ଦେଶରେ କୋଭିଡ଼ ସଂକ୍ରମଣ ଉପର ମୁହାଁ, ଓଡ଼ିଶାରେ ନିୟନ୍ତ୍ରଣରେ… ସବୁ ଖୋଲାମେଲା, ଏନଫୋର୍ସମେଂଟ କଡାକଡି ନହେଲ ପୁର୍ନମୂଷିକ ହେବାକୁ ପଡିବ
ପ୍ରସାଦ ରାଓ
ଭୁବନେଶ୍ୱର
ଅଗଷ୍ଟ ୦୧
ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହେଉଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରୁ ସୂଚନା ମିଳିଛି । ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ରବିବାର (ଅଗଷ୍ଟ ୧ ତାରିଖ) ସକାଳ ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ ୪୧,୮୩୧ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ସକ୍ରୀୟ ରୋଗୀ ସଂଖ୍ୟା ୪ଲକ୍ଷ ୧୦ ହଜାରକୁ ବୃଦ୍ଧି ପାଇଛି । ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଚିହ୍ନଟ ରୋଗୀ ସଂଖ୍ୟାର ୧.୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ସାପ୍ତାହିକ ପଜେଟିଭିଟି ହାର ମଧ୍ୟ ୨.୪୨ ପ୍ରତିଶତରେ ପହଂଚି ଥିବା କୁହାଯାଉଛି । ଗଲା ୨୪ ଘଂଟା ମଧ୍ୟରେ ଦେଶରେ ୫୪୧ ଜଣଙ୍କ କରୋନା ମହାମାରୀ ଜନିତ ମୃତ୍ୟୁ ଘଟିଛି । ତେବେ, ୨୪ ଘଂଟା ଭିତରେ ୩୯,୨୫୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୪ ହଜାର ୩୫୧ରେ ପହଂଚି ଥିବା ବେଳେ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ସଂଖ୍ୟା ୩ କୋଟି ୦୮ ଲକ୍ଷ ୨୦ ହଜାର ୫୨୧ରେ ପହଂଚିଛି ।
ଗତକାଲି (ଶନିବାର) କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ଼-୧୯ ସଂପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ୧୦ଟି ରାଜ୍ୟର କୋଭିଡ଼ ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ ପାିଥିଲା । ଏହି ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ଅନ୍ୟ ନଅଟି ରାଜ୍ୟ ହେଉଛି – କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ଆସାମ, ମିଜୋରାମ, ମେଘାଳୟ ଓ ମଣିପୁର । ଏସବୁ ରାଜ୍ୟରେ ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ବା ପଜେଟିଭିଟି ହାର ବଢୁଛି । କେରଳରେ ଶନିବାର ସୁଦ୍ଧା ଗତ ପାଂଚ ଦିନ ହେଲା ଲଗାତର ପ୍ରତି ଦିନ ୨୦ ହଜାରରୁ ଅଧିକ ଅୂନା କେସ୍ ଚିହ୍ନଟ ହେଉଛି । ରାଜ୍ୟରେ ଟିପିଆର (ଟେଷ୍ଟ୍ ପଜେଟିଭିଟି ରେଟ୍) ୧୨.୩୧ ପ୍ରତିଶତକୁ ଖସି ଥିଲେ ମଧ୍ୟ ସ୍ଥିତି ଉଦ୍ବେଗଜନକ ଥିବା କୁହାଯାଉଛି । କେରଳରେ ସମସ୍ତ ଜିଲ୍ଲାରେ ପଜେଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ଥିବାରୁ ଜନସାଧାରଣଙ୍କ ଚଳପ୍ରଚଳ ଏବଂ ସମାବେଶକୁ କଠୋର ଭାବରେ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ନେଇ ବୈଠକରେ ମତପ୍ରକାଶ ପାଇଥିଲା ।
ଦେଶର ୪୬ଟି ଜିଲ୍ଲାରେ କରୋନା ପଜେଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ଥିବା ଏବଂ ୫୩ଟି ଜିଲ୍ଲାରେ ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଥିବା ଆଇସିଏମଆର୍ ମହାନିର୍ଦେଶକ ଡକ୍ଟର ବଳରାମ ଭାର୍ଗବ ସୂଚନା ଦେଇଛନ୍ତି । ବିଗତ ଏକ ସପ୍ତାହ ଧରି ଦେଶରେ ପ୍ରତିଦିନ ୪୦ ହଜାର ପାଖାପାଖି ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ବୋଲି ସେ କହିଛନ୍ତି । ଦେଶର ଯେଉଁ ୧୦ଟି ରାଜ୍ୟକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରୁଛି ତାହା ମଧ୍ୟରେ ଓଡ଼ିଶା ରହି ଥିବା ବେଳେ ଓଡ଼ିଶା ସରକାର ଅଗଷ୍ଟ ମାସ ପାଇଁ ଗତକାଲି ଜାରି କରି ଥିବା କୋଭିଡ଼ ଗାଇଡ଼ଲାଇନ୍ ରେ ସଭଳି କିଛି ଚିନ୍ତାର ଅଭାସ ମିଳି ନାହିଁ । ରାଜ୍ୟର କରୋନା ସ୍ଥିତି ବହୁମାତ୍ରାରେ ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ‘ଅନ୍ ଲକ୍’ ପ୍ରୋସେସ୍ ଆରମ୍ଭ ହୋଇଛି ବୋଲି ଗତକାଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ୍ତ କୁମାର ଜେନା ସୂଚନା ଦେଇଥିଲେ । କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ କରୋନା କଟକଣା ବହୁମାତ୍ରାରେ କୋହଳ ହୋଇଛି ।
ରାଜ୍ୟ ସରକାର କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ କେବଳ ସପ୍ତାହାନ୍ତ ‘ସଟ୍ ଡାଉନ୍’ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଜାରି ରଖିଛନ୍ତି । ଅନ୍ୟ ୨୭ ଜିଲ୍ଲା ଏତିରୁ ମୁକ୍ତି ପାଇଛନ୍ତି । ତେବେ, ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ରାତି ୮ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କର୍ଫ୍ୟୁ ଜାରି ରହିବ ବୋଲି ଜେନା କହିଛନ୍ତି । ରାଜ୍ୟରେ ସିନେମା ହଲ୍, ଥିଏଟର୍, ମଲ୍, ପାର୍କ, ମ୍ୟୁଜିୟମ, ପର୍ଯ୍ୟଟନ ସ୍ଥଳ, ଚିଡ଼ିଆଖାନା, ସ୍ୱିମିଂ ପୁଲ୍ ପ୍ରଭୃତି ଖୋଲିଛି । ହେଟେଲ, ରେଷ୍ଟୁରାଂଟ, ବାର୍, ରାସ୍ତାକଡ଼ ଢାବା, ଜଳଖିଆ ଦୋକାନ ମଧ୍ୟ ସରକାର ଖୋଲି ଦେଇଛନ୍ତି । ହେଟେଲ, ରେଷ୍ଟୁରାଂଟ, ବାର୍ ୫୦ ପ୍ରତିଶତ ଗ୍ରାହକଙ୍କୁ ବସି ବା ଠିଆ ହୋଇ ଖାଇବା, ପିଇବା ସୁବିଧା ଦେଇ ପାରିବେ । ସରକାର ସବୁ ଖୋଳାମେଲା କରି ୫୦ ପ୍ରତିଶତର ଷ୍ଟିକର୍ ଚିପକାଇ ଦେଇଛନ୍ତି । ସାମାଜିକ ଦୂରତା ରକ୍ଷା ସର୍ତ୍ତରେ ସବୁ କିଛି ଖୋଲୁଛି ।
ଏକଥା ସତ ଯେ, ମେ’ ୫ ତାରିଖରୁ ରାଜ୍ୟରେ କରୋନା କଟକଣା କଡ଼ାକଡ଼ି ଲାଗୁ ହେବା ପରେ ଦୁଇ ମାସରେ ରାଜ୍ୟର ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସି ଯାଇଛି । ରାଜ୍ୟର ସବୁ ଜିଲ୍ଲାରେ ଟିପିଆର ୧୦ ପ୍ରତିଶତରୁ ତଳେ ରହିଛି । ତେବେ, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାରେ ତାହା ସାମାନ୍ୟ ଅଧିକ ଥିବାରୁ ସରକାର ଏହି ତିନି ଜିଲ୍ଲା ଉପରେ କେବଳ ସପ୍ତାହାନ୍ତ ‘ସଟ୍ ଡ଼ାଉନ୍’ ଲଦିଛନ୍ତି । ରାଜ୍ୟର ମୋଟ ସକ୍ରୀୟ କରୋନା କେସ୍ ର ୪୬ ପ୍ରତିଶତ (୧୬, ୩୮୪ ସକ୍ରୀୟ କେସ୍ ରୁ ୭,୬୫୧ଟି) ଖୋର୍ଦ୍ଧା (ଭୁବନେଶ୍ୱର ସମେତ), କଟକ ଓ ପୁରୀ ଜିଲ୍ଲାରେ ରହିଛି । ବିଗତ ସପ୍ତାହରେ ରାଜ୍ୟରେ ଟେଷ୍ଟ୍ ପଜେଟିଭିଟି ହାର ୩ ପ୍ରତିଶତରୁ କମ୍ ଥିବା ବେଳେ ଖେର୍ଦ୍ଧା ଜିଲ୍ଲାରେ ତାହା ୭.୫୫ ପ୍ରତିଶତ, କଟକ ଜିଲ୍ଲାରେ ୪.୭୧ ପ୍ରତିଶତ ଓ ପୁରୀ ଜିଲ୍ଲାରେ ୪.୫୮ ପ୍ରତିଶତ ରହିଛି ।
ତେବେ, ଗୋଟିଏ କଥା ଚିନ୍ତା ବଢାଉଛି । ରାଜ୍ୟରେ ମେ’ ୫ ତାରିଖରୁ ଦୁଇ ମାସ ଧରି ବିଭିନ୍ନ କଟକଣା ଜାରି ସତ୍ତ୍ୱେ ଜନସାଧାରଣରେ ବେଖାତିରି ଭାବ କମି ନାହିଁ । ରାଜଧାନୀରେ ମଧ୍ୟ ଅଧିକାଂଶ ଲୋକ ମୁହଁରୁ ମାସ୍କ୍ ଖସାଇ ବଜାର ଘାଟରେ ବୁଲୁଛନ୍ତି । ଅଗଷ୍ଟରେ କଟକଣା ବହୁମାତ୍ରାରେ କୋହଳ ହୋଇ ସବୁ କିଛି ଖୋଲାମେଲା ହୋଇଥିବାରୁ ଅମାନିଆଙ୍କୁ କିଏ ସମ୍ଭାଳିବ ? ସରକାର ଜୀବନ-ଜୀବୀକା କଥା କହି ସବୁ କଟକଣା କୋହଳ କରି ଥିବାରୁ ଅନ୍ତତଃ ଏନଫୋର୍ସମେଂଟ୍ କଡାକଡି କରନ୍ତୁ । ନହେଲେ ପୁର୍ନମୂଷିକ ହେବାକୁ ବାଧ୍ୟ ହେବେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS