ଭାରତୀୟ ରାଜନୀତିରେ ସତ-ମିଛର ଖେଳ !
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୨୨
ଅକ୍ସିଜେନ୍ ଅଭାବ :
– ଦେଶରେ ଯଥେଷ୍ଟ ପରିମାଣରେ ତରଳ ମେଡ଼ିକାଲ ଅକ୍ସିଜେନ୍ ମହଜୁଦ ରହିଛି, କୌଣସି ରାଜ୍ୟରେ ଅକ୍ସିଜେନ୍ ସଂକଟ ସୃଷ୍ଟି ହୋଇ ନାହିଁ । କିଛି ରାଜ୍ୟରେ ଅକ୍ସିଜେନ୍ ର ଦୁରୁପଯୋଗ ହେବାରୁ ସେମାନେ ଅକ୍ସିଜେନ୍ ସଂକଟର ସାମନା କରିଛନ୍ତି । ତେଣୁ, ରାଜ୍ୟମାନଙ୍କରେ ଅକ୍ସିଜେନ୍ ଅଡ଼ିଟ ହେବା ଆବଶ୍ୟକ – କୋଭିଡ଼ ଦ୍ୱିତୀୟ ଲହରରେ ଏହା ଥିଲା ସରକାରର ବକ୍ତବ୍ୟ ।
ବିରୋଧୀଙ୍କ ଅଭିଯୋଗ ଥିଲା – କୋଭିଡ଼ ଦ୍ୱିତୀୟ ଲହରରେ ତରଳ ମେଡ଼ିକାଲ୍ ଅକ୍ସିଜେନ୍ (ଏଲଏମଓ)ର ଘୋର ଅଭାବ ଯୋଗୁଁ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟ ପ୍ରଦେଶ ପ୍ରଭୃତି ରାଜ୍ୟରେ ହାହାକାର ସୃଷ୍ଟି ହୋଇଥିଲା । ଏହି କାରଣରୁ ସରକାରୀ, ବେସରକାରୀ ଚିକିତ୍ସାଳୟରେ ବହୁ ସଂଖ୍ୟାରେ କୋଭିଡ଼, ଅଣ-କୋଭିଡ଼ ମୃତ୍ୟୁ ଘଟିଛି । ଗଂଗା ନଦୀ ସମେତ ବିଭିନ୍ନ ନଦୀରେ ଶହ ଶହ ସଂଖ୍ୟାରେ ଶବ ଭାସି କୂଳରେ ଲାଗିବା ହେଉଛି ଏହାର ଜ୍ୱଳନ୍ତ ପ୍ରମାଣ ।
– ତେବେ, ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସଂସଦରେ ବୟାନ ରଖିଛନ୍ତି – କୌଣସି ରାଜ୍ୟରେ ଅକ୍ସିଜେନ୍ ଅଭାବଜନିତ ମୃତ୍ୟୁ ଘଟିଥିବା ରିପୋର୍ଟ ନାହିଁ । ବିଭିନ୍ନ ରାଜ୍ୟରୁ ସଂଗୃହୀତ ତଥ୍ୟରୁ ତାହା ଜଣାପଡିଛି ।
କୋଭିଡ଼ ଟିକା :
– ଦେଶରେ ୨୦୨୧ ଜାନୁୟାରୀ ୧୬ରୁ କୋଭିଡ଼ ଟିକାକରଣ ଆରମ୍ଭ ହେଲା । କିଛି ଦିନ ସୁରୁଖୁରରେ ଚାଲିବା ପରେ ରାଜ୍ୟ ସରକାରମାନେ ଅଭିଯୋଗ କଲେ, ଆବଶ୍ୟକତା ମୁତାବକ ଟିକା ମିଳୁ ନଥିବାରୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ମନ୍ଥର ହୋଇଛି ବା ବନ୍ଦ ରହିଛି । ଟିକାକରଣ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ।
– ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉତ୍ତର ଥିଲା – ଦେଶରେ କୋଭିଡ଼ ଟିକାର ଅଭାବ ନାହିଁ । ସବୁ ରାଜ୍ୟରେ ଆବଶ୍ୟକ ମୁତାବକ ଟିକା ଗଚ୍ଛିତ ରହିଛି, ଟିକା ପରିଚାଳନାରେ ଲିକେଜ୍ କମିଲେ ଟିକାର ଅଭାବ ଅନୁଭୂତ ହେବ ନାହିଁ ।
– ବିରୋଧୀ ଅଭିଯୋଗ କଲେ, କେନ୍ଦ୍ର ସରକାର ନିଜ ପତିଆରା ପାଇଁ ବିଦେଶକୁ କୋଭିଡ଼ ଟିକା ରପ୍ତାନୀ କରିବାରୁ ଦେଶରେ ଟିକାର ଅଭାବ ଦେଖା ଦେଇଛି …
‘ପେଗାସିସ୍’ ମାଧ୍ୟମରେ ଗୁଇନ୍ଦାଗିରି :
ଏକ ଇସ୍ରାଏଲୀ ସଂସ୍ଥାର ସ୍ପାଏୱେର୍ ମାଧ୍ୟମରେ ଦେଶର ୩୦୦ରୁ ଅଧିକ ବ୍ୟକ୍ତିଙ୍କ ଫୋନ୍ ହ୍ୟାକ୍ କରାଯାଇ ଗୁଇନ୍ଦାଗିରି ହୋଇଥିବା ସଂପର୍କିତ ଏକ ରିପୋର୍ଟ ‘ଦି ୱାୟାର’ରେ ପ୍ରସାରିତ ହେବା ପରେ ଏହି ଗୁଇନ୍ଦାଗିରି ପଛରେ ସରକାରଙ୍କ ଗୃହ ମନ୍ତ୍ରଣାଳୟର ହାତ ଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଫୋନ୍ ହ୍ୟାକ୍ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୪୦ ଜଣ ସାମ୍ବାଦିକ, ବିଚାରପତି, ରାଜନେତା, କେନ୍ଦ୍ର ମନ୍ତ୍ରୀ, ପ୍ରଶାସକ ପ୍ରମୁଖ ଥିବା କୁହାଯାଉଛି । ଏହାକୁ ନେଇ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।
– ତେବେ, ସରକାର କହୁଛନ୍ତି – ଏହି କଥିତ ଗୁଇନ୍ଦାଗିରି ପଛରେ ସରକାରଙ୍କ ହାତ ଥିବା ଅଭିଯୋଗ ସତ୍ୟ ନୁହେଁ । ଆନ୍ତର୍ଜାତିକସ୍ତରରେ ମୋଦୀ ସରକାରଙ୍କୁ ନିନ୍ଦିତ କରିବା ପାଇଁ ଏଭଳି ଏକ ଷଡଯନ୍ତ୍ର ହୋଇଛି । ତାହା ମଧ୍ୟ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ସମୟରେ ।
– ଏହି ଗୁଇନ୍ଦାଗିରି ସଂପର୍କିତ ରିପୋର୍ଟ ସଂସଦ ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବ ରାତିରେ ପ୍ରସାରିତ ହେବା ଏକ ‘ସଂଯୋଗ’ ନୁହେଁ, ସରକାରଙ୍କୁ ନିନ୍ଦିତ କରିବା ଷଡଯନ୍ତ୍ର – ଆଇଟି ମନ୍ତ୍ରୀ
– ପ୍ରଧାନମନ୍ତ୍ରୀ କହିଲେ – ସଂସଦ ଅଧିବେଶନର ପ୍ରାରମ୍ଭ ଦିନ (ସୋମବାର) ସେ ପରଂପରା ଅନୁଯାୟୀ ନୂଆ ମନ୍ତ୍ରୀଙ୍କୁ ଗୃହରେ ପରିଚିତ କରାଉଥିବା ସମୟରେ ବିରୋଧୀ ଗୁଇନ୍ଦାଗିରି ଅଭିଯୋଗ ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ଅଚଳାବସ୍ଥା ସୃଷ୍ଟି କରିବା ନିନ୍ଦନୀୟ । ନୂତନ ମନ୍ତ୍ରୀ ପରିଷଦରେ ଅଧିକ ସଂଖ୍ୟାରେ ମହିଳା, ସଂଖ୍ୟାଲଘୁ ଜାତି, ଜନଜାତି ଏବଂ ଓବିସିଙ୍କୁ ପ୍ରତିନିଧିତ୍ୱ ମିଳି ଥିବାରୁ ବିରୋଧୀ ସହି ପାରୁ ନାହାନ୍ତି । ନୂଆ ମନ୍ତ୍ରୀଙ୍କୁ ପରିଚିତ କରାଇବା ସୁଯୋଗ ତାଙ୍କୁ ଦିଆଗଲା ନାହିଁ ।
– ବିରୋଧୀଙ୍କ ଅଭିଯୋଗ ହେଉଛି – ସରକାର ବିରୋଧୀଙ୍କ ଉପରେ ନଜର ରଖିବା, ସେମାନଙ୍କ ବାର୍ତ୍ତାଳାପ ଶୁଣିବା ଏବଂ ଇ-ମେଲ୍ ଓ ମେସେଜଗୁଡିକୁ ପଢି ନିଜର ରଣକୌଶଳ ପ୍ରସ୍ତୁତି କରିବା ପାଇଁ ଇସ୍ରାଏଲୀ ସଂସ୍ଥାର ସ୍ପାଏୱେର୍ ବ୍ୟବହାର କରିଛନ୍ତି । ଏହି ଗୁଇନ୍ଦାଗିରିର ଜେପିସି ତଦନ୍ତ ହେଉ ବୋଲି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ଦାବି କରିଛନ୍ତି ।
ଏସବୁ ହେଉଛି ୨୦୨୧ର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସତ-ମିଛର ରାଜନୀତି । କେତେବେଳେ ସରକାର ବିରୋଧୀଙ୍କ ପ୍ରତି ଆରୋପ ଲଗାଇଛନ୍ତି ତ କେତେବେଳେ ବିରୋଧୀ ସରକାରଙ୍କ ଉପରେ । ୨୦୧୪ ମସିହାରେ (ମେ’ ମାସରେ) ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ପରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସତ-ମିଛର ଖେଳ ଜୋରଦାର ହୋଇଛି । ସରକାରଙ୍କ ଆରୋପକୁ ବିରୋଧୀ ‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’ କହି ନକାରି ଦେଉଥିବା ବେଳେ ବିରୋଧୀଙ୍କ ଆରୋପକୁ ସରକାର । ମୋଦୀ ସରକାର ‘ମିଛ’ର ସୌଦାଗର ବୋଲି ସାତ ବର୍ଷ ହେଲା ବିରୋଧୀ ଅଭିଯୋଗ କରୁଛନ୍ତି । କଂଗ୍ରେସ ସମେତ ତାହାର ସହଯୋଗୀ ଦଳମାନେ (ୟୁପିଏ) ବିଦେଶୀ ଏଜେଂଟ ଭଳି କାର୍ଯ୍ୟ କରୁଛନ୍ତି ଏବଂ ସରକାରଙ୍କୁ ଆନ୍ତର୍ଜାତିକସ୍ତରରେ ନିନ୍ଦିତ କରିବାର ଷଡଯନ୍ତ୍ର ଚଳାଇ ଆସିଛନ୍ତି ବୋଲି ଶାସକ ବିଜେପି ବାର୍ତ୍ତା ଦେଉଛି ।
ଶାସକ ବିଜେପି ଏବଂ ବିରୋଧୀଙ୍କ ମଧ୍ୟରେ ଚାଲି ଥିବା ଆକ୍ଷେପ, ପ୍ରତ୍ୟାକ୍ଷେପର ରହସ୍ୟ ସାଧାରଣ ଜନତା ବୁଝିବା ବାହାରେ । ତଥାପି, ଶାସକ ଓ ବିରୋଧୀଙ୍କୁ ସମର୍ଥନ କରିବାକୁ ଯାଇ ଜନତା ସମାନ୍ତରାଳ ଭାବେ ଦୁଇ ଭାଗ ହୋଇଥିବା ଦେଖିବାକୁ ମିଳୁଛି । ବିଶେଷକରି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ମଧ୍ୟରେ । କାହା କଥା ସତ, କାହା କଥା ମିଛ – ଜାଣିବା ଆଗ୍ରହ କାହାରି ନାହିଁ । ଅନ୍ଧଭକ୍ତଙ୍କ ଭଳି କିଏ ସରକାରଙ୍କ ପକ୍ଷ ରଖୁଛି ତ କିଏ ବିରୋଧୀଙ୍କ । ଏହି ସତ, ମିଛର ପହେଳିକା ମଧ୍ୟରେ ନିଜର ମତ ରଖିଲେ କେତେବେଳ ‘ଅନ୍ଧଭକ୍ତ’ର ମୋହର ବାଜୁଛି ତ କେତେବେଳ ଦେଶଦ୍ରୋହୀର । ସାମାଜିକ ଗଣମାଧ୍ୟମ ଯୁଗରେ ଏଭଳି ଟିକା ଟିପ୍ପଣୀ କରିବାରେ କିଛି ଅସୁବିଧା ନାହିଁ । ଠିକ୍ ଭାବେ ଧାଡିଏ ଲେଖି ଜାଣି ନଥିବା ଲୋକ ମଧ୍ୟ କଟାକ୍ଷ କରିବାକୁ ପଛାଉ ନାହାନ୍ତି । ୨୦୧୪ ପୂର୍ବରୁ ଏଭଳି ନଥିଲା କହିବା ଭୁଲ ହେବ । ସ୍ୱାଧୀନତାର ୭୫ ବର୍ଷରେ ଭାରତୀୟ ରାଜନୀତି ବାରମ୍ବାର ଏଭଳି ସତ-ମିଛର ରାଜନୀତି ଦେଖି ଆସୁଛି । ୨୦୧୪ ପୂର୍ବରୁ ଦେଶରେ ଡ଼ିଜିଟାଲ ମିଡ଼ିଆର ପ୍ରସାର ଏତେ ଅଧିକ ନଥିଲା । ଖବର ପାଇଁ ଜନତା ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନିର୍ଭରଶୀଳ ଥିଲେ । ଏକାଧିକ ଖବରକାଗଜ ପଢିଲେ ବା ଏକାଧିକ ବୈଦ୍ୟୁତିକ ଗଣମାଧ୍ୟମର ଖବରର ଅନୁଶୀଳନ କଲେ କିଛିଟା ସତ ନିକଟରେ ପହଂଚି ହେଉଥିଲା । ଏବେ ସେଭଳି ସୁଯୋଗ କମ୍ । ସାମାଜିକ ଗଣମାଧ୍ୟମରେ ଆସୁଥିବା ତଥ୍ୟକୁ ଅନ୍ଧ ଭଳି ବିଶ୍ୱାସ କଲେ କେତେବେଳେ ଯେ ମଣିଷ ଜେଲ୍ ଯିବ କହି ହେବ ନାହିଁ ।
୨୦୧୪ ପୂର୍ବର ସତ-ମିଛର ରାଜନୀତିକୁ ପର୍ଯ୍ୟାଲୋଚନା କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅମଳରେ ହୋଇଥିବା ପ୍ରତିରକ୍ଷା ବିଭାଗର ‘ବୋଫର୍ସ’ ତୋପ କିଣା ସ୍କାମ୍ ଏବଂ ଡକ୍ଟର ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱରେ ହୋଇଥିବା ‘ଟୁ-ଜି’ ସ୍କାମ୍ ସ୍ୱାଭାବିକ ଭାବେ ଚର୍ଚ୍ଚାକୁ ଆସୁଛି । ଏହି ଦୁଇଟି ବଡ଼ ସ୍କାମ୍ ଦେଶର ରାଜନୈତିକ ଚିତ୍ରକୁ ବଦଳାଇ ଦେଇଥିଲା । କଂଗ୍ରେସ ପ୍ରତି ଜନସାଧାରଣରେ ଅବିଶ୍ୱାସ ବଢି ଥିଲା । ଆଜି ସୁଦ୍ଧା ‘ବୋଫର୍ସ’ ତୋପ କିଣା ସ୍କାମ୍ କୁ ନେଇ ସମୟ ସମୟରେ ଆଲୋଚନା ଓ ବିତର୍କ ହେଉଛି । ତେବେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହି ଲାଂଚ କାରବାରରେ ବ୍ୟକ୍ତିଗତ ଭାବେ ସଂପୃକ୍ତ ଥିଲେ ବୋଲି ଦେଶର କୌଣସି ତଦନ୍ତକାରୀ ଏଜେନ୍ସି ଏଯାଏଁ ପ୍ରମାଣିତ କରି ପାରି ନାହିଁ । କେବଳ, ଲାଂଚ କାରବାରର ମଧ୍ୟସ୍ଥି ବା ଲଂଚଗ୍ରହୀତା କୁହାଯାଉଥିବା କ୍ୱାଟ୍ରୋଚିଙ୍କ ସହ ଗାନ୍ଧୀ ପରିବାରର ସଂପର୍କକୁ ନେଇ ଏକ ସନ୍ଦେହର କୁହେଳୀ ରହିଛି । ରାଜୀବ ଗାନ୍ଧୀଙ୍କ ଦେହାନ୍ତ ପରେ ମଧ୍ୟ ଏହି କୁହେଳୀ ଅପସାରିତ ହୋଇ ନାହିଁ ।
ସେହିଭଳି, ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ-୨ ସରକାରରେ ‘ଟୁ-ଜିମ୍’ ସ୍କାମ୍ ସମେତ ଅନ୍ୟାନ୍ୟ ଅନେକ ସ୍କାମ୍ ଶାସକ ମେଂଟକୁ ନିନ୍ଦିତ କରିଥିଲା । ବିରୋଧୀ ଏହାକୁ ସରକାରଙ୍କ ବିରୋଧରେ ପ୍ରଚାରର ବଡ଼ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ । ସିବିଆଇ ଦ୍ୱାରା ଶାସକ ମେଂଟର ଅନେକ ନେତା ଗିରଫ ହୋଇ ଦୀର୍ଘ ଦିନ ଜେଲରେ ରହିଥିଲେ । ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସରକାର ଦୁର୍ନୀତିଗ୍ରସ୍ତ ଏବଂ ଅପରାଗ ଦର୍ଶାଇ ବିଜେପି ଓ ଆରଏସଏସ୍ ମିଳିତ ଭାବେ ୨୦୧୪ ସାଧାରଣ ନିର୍ବାଚନ ପରିଚାଳନା କରିଥିଲେ । ସେହି ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କୁ ଜାତୀୟ ରାଜନୀତିକୁ ଅଣାଯାଇ ଏକ ବିକଳ୍ପ ଭାବେ ଉପସ୍ଥାପନ କରାଯାଇଥିଲା । ମୋଦୀ ପ୍ରଧାନମନ୍ତ୍ରୀ ହେବେ ଏବଂ ଦେଶକୁ ଏକ ଦୁର୍ନୀତିମୁକ୍ତ ‘ଗୁଜରାଟ ମଡେଲ’ ସରକାର ଦେବେ ବୋଲି ବିଜେପି-ଆରଏସଏସର ପ୍ରଚାରରେ ପ୍ରଲୋଭିତ ହୋଇ ଦେଶବାସୀ ଏନଡ଼ିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ସପକ୍ଷରେ ଭୋଟ ଦେଇଥିଲେ । ୟୁପିଏ-୨ ସରକାର ବିରୋଧରେ ଥିବା ଜନମତକୁ ନରେନ୍ଦ୍ର ମୋଦୀଙ୍କ ବାକ୍ ଚାତୁରୀ ଏବଂ ଡ଼ିଜିଟାଲ ମିଡ଼ିଆର ଭରପୁର ଉପଯୋଗ ବିଜେପି-ଆରଏସଏସ୍ ରଣନୀତିକୁ ସଫଳ ରୂପ ଦେଇଥିଲା । ୨୦୧୪ ସାଧାରଣ ନିର୍ବାଚନ ପରେ ବିଜେପି ଦୀର୍ଘ ସାତ ବର୍ଷ ହେଲା ସରକାରରେ ଥିବା ବେଳେ କଂଗ୍ରେସ ଦଳ ଏକ ‘ପୋଷ୍ଟର-ସର୍ବସ୍ୱ ଦଳ’ରେ ସୀମିତ ହୋଇଯାଇଛି ।
ସଂସଦରେ ଆଶାତୀତ ସଂଖ୍ୟାଗରିଷ୍ଠତା ଥିଲେ ଯେକୌଣସି ରାଜନୈତିକ ଦଳ ବା ସରକାର ସ୍ୱେଚ୍ଛାଚାରୀ ହୋଇଥା’ନ୍ତି । ୨୦୧୪ ମେ’ ପରେ ଦେଶବାସୀ ତାହା ହିଁ ଦେଖୁଛନ୍ତି । ସଂସଦରେ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ । ଦଳ କ୍ଷମତାରୁ ବିଦା ନେବା ପରେ ନେତୃତ୍ୱ ସଂକଟର ସାମ୍ନା କରୁଛି । ଇସ୍ୟୁ ଭିତ୍ତିରେ ଅନ୍ୟ ବିରୋଧୀ ଦଳ କଂଗ୍ରେସକୁ ସମର୍ଥନ ଦେଉଥିଲେ ମଧ୍ୟ ଗାନ୍ଧୀ ପରିବାରର ଛାଇରେ ଥିବାରୁ ଦଳ ବିଶ୍ୱାସଭାଜନ ହୋଇପାରୁନାହିଁ । ଲୋକସଭାରେ ଦଳର ଦୁର୍ବଳ ସ୍ଥିତି ଶାସକ ବିଜେପି ପାଇଁ ସୁଯୋଗ ହୋଇଛି । ୨୦୧୪ରେ କ୍ଷମତାକୁ ଆସୁ ଆସୁ ମୋଦୀ ସରକାର ଦେଶ ଉପରେ ‘ବିମୁଦ୍ରୀକରଣ’ ଲଦି ଦେଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକସ୍ମିକ ଭାବେ ଦେଶବାସୀଙ୍କୁ ସମ୍ଭୋଧିତ କରି ‘ବିମୁଦ୍ରୀକରଣ’ ଘୋଷଣା କରିବା ବିରୋଧୀ କଂଗ୍ରେସକୁ ତଟସ୍ଥ କଳା ଭଳି ଥିଲା । ସରକାର ବିରୋଧୀ ଦଳଙ୍କ ସହ ବିଚାର ବିମର୍ଷ ନକରି ରାତି ଅଧିଆ ଏହି ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଥିବା ବେଳେ ଦୁର୍ନୀତି ଓ କଳାଧନ ବିରୋଧରେ ଏହା ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତି ବାଢି ଥିଲେ । ‘ବିମୁଦ୍ରୀକରଣ’ରୁ ଦେଶବାସୀ କେତେଦୂର ଲାଭବାନ ହୋଇଛନ୍ତି, ତାହା ସମସ୍ତେ ଜାଣନ୍ତି ।
ସେହିଭଳି, ମୋଦୀ ସରକାରରେ ଜିଏସଟି କାର୍ଯ୍ୟକାରୀ ହେବା, ସଂସଦରେ ନାଗରିକତା ସଂଶୋଧନ ଆଇନ ଏବଂ ତିନି ନୂଆ କୃଷି ଆଇନ ପାରିତ କରାଇ ନିଆଯିବା ସରକାରଙ୍କ ପ୍ରଭୁତ୍ୱର ନିଦର୍ଶନ ହୋଇଛି । ନାଗରିକତା ସଂଶୋଧନ ଆଇନ (ସିଏଏ) ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦନ ଲାଭ କରିବା ପରେ ଆଇନରେ ପରିଣତ ହୋଇ ସାରିଛି । ଏହା ବିରୋଧରେ ଦେଶବ୍ୟାପୀ ଲମ୍ବା ପ୍ରଦର୍ଶନ ହୋଇଥିଲେ ମଧ୍ୟ ସରକାର ପଛଘୁଂଚା ଦେଇ ନାହାନ୍ତି । କୋଭିଡ଼ ପରିସ୍ଥିତି ପୂର୍ବରୁ ଦେଶରେ ତିନି କୃଷି ଆଇନକୁ ସରକାର ସଂସଦରେ ପାରିତ କରାଇ ରାଷ୍ଟ୍ରପତିଙ୍କ ଅନୁମୋଦନରେ ଆଇନରେ ପରିଣତ କରିଥିଲେ ମଧ୍ୟ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ତାହାକୁ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ନାମରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନକୁ ଦମନ କରାଯାଇଥିବା ବେଳେ ୨୦୧୯ ଶେଷ ଭାଗରୁ ନୂଆ ତିନି କୃଷି ଆଇନ ବିରୋଧରେ ୪୦ ଚାଷୀ ସଂଗଠନର ଆନ୍ଦୋଳନକୁ ଦବାଇବା ଉଦ୍ୟମ ଚାଲିଛି । ନୂଆ କୃଷି ଆଇନ ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ସରକାର ବାରଂବାର ଦାବି କରୁଥିବା ବେଳେ ଚାଷୀ ସଂଗଠନମାନେ ଏହାକୁ ଚାଷୀଙ୍କ ହୀତ ଉଦ୍ଦେଶ୍ୟରେ ନୁହେଁ, କର୍ପୋରେଟ୍ ଜଗତର ହୀତ ସାଧନ ପାଇଁ ପ୍ରଣୀତ ବୋଲି ଅଭିଯୋଗ ହେଉଛି । ଏବେ ସୁଦ୍ଧା ସିଏଏ ଓ ତିନି ନୂଆ କୃଷି ଆଇନକୁ ନେଇ ସତ-ମିଛର ଖେଳ ଚାଲିଛି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ରାଜନୈତିକ ଦଳ ସିଏଏ ଏବଂ ତିନି କୃଷି ଆଇନ ବିରୋଧରେ ଚାଲି ଥିବା ଆନ୍ଦୋଳନକୁ ସମର୍ଥନ ଦେଇଥିଲେ ମଧ୍ୟ ସରକାରଙ୍କ ଉପରେ ତାହାର କୌଣସି ପ୍ରଭାବ ଦେଖିବାକୁ ମିଳି ନାହିଁ ।
ତିନି କୃଷି ଆଇନକୁ ବିରୋଧ କରୁଥିବା ସଂଗଠନମାନେ ‘ଚାଷୀଙ୍କ ସଂଗଠନ’ ନୁହନ୍ତି, କୃଷି ଦଲାଲ୍ ଏବଂ ଲାଭଖୋର ମଧ୍ୟସ୍ଥିଙ୍କ ଦ୍ୱାରା ପ୍ରୋତ୍ସାହିତ ସଂଗଠନ ବୋଲି ସରକାର କହିବା ସହ କୃଷି କ୍ଷେତ୍ରରୁ ଲାଭଖୋର ମଧ୍ୟସ୍ଥିଙ୍କୁ ହଟାଇ ଚାଷୀଙ୍କୁ ଲାଭାନ୍ୱିତ କରିବା ଲକ୍ଷ୍ୟରେ ଏହି ଆଇନ ପ୍ରଣୀତ ହୋଇଛି ବୋଲି କହୁଛନ୍ତି । ଏହି ପ୍ରଚାରଧାରା ବା ‘ନ୍ୟାରେଟିଭ୍’କୁ ନେଇ ସରକାରଙ୍କ ଅନ୍ଧଭକ୍ତ ଓ ସରକାରୀ ପ୍ରୋତ୍ସାହିତ ମିଡ଼ିଆର ନ୍ୟାରେଟିଭ୍ ଚାଲିଛି । ବିରୋଧୀଙ୍କୁ ‘ଦେଶଦ୍ରୋହ’ କହି ଚାଲି ଥିବା ପ୍ରଚାରରେ ମଧ୍ୟ ସାଧାରଣ ଜନତା ସମାନ୍ତରାଳ ଦୁଇ ଭାଗରେ ବିଭକ୍ତ ହୋଇ ଟିକା ଟିପ୍ପଣୀ କରିବା ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି । ଫ୍ରାନ୍ସରୁ ରାଫେଲ ଯୁଦ୍ଧ ବିମାନ କିଣା ପ୍ରସଂଗକୁ ନେଇ ମଧ୍ୟ ଏକା ଅବସ୍ଥା । ଶାସକ ଓ ବିରୋଧୀଙ୍କ ନ୍ୟାରେଟିଭ୍ ରୁ କିଏ ସତ, କିଏ ମିଛ ଜାଣିବା କଷ୍ଟକର । ଏହି ଯୁଦ୍ଧ ବିମାନ କିଣାରେ ହୋଇଥିବା କଥିତ ଲଂଚ କାରବାରକୁ ନେଇ ଫ୍ରାନ୍ସ ସରକାର ତଦନ୍ତ ଆରମ୍ଭ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାଇଁ ଆଶ୍ୱସ୍ତି ଆଣିଛି । କାରଣ, ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ବିଜେପି ସରକାର ବିରୋଧରେ ‘ରାଫେଲ୍’କୁ ମୁଖ୍ୟ ମୁଦ୍ଦା କରି କଂଗ୍ରେସ ପ୍ରଚାରକୁ ଆଗେଇ ନେଇଥିଲେ । ଫ୍ରାନ୍ସ୍ ସରକାରଙ୍କ ବିଳମ୍ବିତ ନିଷ୍ପତ୍ତି ରାହୁଲଙ୍କ ଅଭିଯୋଗକୁ ସତ୍ୟସିଦ୍ଧ କଲା ଭଳି ହୋଇଥିବା ଏବେ କଂଗ୍ରେସ ଦାବି କରୁଛି ।
କେନ୍ଦ୍ର ସରକାର ଓ ବିରୋଧୀଙ୍କ ମଧ୍ୟରେ ଇସ୍ରାଏଲୀ ସ୍ପାଏୱେର୍ ‘ପେଗାସସ୍’କୁ ନେଇ ଏବେ ଯେଉଁ ମିଛ-ସତର ଯୁଦ୍ଧ ଚାଲିଛି ତାହା ମଧ୍ୟ ଭୂକଂପ ସୃଷ୍ଟି କଲା ଭଳି । ଏହି ଇସ୍ରାଏଲୀ ସ୍ପାଏୱେର୍ ମାଧ୍ୟମରେ ସରକାର ଦେଶର ୩୦୦ ରାଜନେତା, ମନ୍ତ୍ରୀ, ବିଚାରପତି, ବରିଷ୍ଠ ସରକାରୀ ଅଧିକାରୀ ଏବଂ ସାମ୍ବାଦିକଙ୍କ ଗୁଇନ୍ଦାଗିରି କରୁଥିଲେ ବୋଲି ପ୍ରସାରିତ ରିପୋର୍ଟ ଭାରତୀୟ ସଂସଦ ଭିତରେ ଓ ବାହାରେ ଯେଉଁ ଝଡ଼ ସୃଷ୍ଟି କରିଛି ତାହାର ପ୍ରଭାବରେ ସୋମବାରରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଏକପ୍ରକାର ଅଚଳ ରହିଛି । ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ଇସ୍ରାଏଲୀ ସ୍ପାଏୱେର୍ ‘ପେଗାସସ୍’ ମାଧ୍ୟମରେ ଦେଶରେ ବିରୋଧୀ, ସରକାରଙ୍କ ସମାଲୋଚକ, ବିଚାରପତି, ସାମ୍ବାଦିକ ଏବଂ କିଛି କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ନଜର ରଖା ଯାଇଥିଲା । କର୍ଣ୍ଣାଟକ ଭଳି ଅଣ-ବିଜେପି ଶାସିତ ରାଜ୍ୟରେ ମଧ୍ୟ ଅସ୍ଥିରତା ସୃଷ୍ଟି କରାଯାଇ କ୍ଷମତା ଦଖଲ ହୋଇଥିଲା । କେନ୍ଦ୍ର ସରକାରଙ୍କ ଜାଣତରେ ଏଭଳି ଗୁଇନ୍ଦାଗିରି ହୋଇଛି ।
ତେବେ, କେନ୍ଦ୍ର ସରକାର ଏହାକୁ ଅସ୍ୱୀକାର କରିଛନ୍ତି । ସରକାର ନିଜ ଆଡୁ ଏଭଳି କିଛି ଗୁଇନ୍ଦାଗିରି କରି ନାହାନ୍ତି ବୋଲି ସଫେଇ ଦେଇ ମୋଦୀ ସରକାରଙ୍କ ବିକାଶ ଧାରାରେ ରୋକ୍ ଲଗାଇବା ସକାଶେ ବିରୋଧୀ ଏଭଳି ଅପପ୍ରଚାର ଚଳାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ବଦନାମ କରିବା ପାଇଁ ଆନ୍ତର୍ଜାତିକସ୍ତରରେ ଚାଲିଥିବା ଷଡଯନ୍ତ୍ରର ଏହା ଏକ ଅଂଶ ବୋଲି ସରକାରଙ୍କ ଆଇଟି (ସୂଚନା ଓ ପ୍ରଯୁକ୍ତି) ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି । ସଂସଦ ଅଧିବଶେନ ଆରମ୍ଭ ହେବା ଠିକ୍ ପୂର୍ବ ରବିବାର ରାତିରେ ଏଭଳି ଏକ ଖବର ପ୍ରସାରିତ ହେବା ଏକ ‘ସଂଯୋଗ’ ନୁହେଁ, ତାହାଠାରୁ ବହୁ ଉପରେ ବୋଲି ନିଜେ କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ ସଂସଦରେ ବିବୃତି ରଖିଛନ୍ତି ।ତେବେ, ବୈଷ୍ଣବ ୨୦୧୭ରେ ସାଧାରଣ ଜୀବନ ବିତାଉ ଥିବା ବେଳେ ତାଙ୍କ ବିରୋଧରେ ଏହି ସ୍ପାଏୱେର ବ୍ୟବହୃତ ହୋଇଥିବା ନେଇ ପ୍ରକାଶିତ ଖବର ଏକ ବିଡ଼ମ୍ବନା ନୁହେଁ ତ ଆଉ କଣ ? ଫୋନ୍ ହ୍ୟାକ୍ ହୋଇଥିବା ୩୦୦ ବ୍ୟକ୍ତିଙ୍କ ମଧ୍ୟରେ ଦେଶର ୪୦ ଜଣ ପ୍ରତିଷ୍ଠିତ ସାମ୍ବାଦିକଙ୍କ ନାମ ଥିବା ଜାଣିବା ପରେ ସରକାରୀ ସମର୍ଥିତ ମିଡ଼ିଆ ମଧ୍ୟ ପଇଁତରା ବଦଳାଇବାକୁ ବାଧ୍ୟ ହୋଇଛନ୍ତି ।
ଏକ ବିଦେଶୀ ସ୍ପାଏୱେର ମାଧ୍ୟମରେ ଦେଶରେ ଗୁଇନ୍ଦାଗିରି କରାଯିବା ଅଗଣତାନ୍ତ୍ରିକ ଓ ଅସାମ୍ବିଧାନକ ବୋଲି ଅଭିଯୋଗ କରି ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରୁଥିବା ବେଳେ କଂଗ୍ରେସ ପକ୍ଷରୁ ଏହାର ଜେପିସି (ମିଳିତ ପର୍ଲାମେଂଟାରୀ କମିଟି) ତଦନ୍ତ ଦାବି ହୋଇଛି । ଅପରପକ୍ଷରେ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର୍ ‘ଦି ୱାୟାର୍’ରେ ପ୍ରକାଶିତ ଗୁଇନ୍ଦାଗିରି ଅଭିଯୋଗର ଜେପିସି ତଦନ୍ତରୁ କୌଣସି ସୁଫଳ ମିଳିବ ନାହିଁ, ଏକ ବିଚାର ବିଭାଗୀୟ କମିସନ ଗଠନ କରାଯାଇ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ତାହାର ରିପୋର୍ଟ ଉପସ୍ଥାପନ କରିବାକୁ କୁହାଗଲେ ବାସ୍ତବ ସତ୍ୟ ସାମ୍ନାକୁ ଆସି ପାରିବ ବୋଲି ସେହି ସାମାଜିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି । ଭାରତ ସରକାରଙ୍କ ଅନୁମତି ନଥାଇ କୌଣସି ବିଦେଶୀ ସ୍ପାଏୱେର୍ ଜରିଆରେ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ଓ ଜୀବନକୁ ନେଇ ଗୁଇନ୍ଦାଗିରି ସମ୍ଭବ ନୁହେଁ । ତେଣୁ, ଏହି ଗୁଇନ୍ଦାଗିରିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଂପୃକ୍ତି ଥିବା ବିରୋଧୀ ସନ୍ଦେହ କରୁଥିବାରୁ ଜେପିସି ବା ବିଚାର ବିଭାଗୀୟ ତଦନ୍ତ ଦାବି ଜୋର୍ ଧରିଛି । ଏହି ପରିସ୍ଥିତିରେ ଇସ୍ରାଏଲ ସରକାର ସଂପୃକ୍ତ ସଂସ୍ଥା ବିରୋଧରେ ତଦନ୍ତ କରିବାକୁ ଘୋଷଣା କରିଥିବା ବେଳେ ଭାରତ ସରକାରଙ୍କ ନୀରବତା ଏଥିରେ ସରକାରୀ ସଂପୃକ୍ତିକୁ ନେଇ ସନ୍ଦେହ ବଢାଉଛି ।
‘ପେଗାସସ୍’ ଭଳି ସ୍ପାଏୱେରକୁ ନେଇ ସାଧାରଣ ସାଧାରଣ ଜନତାରେ ବିଶେଷ ଜ୍ଞାନ ନାହିଁ । ତେଣୁ, ଇସ୍ରାଏଲୀ ସ୍ପାଏୱେର୍ କୁ ନେଇ ଉଭୟ ଶାସକ ଓ ବିରୋଧୀଙ୍କ ନ୍ୟାରେଟିଭ୍ ଜନମତକୁ ଦୁଇ ଭାଗ କରିଛି । ଏହି ସତ-ମିଛର ଖେଳରେ ଭକ୍ତମାନେ ସରକାରଙ୍କ ପକ୍ଷଭୁକ୍ତ ରହିବା ସ୍ୱାଭାବିକ । ଦେଶର ବିଭିନ୍ନ ରାଜ୍ୟରେ ୨୦୨୨ ଓ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଅଛି । ତେଣୁ, ବର୍ତ୍ତମାନଠାରୁ ଜନମତ ଶାଣିତ ନ ହେଲେ ଇସ୍ରାଏଲୀ ସ୍ପାଏୱେର୍ ‘ପେଗାସସ୍’ ଭଳି ଆହୁରି ଅନେକ ଅସ୍ତ୍ର ଶାସକ ଦଳର ତୁଣୀରକୁ ଆସି ଯିବ । ସରକାର ଚାହିଁବେ ବିନା ତଦନ୍ତରେ ଏହି ଗୁଇନ୍ଦାଗିରି ମାମଲା ଅପ୍ରସଙ୍ଗ ହୋଇଯାଉ । ଶାସକ ଦଳ ତୁଳନାରେ ବିରୋଧୀ ଦୁର୍ବଳ ଥିବାରୁ କେବଳ ଜନମତ ଉପରେ ବ୍ୟକ୍ତିଗତ ଗୋପନୀୟତା ଓ ବ୍ୟକ୍ତି ସ୍ୱାଧୀନତାର ସୁରକ୍ଷା ନିର୍ଭର କରୁଛି । ତେଣୁ, ସତ-ମିଛର ଖେଳରେ ନପଡି ଆମେ ସମସ୍ତେ ଜାଗ୍ରତ ପ୍ରହରୀ ହେବା ସମୟ ଆସିଛି । ଜନମତ ହିଁ ଭବିଷ୍ୟତରେ ‘ପେଗାସସ୍’ ଭଳି ଘାତକ ଅସ୍ତ୍ରମାନଙ୍କୁ ନିରସ୍ତ୍ର କରିପାରିବ ।
(ମୁଖ୍ୟ ସଂପାଦକ, ମୋଅନୁଭବ.କମ୍)
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS