ବିରୋଧୀ ଏକାଠି ହେବା ସମୟ ଆସିଛି..
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୦୨
ଆଜି ଦିନରେ ଦେଶରେ ଜାତୀୟତାବାଦ ନାମରେ ଚାଲି ଥିବା ଶାସକ ଦଳର ମନମୁଖୀ କାର୍ଯ୍ୟକୁ ରୋକିବା ସକାଶେ ଅଣ-ବିଜେପି ବିରୋଧୀ ଦଳମାନେ ଏକାଠି ହେବା ଅପରିହାର୍ଯ୍ୟ, ଏକଥା ଅଧିକାଂଶ ରାଜନୈତିକ ଦଳ ଅନୁଭବ କରୁଥିଲେ ମଧ୍ୟ ନିଜ ନିଜ ମହତ୍ୱାକାଂକ୍ଷାକୁ ସୁରକ୍ଷିତ ରଖିବାକୁ ଏକାଠି ହେଉ ନଥିବା ଶାସକ ବିଜେପି ପାଇଁ ବଡ଼ ସୁଯୋଗ ହୋଇଛି । ୨୦୧୪ରେ ଦେଶରେ ୟୁପିଏ-୨ ସରକାରର ପତନ ପରେ ସାତ ବର୍ଷ ହେଲା ବିଜେପି ନେତୃତ୍ୱାଦୀନ ମେଂଟ ଏନଡ଼ିଏ ହାତରେ ଦେଶର ଶାସନ ଡୋରୀ ରହିଛି । କଂଗ୍ରେସ ଭଳି ଏକ ଐତିହାସିକା ରାଜନୈତିକ ଦଳ ଆଜିର ଦିନରେ ଜନତାର ବିଶ୍ୱାସଠାରୁ ବହୁ ଦୂରରେ । ଅନ୍ୟ ବିରୋଧୀ ରାଜୈତିକ ଦଳମାନେ ନିଜ ନିଜ ମହାତ୍ୱାକାଂକ୍ଷାକୁ ନେଇ ନେଇ ବ୍ୟସ୍ତ । ତେଣୁ, ଦେଶରେ ଏକ ଶକ୍ତିଶାଳୀ ବିରୋଧୀ ଦଳର ଅଭାବ ସରକାରଙ୍କୁ ସ୍ୱେଚ୍ଛାଚାରୀ କରିଛି ।
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ମେଂଟ ସରକାର ଥିଲା । ୨୦୧୪ରେ ଏହି ସରକାରର ପତନ ପରେ କଂଗ୍ରେସ ଆଉ ଉଧେଇ ପାରୁ ନାହିଁ । ଅଣ-ବିଜେପି ବିରୋଧୀ ଦଳମାନେ ମଧ୍ୟ କଂଗ୍ରେସକୁ ଆଉ ଏକକ ଶକ୍ତି ଭାବେ ବିଚାର କରୁ ନାହାନ୍ତି ବା ଦଳକୁ ଆଗରେ ରଖି ନିର୍ବାଚନ ଲଢିବାକୁ ଭରସି ପାରୁ ନାହାନ୍ତି । ଫଳରେ, କଂଗ୍ରେସର ଶକ୍ତି ଦିନକୁ ଦିନ କ୍ଷୀଣ ହେଉଥିବା ବେଳେ ଅଣ-କଂଗ୍ରେସ ବିରୋଧୀ ଦଳମାନେ ସଂଗଠିତ ହୋଇପାରୁ ନଥିବାରୁ ବିଜେପି ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବାଜିମାତ୍ କରି ସଂସଦ ଭିତରେ ଓ ବାହାରେ ବିରୋଧୀ ଓ ଭିନ୍ନମତବାଦୀଙ୍କୁ ବିଭିନ୍ନ ଉପାୟରେ ଦୁର୍ବଳ କରି ଚାଲିଛି । ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ଅଭେଦ୍ୟ ଏବଂ ଅପରାଜିତ – ଏଭଳି ଏକ ପ୍ରଚାର ବା ନ୍ୟାରେଟିଭ୍ ଦିନକୁ ଦିନ ବିଜେପିକୁ ଶକ୍ତିଶାଳୀ କରୁଥିବା ବେଳେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ନିଷ୍ପ୍ରଭ ମନେ ହେଉଛନ୍ତି । କିନ୍ତୁ, ଏହି ନ୍ୟାରେଟିଭ ଯେ ଠିକ୍ ନୁହେଁ, ତାହା ଗତ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ପଶିଚିମ ବଂଗ ବିଧାନସଭା ନିର୍ବାଚନର ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି ।
ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜେପି ସବୁ ପ୍ରକାର ରାଜନୈତିକ କୌଶଳ ପ୍ରୟୋଗ କରି ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମାଚ୍ୟୁତ କରିବାରେ ସଫଳ ହେଲା ନାହିଁ । ମମତା ଲଗାତର ତୃତୀୟ ଥର ପାଇଁ ରାଜ୍ୟରେ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି)କୁ କ୍ଷମତାକୁ ଆଣିଲେ ଏବଂ ନିଜେ ମୁଖ୍ୟମନ୍ତ୍ରୀ ଅଛନ୍ତି । ମମତାଙ୍କ ଏହି ବିଜୟ ବିଜେପିକୁ ହତବାକ୍ କରିଛି । ପଶ୍ଚିମ ବଂଗ ସରକାର ବିରୋଧରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅଭିଯାନ ମଧ୍ୟ ଚାଲୁ ରହିଛି । ଏଭଳି ସ୍ଥିତିରେ ବିରୋଧୀ ରାଜନୈତିକ ଦଳଙ୍କୁ ଏକାଠି କରି ୨୦୨୪ ସାଧାରଣ ନିର୍ବାଚନରେ ମୋଦୀ-ଶକ୍ତିକୁ ଠିକଣା ଜବାବ ଦେବାକୁ ମମତା ଅଂଟା ଭିଡ଼ିଛନ୍ତି । ପ୍ରଥମେ ମମତା ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ଶାସକ ଟିଏମସି ରଣନୀତିକାର ଥିବା ପ୍ରଶାନ୍ତ କିଶୋରଙ୍କୁ ଦୂତ ଭାବେ ଏନସିପି ନେତା ଶରଦ ପାୱାର, କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାମାନଙ୍କ ନିକଟକୁ ପଠାଇ ବିରୋଧୀ ମେଂଟର ମୂଳଦୁଆ ପକାଇ ଥିଲେ । ପରେ, ସେ ନିଜେ ଦିଲ୍ଲୀ ଗସ୍ତରେ ଥିବା ବେଳେ ଏହି ନେତାମାନଙ୍କ ଭେଟି ଆଲୋଚନା କରିଛନ୍ତି । ଏସବୁ ଭେଟାଭେଟିର ମୂଳ ଉଦେ୍ଦଶ୍ୟ ଯେ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନେତୃତ୍ୱାଧୀନ ବିଜେପିକୁ ଟକ୍କର ଦେବା ଭଳି ଏକ ବିକଳ୍ପ ବିରୋଧୀ ମେଂଟ ଗଢି ତୋଳିବା, ଏହା ଯେକେହି ଅନୁମାନ କରିପାରିବ । ତେବେ, ଏହା କେତେଦୂର ସମ୍ଭବ ହେବ ଓ କିଏ ଏହାର ନେତୃତ୍ୱ ନେବ – ତାହା ବଡ଼ ପ୍ରଶ୍ନ ହୋଇ ସମସ୍ତଙ୍କ ସାମ୍ନାରେ ରହିଛି ।
ଟିଏମସି ସଭାପତି ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ଜାତୀୟ ଗଣମାଧ୍ୟମ ଆଡୁ ଏହି ପ୍ରଶ୍ନର ସାମ୍ନା କରିଥିଲେ । ମମତା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରି ଫେରୁ ଫେରୁ ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେଥିରେ ବିଭିନ୍ନ ଜାତୀୟ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନ ଥିଲା- ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ସମ୍ଭାବ୍ୟ ବିଜେପି-ବିରୋଧୀ ମେଂଟର ପରିକଳ୍ପନା ହୋଇଛି ତାହାର ନେତୃତ୍ୱ ନେବ କିଏ ? ସେ ନିଜେ ନେତୃତ୍ୱ ନେବାକୁ ମନସ୍ତ କରିଛନ୍ତି ନା ଅନ୍ୟ କେହି ନେତୃତ୍ୱ ନେବା ଯୋଜନା ରହିଛି ?? ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚତୁରତା ସହ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ବହୁ ଦୂରରେ । ସେହି ସମୟରେ ନିର୍ବାଚନ ଫଳାଫଳ ଯାହା ହେବ ତାକୁ ଦେଖି ନେତୃତ୍ୱ ପ୍ରସଙ୍ଗ ବିଚାର କରାଯିବ ବୋଲି ସେ କହିଛନ୍ତି । ଏକାଭଳି ଉତ୍ତର ରଖିଛନ୍ତି କଂଗ୍ରେସର ଜାତୀୟ ପ୍ରବକ୍ତା ତଥା ସାଂସଦ ଅଭିଷେକ ମନୁ ସିଂଘଭି । ସିଂଘଭି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ବିରୋଧୀ ମେଂଟର ନେତୃତ୍ୱ ପ୍ରଶ୍ନ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ‘ଥଣ୍ଡାବାକ୍ସ’ରେ ରହିବା ଉଚିତ ହେବ ।
ସିଂଘଭିଙ୍କ ମୁହଁ ଖୋଲିବା ପାଇଁ ସଂପୃକ୍ତ ଜାତୀୟ ଗଣମାଧ୍ୟମର ପ୍ରତିନିଧି ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି । ଅତୀତରେ କଂଗ୍ରେସ ଦଳ ବାମପନ୍ଥୀଙ୍କ ସହ ମେଂଟ କରି କେନ୍ଦ୍ରରେ ସରକାର ଗଠନ କରିଥିଲା । ବାମପନ୍ଥୀ ଦଳମାନେ ସରକାରଙ୍କ ମଝି ଦରିଆରେ ଛାଡି ସମର୍ଥନ ପ୍ରତ୍ୟାହାର କରି ନେବା ଅଭିଜ୍ଞତା କଂଗ୍ରେସର ରହିଛି । ବିଭିନ୍ନ ରାଜ୍ୟରେ ଆଂଚଳିକ ନିର୍ବାଚନ ସମୟରେ ଜାତୀୟ ଦଳ ଓ ଆଂଚଳିକ ଦଳମାନେ ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି । ଏହି ଦଳମାନଙ୍କୁ ସାଂଗରେ ନେଇ ବିରୋଧୀ ମେଂଟ କେତେଦୂର ସମ୍ଭବ । ଏଭଳି ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି ସିଂଘଭି । ବିଭିନ୍ନ ଅଂଚଳ, ସଂପ୍ରଦାୟ ଓ ରାଜନୈତିକ ଦଳ ଭାରତୀୟ ରାଜନୀତିକୁ ସମୃଦ୍ଧ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ‘ରାଷ୍ଟ୍ରପତି ପଦ୍ଧତ’ ଶାସନ ଆଡକୁ ଟାଣି ନେଉ ଥିବାରୁ ତାହାର ଦୃଢ ମୁକାବିଲା କରିବା ସମୟ ଆସିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ସମସ୍ତ ଅଣ ବିଜେପି ରାଜନୈତିକ ଦଳ ଏକାଠି ହୋଇ ଏକ ବିକଳ୍ପ ମେଂଟ ଗଠନ କଲେ ହିଁ ମୋଦୀ ସରକାରଙ୍କ ମୁକାବିଲା କରିପାରିବେ । ପରିସ୍ଥିତି ସମସ୍ତଙ୍କୁ ଏଭଳି ଏକ ମେଂଟ ପାଇଁ ବାଧ୍ୟ କରିବ ବୋଲି ସିଂଘଭି କହିଛନ୍ତି ।
ବିରୋଧୀ ମେଂଟର ନେତୃତ୍ୱ ନେବାର ବ୍ୟକ୍ତିଗତ ଆକାଂକ୍ଷା ପ୍ରସଙ୍ଗରେ ସିଂଘଭି କହିଛନ୍ତି, ସମସ୍ତଙ୍କ ଏଭଳି ଆକାଂକ୍ଷା ରହିଛି । ତେବେ, ସାଧାରଣ ନିର୍ବାଚନ ପୂର୍ବରୁ ବିକଳ୍ପ ବିରୋଧୀ ମେଂଟ ଗଠନ ପ୍ରକ୍ରିୟା ସରିବା ଆବଶ୍ୟକ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ନେତୃତ୍ୱ ପ୍ରସଙ୍ଗ ‘ଥଣ୍ଡାବାକ୍ସ’ରେ ରହିବା ଉଚିତ । ଜାତୀୟ ଓ ଆଂଚଳିକ ଦଳମାନେ ରାଜ୍ୟସ୍ତର ନିର୍ବାଚନରେ ପରସ୍ପର ବିରୋଧରେ ଲଢୁ ଥିବାରୁ ଏକାଠି ହେଲେ ଅଧିକ ଦିନ ତିଷ୍ଠୁ ନାହାନ୍ତି ବୋଲି କଟାକ୍ଷର ଉତ୍ତରରେ ସିଂଘଭି କହିଛନ୍ତି, ଯେତେବେଳେ ବୃହତ୍ତର ଉଦେ୍ଦଶ୍ୟ ବା ପ୍ରସଙ୍ଗକୁ ନେଇ ବିରୋଧୀ ଏକତା କଥା ଆସୁଛି ସେଠି ସମସ୍ତଙ୍କ କିଛି କିଛି ସ୍ୱାର୍ଥ ତ୍ୟାଗ କରିବାକୁ ପଡିବ । ଅତୀତରେ ଅନ୍ୟ ଦଳଙ୍କ ଭଳି କଂଗ୍ରସ ମଧ୍ୟ ମେଂଟ କରିଛି । ଆଗକୁ ମଧ୍ୟ କରିବ । ଆଂଚଳିକ ନିର୍ବାଚନ ସମୟରେ ଏଭଳି ସମସ୍ୟା ଆସିବ । ବୁଝାମଣା ଓ ସ୍ୱାର୍ଥତ୍ୟାଗ ମାଧ୍ୟମରେ ତାହାର ସମାଧାନ ହେବ । ଏକତାର ଅର୍ଥ ହେଉଛି ପୂର୍ବରୁ ରହି ଆସି ଥିବା ମତପାର୍ଥକ୍ୟ । ତାହା ଅନେକାଂଶରେ ଦୂର କରି ହେବ ।
ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ-ଟିଏମସି ମଧ୍ୟରେ ସଂପର୍କରେ ଯେଉଁ ଦୂରତା ଥିଲା ତାହା ନିର୍ବାଚନ ସରିବା ପରେ ବହୁମାତ୍ରାରେ କମିଛି । ସଂସଦରେ ଫ୍ଲୋର୍ ମ୍ୟାନେଜମେଂଟ ଏବଂ ସଂସଦ ବାହାରେ ରାଜନୈତିକ ବୁଝାମଣା ଓ ସମନ୍ୱୟ ବୃଦ୍ଧି ମାଧ୍ୟମରେ କଂଗ୍ରେସ ବିରୋଧୀଙ୍କ ସହ ସଂପର୍କରେ ଉନ୍ନତି ଆଣିଛି । ଅନ୍ୟ ଆଂଚଳିକ ଦଳଙ୍କ ସହ କଂଗ୍ରେସର ସଂପର୍କକୁ ନେଇ ପ୍ରଶ୍ନର ଶ୍ରେଷ୍ଠତମ ଉତ୍ତର ହେଉଛନ୍ତି ଏନସିପି ନେତା ଶରଦ ପାୱାର ଓ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ମେଂଟ ଗଠନ ଓ ତାହାକୁ ବଜାୟ ରଖିବାରେ କଂଗ୍ରେସ ସର୍ବଦା ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି, ତାହା ସେମାନେ ଜାଣନ୍ତି ।
୨୦୨୨ରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ ବା ଅନ୍ୟ ବିରୋଧୀଙ୍କୁ ନିରାଶ ହେବାକୁ ପଡିବ ବୋଲି ସେ ଭାବୁ ନାହାନ୍ତି । କାରଣ, ୟୁପି, ଉତ୍ତରାଖଣ୍ଡ ଓ ଗୋଆରେ ବିଜେପି ଏକପ୍ରକାର ପ୍ରତିକୂଳ ସ୍ଥିତିରେ ରହିଛି ବୋଲି ସିଂଘଭି କରିଛନ୍ତି । ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ଫଳାଫଳ ବିରୋଧୀ ଏକତା କ୍ଷେତ୍ର ନେଇ ଯେଉଁ ସମ୍ଭାବନା ସୃଷ୍ଟି କରିଛି ତାହାକୁ ମଝିରେ ହେବାକୁ ଥିବା ନିର୍ବାଚନଗୁଡିକ ଦ୍ୱାରା ପ୍ରଭାବିତ ହେବାକୁ ଦିଆଯିବ ନାହିଁ । ୨୦୨୪ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସେହି ନିଆଁକୁ ପ୍ରଜ୍ୱଳିତ ରଖିବାକୁ ପଡିବ । ସମସ୍ତ ସମାଭାବାପନ୍ନ ରାଜନୈତିକ ଦଳଙ୍କ ସହ ରିତିମତ ଆଲୋଚନା ଦ୍ୱାରା ଏହା ସମ୍ଭବ ହେବ । ବିରୋଧୀ ଏକତା ଅଭାବରୁ ହିଁ ବିଜେପି ସଫଳ ହେଉଛି । ଦେଶରେ ମାତ୍ରାଧିକ୍ୟ ଚାଲିଛି । ଏହି ମାତ୍ରାଧିକ୍ୟ ହିଁ ବିରୋଧୀ ଏକତାର ଅଠାକାଠି ହେବ । ସରକାରଙ୍କ କୋଭିଡ଼ ପରିଚାଳନା, ଦେଶରେ ଅର୍ଥନୀତିରେ ଅଧୋଗତି, ସାମାଜିକ କ୍ଷେତ୍ରରେ ଦମନମଳକ ନୀତି, ପେଗାସସ୍ ଭଳି ଗୁଇନ୍ଦା ସଫ୍ଟୱେର ମାଧ୍ୟମରେ ସାଧାରଣ ଜନତାର ବ୍ୟକ୍ତିଗତ ସ୍ୱାଧୀନତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରାଯିବା ଏବଂ ବିଭିନ୍ନ ସାମ୍ବିଧାନିକ ଅନୁଷ୍ଠାନକୁ କବ୍ଚା କରିବା ଦିଗରେ ସରକାରଙ୍କ ପ୍ରୟାସ ବିରୋଧରେ ଲଢିବା ପାଇଁ ବିରୋଧୀ ଏକତା କଂଗ୍ରେସ ଆଜେଣ୍ଡାର ସର୍ବାଗ୍ରେ ରହିଛି ବୋଲି ସିଂଘଭି କହିଛନ୍ତି ।
ସିଂଘଭିଙ୍କ ଏହି ସାକ୍ଷାତକାର କଂଗ୍ରେସର ସାଂପ୍ରତିକ ସ୍ଥିତି କଥା କହୁଛି । କଂଗ୍ରେସ ଭଳି ଏକ ସର୍ବପୂରାତନ ଜାତୀୟ ରାଜନୈତିକ ଦଳ ଭାରତୀୟ ରାଜନୀତିରେ ଧୀରେ ଧୀରେ ଅଲୋଡା ହେବାକୁ ବସିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ପ୍ରସ୍ତୁତି କଂଗ୍ରେସ ପାଇଁ କ୍ଷମତାକୁ ଫେରିବାର ଆଶାବାଡ଼ି ହୋଇଛି । ତେଣୁ, ସିଂଘଭିଙ୍କ ଭଳି କଂଗ୍ରେସର ବରିଷ୍ଠ ନେତାାନେ ଏନସିପି ନେତା ଶରଦ ପାୱାର ଓ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଶଂସାରେ ଶତମୁଖ । ଆଂଚଳିକ ରାଜନୈତିକ ଦଳଙ୍କୁ ନେଇ କାମ କରିବାକୁ ମଧ୍ୟ ଦଳ ଆଗ୍ରହୀ । କଂଗ୍ରେସର ଏହି ପରିବର୍ତ୍ତିୀତ ରୂପରୁ ବିଜେପି ବିରୋଧୀ ଦଳମାନେ ଫାଇଦା ନେବାର ସମୟ ଆସିଛି । ଏବେ ସୁଯୋଗ ହାତଛଡା କଲେ ୨୦୨୪ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ସ୍ୱପ୍ନ ଅପହଂଚ ହୋଇ ରହିଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS