ପଞ୍ଜୁରୀବଦ୍ଧ ଶୁଆ ମୁକ୍ତ ହେବ କେବେ ?
ପ୍ରସାଦ ରାଓ
ଅଗଷ୍ଟ ୧୯
‘ପଞ୍ଜୁରୀବଦ୍ଧ ଶୁଆ ମାଲିକର ସ୍ୱର ହିଁ ଦୋହରାଉଛି’ । ଏହା ଥିଲା ୨୦୧୩ରେ ସିବଆଇ ପ୍ରତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟଙ୍କ ଆକ୍ଷେପ । ସେହି ସମୟରେ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱରେ କେନ୍ଦ୍ରରେ ୟୁପିଏ-୨ ସରକାର କ୍ଷମତାସୀନ ଥିଲେ । କୋଇଲା ଖଣି ଆବଂଟନ ବା କୋଲ୍-ବ୍ଲକ୍ ଦୁର୍ନୀତି ମାମଲାର ତଦନ୍ତରେ ଏହି ଅପରାଧ ତଦନ୍ତକାରୀ ସଂସ୍ଥାର ଶିଥିଳତାକୁ ଦେଖି ସୁପ୍ରିମ କୋର୍ଟ ଏଭଳି ମନ୍ତବ୍ୟ ଦେଇଥିଲେ, ଯାହାକି ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିଲା । ସୁପ୍ରିମ କୋର୍ଟଙ୍କ ଏପ୍ରକାର କଟାକ୍ଷ ଜାତୀୟ ଓ ଆଂଚଳିକ ଗଣମାଧ୍ୟମଙ୍କୁ ସଂପାଦକୀୟ ଲେଖିବାକୁ ପ୍ରେରିତ କରିଥିଲା । ଇତିମଧ୍ୟରେ, ଆଠ ବର୍ଷ ବିତି ଯାଇଛି । ଦେଶର ଶାସନ ବଦଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାତ ବର୍ଷ ହେଲା ଏନଡ଼ିଏ ସରକାର ଚାଲିଛି । କିନ୍ତୁ, ସିବିଆଇରେ କୌଣସି ଢାଂଚାଗତ ପରିବର୍ତ୍ତନ ହୋଇ ନାହିଁ ବା ସ୍ଥିତାବସ୍ଥାରେ ସୁଧାର ଆସି ନାହିଁ । ଓଲଟା, ସିବିଆଇ ସେହି ‘ପଞ୍ଜୁରୀ ଭିତରେ ଶୁଆ’ ହୋଇ ରହି ଯାଇଛି ।
ସିବିଆଇ ଆଜି ସୁଦ୍ଧା ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିସମେଂଟ୍ ଆକ୍ଟ ଦ୍ୱାରା ପରିଚାଳିତ ହେବା ସହ ସଂସ୍ଥାର ଭିତ୍ତିଭୂମି, ଅର୍ଥ ବ୍ୟବସ୍ଥା ଓ ଉତ୍ତରଦାୟିତ୍ୱ ସେହି ଆଇନର ଗଣ୍ଡି ଭିତରେ ସୀମିତ ହୋଇଯାଇଛି । ଦେଶର ଏହି ସର୍ବପୂରାତନ ଅପରାଧ ତଦନ୍ତକାରୀ ସଂସ୍ଥାର ନିଜସ୍ୱ କ୍ୟାଡ଼ର ବୋଲି କିଛି ନାହିଁ । ବିଭିନ୍ନ ରାଜ୍ୟରୁ ପୁଲିସ ଇନିସପେକ୍ଟର ଓ ଆଇପିଏସ୍ ଅଧିକାରୀମାନେ ସଂସ୍ଥାକୁ ଡ଼େପୁଟେସନରେ ଆସୁଛନ୍ତି । କାର୍ଯ୍ୟକାଳ ସରିବା ଉପରେ ଥିବା ବେଳେ ସେମାନଙ୍କ ମଧ୍ୟରେ ପଦୋନ୍ନତି ପାଇ ସିବିଆଇ କ୍ୟାଡ଼ରକୁ ଆସିବାକୁ ଉତ୍ସାହ ଦେଖିବାକୁ ମିଳୁଛି । ଫଳରେ, ସିବିଆଇରେ ଯୋଗ ଦେଉଥବା ଏହି ଅଧିକାରୀଙ୍କ ମନରେ ରାଜନେତାଙ୍କ ପ୍ରତି ଭୟ ଓ ଅନୁଗତ୍ୟ ରହୁଛି । ସାଧାରଣ ଲୋକଙ୍କୁ ଠିକ୍ ଭାବେ ନ୍ୟାୟ ମିଳୁ ନାହିଁ । ସିବିଆଇ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନରେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବାରୁ ମାଲିକର ସ୍ୱରକୁ ହିଁ ଦୋହରାଉଛନ୍ତି ବୋଲି ପୂର୍ବରୁ ସୁପ୍ରିମ କୋର୍ଟ ଦେଇଥିବା ମନ୍ତବ୍ୟ ଆଜି ମଧ୍ୟ ଅପରିବର୍ତ୍ତିତ ରହିଛି ।
ତେବେ, ଦେଶର ଯେକୌଣସି ଅଂଚଳ ହେଉ ନା କାହିଁକି ସେଠାକାର ଅଧିବାସୀ ଛୋଟ ବଡ଼ ଅପରାଧ ଘଟଣା ଘଟିଲେ ଏବଂ ତଦନ୍ତରେ ସ୍ଥାନୀୟ ପୁଲିସର ଅବହେଳା ଦେଖିଲେ ଘଟଣାର ସିବିଆଇ ତଦନ୍ତ ପାଇଁ ଆଜି ମଧ୍ୟ ସରକାର ଓ ଅଦାଲତଙ୍କ ନିକଟରେ ଦାବି କରୁଛନ୍ତି । ଯାହାକି, ସିବିଆଇ ପ୍ରତି ଜନସାଧାରଣରେ ଥିବା ଅତୁଟ ବିଶ୍ୱାସକୁ ପ୍ରତିଫଳିତ କରୁଛି । ତେବେ, ବିଭିନ୍ନ ପ୍ରକାର ଚାପରେ ଥିବା ସିବିଆଇ ଅନେକ ସମୟରେ ଜନତାର ଆଶା ଓ ଆସ୍ଥା ବିପରିତ କାର୍ଯ୍ୟ କରୁଥିବା ଅଦାଲତଙ୍କୁ ମଧ୍ୟ ଚିନ୍ତାରେ ପକାଉଛି । ଗତ ମଙ୍ଗଳବାର ଦିନ ମାଡ୍ରାସ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାରଣା ସମୟରେ ସିବିଆଇର ଏହି ଦୁର୍ବଳତାକୁ ମନେ ପକାଇ ଦେବା ସହ ସୁପ୍ରିମ କୋର୍ଟଙ୍କ ‘ପଞ୍ଜୁରୀ ଆବଦ୍ଧ ଶୁଆ’ ମନ୍ତବ୍ୟକୁ ମନେ ପକାଇ ଦେଇଛନ୍ତି । ସରକାର ଏହି ତଦନ୍ତକାରୀ ସଂସ୍ଥାକୁ ନିଜ ପଂଝାରୁ ମୁକ୍ତ କରିବା ସହ ସ୍ୱୟଂଶାସିତ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।
୩୦୦ କୋଟି ଟଙ୍କାର ଏକ ଚିଟ୍ ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯିବା ସକାଶେ ରାମନାଥପୁରମ ଜିଲ୍ଲା ପାଥିକାପ୍ପାଟୋର ସଂଘମ୍ ତରଫରୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ସିବିଆଇ କର୍ମଚାରୀ ଓ ସାଧନ ଅଭାବ ଥିବା ଦର୍ଶାଇ ତଦନ୍ତ ଦାୟିତ୍ୱ ହାତକୁ ନେବାକୁ ଅମଙ୍ଗ ହେବାରୁ ମାଡ୍ରାସ ହାଇକୋର୍ଟର ଏକ ଦୁଇ ଜଣିଆ ଖଣ୍ଡପୀଠ ସିବିଆଇ ଆବେଦନକୁ ଅଗ୍ରାହ୍ୟ କରି ସଂସ୍ଥା ପାଇଁ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା କରିବା ସହ ଭାରତୀୟ ନିର୍ବାଚନ ଆୟୋଗ ଓ ସିଏଜିଆଇ (କଂପ୍ଟ୍ରୋଲର ଏଣ୍ଡ ଅଡ଼ିଟର ଜେନେରାଲ ଅଫ୍ ଇଂଡ଼ିଆ) ଭଳି ସ୍ୱୟଂ ଶାସିତ କରି ଅଧିକ କ୍ଷମତା ଓ କାର୍ଯ୍ୟ ପରିସର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ଏନ.କିରୁବାକରନ ଓ ଜଷ୍ଟିସ ବି.ପୁଗାଲେନ୍ଧିଙ୍କୁ ଗଠିତ ଏହି ଡ଼ିଭିଜନ ବେଂଚ୍ ବା ଖଣ୍ଡପୀଠ କହିଛନ୍ତି, ଦେଶର ଯେକୌଣସି ଅଂଚଳରେ କୌଣସି ସ୍ପର୍ଶକାତର ଘଟଣା ବା ଜଘଣ୍ୟ ଅପରାଧ ଘଟିଲେ ଓ ସେଠାକାର ପୁଲିସ ଠିକ୍ ଭାବେ ତଦନ୍ତ କରୁ ନଥିବା ଅଂଚଳବାସୀ ଅନୁଭବ କଲେ ମାମଲାର ସିବଆଇ ତଦନ୍ତ ପାଇଁ ଦାବି କରନ୍ତି । ଯାହାକି ସଂସ୍ଥା ପ୍ରତି ଦେଶବାସୀଙ୍କ ମନରେ ଥିବା ବିଶ୍ୱାସ ଭାବକୁ ପ୍ରତିଫଳିତ କରୁଛି । କିନ୍ତୁ, ବିଭିନ୍ନ ସମୟରେ ସିବିଆଇ କର୍ମଚାରୀ ଅଭାବ ଓ ପାଂଠିର ଅଭାବ ଆଳ ଦେଖାଇ ତଦନ୍ତ ଦାୟିତ୍ୱ ହାତକୁ ନେବାକୁ ଅମଙ୍ଗ ହେଉଛି । ଅଦାଲତର ନିର୍ଦେଶକୁ ମଧ୍ୟ ସିବିଆଇକୁ ଏହି ଆଳ ଦେଖାଇ ଟାଳି ଦେବାକୁ ଉଦ୍ୟମ କରୁଛି, ଯାହାକି ଦୁଃଖର ବିଷୟ । ତେଣୁ, ସିବିଆଇକୁ ସ୍ୱୟଂ ଶସିତ କରାଯିବା ସହ ସଂସ୍ଥାର ନିର୍ଦେଶକଙ୍କୁ କେନ୍ଦ୍ର ସରକାରଙ୍କ ଶାସନ ସଚିବଙ୍କ କ୍ଷମତା ସମତୁଲ କ୍ଷମତା ଦିଆ ଯିବାକୁ ବିଚାରପତି ଦ୍ୱୟ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ସିବିଆଇ ନିର୍ଦେଶକ ସଂପୃକ୍ତ ବିଭାଗର ମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ରିପୋର୍ଟ କରିବା ଆବଶ୍ୟକ ବୋଲି ମଧ୍ୟ ମାଡ୍ରାସ ହାଇକୋର୍ଟ କହିଛନ୍ତି ।
ସିବଆଇ ଦକ୍ଷତାର ସହ କାର୍ଯ୍ୟ କରିବା ପାଇଁ ଡ଼ିଭିଜନ ଓ ୱିଙ୍ଗ୍ ସଂଖ୍ୟା ବୃଦ୍ଧି ଏବଂ ତଦନ୍ତ କାର୍ଯ୍ୟ ଆଗେଇ ନେବା ପାଇଁ କର୍ମଚାରୀ ସଂଖ୍ୟା ବଢାଇବା ଆବଶ୍ୟକତାକୁ ନେଇ ସଂସ୍ଥାର ନିର୍ଦେଶକ ଛଅ ସପ୍ତାହ ମଧ୍ୟରେ ଅଦାଲତରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେବା ସହ ଏହି ପ୍ରସ୍ତାବ ମିଳିବାର ତିନି ମାସ ମଧ୍ୟରେ କେନ୍ଦ୍ର ସରକାର ଏଦିଗରେ ଆବଶ୍ୟକ ନିର୍ଦେଶନାମା ଜାରି କରିବାକୁ କହିଛନ୍ତି । ସିବିଆଇକୁ ସ୍ୱୟଂ ଶାସିତ କରାଯାଇ ‘ବୈଧାନିକ ମାନ୍ୟତା’ ଦିଆଗଲେ ହିଁ ସଂସ୍ଥା ପଞ୍ଜୁରୀରୁ ମୁକୁଳି ପାରିବ ବୋଲି ଅଦାଲତଙ୍କ ନିର୍ଦେଶରୁ ଅନୁଭବ କରି ହେଉଛି । ସିବିଆଇ ଡ଼େପୁଟେସନରେ ଆସୁଥିବା ପୁଲିସ ଅଧିକାରୀଙ୍କ ଉପରେ ନିର୍ଭରଶୀଳ ନ ରହି ନିଜର ଉତ୍ସର୍ଗିର୍କୃତ କ୍ୟାଡର୍ ସୃଷ୍ଟି କରିବା ଉପରେ ମଧ୍ୟ ମାଡ୍ରାସ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି ।
ଏହି ମାମଲାରେ ମାଡ୍ରାସ ହାଇକୋର୍ଟରେ ଦାଖଲ ହୋଇଥିବା ତଥ୍ୟରୁ ଜଣାପଡିଛି, ବିଗତ ୨୦ ବର୍ଷ (୨୦୦୧ରୁ ୨୦୨୦) ମଧ୍ୟରେ ସିବିଆଇ ଯେତିକି ମାମଲାର ତଦନ୍ତ କରିଛି ସେଥିରେ ବାର୍ଷିକ କନ୍ଭିକ୍ସନ ହାର ୬୫ ପ୍ରତିଶତ ଥିବା ସୁଖର କଥା ହୋଇଥିଲେ ସୁଦ୍ଧା ଯେତିକି ମାମଲା ରେଜିଷ୍ଟ୍ରିଭୁକ୍ତ ହୋଇଛି ତାହା ତୁଳନାରେ ବହୁତ କମ୍ । ଏହି ସମୟ କାଳରେ ସିବିଆଇ ନିକଟରେ ୨୦,୮୦୪ ମାମଲା ତଦନ୍ତ ପାଇଁ ପଂଜୀକୃତ ହୋଇଥିବା ବେଳେ ମାତ୍ର ୭,୫୩୯ ମାମଲାରେ ବିଚାରଣା ସ୍ତରକୁ ଯାଇଛି । କର୍ମଚାରୀ ଅଭାବ କାରଣରୁ ତଦନ୍ତ କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ ହୋଉ ନଥିବା ଏଥିରୁ ସ୍ପଷ୍ଟ । ୨୦୦୦ରୁ ୨୦୨୦ ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବହୁଗୁଣିତ ହୋଇଛି ସତ, କିନ୍ତୁ କେନ୍ଦ୍ରରେ କ୍ଷମତାସୀନ ହେଉଥିବା କୌଣସି ସରକାର ଏହି ପ୍ରମୁଖ ଅପରାଧ ତଦନ୍ତକାରୀ ସଂସ୍ଥାର ଭିତ୍ତିଭୂମି ବିକାଶ, ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ନିଯୁକ୍ତି ଏବଂ ଯଥେଷ୍ଟ ପାଂଠି ଯୋଗାଇ ଦେବା ଦିଗରେ ପଦକ୍ଷେପ ନେଇ ନାହାନ୍ତି ।
ଗଲା ୨୦ ବର୍ଷ ମଧ୍ୟରେ ସିବିଆଇର ତଦନ୍ତକାରୀ ଅଧିକାରୀ ସଂଖ୍ୟା ୫,୭୯୬ରୁ ମାତ୍ର ୭,୨୭୩କୁ ବୃଦ୍ଧି ହୋଇଛି । ସିବିଆଇ ଅଧିକାଂଶ ମାମଲାରେ ଫୋରେନ୍ସିକ ତଦନ୍ତ ଉପରେ ଅଧିକ ନିର୍ଭରଶୀଳ ଥିବା ବେଳେ ଏକ୍ଷେତ୍ରରେ ଆବଶ୍ୟକ ସଂଖ୍ୟକ କୁଶଳୀ କର୍ମଚାରୀ ନଥିବାରୁ ମାମଲା ତଦନ୍ତ ବିଳମ୍ବିତ ହେଉଛି । ତେଣୁ, ସିବିଆଇକୁ ପୁରୁଣା ‘ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିସମେଂଟ୍ ଆକ୍ଟ’ରୁ ମୁକ୍ତ କରି ଏହାକୁ ସ୍ୱୟଂ ଶାସିତ କରିବା ସହ ଭିତ୍ତିଭୂମିର ପୁନର୍ଗଠନ କରିବାକୁ ଏବଂ ସଂସ୍ଥାକୁ ଆବଶ୍ୟକତା ମୁତାବକ କୁଶଳୀ କର୍ମଚାରୀ ଓ ପାଂଠି ଯୋଗାଇ ଦେବାକୁ ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସିବିଆଇ ନିର୍ଦେଶକଙ୍କୁ ମଧ୍ୟ ନିଜର ଆବଶ୍ୟକତା ସଂପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।
ଦେଶର ୪ଟି ଭୌଗୋଳିକ ଜୋନକୁ ନେଇ ଅନ୍ୟୁନ ୪ଟି ନୂଆ ଫୋରେନ୍ସିକ୍ ଲ୍ୟାବ୍ (ସିଏଫଏସଏଲ କେନ୍ଦ୍ର) ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଅର୍ଥନୈତିକ ଅପରାଧ ସବୁର ତଦନ୍ତ ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥିବା କୁଶଳୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବାକୁ ମଧ୍ୟ ଅଦାଲତ ପରାମର୍ଶ ଦେଇଛନ୍ତି । ଭାରତୀୟ ନିର୍ବାଚନ ଆୟୋଗ ଓ ସିଏଜି ଭଳି ଏହି କୁଶଳୀ ଅପରାଧ ତଦନ୍ତ ସଂସ୍ଥାକୁ ସ୍ୱୟଂଶାସିତ କରା ଗଲେ ଏବଂ ସାଂଗଠନକ ପୁନର୍ଗଠନ ହେଲେ ବୋଧହୁଏ ସଂସ୍ଥା ଅଧିକ ନିର୍ଭୀକ ହୋଇ ତଦନ୍ତ କାର୍ଯ୍ୟକୁ ଆଗେଇ ନେବ ଏବଂ ‘ପଞ୍ଜୁରୀ ଭିତରେ ଶୁଆ’ ଅପବାଦରୁ ମୁକ୍ତି ପାଇବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS