‘ପେଗାସସ୍’ ତାତି କମୁନି, ରାହୁଲ କହିଲେ – ‘ସରକାର ଦେଶଦ୍ରୋହୀ’


ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୨୩
ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ‘ଏନଏସଓ’ ପକ୍ଷରୁ ‘ପୋଗାସସ୍’ ସ୍ପାଏୱେର୍ ମାଧ୍ୟମରେ ବିଶ୍ୱର ୫୦ ହଜାରରୁ ଅଧିକ ଫୋନ ହ୍ୟାକ୍ କରାଯାଇ ସେହି ଫୋନ ନମ୍ବରରେ ହେଉଥିବା ତଥ୍ୟ ଆଦାନ-ପ୍ରଦାନ ଉପରେ ନଜର ରଖା ଯାଇଥିଲା ଏବଂ ୩୦୦ ଭାରତୀୟଙ୍କ ଫୋନ ନମ୍ବର ସେଥିରେ ସାମିଲ୍ ଥିଲା ବୋଲି ଲିକ୍ ହୋଇଥିବା ଏକ ଖବରକୁ ନେଇ ଅନୁସଂଧାନ ପରେ ଗଲା ରବିବାର ରାତିରେ ‘ଦି ୱାୟାର୍’ ନାମକ ୱେବ୍ ପୋର୍ଟାଲରେ ପ୍ରସାରିତ ହୋଇଥିବା ଖବର ସୋମବାର ସକାଳୁ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି କରିଛି । ଏହି ଖବରକୁ ନେଇ ପାଂଚ ଦିନ ହେଲା ଚାଲି ଥିବା ବାଦ-ବିବାଦ ଆଜି ସୁଦ୍ଧା ଥମିବା ନାଁ ନେଉ ନାହିଁ । ଯେଉଁ ୩୦୦ରୁ ଅଧିକ ଭାରତୀୟଙ୍କ ଫୋନ ନମ୍ବରକୁ ‘ପୋଗାସସ୍’ ସ୍ପାଏୱେର୍ ମାଧ୍ୟମରେ ନଜରରେ ରଖା ଯାଇଥିଲା ସେଥିରେ ବିରୋଧୀ ଦଳ ନେତାଙ୍କ ଠାରୁ ଆରମ୍ଭ କରି କିଛି ମନ୍ତ୍ରୀ, ସୁପ୍ରିମ କୋର୍ଟ ବିଚାରପତି, ସାମ୍ବାଦିକ, ଦେଶର ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ନମ୍ବର ଥିବା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଜାଣତରେ ଏହି ଗୁଇନ୍ଦାଗିରି ଚାଲି ଥିଲା ବୋଲି ବିରୋଧୀ ଅଭିଯୋଗ କରି ପାଂଚ ଦିନ ହେଲା ସଂସଦରେ ଅଚଳାବସ୍ଥା ସୃଷ୍ଟି କରିଥିବା ବେଳେ ଗୁଇନ୍ଦାଗିରି ସହ ସରକାରଙ୍କ କୌଣସି ସଂପର୍କ ନାହିଁ ବୋଲି କେନ୍ଦ୍ର ସରକାର କହୁଛନ୍ତି । ତେବେ, କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଏହି ଗୁଇନ୍ଦାଗିରି ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ବା ସୁପ୍ରିମ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବା ଦାବିରେ ଅଟଳ ଅଛନ୍ତି । ଫଳରେ, ସୋମବାରରୁ ଆରମ୍ଭ ହୋଇଥିବା ସଂସଦର ପୂର୍ଣ୍ଣକାଳୀନ ମୌସୁମୀ ଅଧିବେଶନ ଏକପ୍ରକାର ଠପ୍ ହୋଇଯାଇଛି ।
ସୋମବାର ଓ ମଙ୍ଗଳବାର ଦୁଇ ଦିନ ସଂସଦ ଚାଲିବା ପରେ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା । ଗୁରୁବାର ଦିନ ଅଧିବଶେନ ଆରମ୍ଭ ହେବା ପରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ‘ପେଗାସସ୍’ ମାଧ୍ୟମରେ ଗୁଇନ୍ଦାଗିରି ସଂପର୍କିତ ଅଭିଯୋଗ ଉପରେ ରାଜ୍ୟସଭାରେ ଲିଖିତ ବିବୃତି ଉପସ୍ଥାପନ କଲା ବେଳେ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି)ର ଜଣେ ସାଂସଦ ତାଙ୍କ ହାତରୁ ଲେଖାଟି ଝାଂପି ନେଇ ଚିରି ପକାଇ ଥିଲେ । ସେ ନେଇ କାଲି ରାଜ୍ୟସଭାରେ ଝଡ଼ ସୃଷ୍ଟି ହୋଇଥିଲା । ଏହା ଟିଏମସିର ବିଘ୍ନ ସୃଷ୍ଟିକାରୀ ରାଜନୀତି ବୋଲି ଶାସକ ଦଳର ସଦସ୍ୟମାନେ ଆକ୍ଷେପ କରିବାକୁ ପଛାଇ ନଥିଲେ । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ପେଗାସସ୍’ ଗୁଇନ୍ଦାଗିରିକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି । ଗୃହ ମନ୍ତ୍ରୀ ଶାହା ଏହି ଗୁଇନ୍ଦାଗିରି କରାଉ ଥିଲେ ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିବା ସହ ଶାହାଙ୍କ ତୁରନ୍ତ ଇସ୍ତଫା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସୁପ୍ରିମ କୋର୍ଟ ଜରିଆରେ ତଦନ୍ତ ଦାବି କରିଛନ୍ତି ।
ସଂସଦ ବାହାରେ ରାହୁଲ ଗଣମାଧ୍ୟମକୁ କହିଛନ୍ତି, ଇସ୍ରାଏଲୀ ସ୍ପାଏୱେର ବ୍ୟବହାର କରାଯାଇ ଦେଶବାସୀଙ୍କ ଉପରେ ନଜର ରଖାଯିବା ‘ଦେଶଦ୍ରୋହ’ ହିଁ କୁହାଯିବ । କେନ୍ଦ୍ର ସରକାର କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କ ପତନ ଘଟାଇବା ସକାଶେ ଏହାର ବ୍ୟବହାର କରିଥିଲେ । ବିଭିନ୍ନ ତଦନ୍ତର ମୋଡ଼ ବଦଳାଇବା ପାଇଁ ସରକାର ସୁପ୍ରିମ କୋର୍ଟ, ନିର୍ବାଚନ କମିସନ ଭଳି ସାମ୍ବିଧାନିକ ଅନୁଷ୍ଠାନ, ବିଚାରପତି, ସାମ୍ବାଦିକ, ରାଜନେତା, ମନ୍ତ୍ରୀ ଏବଂ କିଛି ସରକାରୀ ଅଧିକାରୀଙ୍କ ଫୋନ୍ ନମ୍ବରକୁ ହ୍ୟାକ୍ କରାଇ ଥିଲେ । ତାଙ୍କ ଫୋନ ନମ୍ବର ମଧ୍ୟ ଗୁଇନ୍ଦାଗିରିରୁ ବାଦ୍ ପଡି ନାହିଁ ବୋଲି ରାହୁଲ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଜଣେ ବିରୋଧୀ ଦଳ ନେତା ଭାବେ ସେ ସାଧାରଣ ଜନତାର ମତକୁ ଉପସ୍ଥାପନ କରିଥା’ନ୍ତି । ତାଙ୍କ ଫୋନ୍ ହ୍ୟାକ୍ ହେବା ଅର୍ଥ ସାଧାରଣ ଜନତାର ସ୍ୱର ପ୍ରତି ଆକ୍ରମଣ । ତେଣୁ, ଏହି ଗୁଇନ୍ଦାଗିରି କରାଇ ଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଇସ୍ତଫା ଦେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ମଧ୍ୟ ସୁପ୍ରିମ କୋର୍ଟଙ୍କ ମାଧ୍ୟମରେ ତଦନ୍ତର ସାମ୍ନା କରିବା ଉଚିତ ।
ରାହୁଲଙ୍କ ଏହି ବିବୃତି ବିଜେପିକୁ କ୍ଷୁବ୍ଧ କରିଛି । ବିଜେପି ମୁଖପାତ୍ର ରାଜ୍ୟବର୍ଦ୍ଧନ ରାଠୋର ପ୍ରତିକ୍ରିୟା ଦେଇ କହିଛନ୍ତି, ରାହୁଲ ତାଙ୍କ ଫୋନ ଟ୍ୟାପ୍ ହୋଇଥିବା ଅଭିଯୋଗ କରୁଥିବାରୁ ଆଇପିସି ଧାରା ଅନୁସାରେ ତଦନ୍ତ ପାଇଁ ଫୋନଟିକୁ ତଦନ୍ତକାରୀ ଏଜେନ୍ସିଙ୍କୁ ହସ୍ତାନ୍ତର କରିବା ଆବଶ୍ୟକ । ‘ପୋଗାସସ୍’ ସଫ୍ଟୱେର୍ ମାଧ୍ୟମରେ ଦେଶବାସୀଙ୍କ ଗୋପନୀୟତାକୁ ନେଇ ସରକାର ଗୁଇନ୍ଦାଗିରି କରିଥିବା ଅଭିଯୋଗ ସତ୍ୟ ନୁହେଁ । ସୋମବାରରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ରବିବାର ରାତିରେ ଗୋଟିଏ ୱେବ୍ ପୋର୍ଟାଲରେ ‘ପେଗାସସ୍’ ରିପୋର୍ଟ ପ୍ରକାଶ ପାଇବା ଅଭିସନ୍ଧିମୂଳକ ଏବଂ ଭାରତୀୟ ଗଣତନ୍ତ୍ରକୁ ନିନ୍ଦିତ କରିବା ପାଇଁ ଷଡଯନ୍ତ୍ର ବୋଲି ସରକାରଙ୍କ ପକ୍ଷରୁ ପାଲଟା ଅଭିଯୋଗ ହୋଇଛି ।
ଏଠାରେ ଉଲ୍ଲେଖନୀୟ ଯେ, ଇସ୍ରାଏଲୀ ସଂସ୍ଥା ‘ଏନଏସଓ’ ପକ୍ଷରୁ ‘ପୋଗାସସ୍’ ସ୍ପାଏୱେର୍ ମାଧ୍ୟମରେ ବିଶ୍ୱର ୫୦ ହଜାରରୁ ଅଧିକ ଫୋନ୍ ନମ୍ବର ହ୍ୟାକ୍ କରାଯାଇ ସେହି ସବୁ ନମ୍ବରରେ ହେଉଥିବା କଥାବାର୍ତ୍ତା, ଇ-ମେଲ୍ ଆଦାନ-ପ୍ରଦାନ ଏବଂ ବ୍ୟକ୍ତଗତ ଚାଟିଂ ଉପରେ ନଜର ରଖା ଯାଇଥିଲା ବୋଲି ଖବର ଲିକ୍ ହେବା ପରେ ‘ଦି ୱାୟାର’ ସହ ଅନ୍ୟ ୧୬ଟି ଆନ୍ତର୍ଜାତିକ ପ୍ରକାଶନ ଏବଂ ସଂସ୍ଥାଙ୍କ ମିଳିତ ସହଯୋଗରେ ଏହା ଉପରେ ଅନୁସଂଧାନ ଆରମ୍ଭ କରିଥିଲେ । ‘ୱାସିଂଟନ ପୋଷ୍ଟ୍’, ‘ଦି ଗାର୍ଡିୟନ୍’ ଓ ‘ଲେ ମୋଣ୍ଡେ’ ଏହି ମିଳିତ ଏହି ଅନୁସଂଧାନର ମିଡ଼ିଆ ପାର୍ଟନର୍ ଥିଲେ ଓ ପ୍ୟାରିସ୍ ଭିତ୍ତିକ ଅଣ-ଲାଭଜନକ (ନନ୍-ପ୍ରଫିଟ୍) ମିଡ଼ିଆ ସଂସ୍ଥା ‘ଫରବିଡ଼ିନ ଷ୍ଟୋରିସ୍’ ଏବଂ ଆମନେଷ୍ଟି ଇଂଟରନ୍ୟାସନାଲ୍ ପକ୍ଷରୁ ଅନୁସଂଧାନ କାର୍ଯ୍ୟ ହୋଇଥିଲା । ଅନୁସଂଧାନ ସମୟରେ ମିଳିଥିବା ସମସ୍ତ ତଥ୍ୟର ଫୋରେନ୍ସିକ୍ ପରୀକ୍ଷଣ ପରେ ଗତ ରବିବାର ରାତିରେ ‘ଦି ୱାୟାର’ରେ ତାହା ପ୍ରସାରିତ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS