ସେପ୍ଟେମ୍ବରରୁ ସେରମ୍ ଇନିଷ୍ଟିଚ୍ୟୁଟରୁ ‘ସ୍ପୁଟନିକ-ଭି’ ଉତ୍ପାଦନ, ପର୍ଯ୍ୟଟନ ସ୍ଥଳରେ ଭିଡ଼କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ବେଗ
ପ୍ରସାଦ ରାଓ
ଜୁଲାଇ ୧୩
ମହାରାଷ୍ଟ୍ରର ପୁଣେ ଭିତ୍ତିକ ଟିକା ଉତ୍ପାଦନକାରୀ କଂପାନୀ ‘ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ’(ଏସଆଇଆଇ)ରୁ ଆସନ୍ତା ସେପ୍ଟେମ୍ବରରୁ ‘ସ୍ପୁଟନିକ-ଭି’ ଟିକା ଉତ୍ପାଦନ ଆରମ୍ଭ ହେବ ବୋଲି ଏହି ଟିକା ପ୍ରସ୍ତୁତକାରୀ ଋଷ ସଂସ୍ଥା ‘ରଷିଆନ୍ ଡ଼ାଇରେକ୍ଟ୍ ଇନଭେଷ୍ଟମେଂଟ୍ ଫଣ୍ଡ୍’ (ଆରଡ଼ିଆଇଏଫ) ଆଜି ସୂଚନା ଦେଇଛି । ଆରଡ଼ିଆଇଏଫ ପକ୍ଷରୁ ଏକ ବିବୃତିରେ କୁହାଯାଇଛିଯେ, ଆସନ୍ତା ସେପ୍ଟେମ୍ବର ମାସରୁ ଏସଆଇଆଇରେ ‘ସ୍ପୁଟନିକ-ଭି’ର ପ୍ରଥମ ବ୍ୟାଚ୍ ଟିକା ଉତ୍ପାଦନ ହେବା ଆଶା କରାଯାଉଛି । ଏସଆଇଆଇ ବାର୍ଷିକ ୩୦୦ ନିୟୁତ ଡୋଜ୍ ଟିକା ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି । ଟେକ୍ନିକାଲ୍ ଟ୍ରାନ୍ସଫର ପ୍ରୋସେସରେ ରଷିଆର ଗାମାଲେ ସେଂଟର୍ ଏସଆଇଆଇକୁ ସେଲ୍ ଓ ଭେକ୍ଟର ନମୂନା ଯୋଗାଇ ଦେଲାଣି । ଏସଆଇଆଇକୁ ଡ଼ିସିଜିଆଇ (ଡ୍ରଗ୍ସ୍ କଂଟୋଲର ଜେନେରାଲ ଅଫ୍ ଇଂଡ଼ିଆ) ଆମଦାନୀ ଅନୁମତି ଦେବା ପରେ ଗାମାଲେ ସେଂଟର ଏସବୁ ଯୋଗାଇ ଦେଇଛି । ବର୍ତ୍ତମାନ ଏସଆଇଆଇରେ ଟିକା ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆରଡ଼ିଆଇଏଫ୍ କହିଛି ।
ଅପରପକ୍ଷରେ, ହାଇଦ୍ରାବାଦର ଡକ୍ଟର ରେଡ୍ଡୀସ୍ ଲାବରୋଟେରି ଭାରତରେ ‘ସ୍ୱୁଟନିକ-ଭି’ ଟିକା ଉତ୍ପାଦନ କରୁଛି । ଆଗାମୀ କିଛି ସପ୍ତାହ ମଧ୍ୟରେ ଦେଶରେ ଏହି ଟିକାର ବ୍ୟବସାୟିକ ଉତ୍ପାଦନ ଅଧିକ ସୁଦୃଢ ହେବ ବୋଲି କଂପାନୀ ପ୍ରତିଶ୍ରୁତି ରଖିଛି । ଦେଶରେ ଚାଲି ଥିବା ଟିକାକରଣ କାର୍ଯ୍ୟରେ ଭାରତ ବାୟୋଟେକ୍ ର ‘କୋଭାକ୍ସିନ୍’ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ର ‘କୋଭିସିଲ୍ଡ୍’ ପରେ ତୃତୀୟ ଟିକା ଭାବେ ରଷିଆର ‘ସ୍ପୁଟନିକ-ଭି’ ଅନୁମୋଦନ ଲାଭ କରିଛି । ଗତ ମେ’ ୧୪ ତାରିଖରେ ଦେଶରେ ଏହି ଟିକାର ‘ସଫ୍ଟ୍ ପାଇଲଟ୍ ବେସିସ୍’ ଲଂଚିଂ ହୋଇଥିଲା । ୫୦ରୁ ଅଧିକ ସହରକୁ ‘ସ୍ୱୁଟନିକ-ଭି’ ଟିକା ଯୋଗାଇ ଦିଆଯାଇଛି । ‘କୋଭାକ୍ସିନ୍’ ଓ ‘କୋଭିସିଲ୍ଡ’ ଟିକା ଉତ୍ପାଦନ କରୁଥିବା ଦୁଇ କଂପାନୀ ଦେଶର ଆବଶ୍ୟକତା ତୁଳନାରେ ଉତ୍ପାଦନକ୍ଷମ ନଥିବାରୁ ଟିକାକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ତେଣୁ, କେନ୍ଦ୍ର ସରକାର ଭାରତରେ ପ୍ରୟୋଗ ପାଇଁ ବିଦେଶୀ ଟିକାକୁ ଅନୁମୋଦନ ଦେଲେଣି । ରଷିଆର ‘ସ୍ପୁଟନିକ୍-ଭି’ ସେଥିରୁ ଅନ୍ୟତମ ।
କୋଭିଡ଼ର ଦ୍ୱିତୀୟ ଲହର ଗତ ଏପ୍ରିଲ ଓ ମେ’ ମାସରେ ଦେଶରେ ଭୟଂକର ପରିସ୍ଥିତି ସୃଷ୍ଟି କରିବା ପରେ ଜୁନ ମାସରୁ ସଂକ୍ରମଣ କମି ଜୁଲାଇ ମାସରେ ଏକପ୍ରକାର ପ୍ଲାଟ୍ୟୁ ଅବସ୍ଥାରେ ପହଂଚିଛି । ବିଭିନ୍ନ କୋଭିଡ଼ କଟକଣାକୁ କଡ଼ାକଡ଼ି ପାଳନ କରାଯିବା ସହ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଥିବାରୁ ସଂକ୍ରମଣ କମିବାକୁ ଲାଗି ଥିବା କୁହାଯାଉଛି । ମଙ୍ଗଳବାର ସକାଳ ସୁଦ୍ଧା ବିଗତ ୨୪ ଘଂଟା ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରରୁ ମୋଟ ୩୧,୪୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ବିଗତ ୧୧୮ ଦିନରେ ସବୁଠାରୁ କମ୍ ବୋଲି ସରକାରୀ ରିପୋର୍ଟରୁ ଜଣାପଡିଛି । ଏହି ସମୟ ମଧ୍ୟରେ ଦେଶରେ ୨୦୨୦ଟି ମୃତ୍ୟୁ ଘଟିଛି ଏବଂ ୪୯,୦୦୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଦେଶରେ ବିଗତ ୧୦୯ ଦିନରେ ସକ୍ରିୟ ରୋଗୀ ସଂଖ୍ୟା ମଙ୍ଗଳବାର ସର୍ବନିମ୍ନ ୪.୩ ଲକ୍ଷରେ ପହଂଚିଛି । କେରଳରେ ପାଖାପାଖି ୭, ୮୦୦, ମହାରାଷ୍ଟ୍ରରେ ୭, ୬୦୦ ଓ ତାମିଲନାଡ଼ରେ ୨, ୭୦୦ ସକ୍ରିୟ କେସ୍ ଲୋଡ୍ ରହିଛି ।
ତେବେ, କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଦୁଇ ମାସ ହେଲା ଲାଗୁ ଥିବା ‘ତାଲାବନ୍ଦ’ ଓ ‘ସଟ୍ ଡାଉନ୍’ କଟକଣା ଜୁଲାଇ ମାସରେ କୋହଳ ହେବା ପରେ ହାଟ, ବଜାର, ପର୍ଯ୍ୟଟନ ସ୍ଥଳ ଏବଂ ହିଲ୍ ଷ୍ଟେସନଗୁଡିକରେ କୋଭିଡ଼ ପ୍ରୋଟୋକଲ୍ ର ଅନୁପାଳନ ନହୋଇ ଯେଭଳି ଅସମ୍ଭାଳ ଭିଡ଼ ହେଉଛି ତାହା ପୁନର୍ବାର କରୋନା ସଂକ୍ରମଣ ବଢାଇବା ଆଶଙ୍କାକୁ ଦୃଢିଭୂତ କରିଛି । ଏହା ବିରୋଧରେ ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଚେତାବନୀ ଦେଲେଣି । ଇଡ଼ିଆନ୍ ମେଡ଼ିକାଲ୍ ଆସୋସିଏସନ (ଆଇଏମଏ) ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କୋଭିଡ଼ କଟକଣା କୋହଳ ହେଲେ ପୁନର୍ବାର ସଂକ୍ରମଣରେ ବୃଦ୍ଧି ଘଟିବ ବୋଲି କହିଛି । କଟକଣା ପୂର୍ବପରି କଡ଼ାକଡ଼ ରଖା ଯିବାକୁ ଏବଂ କୋଭିଡ଼ ପ୍ରୋଟୋକଲ୍ ପାଳନରେ କୌଣସି ପ୍ରକାର ଅବହେଳା ବରଦାସ୍ତ କରା ନ ଯିବାକୁ ଆଇଏମଏ ସଭାପତି ସୋମବାର ଦିନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ଆଠଟି ଉତ୍ତର ପୂର୍ବାଂଚଳ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ବୈଠକ କରି କଟକଣା କୋହଳ ହେବା ପରେ ବିଭିନ୍ନ ହିଲ୍ ଷ୍ଟେସନ, ମାର୍କେଟ ଓ ପର୍ଯ୍ୟଟନ କେନ୍ଦ୍ରରେ ଯେଭଳି ଅସମ୍ଭାଳ ଭିଡ଼ ଜମିଛି ତାହା ଉଦ୍ବେଗଜନକ ବୋଲି କହିଛନ୍ତି । କୋଭିଡ଼ର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଉତ୍ତର ପୂର୍ବାଂଚଳ ରାଜ୍ୟମାନେ କୋଭିଡ଼ ପ୍ରୋଟୋକଲ୍ ର କଡାକଡି ପାଳନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ଼ ମହାମାରୀରେ ଦେଶର ପର୍ଯ୍ୟଟନ ଶିଳ୍ପ ବିଶେଷ ପ୍ରଭାବିତ ହୋଇଥିବା ସେ ଜାଣନ୍ତି । ତେବେ, ପର୍ଯ୍ୟଟନ ସ୍ଥଳ ମାର୍କେଟ ଓ ହିଲ୍ ଷ୍ଟେସନମାନଙ୍କରେ ପ୍ରବଳ ଭିଡ଼ ହେବା ଏବଂ ମୁହଁରେ ମାସ୍କ୍ ନ ପିନ୍ଧି ଲୋକମାନେ ବୁଲାଚଲା କରିବା ଅଧିକ ବିପଦକୁ ନିମନ୍ତ୍ରଣ କଲା ଭଳି ହେଉଛି ।
‘ଭାଇରସ୍ ନିଜ ଇଚ୍ଛାରେ ଆସି ନିଜ ଇଚ୍ଛାରେ ଚାଲି ଯିବ ନାହିଁ । କୋଭିଡ଼ କଟକଣାକୁ ନମାନି ଆମେ ତାହା ଘରକୁ ଡାକି ନେଉଛେ’ ବୋଲି ସେ କହିଛନ୍ତି ।
ଅଧିକ ଗହଳି ଏବଂ କୋଭିଡ଼ କଟକଣା ପ୍ରତି ହେୟ ମନୋଭାବ ଦ୍ୱାରା ଦେଶରେ ପୁନର୍ବାର ସଂକ୍ରମଣ ବୃଦ୍ଧି ହେବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । କୋଭିଡ଼ ତୃତୀୟ ଲହରକୁ ସମସ୍ତେ ମିଳି ମିଶି ପ୍ରତିହତ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ଉତ୍ତର ପୂର୍ବାଂଚଳ ରାଜ୍ୟରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ସପ୍ତାହରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶର ୭୩ ଜିଲ୍ଲାରେ କୋଭିଡ଼ ପଜେଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି । ସେଥିରୁ ୪୭ଟି ଜିଲ୍ଲା ହେଉଛି ଉତ୍ତର ପୂର୍ବାଂଚଳ ରାଜ୍ୟର । ସଂପୃକ୍ତ ରାଜ୍ୟମାନେ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ‘ତାଲାବନ୍ଦ’କୁ ପ୍ରାଧାନ୍ୟ ନଦେଇ ଆସାମ ସରକାରଙ୍କ ଭଳି ମାଇକ୍ରୋ କଂଟେନମେଂଟ୍ ଜୋନ୍ ଚିହ୍ନଟ କରି କରୋନା ମହାମାରୀର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିବା ଜଣାପଡିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS