷ୍ଟି ହେଉଛି । କିନ୍ତୁ, ଦଳ ମୁଖିଆଙ୍କୁ ତାହା ପ୍ରଭାବିତ କରୁ ନାହିଁ । କଂଗ୍ରେସର ଏହି ଦୁର୍ବଳତାରୁ ଶାସକ ବିଜେପି ଭରପୁର ଫାଇଦା ନେଉଥିବା ବେଳେ କଂଗ୍ରେସ ଦିଗ୍ଗଜ ନେତାମାନେ ଦଳ ଚାଡି ପଳାଉଛନ୍ତି । ଏଭଳି ପରିସ୍ଥିତିରେ ପ୍ରବାସୀ ଭାରତୀୟ ଜାତୀୟ କଂଗ୍ରେସ ସଂଗଠନର ୟୁରୋପରେ ‘କଂଟ୍ରି ହେଡ୍’ ନିୟୁକ୍ତି ଅପେକ୍ଷା ଦେଶର କଂଗ୍ରେସ ମୁଖିଆ ଚୟନ କରିବା ଅଧିକ ଗୁରୁତ୍ୱ ବହନ କରୁଛି । ତାହା ନ ହୋଇ ଯେଉଁ ଆଡହକ୍ ବ୍ୟବସ୍ଥା ଚାଲିଛି ତାହାର ଆୟୂଷ କେତେ ଦିନ (?), ତାହା କଂଗ୍ରେସ କର୍ମୀଙ୍କ ପାଇଁ ନିୟୁତ ଡ଼ଲାର ପ୍ରଶ୍ନ ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS