ସ୍ୱେଚ୍ଛାଚାର ଆଡକୁ ଗତି କରୁଛି କି ବିଜେଡ଼ି ?
ପ୍ରସାଦ ରାଓ
ଭୁବନେଶ୍ୱର
ଅଗଷ୍ଟ ୨୨
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ (ବିଜେଡ଼ି) ଦୀର୍ଘ ୨୨ ବର୍ଷ ହେଲା ରାଜ୍ୟରେ କ୍ଷମତାରେ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ଦଳର ବିପୁଳ ବିଜୟ ସହ ନବୀନ ଲଗାତର ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ରହି ରାଜ୍ୟ ରାଜନୀତିରେ ଏକ ମାଇଲଖୁଂଟ ପ୍ରତିଷ୍ଠା କରିଛନ୍ତି । ଏହି ସମୟ ମଧ୍ୟରେ କଂଗ୍ରେସ ଓଡ଼ିଶାରେ ଶିଖରରୁ ସର୍ବନିମ୍ନ ସ୍ତରକୁ ଖସି ବିଜେପି ପଛକୁ ତୃତୀୟ ସ୍ଥାନରେ ଥିବା ବେଳେ ବିଜେପି ୨୦୧୪ରୁ ନବୀନଙ୍କୁ ଗାଦିଚ୍ୟୁତ କରି ଓଡ଼ିଶାରେ କ୍ଷମତା ଦଖଲ କରିବାକୁ ଉଦ୍ୟମ କରୁଛି । ତେବେ, ଓଡ଼ିଶାବାସୀ ନବୀନ ବାବୁଙ୍କ ହାତ ଛାଡି ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାଦୁ ୨୦୧୪ ବା ୨୦୧୯ ନିର୍ବାଚନରେ ଓଡ଼ିଶାରେ କାମ କରି ନାହିଁ । ସମଗ୍ର ଦେଶରେ ମୋଦୀ ଲହର ସମୟରେ ମଧ୍ୟ ଓଡ଼ିଶାରେ ନବୀନଙ୍କ ଲହର ଅତୁଟ ରହିଛି । ଏହାର କାରଣ ନୁହେଁ ଯେ, ଗଲା ୨୨ ବର୍ଷରେ ଓଡ଼ିଶାରେ ବହୁତ କିଛି ଉନ୍ନତି ହୋଇଛି । ନବୀନ ବାବୁଙ୍କ ବ୍ୟକ୍ତିତ୍ୱ ପ୍ରତି ଓଡ଼ିଶାବାସୀଙ୍କ ଅହେତୁକ ଆକର୍ଷଣ ଏବଂ ଅନ୍ୟ ଦଳରେ ନବୀନଙ୍କ ସମତୁଲ ଏକକ ନେତୃତ୍ୱର ଅଭାବ ହିଁ ବିଜେଡ଼ିର ଲଗାତର ସଫଳତାର କାରଣ, ଏହା ପ୍ରାୟ ସସ୍ତେ ସ୍ୱୀକାର କରୁଛନ୍ତି ।
ଓଡ଼ିଶାରେ କଂଗ୍ରେସ ନିମ୍ନମଖୀ ହେବାର କାରଣ ହେଉଛି, ୧୯୮୦ରୁ ୯୦ ଓ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ଦଳ ରାଜ୍ୟରେ କ୍ଷମତାରେ ଥିବା ସମୟରେ ହୋଇଥିବା ବ୍ୟାପକ ଦୁର୍ନୀତି, ପ୍ରିୟାପ୍ରିତି, କୁଶାସନ ଓ ଦଳୀୟ ନେତାମାନଙ୍କ ମଧ୍ୟରେ ଗୋଡ଼ଟଣା । ଦଳର ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ନେତା ପିସିସି ସଭାପତି ଦୌଡ଼ରେ । ୨୨ ବର୍ଷ ହେଲା କ୍ଷମତାରୁ ଦୂରରେ ରହି ସୁଦ୍ଧା ନେତାଙ୍କ ଚୈତନ୍ୟ ଉଦୟ ହୋଇନି । ୨୦୧୯ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ବିଧାୟକ ସଂଖ୍ୟା ସର୍ବନିମ୍ନ ୯କୁ (୧୪୭ରୁ) ଖସି ଯାଇଛି । ୨୦୨୪ରେ ଦେଶ ତଥା ରାଜ୍ୟ ଆଉ ଏକ ସାଧାରଣ ନିର୍ବାଚନର ସାମ୍ନା କରିବାକୁ ଯାଉଥିବା ବେଳେ ରାଜ୍ୟରେ କଂଗ୍ରେସ ନେତଅବର୍ଗ ଦଳ ସଜାଡିବା ଅପେକ୍ଷା ଗୋଡ଼ଟଣା ରାଜନୀତିରେ ବ୍ୟସ୍ତ ଅଛନ୍ତି । ସେହିଭଳି, ରାଜ୍ୟରେ ବିଜେପିର ସାଂଗଠନିକ ସ୍ଥିତି ସେତେ ସୁଦୃଢ ନୁହେଁ । ୨୦୧୪ରେ ଦେଶବ୍ୟାପୀ ମୋଦୀ ହାୱା ସତ୍ତ୍ୱେ ବିଜେପି ଓଡ଼ିଶାର ୨୧ ଲୋକସଭା ଆସନରୁ ମାତ୍ର ଗୋଟିଏ (ସୁନ୍ଦରଗଡ଼)ରେ ବିଜୟୀ ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ସାଂସଦ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।
ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ସଂଖ୍ୟା ୨୨ ରହିଛି । ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ଦଳ ଭଲ ପ୍ରଦର୍ଶନ କରିଥିବା ବେଳେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଉନ୍ନତି ଦେଖିବାକୁ ମିଳି ନାହିଁ । ଭୁବନେଶ୍ୱର ଲୋକସଭା ଆସନରୁ ବିଜେପିର ବିଜୟର ଶ୍ରେୟ ଯାଉଛି ପୂର୍ବତନ ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀଙ୍କୁ । କାରଣ, ଭୁବନେଶ୍ୱର ମହାନଗର ନିଗମ କମିସନର ଥିବା ସମୟରେ ସବୁ ଶ୍ରେଣୀର ଜନସାଧାରଣଙ୍କ ସହ ତାଙ୍କ ଲୋକସଂପର୍କ ଭଲ ରହିଛି । ଏହି ବିଜୟ ପରେ ଉପକୂଳ ଓଡ଼ିଶାରେ ବିଜେପିର ସ୍ଥିତି ସୁଦୃଢ ହେବ ବୋଲି ଆଶା ଥିଲା । ତେବେ, ରାଜ୍ୟ ବିଜେପି ନେତୃବୃନ୍ଦ ନିଜ ନିଜ ଭିତରେ କନ୍ଦଳରେ ଏତେଦୂର ବ୍ୟସ୍ତ ଯେ ବିଜେଡ଼ିର ମୁକାବିଲା କଲା ଭଳି ସଂଗଠନ ତିଆରି କରି ପାରୁ ନାହାନ୍ତି । ଦୈବାତ୍ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ କିଏ ହେବ (?), ତାହାର ଉତ୍ତର କାହାରି ପାଖରେ ନାହିଁ । ଦଳର ନେତୃତ୍ୱ ସ୍ତରରେ ଛକାପଂଝା ଦଳକୁ ବହୁ ଭାଗରେ ବିଭାଜିତ ରଖିଛି । କୌଣସି ଇସ୍ୟୁରେ ସବୁ ନେତା ଏକାଠି ନହୋଇ ଭିନ୍ନ ଭିନ୍ନ ଭାବେ ଶାସକ ଦଳକୁ ସାମ୍ନା କରୁଥିବାରୁ ବିଜେଡ଼ି ସେମାନଙ୍କୁ ‘ଫୁ’ରେ ଉଡାଇ ଦେଉଛି ।
ଓଡ଼ିଶାରେ କଂଗ୍ରେସ ଓ ବିଜେପିରେ ଏଭଳି ଦୁର୍ବଳ ସ୍ଥିତି ବିଜେଡ଼ିକୁ ନିରଂକୁଶ କରିଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସମସ୍ତ ପ୍ରକାର ନିର୍ବାଚନରେ ଦଳକୁ ବିଜୟ ଦେଇ ନିଜେ ମାଇଲଖୁଂଟ ସ୍ଥାପନ କରି ଦଳକୁ ଏକଛତ୍ରବାଦ ଭିତରକୁ ଠେଲି ଦେଇଛନ୍ତି । ଗଲା ୨୨ ବର୍ଷ ଭିତରେ ଦଳରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ହେଉଛି – କ୍ଷମତା ଆଉ ବିଜେଡ଼ି ନେତା ବା କର୍ମୀଙ୍କ ହାତରେ ନାହିଁ, କିଛି ବଛା ବଛା ପ୍ରଶାସନିକ ଅଧିକାରୀ ଦଳକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଆଢୁଆଳରେ ରଖି ରାଜ୍ୟ ଶାସନ କରୁଛନ୍ତି । ଓଡ଼ିଶାବାସୀ ତାହା ଜାଣୁଛନ୍ତି । ଏହାକୁ ନେଇ ଶାସକ ଦଳରେ ଅସନ୍ତୋଷ ବଢୁଛି । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କୁ ସାମ୍ନା କରିବାକୁ ମନ୍ତ୍ରୀ, ବିଧାୟକ ସାହାସ କରୁ ନଥିବାରୁ ଭିତରେ ଭିତରେ ଅସନ୍ତୋଷ କୁହୁଳୁଛି । ଯେଉଁମାନେ ମୁହଁ ଖୋଲୁଛନ୍ତି ବା ମୁହଁ ଖୋଲିବାକୁ ସାହାସ ରଖିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ନେତା ଓ ଅଧିକାରୀମାନେ ତଳିତଳାନ୍ତ କରୁଛନ୍ତି । ଶାସକ ବିଜେଡ଼ିରେ ଗଲା କିଛି ବର୍ଷ ହେଲା ଭୟର ବାତାବରଣରେ ବଢି ଥିବା ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ, ବିଧାୟକ, ଦଳୀୟ ନେତା ଏବଂ କର୍ମୀଙ୍କଠାରୁ ଅପହଂଚ ଦୂରତା ବଜାୟ ରଖିବା ଯୋଗୁଁ ବୋଲକରା ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ଶକ୍ତିଶାଳୀ ମନେ ହେଉଛନ୍ତି । ଶିବ ମନ୍ଦରରେ ପ୍ରବେଶ ପୂର୍ବରୁ ବୃଷଭଙ୍କୁ ମୁଣ୍ଡିଆ ମାରିବା ନ୍ୟାୟରେ ବିଜେଡ଼ି ନେତାଏ ବୃଷଭଙ୍କୁ ମୁଣ୍ଡିଆ ମାରିବା ପରଂପରା ହୋଇଯାଇଛି ।
ତେବେ, କିଛି ଏଭଳି ନେତା ଅଛନ୍ତି ଦଳରେ ଅଛନ୍ତି ଯେଉଁମାନେ କି ବିଜେଡ଼ିରେ ଆଇଏଏସ୍, ଆଇପିଏସ୍ ରାଜତ୍ୱକୁ ବିରୋଧ କଲେଣି ଓ କାର୍ଯ୍ୟାନୁଷ୍ଠାନର ସାମ୍ନା କଲେଣି । ୨୦୧୯ରେ କେନ୍ଦ୍ରପଡ଼ା ସାଂସଦ ଥିବା ବୈଜୟନ୍ତ ପଣ୍ଡା ଦଳ ଭିତରେ ଆଇଏଏସଙ୍କ ଆଧିପତ୍ୟକୁ ଖୋଲାଖୋଲି ବିରୋଧ କରି ବିଜେଡ଼ିରୁ ବିତାଡ଼ିତ ହେଲେ । ବୈଜୟନ୍ତ ବିଜେପିରେ ଯୋଗ ଦେଇ ଉପ ନିର୍ବାଚନରେ ସେହି ଆସନରୁ ପ୍ରାର୍ଥୀ ହେବାରୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ଫିଲ୍ମ ଅଭିନେତା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରି ବୈଜୟନ୍ତଙ୍କ ବିରୋଧରେ ନିଜର ସମସ୍ତ ଫୌଜ ଲଗାଇ ଦେଇଥିଲେ । ବୈଜୟନ୍ତଙ୍କ ପରେ ସେଭଳି କୌଣସି ବଡ଼ ମୁଣ୍ଡ ଦଳରୁ ବିଦା ହୋଇ ନାହାନ୍ତି ସିନା କିଛି ଅସନ୍ତୁଷ୍ଟିଆ ନେତାଙ୍କ ମୁଣ୍ଡରେ ଡ଼େମୋକ୍ଲିସଙ୍କ ଖଣ୍ଡା ଝୁଲି ରହିଛି । ଅସନ୍ତୁଷ୍ଟିଆ ନେତାଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ସାମ୍ନାକୁ ଦିଶୁଛନ୍ତି କଟକ ସାଂସଦ ଭର୍ତୃହରି ମହତାବ ଓ ଖଣ୍ଡପଡ଼ି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଭଳି ପ୍ରଭାବଶାଳୀ ଗଣମାଧ୍ୟମ ମାଲିକ । ସୌମ୍ୟ ରଂଜନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବଦାନ୍ୟତାର କାରଣ ଥିଲା, ବୈଜୟନ୍ତଙ୍କ ପ୍ରଭାବଶାଳୀ ଗଣମାଧ୍ୟମକୁ ପାନେ ଚଖାଇବା । ସୌମ୍ୟ ବାରଂବାର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ପରାଜିତ ହେବା ପରେ ବିଜେଡ଼ି ମୁହାଁ ହୋଇଥିଲେ ।
ସେ ରାଜ୍ୟସଭାକୁ ଯିବା ସହ ନିଜ ସଂଗଠନକୁ ବଂଚାଇ ରଖିବା ପାଇଁ ଖଣ୍ଡପଡ଼ାରୁ ପରିବାରରୁ କାହାକୁ ବିଧାନସଭାକୁ ପଠାଇବା ସୌମ୍ୟଙ୍କ ଯୋଜନା ଥିଲା । କିନ୍ତୁ, ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରଣନୀତି କେବଳ ବୈଜୟନ୍ତଙ୍କୁ ମାତ୍ ଦେବାରେ ସୀମିତ ଥିଲା । ତେଣୁ, ସୌମ୍ୟଙ୍କୁ ରାଜ୍ୟସଭାରୁ ଇସ୍ତଫା ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ କୁହା ଗଲା । ବିଜେଡ଼ି ଟିକଟରେ ବିଧାୟକ ହେବା ନିଶ୍ଚିତ ଜାଣି ସୌମ୍ୟ ରାଜ୍ୟ ରାଜନୀତିକୁ ଆସିଲେ । ବିଧାୟକ ହେଲେ । ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀଟିଏ ହେବା ସ୍ୱପ୍ନ ଦେଖିଲେ । କିନ୍ତୁ, ନବୀନ ତାଙ୍କୁ ମନ୍ତ୍ରୀ ପରିଷଦରେ ନେଲେ ନାହିଁ । ସୌମ୍ୟଙ୍କ ଭଳି ଜଣେ ଉଚ୍ଚାଭିଳାଷି ବ୍ୟକ୍ତି ଏଥିରେ ଆହତ ହେବା ନିଶ୍ଚିତ । ଗଲା କିଛି ମାସ ହେଲା ସୌମ୍ୟଙ୍କ ଲେଖନୀ ବଦଳିଛି । ସେଥିରୁ ସିଧାସଳଖ ନହେଲେ ମଧ୍ୟ ପରୋକ୍ଷରେ ନବୀନଙ୍କ ପ୍ରତି ତାଙ୍କ ତୀକ୍ତ ମନୋଭାବ ପ୍ରତିଫଳିତ ହେଉଛି । ନବୀନ ସୌମ୍ୟଙ୍କୁ ଦଳର ସାଂଗଠନିକ ଦାୟିତ୍ୱ ଦେଇ ଥଇଥାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୌମ୍ୟ ଅସନ୍ତୁଷ୍ଟ । ଆଜି ଦିନରେ ସୌମ୍ୟଙ୍କ ବିଭିନ୍ନ ମନ୍ତବ୍ୟରୁ ତାହାର ସୂଚନା ମିଳୁଛି । ଇତିମଧ୍ୟରେ ସୌମ୍ୟଙ୍କ ଦ୍ୱାରା ପରିଚାଳିତ ସମ୍ବାଦପତ୍ରର ସ୍ୱରରେ ମଧ୍ୟ ସେହି ପରିବର୍ତ୍ତନର ଆଭାସ ମିଳୁଛି ।
ନିକଟରେ, ରାଜ୍ୟର ଏକ ପ୍ରତିଷ୍ଠିତ ସମ୍ବାଦପତ୍ର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୌମ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ମନ୍ତବ୍ୟ କିଛି ଦିନ ହେଲା ରାଜ୍ୟ ରାଜନୀତିକୁ ଚଳଚଂଚଳ ରଖିଛି । ସୌମ୍ୟ ପରୋକ୍ଷରେ ନବୀନଙ୍କୁ ଧୃତରାଷ୍ଟ୍ର କହିବାକୁ ଯାଇ ବବି ଓ ପାଣ୍ଡିଆନ୍ ତାଙ୍କ ଦୁଇ ଆଖି ବୋଲି ଦର୍ଶାଇଛନ୍ତି । ବବି ଦାସ ହେଉଛନ୍ତି ବିଜେଡ଼ିର ସାଂଗଠନିକ ମୁଖ୍ୟ ଏବଂ ଆଇଏଏସ୍ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା । ବବି-ପାଣ୍ଡିଆନ୍ ଙ୍କ ପରାମର୍ଶରେ ମୁଖ୍ୟମନ୍ତ୍ରୀ ଦଳକୁ ଚଳାଉଛନ୍ତି । ଅନ୍ୟମାନେ ଦଳରେ ଅଲୋଡା – ଏହା ଥିଲା ସୌମ୍ୟଙ୍କ ମନ୍ତବ୍ୟର ସାରମର୍ମ । ଏହା ଅସତ୍ୟ ନହେଲେ ମଧ୍ୟ ଅସହ୍ୟ । ବିରୁଡ଼ି ବସାରେ ହାତ ମାରି ଥିବା ସୌମ୍ୟ ନିଜେ ସାମାଜିକ ଗଣମାଧ୍ୟମରେ ସମାଲୋଚନାର ଶିକାର ହେବା ସହ କାର୍ଯ୍ୟକ୍ରମ ଆୟାଜନ କରିଥିବା ‘ପ୍ରଜାତନ୍ତ୍ର’ର ସଂପାଦକ ତଥା କଟକ ସାଂସଦ ଭର୍ତୃହରି ମହତାବଙ୍କୁ ନୂଆ ବିବାଦରେ ଫସାଇଛନ୍ତି ।
ଭର୍ତୃହରି ମହତାବ କଟକରୁ ଲଗାତର ସାଂସଦ ଭାବେ ନିର୍ବାଚିତ ହୋଇ ଲୋକସଭାରେ ବିଜେଡ଼ି ସଂସଦୀୟ ଦଳର ନେତୃତ୍ୱ ନେଇ ଆସିଛନ୍ତି । ସଂସଦରେ ଶ୍ରେଷ୍ଠ ସାଂସଦ ଭାବେ ତାଙ୍କୁ ସମ୍ମାନ ମିଳିଛି । ତେବେ, ବିଭିନ୍ନ ସମୟରେ ନିଜ ସଂପାଦିତ ସମ୍ବାଦପତ୍ରରେ ଦଳୀୟ ନେତୃତ୍ୱକୁ ସମାଲୋଚନା କରି ମୁଖ୍ୟଙ୍କ ଚକ୍ଷୁଶୂଳ ହେଉଛନ୍ତି । ଗତ ଜୁନ ମାସରେ ସେ ରାଜ୍ୟ ସରକାରଙ୍କ କରୋନା ଟିକା ନୀତିକୁ ସମାଲୋଚନା କରି ଚକ୍ଷୁଶୂଳ ଥିଲେ । ବିଜେପି ପ୍ରତି ତାଙ୍କ ଅନୁରକ୍ତି ମୁଖିଆଙ୍କ ଅସନ୍ତୋଷର ଅନ୍ୟତମ କାରଣ ବୋଲି କୁହାଯାଉଥିଲା । ନିକଟରେ, ‘ପ୍ରଜାତନ୍ତ୍ର’ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସୌମ୍ୟଙ୍କ ବିବାଦୀୟ ମନ୍ତବ୍ୟ (ବବି-ପଣ୍ଡିଆନ୍ ନବୀନଙ୍କ ଦୁଇ ଆଖି) ଭର୍ତୃହରିଙ୍କ ଅଡୁଆ ବଢାଇବା ସହ ‘ସୌମ୍ୟ ପୁଣି ଥରେ ବିଜେପି ମୁହାଁ କି ?’ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଭର୍ତୃହରିଙ୍କ ବୋହୂ ସାକ୍ଷୀ ମହତାବ ଭୋପାଳର ଏକ ମହିଳା ଥାନାରେ ସାଂସଦ, ତାଙ୍କ ପତ୍ନୀ ମହାଶ୍ୱେତା ଏବଂ ପୁତ୍ର ଲୋକରଂଜନଙ୍କ ବିରୋଧରେ ଦାଏର କରିଥିବା ଯୌତୁକ ନିର୍ଯ୍ୟାତନା, ପ୍ରତାରଣା ଓ ମାନସିକ ନିର୍ଯ୍ୟାତନା ମାମଲା ଅଚାନକ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛି ।
ସାକ୍ଷୀ ମୁଳତଃ ଗୋୱାଲିୟର ନିବାସୀ । ୨୦୧୬ ଡ଼ିସେମ୍ବରରେ ସେ କଟକ ସାଂସଦ ଭର୍ତୃହରି ମହତାବଙ୍କ ପୁତ୍ର ଲୋକରଂଜନଙ୍କୁ ବିବାହ କରିଥିଲେ । ବିବାହରେ ତାଙ୍କ ପିତା ଅଢେଇ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ବାହାଘରର କିଛି ମାସ ପରେ ସ୍ୱମୀ ଲୋକରଂଜନଙ୍କ ସମେତ ଶାଶୁ ଓ ଶ୍ୱଶୁର ତାଙ୍କୁ ନିର୍ଯ୍ୟାତନା ଦେବାରୁ ସେ ବାପ ଘରକୁ ଚାଲି ଆସି ଫ୍ୟାମିଲି କୋର୍ଟରେ ମାମଲା ରୁଜୁ କରିଥିଲେ । ଲୋକରଂଜନ ପତ୍ନୀଙ୍କୁ ଘରକୁ ଫେରାଇ ନେବାକୁ ଫ୍ୟାମିଲି କୋର୍ଟ ନିର୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନାହିଁ । ଓଲଟା, ସେ ୨୦୧୮ରେ ସ୍ୱାମୀ, ଶାଶୁ, ଶ୍ୱଶୁର ରହୁଥିବା ଦିଲ୍ଲୀସ୍ଥିତ ଏବି-୯୪ ଶାହାଜାହାନ ରୋଡ଼ ଘରକୁ ଆସିବାରୁ ଲୋକରଂଜନଙ୍କ ପରିବାର ତାଙ୍କୁ ଘରେ ପୁରାଇ ଦେଲେ ନାହିଁ ବୋଲି ସାକ୍ଷୀ ମହିଳା ଥାନାରେ ଅଭିଯୋଗ କରିଛନ୍ତି ।
ଏହି ଅଭିଯୋଗ ଭିତ୍ତିରେ ଭୋପାଳ ପୁଲିସ ଭର୍ତୃହରି, ତାଙ୍କ ପତ୍ନୀ ମହଶ୍ୱେତା ଓ ପୁତ୍ର ଲୋକରଂଜନଙ୍କ ବିରୋଧରେ ଆଇପିସିର ୪୯୮, ୫୦୬ ଓ ୩୪ ଧାରାରେ ଆପରାଧିକ ମାମଲା ରୁଜୁ କରି ତଦନ୍ତ କରୁଥିବା ଭୋପାଳ ପୁଲିସର ଏଏସପି ଅଂକିତ ଜୟସ୍ୱାଲ କହିଛନ୍ତି । ସାଂସଦଙ୍କ ସମେତ ତାଙ୍କ ପତ୍ନୀ ଓ ପୁତ୍ରଙ୍କୁ ପୁଲିସ ଜେରା କରିବ ବୋଲି ଭୋପାଳ ପୁଲିସ କହୁଥିବା ବେଳେ ଏହା ରାଜନୀତି ଦ୍ୱାରା ପ୍ରେରିତ ବୋଲି ସାଂସଦ ଭର୍ତୃହରି ମହତାବ ନିକଟରେ ଏଠାରେ ଗଣମାଧ୍ୟମରେ ବିବୃତି ରଖିଛନ୍ତି । ଭର୍ତୃହରିଙ୍କ ସଫେଇ ଦେଉଛି, ଲୋକରଂଜନ-ସାକ୍ଷୀ ବିବାଦ ହେଉଛି ସଂପୂର୍ଣ୍ଣ ଭାବେ ଏକ ଘରୋଇ ଘଟଣା । ସାକ୍ଷୀ ନିଜ ବାପ ଘରକୁ ପଳାଇବା ପରେ ପୁଅ ଲୋକରଂଜନ ବିବାହ ବିଚ୍ଛେଦ ପାଇଁ ଅଦାଲତକୁ ଯାିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଅ ବାହାଘର ସମୟରେ ବଡ଼ ଭାଇ ଭଳି ପାଖରେ ଥିଲେ ଏବଂ ସବୁ କଥା ଜାଣିଛନ୍ତି । ତେବେ, ବର୍ତ୍ତମାନ ଯାହା ସବୁ ଚାଲିଛି ତାହା ପଛରେ ରାଜନୀତି ଥିବା ସେ ଅନୁମାନ କରୁଛନ୍ତି । ଗୋଟିଏ ନିର୍ଦ୍ଧିଷ୍ଟ ଗଣମାଧ୍ୟମ କୌଣସି କାରଣରୁ ତାଙ୍କ ପିଛା ପଡିଛି ବୋଲି ସେ ଅଭିଯୋଗ କରିଥିଲେ ମଧ୍ୟ ଗଣମାଧ୍ୟମଟି କାହାର ଖୋଲି କହି ନାହାନ୍ତି । ଅପରପକ୍ଷରେ, ଆଇନଜୀବୀଙ୍କ କହିବା କଥା ହେଉଛି, କୌଣସି ମାମଲାରେ ପୁଲିସ ସେଭଳି ବିଶେଷ କାରଣ ନଥିଲେ ହଠାତ କାହାକୁ ଗିରଫ ନ କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଥିବାରୁ ପୁଲିସ ଭର୍ତୃହରି ଓ ତାଙ୍କ ପରିବାରକୁ ଗିରଫ କରି ନ ପାରନ୍ତି । ତେବେ, ତଦନ୍ତରେ ଅସହଯୋଗ କଲେ ସେମାନେ ଗିରଫ ହେବା ନିଶ୍ଚିତ ।
ଭର୍ତୃହରିଙ୍କ ପରିବାର ବିରୋଧରେ ସଦ୍ୟ ହୋଇଥିବା ଯୌତୁକ ନିର୍ଯ୍ୟାତନା ମାମଲା ୨୦୧୩ର ବର୍ଷା ସୋନି ମାମଲାକୁ ମନେ ପକାଇ ଦେଉଛି । ୨୦୧୩ରେ ରାଜ୍ୟର ଆଇନ ମନ୍ତ୍ରୀ ଥିବା ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତିଙ୍କ ପୁତ୍ରବଧୂ ଥିଲେ ବର୍ଷା ସୋନି ମହାନ୍ତି । ୨୦୧୩ ମାର୍ଚ୍ଚ ୧୪ ତାରିଖ ରାତିରେ ବର୍ଷା ବାଲେଶ୍ୱର ଟାଉନ ଥାନାରେ ସ୍ୱାମୀ ରାଜଶ୍ରୀ, ଶାଶୁ ପ୍ରୀତିଲତା ଓ ଶ୍ୱଶୁର ରଘୁନାଥ ମହାନ୍ତିଙ୍କ ବିରୋଧରେ ଏତଲା ଦେଇ ଯୌତୁକ ନିର୍ଯ୍ୟାତନା ଅଭିଯୋଗ କରିଥିଲେ । ସେ ମଧ୍ୟ ୧୦ ଲକ୍ଷ ଟଙ୍କା ଯୌତୁକ ଆଣି ଥିବା ସତ୍ତ୍ୱେେ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ କରିବା ପରେ ପୁଲିସ ଆଇନ ମନ୍ତ୍ରୀ ଥିବା ମହାନ୍ତି, ତାଙ୍କ ପତ୍ନୀ ଓ ପୁତ୍ରଙ୍କ ବିରୋଧରେ ଆଇପିସିର ୪୯୮, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରି ରାଜଶ୍ରୀ ମହାନ୍ତିଙ୍କୁ ଗିରଫ କରିଥିଲେ । ମନ୍ତ୍ରୀ ଥାଇ ରଘୁନାଥ ଓ ପତ୍ନୀ ପ୍ରୀତିଲତା ଫେରାର ହୋଇ ପଶ୍ଚିମ ବଂଗ ହାୱଡା ଜିଲ୍ଲାରେ ଆତ୍ମଗୋପନ କରିଥିବା ବେଳେ ଓଡ଼ିଶା ପୁଲିସର ମାନବାଧିକାର ସୁରକ୍ଷା ସେଲ୍ ପଶ୍ଚିମ ବଂଗରୁ ସେମାନଙ୍କୁ ଗିରଫ କରିଥିଲେ । ବର୍ଷା ସୋନିଙ୍କ ଅଭିଯୋଗ ରଘୁନାଥଙ୍କ ରାଜନୈତିକ ଜୀବନକୁ ଉଜାଡ଼ି ଦେଇଥିଲା । ରାଜ୍ୟ ବିଜେଡ଼ି ନେତୃତ୍ୱ ଆଇନ ତା’ ବାଟରେ ଯିବ କହି ନିଜ ହାତ ଝାଡି ଥିଲେ । ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ ସେମାନଙ୍କୁ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡିବ ନାହିଁ ତ ? ଏଭଳି ଏକ ଆଶଙ୍କା ଭିତରେ ଅଛନ୍ତି ଭର୍ତୃହରିଙ୍କ ପରିବାର ।
୨୦୧୯ରେ ନବୀନ ପଂଚମ ପାଳି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ସରକାରର ପ୍ରଥମ ଶିକାର ହୋଇ ଥିଲେ ଗଂଜାମ ଜିଲ୍ଲାର ବିଜେଡ଼ି ବିଧାୟକ (ଗୋପାଳପୁର ନିର୍ବାଚନ ମଣ୍ଡଳୀ) ଡକ୍ଟର ପ୍ରଦୀପ ପାଣିଗ୍ରାହୀ । ଦୁର୍ନୀତିଗ୍ରସ୍ତ ଉପାୟରେ ଶହ ଶହ କୋଟି ଟଙ୍କା ଠୁଳ କରିବା ଓ ଠକେଇ ଅଭିଯୋଗରେ ୨୦୨୦ ନଭେମ୍ବରରେ ବରିଷ୍ଠ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଓଡ଼ିଶା ସରକାରଙ୍କ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଥିଲେ । ପୁଅ ଆକାଶ ନିଜକୁ ଟାଟା ମୋଟର୍ସ ଏମଡ଼ି ଦର୍ଶାଇ ବେକାର ଯୁବକଙ୍କୁ ଚାକିରୀ ଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ଓ ଓଡ଼ିଶା ପୁଲିସ କ୍ରାଇମ୍ ବ୍ରାଂଚ୍ ଆକାଶ ପାଠକଙ୍କୁ ଅଭିଯୁକ୍ତ କରିବା ସହ ଏହି ଠକେଇରେ ସଂପୃକ୍ତି ଥିବା ଅଭିଯୋଗରେ ବିଧାୟକ ପାଣିଗ୍ରାହୀଙ୍କୁ ୨୦୨୧ ଜାନୁୟାରୀରେ ଗିରଫ କରିଥିଲେ । ସେହି ସମୟରେ ମଧ୍ୟ ପ୍ରଦୀପ ବବି-ପାଣ୍ଡିଆନଙ୍କ ବିରୋଧରେ ଆକ୍ରେଶମୂଳକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ ଆଣିଥିଲେ । ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଜାମିନରେ ବାହାରେ ଅଛନ୍ତି ।
ପ୍ରଦୀପ ମୁହଁ ବନ୍ଦ ରଖିବାକୁ ଅଦାଲତଙ୍କ ନିର୍ଦେଶ ଥିବାରୁ ସେ ନୀରବ । ତେବେ, ତାଙ୍କୁ ଗିରଫ କରାଯିବା ପଛରେ ରାଜନୈତିକ କାରଣ ଥିବା ବିଧାୟକ ପାଣିଗ୍ରାହୀ ସେହି ସମୟରେ ଅଭିଯୋଗ କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଆଖି କାନ କୁହାଯାଉଥିବା ନେତା ଓ ପ୍ରଶାସକଙ୍କୁ ଦାୟୀ କରିବା ବିଜେଡ଼ି ଭିତରେ ଯେ ସବୁ କିଛି ଠିକ୍ ଚାଲି ନାହିଁ, ତାହା ସୂଚାଉଛି । ପ୍ରଦୀପ ଏବେ ଲୋକାୟୁ୍କ୍ତଙ୍କୁ ମଧ୍ୟ ବିବାଦ ଘେରକୁ ଟାଣିଛନ୍ତି ଏବଂ ସେ ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗ କରି ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଜଂଗଲ ବିଭାଗରେ ବର୍ଷ ବର୍ଷ ଧରି ଚାଲି ଆସିଥିବା ପାଠକ ଦୁର୍ନୀତିରେ କେବଳ ଅଭୟକାନ୍ତ ପାଠକ ସଂପୃକ୍ତ ଥିଲେ କି ମନ୍ତ୍ରଣାଳୟର ଅନ୍ୟ କେହି, ତାହା ଭିଜିଲାନ୍ସ ବା ଓଡ଼ିଶା କ୍ରାଇମ୍ ବ୍ରାଂଚ୍ ଏଯାବତ୍ ଖୁଲାସା କରି ନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିକଟରେ ଅଚାନକ ବଦଳୀ କରାଯିବା ସଂପର୍ଣ୍ଣ ମନ୍ତ୍ରଣାଳୟକୁ ସନ୍ଦେହ ଘେରକୁ ଟାଣିଛି ।
ଅପରପକ୍ଷରେ, ସରକାରରେ ଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭଳି କିଛି ସୁନାପୁଅ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ମଧ୍ୟ ସରକାରଙ୍କ ଦ୍ୱାରା ସୁରକ୍ଷିତ ଥିବା ଆଇନର ଶାସନକୁ ଖତେଇ ହେବା ଭଳି ହୋଇଛି । ସେହିଭଳି, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲି ଥିବା ଘରୋଇ ହିଂସା ମାମଲା ଦାଣ୍ଡରେ ପଡି ହାଟରେ ଗଡୁଛି ସିନା ଏହା ପାରିବାରିକ ମାମଲା କହି ଦଳ ଆଖି ବନ୍ଦ ରଖିଛି । ଏସବୁ ଘଟଣାକୁ ତର୍ଜମା କଲେ ବିଜୁ ଜନତା ଦଳରେ ପୂର୍ବ ଭଳି ଆଉ ସ୍ୱଚ୍ଛତା ନଥିବା ସ୍ପଷ୍ଟ ହେଉଛି । ଦଳରେ ଅସନ୍ତୋଷ ଗୁମୁରୁଛି ସିନା ସବୁ କେହି ମୁହଁ ଖୋଲିବାକୁ ସାହାସ କରୁ ନାହାନ୍ତି । ୨୨ ବର୍ଷ ଭିତରେ ମୁହଁରେ ତୁଣ୍ଡି ବାନ୍ଧି ପଡି ରହିବା ସୁରକ୍ଷିତ ରହିବାର ଏକମାତ୍ର ରାସ୍ତା ବୋଲି ସବୁ ନେତା ଜାଣି ଗଲେଣି ।
ବିଜେଡ଼ି ଭିତରେ ଯାହା ଚାଲିଛି ଜନତା ଦେଖୁଛନ୍ତି ସିନା ନିରୁପାୟ । କାରଣ, ସେମାନେ ୧୫ ବର୍ଷର କଂଗ୍ରେସ ଶାସନକୁ ନେଇ ବିତସ୍ପୃହ । ବିଜେପି ଏପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିତି ନାହିଁ । ‘ନେତୃତ୍ୱ କନ୍ଦଳ’ ଦଳକୁ ଅଣନିଶ୍ୱାସୀ କରି ରଖିଛି । ବିରୋଧୀ ଦଳରେ ବିକଳ୍ପ ନେତା ଓ ନେତୃତ୍ୱ ସଂକଟ ବିଜେଡ଼ିକୁ ସୁହାଉଛି । ଫଳରେ, ଶାସକ ଦଳ ସ୍ୱେଚ୍ଛାଚାର ଆଡେ ଗତି କରୁଛି । କିଛି ନେତା ଓ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଢାଲ କରି ସ୍ୱେଚ୍ଛାଚାର ଚଳାଇଛନ୍ତି । ରାଜ୍ୟବାସୀଙ୍କ ଆଖି ସାମ୍ନାରେ ଗୋଟିଏ ପଟେ କୂଅ ତ ଅନ୍ୟ ପଟେ ଖାଇ । ତେଣୁ, କୁଆଡକୁ ଯିବେ ? ଏଭଳି ପରିସ୍ଥିତିରେ ୨୦୨୪ରେ ମଧ୍ୟ ପୁଣି ଥରେ ବିଜେଡ଼ି କ୍ଷମତାକୁ ଫେରିବା ସମ୍ଭାବନା ଉଜ୍ୱଳ ବୋଲି ରାଜନୈତିକ ମହଲ ବିଶ୍ୱାସ କରୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS