ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଦୋଷମୁକ୍ତ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୧୮
ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀର ଏକ ଅଦାଲତ ଆଜି ପତ୍ନୀ ସୁନନ୍ଦା ପୁଷ୍କରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରୁ ଦୋଷମୁକ୍ତ କରିଛନ୍ତି । ୨୦୧୪ ମସିହା ଜାନୁୟାରୀ ୧୭ ତାରିଖ ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରୁ ସୁନନ୍ଦା (୫୧)ଙ୍କ ମୃତଦେହ ମିଳି ଥିଲା । ଦିଲ୍ଲୀ ପୁଲିସ ପ୍ରଥମେ ଏହାକୁ ଏକ ମାନସିକ ନିର୍ଯ୍ୟାତନା ଜନିତ ମୃତ୍ୟୁ ବୋଲି ଦର୍ଶାଇ ଥରୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ବର୍ଷକ ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲେ ମଧ୍ୟ ସେଥିରେ କାହାରି ନାମ ଉଲ୍ଲେଖ କରି ନଥିଲେ । ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତା ଯାଇଥିବା କିମ୍ବା ମାନସିକ ନିର୍ଯ୍ୟାତନା କାରଣରୁ ସୁନନ୍ଦା ଆତ୍ମହତ୍ୟା କରିଥିବା ସନ୍ଦେହ କରି ପୁଲିସ ମାମଲାର ତଦନ୍ତ ଚଳାଇ ଥିଲେ ମଧ୍ୟ ଦୀର୍ଘ ସାଢେ ସାତ ବର୍ଷ ମଧ୍ୟରେ କାଣିଚାଏ ପ୍ରମାଣ ଏକାଠି କରିବାରେ ବିଫଳ ହେବାରୁ ଅଦାଲତ ଆଜି ଥରୁରଙ୍କ ବିରୋଧରେ ଚାର୍ଜ ଫ୍ରେମ କରିବାକୁ ମନା କରିବା ସହ ତାଙ୍କୁ ଦୋଷମୁକ୍ତ କରିଛନ୍ତି । ସୁନନ୍ଦାଙ୍କ ମୃତ୍ୟୁ ସମୟରେ ସାଂସଦ ଥିବା ଶଶି ଥରୁରଙ୍କ ସରକାରୀ ବାସଭବନର ନବୀକରଣ ଚାଲି ଥିବାରୁ ସୁନନ୍ଦା ଏକ ତାରକା ହୋଟେଲରେ ଅବସ୍ଥାନ କରୁଥିଲେ । ସେହି ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅଦାଲତ ଆଜି ତାଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରିବାକୁ ମନା କରିବା ସହ ତାଙ୍କୁ ଦୋଷମୁକ୍ତ କରି ଥିବାରୁ ଥରୁର ଅଦାଲତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦୀର୍ଘ ସାଢେ ସାତ ବର୍ଷର ମାନସିକ ନିର୍ଯ୍ୟାତନାରୁ ଅଦାଲତ ତାଙ୍କୁ ମୁକ୍ତି ଦେଇଛନ୍ତି ବୋଲି ଥରୁର କହିଛନ୍ତି । ଏକ ଦୀର୍ଘ ବିବୃତିରେ ଥରୁର କହିଛନ୍ତି, ସେ ଓ ତାଙ୍କ ପରିବାର ବର୍ତ୍ତମାନ ଅନ୍ତତଃ ସୁନନ୍ଦଙ୍କ ମୃତ୍ୟୁକୁ ନେଇ ଶାନ୍ତିରେ ଶୋକ ପାଳନ କରି ପାରିବେ । ଗଲା ସାଢେ ସାତ ବର୍ଷ ହେଲା ସେ ବିଭିନ୍ନ ପ୍ରକାର ଘୃଣ୍ୟ ଅଭିଯୋଗ ଏବଂ ଗଣମାଧ୍ୟମରେ ସମାଲୋଚନାର ସାମ୍ନା କରୁଛନ୍ତି । ବିଚାର ବ୍ୟବସ୍ଥା ଉପରେ ତାଙ୍କର ଗଭୀର ଆସ୍ଥା ଥିଲା, ଯାହାକି ଆଜି ସତ୍ୟ ସାବ୍ୟସ୍ତ ହୋଇଛି । ସୁନନ୍ଦାଙ୍କ ମୃତ୍ୟୁ ମାନସିକ ନିର୍ଯ୍ୟାତନା କାରଣରୁ ନଥିଲା ବା ଆତ୍ମହତ୍ୟା ନଥିଲା । ସେ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ସୁନନ୍ଦାଙ୍କୁ ଯୌତୁକ ନିର୍ଯ୍ୟାତନା ଦିଆଯାଇଥିବା, ତାଙ୍କ ପ୍ରତି ଅମାନବିକତା ବା ହିଂସାର ପ୍ରଦର୍ଶନ ହୋଇଥିବା ନେଇ ଜଣେ ହେଲେ ସାକ୍ଷୀ ଅଦାଲତରେ କହି ନାହାନ୍ତି । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମଧ୍ୟ ଥରୁରଙ୍କୁ ଦୋଷମୁକ୍ତ କରିଛନ୍ତି । ଦିଲ୍ଲୀ ପୁଲିସ ଦୀର୍ଘ ବର୍ଷ ଧରି ସୁନନ୍ଦା ମୃତ୍ୟୁ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ସେଥିରେ ସ୍ୱାମୀ ଶଶି ଥରୁରଙ୍କ ହାତ ଥିବା ନେଇ କାଣିଚାଏ ପ୍ରମାଣ ମଧ୍ୟ ଅଦାଲତରେ ଉପସ୍ଥାପନ କରି ପାରି ନାହିଁ । ତେଣୁ, ସୁନନ୍ଦାଙ୍କ ମୃତ୍ୟୁକୁ ଏକ ଦୁର୍ଘଟଣା ବୋଲି ଅଦାଲତ ବିଚାର କରନ୍ତୁ ବୋଲି ଥରୁରଙ୍କ ଓକିଲ ବିକାଶ ପହ୍ୱା ଅଦାଲତରେ ଯୁକ୍ତି ବାଢି ଥିଲେ । ତାହାକୁ ବିଚାରକୁ ନେଇ ଅଦାଲତ ଆଜି ଥରୁରଙ୍କୁ ଦୋଷମୁକ୍ତ କରିଛନ୍ତି । ୨୦୧୦ରେ ଶଶି ଥରୁର ଓ ସୁନନ୍ଦାଙ୍କ ମଧ୍ୟରେ ବିବାହ ସଂପନ୍ନ ହୋଇଥିଲା । ଚାରି ବର୍ଷ ପରେ ସୁନନ୍ଦାଙ୍କ ସନ୍ଦେହଜନକ ମୃତ୍ୟୁ ରାଜନୈତିକ ମହଲରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ସୃଷ୍ଟି କରିଥିଲା । ମୃତ୍ୟୁ ପୂର୍ବରୁ ସୁନନ୍ଦା ଓ ଶଶି ଥରୁରଙ୍କ ମଧ୍ୟରେ ହୋଇଥିବା ଟ୍ୱିଟ୍ ବିନିମୟରୁ ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ଥରୁରଙ୍କ ସଂପର୍କ ଥିବା ଏବଂ ତାହାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ରହି ଥିବା ଚର୍ଚ୍ଚା ଜୋର୍ ଧରିଥିଲା । ଦିଲ୍ଲୀ ପୁଲିସ ପ୍ରାରମ୍ଭିକ ସ୍ତରରେ ସୁନନ୍ଦାଙ୍କ ମୃତ୍ୟୁ ବିଷ ପ୍ରକ୍ରିୟାରୁ ହୋଇଥିବା ଦର୍ଶାଇ ମାମଲା ରୁଜୁ କରିଥିଲେ । ବର୍ଷକ ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲେ ମଧ୍ୟ ସେଥିରେ ସନ୍ଦଗ୍ଧ ଭାବେ କାହାରି ନାମ ଦର୍ଶାଇ ନଥିଲେ । ଥରୁରଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ପରିସ୍ଥିତିର ଭରପୁର ଫାଇଦା ଉଠାଇ ଥରୁରଙ୍କୁ ଟାର୍ଗେଟ୍ କରି ଆସୁ ଥିଲେ । ତାଙ୍କ ବିରୋଧରେ ଯାହା ସବୁ ଅଭିଯୋଗ ହେଉଛି ସେସବୁ ମିଥ୍ୟା, ଭିତ୍ତିହୀନ ଏବଂ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି ସଫେଇ ଦେବା ବ୍ୟତୀତ ଥରୁରଙ୍କ ନିକଟରେ ଆଉ କିଛି ବିକଳ୍ପ ନଥିଲା । ଆଜି ସେ ଏହି ମାନସିକ ନିର୍ଯ୍ୟାତନାରୁ ମୁକ୍ତି ପାଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS