କୋଭିଡ଼ ତୃତୀୟ ଲହର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୧୯
କୋଭିଡ଼ର ତୃତୀୟ ଲହରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଲାଣି । ଆସନ୍ତା ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ଭାରତରେ ଏହି ଲହର ଅନୁଭୂତ ହେବ । ତେଣୁ, ଆଗାମୀ ଦୁଇ ତିନି ମାସ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତରେ ପ୍ରଥମେ ଦେଖା ଦେଇଥିବା ସାର୍ସ-କୋଭ-୨ର ଡେଲଟା ଭାରିଆଂଟ୍ ତୃତୀୟ ଲହର ସଂକ୍ରମଣ ବ୍ୟାପିବାର କାରଣ ହେବ ବୋଲି ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ଦେଶରେ ଗତ ମାର୍ଚ୍ଚରୁ ଚାଲିଥିବା କୋଭିଡ଼ ଦ୍ୱିତୀୟ ଲହରର ସଂକ୍ରମଣ କମି ଏକପ୍ରକାର ‘ପ୍ଲାଟୁ’ ସ୍ଥିତିକୁ ଆସି ଥିବା ବେଳେ ମହାରାଷ୍ଟ୍ର, କେରଳ ଓ ଉତ୍ତର ପୂର୍ବାଂଚଳ ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ପୁନର୍ବାର ଉପର ମୁହାଁ ହେବା ଚିନ୍ତାର କାରଣ ହୋଇଛି । ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି.କେ.ପଲଙ୍କ କହିବା ଅନୁସାରେ ଭାରତରେ କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣରେ ରହି ଥିଲେ ମଧ୍ୟ ଟିକାକରଣ ଯୋଗୁଁ ହେଉ ବା ପ୍ରାକୃତିକ ସଂକ୍ରମଣ ଯୋଗୁଁ, ଯେଉଁ ପରିମାଣର ‘ହେର୍ଡ ଇମ୍ୟୁନିଟି’ ମିଳିବା କଥା ତାହା ମିଳି ପାରି ନାହିଁ । ତେଣୁ, ଆଉ କିଛି ମାସ ଦେଶ ପାଇଁ ଚିନ୍ତାର କାରଣ ହୋଇ ରହିବ । ଅପରପକ୍ଷରେ, ୟୁନିଭରସିଟି ଅଫ୍ ହାଇଦ୍ରାବଦର ପ୍ରୋ-ଭାଇସ୍-ଚାନ୍ସଲାର ଡ଼କ୍ଟର ବିପିନ ଶ୍ରୀବାସ୍ତବ କହିଛନ୍ତି, ଜୁଲାଇ ୪ ତାରିଖରୁ ଦେଶରେ କୋଭିଡ଼ର ତୃତୀୟ ଲହର ଆରମ୍ଭ ହୋଇଯାଇଛି । କୋଭିଡ଼ର ଦ୍ୱୀତୀୟ ଲହର ସମୟରେ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ଯେଭଳି ସ୍ଥିତି ଥିଲା ଜୁଲାଇ ୪ ତାରିଖରେ ଏକାଭଳି ସ୍ଥିତି ଥିବା କୋଭିଡ଼ ସଂକ୍ରମଣ ରେକର୍ଡରୁ ସୂଚନା ମିଳୁଛି । ଆଇସିଏମଆର୍ ର ଏପିଡ଼େମିଓଲୋଜି ଓ ଇନଫେକ୍ସସ୍ ବିଭାଗ ମୁଖ୍ୟ ଡକ୍ଟର ସମୀରଣ ପଣ୍ଡା ମଧ୍ୟ ଏକାଭଳି କହିଛନ୍ତି । ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କୋଭିଡ଼ର ତୃତୀୟ ଲହର ଦେଖିବାକୁ ମିଳିବ । ତେବେ, ଦ୍ୱିତୀୟ ଲହର ଭଳି ତୃତୀୟ ଲହର ସେତେଦୂର ଘାତକ ହେବ ନାହିଁ ବୋଲି ଡକ୍ଟର ପଣ୍ଡା ଆକଳନ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS