ବିକଳ୍ପ ବିରୋଧୀ ମେଂଟ ଓ ରାହୁଲଙ୍କ ଚା’ ଭୋଜି
ନୂଆଦିଲ୍ଲୀ
ଅଗଷ୍ଟ ୦୩
୫୧ ବର୍ଷ ବୟସ୍କ ରାହୁଲ ଗାନ୍ଧୀଙ୍କ ପ୍ରତି ବିରୋଧୀ ଓ ସମାଲୋଚକମାନେ ସର୍ବଦା ‘ପପ୍ପୁ’ ଶବ୍ଦ ପ୍ରୟୋଗ କରି ତାଙ୍କ ରାଜନୈତିକ ଅପରିପକ୍ୱତାର ସମଲୋଚନା କରିଥା’ନ୍ତି । ସେମାନେ କୁହନ୍ତି, ରାହୁଲଙ୍କ ପାଇଁ ରାଜନୀତି କେବଳ ଏକ ଆମେଦ, ପ୍ରମୋଦର ମାଧ୍ୟମ । ସେ କେବେ ତାହାକୁ ଗୁରୁତ୍ୱ ଦେଇ ନାହାନ୍ତି । ବିରୋଧୀଙ୍କ ଭାଷାରେ, ଗାନ୍ଧୀ ପରିବାରର ଏହି ଉତ୍ତରାଧିକାରୀ ଜଣକ ‘ଅପରିପକ୍ୱ’, ‘ଆମେଚର୍’ ରାଜନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ତାଙ୍କ ଦଳର କୁଜି ନେତା ପର୍ଯ୍ୟନ୍ତ ସମସ୍ତେ ରାହୁଲଙ୍କୁ ‘ପପ୍ପୁ’ କହି କଟାକ୍ଷ କରିବା ମାଧ୍ୟମରେ ନିଜ ନିଜ ଦିନଚର୍ଯ୍ୟା ଆରମ୍ଭ କରୁଥିବା ବେଳେ ‘ପପ୍ପୁ’ ଆଜି ବିରୋଧୀଙ୍କ ଏକାଠି କରି ଏକ ବିକଳ୍ପ ମେଂଟର ସୂତ୍ରଧର ଭୂମିକାରେ ଥିବା ସମସ୍ତଙ୍କୁ ଆଚମ୍ବିତ କରିଛି ।
ରାହୁଲ ଆଜି ‘କନଷ୍ଟିଚ୍ୟୁସନ୍ କ୍ଲବ’ରେ ୧୭ଟି ଦଳର ପାଖାପାଖି ୧୦୦ ସାଂସଦଙ୍କୁ ଏକ ଚା’ ଭୋଜିକୁ ନିମନ୍ତ୍ରଣ କରିଥିଲେ । ସକାଳୁ ସକାଳୁ ନିଜେ ସାଇକଲରେ ସଂସଦରେ ପହଂଚି ଚା’ ଭୋଜିରେ ଯୋଗ ଦେଇଥିବା ବିରୋଧୀ ନେତାଙ୍କୁ ଆପ୍ୟାୟିତ କରିବା ସହ ଦେଶ ସାମ୍ନା କରୁଥିବା ବିଭିନ୍ନ ଗୁରୁତର ପ୍ରସଙ୍ଗକୁ ନେଇ ସେମାନଙ୍କ ସହ ଆଲୋଚନା କରିଥିଲେ । ପେଗାସସ୍ ଗୁଇନ୍ଦାଗିରି ଓ ତିନି କୃଷି ଆଇନକୁ ନେଇ ଗଲା ୧୯ ତାରିଖରୁ ବିରୋଧୀ ସଂସଦରେ ଅଚଳାବସ୍ଥା ଜାରି ରଖିଛନ୍ତି । ତେବେ, ମିଳିତ ଭାବେ କିଭଳି ସଂସଦରେ ସରକାରଙ୍କୁ କୋଣଠେସା କରି ହେବ ସେ ନେଇ ରାହୁଲଙ୍କ ଚା’ ଭୋଜିରେ ରଣନୀତି ପ୍ରସ୍ତୁତ ହୋିଥିବା ସୂଚନା ମିଳିଛି ।
ରାହୁଲଙ୍କ ଏହି ଚା’ ଭୋଜିରେ ୧୪ଟି ବିରୋଧୀ ଦଳର ନେତା ଯୋଗ ଦେଇଥିବା ସୂଚନା ମିଳିଛି । ଏହି ନେତାମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ମହୁଆ ମୈତ୍ର, ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ଶିବସେନାର ସଂଜୟ ରାୱତ ଓ ଡ଼ିଏମକେର କାନିମୋଝୀ ଅନ୍ୟତମ ।
କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନ ଓ ପେଗାସସ୍ ସ୍ପାଏୱେର୍ ମାଧ୍ୟମରେ ଦେଶରେ ବିଭିନ୍ନ ରାଜନେତା, ସାମାଜିକ କାର୍ଯ୍ୟକର୍ତ୍ତା, ସାମ୍ବାଦିକ, ବିଭିନ୍ନ ସାମିବିଧାନିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ପ୍ରମୁଖଙ୍କ ଫୋନ୍ ହ୍ୟାକିଂ କରାଯିବା ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହୋିଥିବା ଏବଂ ସଂସଦରେ ସରକାରଙ୍କୁ ଅଧିକ ଫଳପ୍ରଦ ଭାବେ ଘେରିବା ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଆମ୍ ଆଦମୀ ପାର୍ଟି ଏମପି ସଂଜୟ ସିଂହ ଚା’ ଭୋଜିରେ ଯୋଗ ଦେଇନଥିଲେ ମଧ୍ୟ ସଂସଦରେ ଯେତେବେଳେ ଚାଷୀଙ୍କ କଥା ଉଠିବ ଦଳ ସେଥିରେ ଭାଗ ନେବ ବୋଲି କହିଛନ୍ତି ।
ରାହୁଲଙ୍କ ଚା’ଭୋଜିରେ ତୃଣମୂଳ କଂଗ୍ରେସ ପାର୍ଟି, ଏନସିପି, ଶିବସେନା, ଡ଼ିଏମକେ ପ୍ରଭୃତି ଦଳର ପ୍ରତିନିଧିତ୍ୱ ଥିବା ବେଳେ ଆରଜେଡ଼ି, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟିର୍ (ଏଏପି)ର ପ୍ରତିନିଧିତ୍ୱ ନଥିଲା । ଉତ୍ତର ପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଏସପି ରାହୁଲଙ୍କ ଚା’ ଭୋଜିରୁ ଦୂରେଇ ରହିଛି । ଦଳର ନେତ୍ରୀ ମାୟାବତୀ ପୂର୍ବରୁ ଘୋଷଣା କରିଛନ୍ତି ତାଙ୍କ ଦଳ ରାଜ୍ୟରେ ଏକାକୀ ନିର୍ବାଚନ ଳଢିବ । କୌଣସି ଦଳ ସହ ମେଂଟ କରିବ ନାହିଁ । କଂଗ୍ରେସ ପକ୍ଷରୁ ୟୁପି ରାଜନୀତିକୁ ନିୟନ୍ତ୍ରଣ କରୁଥିବା ପ୍ରିୟଙ୍କା ଗାନ୍ଧୀ ସହ ମାୟାବତୀଙ୍କ ରାଜନୈତିକ ସଂପର୍କ ତୀକ୍ତ । ମାୟାବତୀ ପରୋକ୍ଷରେ ବିଜେପି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରିୟଙ୍କା ସମାଲୋଚନା କରି କଂଗ୍ରେସ-ବିଏସପି ସଂପର୍କକୁ ତୀକ୍ତ କରିଛନ୍ତି ।
ଏଭଳି ସ୍ଥିତିରେ ରାହୁଲଙ୍କ ଆଜିର ଚା’ ଭୋଜିରେ ବିଏସପି ନେତାଙ୍କ ଅନୁପସ୍ଥିତି ସ୍ୱାଭାବିକ କୁହାଯାଇପାରେ । ସେହିଭଳି, ଦିଲ୍ଲୀ ରାଜନୀତିରେ କଂଗ୍ରେସ ଓ ଅମ୍ ଆଦମୀ ପାର୍ଟି (ଏପିପି) ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛନ୍ତି । ତେବେ, ମହାରାଷ୍ଟ୍ରରେ ଶିବସେନା ଏନସିପି ଓ କଂଗ୍ରେସର ସହଯୋଗରେ ସରକାର ଚଳାଇଛି । ରାହୁଲଙ୍କ ଚା’ ଭୋଜିରେ ଶିବସେନା ସାମିଲ ହେବାରେ କିଛି ଅସ୍ୱାଭାବିକତା ନାହିଁ । ମମତାଙ୍କ ତୃଣମୂଳ କଂଗ୍ରେସ ପାର୍ଟି ସହ କଂଗ୍ରେସର ସଂପର୍କରେ ଏବେ ଏବେ ସୁଧାର ଆସିଛି । ୨୦୨୧ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ବିପୁଳ ବିଜୟ ଏବଂ ଜାତୀୟ ରାଜନୀତିରେ ବିଜେପିକୁ ପରାହତ କଲା ଭଳି ଶକ୍ତି ଟିଏମସି-କଂଗ୍ରେସ ସଂପର୍କକୁ ନୂଆ ରୂପ ଦେଇଛି । ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ଫଳାଫଳ ମେ’ ୨ରେ ପ୍ରକାଶ ପାଇବା ପରେ ମମତା ଜୁନ ମାସରେ ତାଙ୍କ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଏନସିପି ନେତା ଶରଦ ପାୱାରଙ୍କ ନିକଟକୁ ପଠାଇ ଏକ ବିକଳ୍ୱ ବିରୋଧୀ ମେଂଟର ଆଧାରଶୀଳା ସ୍ଥାପନ କରିଥିଲେ ।
ପ୍ରଶାନ୍ତ କିଶୋର ଜୁନ ୧୧ ତାରିଖ ଦିନ ଶରଦ ପାୱାରଙ୍କୁ ମୁମ୍ବାଇ ବାସଭବନରେ ଭେଟି ଦିବା ଭୋଜନ କରିବା ସହ ବିରୋଧୀ ମେଂଟକୁ ନେଇ ଅଲୋଚନା କରିଥିଲେ । ପରେ, ପ୍ରଶାନ୍ତ କିଶୋର ଅନ୍ୟ ବିରୋଧୀ ଦଳ ନେତାଙ୍କୁ ଭେଟି ଆଲୋଚନାର ପଥ ପ୍ରସସ୍ଥ କରିଥିଲେ । ନିଜେ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତ କରି ଶରଦ ପାୱାରଙ୍କ ସହ ଆଲୋଚନା କରିଛନ୍ତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟି ବା ପୂର୍ବରୁ ବରିଷ୍ଟ କଂଗ୍ରେସ ନେତା କମଳନାଥ ଓ ଆନନ୍ଦ ଶର୍ମାଙ୍କ ସହ ତାଙ୍କ ଆଲୋଚନା ହୋଇଥିଲା । ପରେ, ସେ କଂଗ୍ରେସ ଅନ୍ତଃରୀଣ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକତ୍ର ଭେଟି ବିକଳ୍ପ ବିରୋଧୀ ମେଂଟ ଗଠନ ପ୍ରସଙ୍ଗକୁ ଆଗେଇ ନେଇଥିଲେ । ଶରଦ ପାୱାର, ଗାନ୍ଧୀ ପରିବାର ଏବଂ ଅନ୍ୟ ବିରୋଧୀ ନେତାଙ୍କ ସହ ଆଲୋଚନା ପରେ ମମତାଙ୍କ ଆତ୍ମବିଶ୍ୱାସ ଏତେଦୂର ବଢି ଯାଇଛି ଯେ ଏବେ ଦିଲ୍ଲୀରେ ‘ଖେଲା ହେବ’ କହି ବିଜେପି ଓ ମୋଦୀ ସରକାରଙ୍କୁ ଚ୍ୟାଲେଂଜ ଦେବାରୁ ପଛାଇ ନାହାନ୍ତି । ଏଭଳି ଏକ ରାଜନୈତିକ ସ୍ଥିତିରେ ରାହୁଲ ଗାନ୍ଧୀଙ୍କ ଆଜିର ଚା’ ଭୋଜି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଏକାଠି ହେବାର ମାର୍ଗକୁ ଅଧିକ ପ୍ରସସ୍ଥ କରିବ ବୋଲି ଆଶା କରାଯାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS