ତାଲିବାନୀଙ୍କ ଉତ୍ପାତ, ଦୁଇଟି ଭାରତୀୟ କନ୍ସୁଲେଟରେ ଚଢାଉ, ଲୁଟପାଟ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୨୦
ଆଫଗାନିସ୍ଥାନର ତାଲିବାନୀ ଚରମପନ୍ଥୀ ଗୋଷ୍ଠୀ ରବିବାର କାବୁଲ ଦଖଲ କରିବା ପରେ ଦେଶରେ ସରକାର ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖି ଥିବା ବେଳେ ବିଶ୍ୱ ସମୁଦାୟକୁ ଶାନ୍ତି ଓ ସୌହାର୍ଦ୍ଧ୍ୟ ରକ୍ଷା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ରକ୍ଷା କରୁ ନଥିବା ବୁଧବାର ଅନ୍ୟୁନ ଦୁଇଟି ଭାରତୀୟ କନ୍ସୁଲେଟ୍ ଉପରେ ହୋଇଥିବା ଚଢାଉରୁ ସ୍ପଷ୍ଟ ହୋଇଛି । କାନ୍ଦାହାର ଓ ହେରାତରେ ଥିବା ଭାରତୀୟ କନ୍ସୁଲେଟରେ ଏହି ଚରମପନ୍ଥୀ ଗୋଷ୍ଠୀର ସଦସ୍ୟମାନେ ଅନୁପ୍ରବେଶ କରି ସଂପୃକ୍ତ କାର୍ଯ୍ୟାଳୟରେ ଥିବା କାଗଜପତ୍ର ଘଂଟାଘଂଟି, ଫୋଫଡା ଫୋପଡି କରିବା ସହ ଦୁଇଟି ଯାକ କନ୍ସୁଲେଟରେ ପାର୍କିଂରେ ଥିବା ଗାଡ଼ିଗୁଡିକୁ ଲୁଟି ନେଇ ଥିବା ଏଠାରେ ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ତାଲିବାନୀ ଚରମପନ୍ଥୀ ଗୋଷ୍ଠୀ ରବିବାର ଦିନ କାବୁଲ ଦଖଲ କରି ନେବା ପରେ ଭାରତ ସରକାର ଆଫଗାନିସ୍ଥାନରେ ଥିବା କନ୍ସୁଲେଟଗୁଡିକୁ ବନ୍ଦ ରଖିଛନ୍ତି । ‘ତାଲିବାନୀ ଚରମପନ୍ଥୀ ଏଭଳି କାଣ୍ଡ ଘଟାଇବେ ବୋଲି ଆମେ ଆଶା କରୁଥିଲୁ’ ବୋଲି ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଆଜି ଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି, ତାଲିବାନୀ ଚରମପନ୍ଥୀ ଗୋଷ୍ଠୀର ସଦସ୍ୟମାନେ ବୁଧବାର ଦିନ କାନ୍ଦାହାର ଓ ହେରାତରେ ଥିବା ଭାରତୀୟ କନ୍ସୁଲେଟରେ ଧସେଇ ପଶିବା ପୂର୍ବରୁ ମଙ୍ଗଳବାର ନୂଆଦିଲ୍ଲୀକୁ ଏକ ବାର୍ତ୍ତା ମାଧ୍ୟମରେ କାବୁଲରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ବନ୍ଦ ନ କରିବାକୁ ଏବଂ ସେଠାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରତ୍ୟାହାର ନ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ । କାବୁଲ ଦୂତାବାସରେ କାର୍ଯ୍ୟରତ ଭାରତୀୟ କର୍ମଚାରୀ ଓ ସୁରକ୍ଷା ବଳଙ୍କୁ ସୁରକ୍ଷିତ ରଖାଯିବ ବୋଲି ମଧ୍ୟ ଏହି ବାର୍ତ୍ତାରେ ପ୍ରତିଶ୍ରୁତି ଦିଆଯାଇଥିଲା ।
ତାଲିବାନୀ ଚରମପନ୍ଥୀଙ୍କ କ୍ୱାତାର କାର୍ଯ୍ୟାଳୟରୁ ସଂଗଠନର ରାଜନୈତିକ ଶାଖା ମୁଖ୍ୟ ଆବ୍ବାସ ସାନିକଜାଇ କାବୁଲ ଓ ଦିଲ୍ଲୀରେ ଥିବା କଂଟାକ୍ଟଙ୍କ ଜରିଆରେ ଭାରତ ସରକାରଙ୍କୁ ଏହି ବାର୍ତ୍ତା ପଠାଇ ଥିଲେ । ତେବେ, ଚଳିତ ସପ୍ତାହରେ ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭାରତୀୟ ବିମାନ ବାହିନୀର ଦୁଇଟି ସି-୧୭ ହେଲିକପ୍ଟର ଜରିଆରେ କାବୁଲ ଦୂତାବାସରେ ନିୟୋଜିତ ଭାରତୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିରାପଦ ଭାବେ ଭାରତ ଫେରାଇ ଆଣିଛନ୍ତ । ଆଫଗାନିସ୍ଥାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଭାରତ ଫେରାଇ ଅଣାଯାଇଛି । ତଥାପି, ୧୦୦୦ରୁ ଅଧିକ ଭାରତୀୟ ନାଗରିକ ଆଫଗାନିସ୍ଥାନର ବିଭିନ୍ନ ଅଂଚଳରେ ଫସି ରହିଥିବା ଜଣାପଡିଛି ।
ତାଲିବାନ ଗୋଷ୍ଠୀ କାବୁଲ ଦଖଲ କରିବା ପରଠାରୁ ସେଠାରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଫସି ରହିଥିବା ଭାରତୀୟ ଚିନ୍ତା ବଢିବାରେ ଲାଗିଛି । ସେମାନେ ନିରାପଦ ଭାବେ କେମିତି ଭାରତ ଫେରିବେ ସେହି ଚିନ୍ତାରେ ଅଛନ୍ତି । ତାଲିବାନୀ ଗୋଷ୍ଠୀ ଆଫଗାନିସ୍ଥାନ ସଖଲ କରିବା ପରଠାରୁ ସେଠାକର ସରକାରୀ ଗୁଇନ୍ଦା ସଂସ୍ଥା ‘ନ୍ୟାସନାଲ ଡ଼ିରେକ୍ଟୋରେଟ୍ ଅଫ୍ ସିକ୍ୟୁରିଟି’ ପାଇଁ କେଉଁମାନେ କାମ କରୁଥିଲେ ସେମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । କାବୁଲରେ ଘର ଘର ଯାଂଚ୍ ଚାଲିଛି । ‘ନାଟୋ’ ଏବଂ ଆମେରିକା ପାଇଁ କେଉଁମାନେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ମଧ୍ୟ ଚିହ୍ନଟ କରିବା ସକାଶେ ତାଲିବାନୀ ଚରମପନ୍ଥୀ ସମାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କାବୁଲର ପ୍ରତିଟି ଘରେ ସେମାନଙ୍କ ଚଢାଉ ଜାରି ରହି ଥିବା ଜାତିସଂଘରୁ ହସ୍ତଗତ ହୋଇଥିବା ଏକ ଡ଼କ୍ୟୁମେଂଟରୁ ସୂଚନା ମିଳିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
ଆଫଗାନିସ୍ଥାନର କାବୁଲରେ ଭାରତର ଦୂତାବାସ ରହିଥିଲେ ମଧ୍ୟ କାନ୍ଦାହାର, ହେରାତ, ମଜାର-ଏ-ସରିଫରେ କନ୍ସୁଲେଟମାନ ରହିଛି । ଭାରତ ସରକାର ଆଫଗାନିସ୍ଥାନରେ ତାଲିବାନୀଙ୍କ କ୍ଷମତା ଦଖଲ ପରେ ଭାରତୀୟ କନସୁଲେଟଗୁଡିକୁ ବନ୍ଦ କରି ଦେଇଥିଲେ ମଧ୍ୟ କାବୁଲ ଦୂତାବାସକୁ ସରକାରୀ ଭାବେ ବନ୍ଦ ଘୋଷଣା କରି ନାହାନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୂତାବାସ କାର୍ଯ୍ୟ ଚାଲୁ ରହି ଥିବା ନୂଆଦିଲ୍ଲୀ କହିଛି । ତାଲିବାନୀ ଚରମପନ୍ଥୀମାନେ ରବିବାର ଦିନ ରାଷ୍ଟ୍ରପତି ଅସରଫ ଗନି ସରକାରଙ୍କୁ କ୍ଷମତାଚ୍ୟୁତ କରି ନିର୍ବିରୋଧରେ କାବୁଲ ଦଖଲ କରିବା ପରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ପକ୍ଷରୁ ସେମାନଙ୍କୁ ସମର୍ଥନ ଯୋଗାଇ ଦିଆଯିବା ସହ ଏହି ସଫଳତା ପାଇଁ ବଧେଇ ଦିଆଯାଇଛି । ଯାହାକି ଭାରତ ପାଇଁ ଚିନ୍ତାର କାରଣ ହୋଇଛି ।
ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କ ରିପୋର୍ଟ ଅନୁଯାୟୀ, ଆରବୀୟ ପେନିନସୁଲାରେ ସକ୍ରିୟ ଥିବା ‘ଅଲ୍ କାଏଦା’ ଆତଙ୍କୀ ସଂଗଠନ ସମେତ ସିରିଆର ‘ହୟାତ ତହରିର ଆଲ-ସାମ୍’, ପଶ୍ଚିମ ଚୀନର ‘ଦି ତୁର୍କୀସ୍ତାନ ଇସଲାମିକ ପାର୍ଟି’ ଭଳି ଆତଙ୍କବାଦୀ ସଂଗଠନମାନେ ଭିନ୍ନ ଭିନ୍ନ ବିବୃତିରେ ତାଲିବାନୀଙ୍କୁ ବଧେଇ ଜଣାଇଛନ୍ତି । ତେଣୁ, ଭାରତ ସରକାର ଚିନ୍ତାରେ । ଧୀରେ ଧୀରେ ତାଲିବାନୀଙ୍କ ସ୍ୱରୂପ ଉନ୍ମୁକ୍ତ ହେଉଛି । ଭାରତ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ତାଲିବାନୀ ଗୋଷ୍ଠୀର ମଧୁଚନ୍ଦ୍ରିକା ଚାଲିଥିବା ସଂପର୍କରେ ଜାତିସଂଘ ସୁରକ୍ଷା ପରିଷଦର ସହ ଆଲୋଚନା କରିଛନ୍ତି ବୋଲି ଭାରତୀୟ ଅଧିକାରୀ ଜଣକ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS