ତିନି ଠାକୁର ମା’ ଗୁଣ୍ଡିଚାଙ୍କ ମନ୍ଦିରରେ ପହଂଚିଲେ
ପୁରୀ
ଜୁଲାଇ ୧୨
ପୁରୀ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆଜି ଶୃଂଖଳିତ ଭାବେ ସମାପିତ ହୋଇଛି । ସକାଳେ ସହଳ ସହଳ ତିନି ଠାକୁରଙ୍କ ପହଣ୍ଡି ଓ ଅନ୍ୟ ସମସ୍ତ ଔପଚାରିକତା ସମାପିତ ହେବା ପରେ ତିନି ଠାକୁର ସୁଦର୍ଶନଙ୍କ ସହ ତିନି ରଥରେ ବିଜେ ହୋଇ ମା’ଗୁଣ୍ଡିଚାଙ୍କ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । କୌଣସି ପ୍ରକାର ବାଧାବିଘ୍ନ ନଥାଇ ରଥ ତିନିଟି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ପହଂଚି ଯାଇଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ଼ ପରିସ୍ଥିତି ଯୋଗୁଁ ବିନା ଭକ୍ତର ରଥଯାତ୍ରା ସମାପିତ ହୋିଛି । କାଳେ ଭକ୍ତଙ୍କ ସମାଗମ ହୋଇଯିବ ସେହି ଭୟରେ ରାଜ୍ୟ ସାଧାରଣ ଓ ପୁଲିସ ପ୍ରଶାସନ ରବିବାର ରାତି ୯ଟାରୁ ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ ଜାରି କରିଛନ୍ତି । ତିନି ଠାକୁର ସୁଦର୍ଶନଙ୍କ ସହ ନିଜ ନିଜ ରଥରେ ବିଜେ ହେବା ପରେ ପରଂପରା ଅନୁଯାୟୀ ପୁରୀ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ଛଅ ଜଣ ଅନୁଗାମୀଙ୍କ ସହ ବଡ଼ଦାଣ୍ଡରେ ପହଂଚି ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦର୍ଶନ କରିଥିଲେ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କ ତାମ୍ର ଯାନରେ ଶ୍ରୀ ମନ୍ଦିର ନିକଟରେ ପହଂଚି ତିନି ଠାକୁରଙ୍କ ରଥରେ ସୁନା ଛଂଚୁଣିରେ ଛେରା ପହଁରା କରିଥିଲେ । ରଥଟଣା ଅପରାହ୍ନ ୩ଟାରେ ଆରଂଭ ହେବ ବୋଲି ପ୍ରଶାସନ ପୂର୍ବରୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ଥିଲେ ମଧ୍ୟ ସେବାୟତ ଓ ଅନ୍ୟ ସେବକମାନେ ସହଳ ସହଳ ସମସ୍ତ କାର୍ଯ୍ୟ ସମାପନ କରି ଅପରାହ୍ନ ସାଢେ ଗୋଟାଏ ବେଳକୁ ରଥ ଟଣା ଆରମ୍ଭ କରି ଦେଇଥିଲେ । ଅପରାହ୍ନ ୪ଟାରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥ ମା’ଗୁଣ୍ଡିଚାଙ୍କ ମନ୍ଦରରେ ପହଂଚି ଥିବା ବେଳେ ୧୫ ମିନିଟ ବ୍ୟବଧାନରେ ମା’ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ପହଂଚି ଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ବିଳମ୍ବତ ସନ୍ଧ୍ୟାରେ ଗୁଣ୍ଣିଚା ମନ୍ଦିରରେ ପହଂଚିଛି । ଭକ୍ତଙ୍କ ଅନୁପସ୍ଥିତିରେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତମାନେ ତିନି ରଥକୁ ଟାଣି ନେଇ ଗୁଣ୍ଡିଚା ମନ୍ଦିରରେ ପହଂଚାଇଛନ୍ତି । ବଡ଼ଦାଣ୍ଡ ଦୁଇ କଡ଼ରେ ଘର କରି ରହିଥିବା ପରିବାରଙ୍କୁ ମଧ୍ୟ ଛାତ ଉପରେ ଠିଆ ରହି ତିନି ଠାକୁରଙ୍କ ରଥଟଣାର ଦର୍ଶନ କରିବାକୁ ପ୍ରଶାସନ ବାରଣ କରିଥିବାରୁ ରଥଟଣା ସମୟରେ ବଡ଼ଦାଣ୍ଡ ଖାଁ ଖାଁ ଲାଗୁ ଥିଲା । ଭକ୍ତମାନେ ନିଜ ନିଜ ଘରେ ବସି ଟେଲିଭିଜନ ମାଧ୍ୟମରେ ତିନି ଠାକୁର ଓ ସେମାନଙ୍କ ରଥଟଣା ଦୃଶ୍ୟ ଦେଖିବାକୁ ବାଧ୍ୟ ହୋଇଥିଲେ । ଭକ୍ତଶୂନ୍ୟ ରଥଯାତ୍ରା ଥିବାରୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ରଥଯାତ୍ରା ପରିଚାଳନା କାର୍ଯ୍ୟ ସମାପିତ ହୋଇଛି । ସହରରେ ୬୫ ପ୍ଲାଟୁନ ପୁଲିସ ବଳ ମୁତୟନ ଅଛନ୍ତି । କାଲି ରାତି ୯ଟା ଯାଏଁ ପୁରୀ ସହରରେ କର୍ଫ୍ୟୁ ଜାରି ରହିବ । ବାହୁଡ଼ା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ନିକଟରେ ୧୪୪ ଧାରା ଜାରି ରହିବ । ଗଲା ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ବିଜେ ଚତୁର୍ଦ୍ଧା ମୂରତୀଙ୍କ ଲିଳାଖେଳା ଚର୍ମ ଚକ୍ଷୁରେ ଦେଖିବାରୁ ବଂଚିତ ରହିବେ । ବାହୁଡ଼ାରୁ ନୀଳାଦ୍ର ବିଜେ ସରିବା ଯାଏଁ ପୁରୀ ସହର କର୍ଫ୍ୟ ଭଳି କଟକଣା ଭିତରେ ହିଁ ରହିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS