ତାଲିବାନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଗୁରୁବାର
ପ୍ରସାଦ ରାଓ
ଭୁବନେଶ୍ୱର
ଅଗଷ୍ଟ ୨୩
ଆଫଗାନିସ୍ଥାନର ସାଂପ୍ରତିକ ପରିସ୍ଥିତି ଏବଂ ତାଲିବାନୀ ପ୍ରସଙ୍ଗରେ ଆଲୋଚନା ପାଇଁ ଗୁରୁବାର ଦିନ ସଂସଦରେ ସର୍ବଦଳୀୟ ବୈଠକ ଡାକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଛନ୍ତି । ସଂସଦର ଆନେକ୍ସଚରରେ ଏହି ବୈଠକ ହେବ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆଫଗାନିସ୍ଥାନର ସାଂପ୍ରତିକ ପରିସ୍ଥିତି ଏବଂ ତାଲିବାନୀ ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳଙ୍କୁ ଅବଗତ କରାଇବେ ବୋଲି କେନ୍ଦ୍ର ପାର୍ଲାମେଂଟାରୀ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।
ଇତିମଧ୍ୟରେ, ଆଫଗାନିସ୍ଥାନରେ ସରକାର ଗଠନ ପ୍ରୟାସରେ ଥିବା ତାଲିବାନୀ ଗୋଷ୍ଠୀ ବିଶ୍ୱ ସମୁଦାୟକୁ ଭ୍ରମିତ କରିବା ପାଇଁ ପୁଣି ଥରେ ସେମାନଙ୍କ ପଇତରା ବଦଳାଇଛନ୍ତି । ରାଜଧାନୀ କାବୁଲର ସୁରକ୍ଷା ଦାୟିତ୍ୱରେ ଥିବା ଆତଙ୍କୀ ସଂଗଠନ ହକାନୀ ନେଟୱାର୍କର ମୁଖ୍ୟ ଖଲିଲୁର ରହମନ ହକାନୀ ରବିବାର ଦିନ ‘ଜିଓ ନ୍ୟୁଜ’କୁ ସୂଚନା ଦେଇଛନ୍ତି ଯେ, ଆଫଗାନିସ୍ଥାନରୁ ବିତାଡିତ ହୋଇଥିବା ରାଷ୍ଟ୍ରପତି ଅସରଫ ଘନି, ନିଜକୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଘୋଷଣା କରିଥିବା ପୂର୍ବତନ ଉପ ରାଷ୍ଟ୍ରପତି ଅମୃଲ୍ଲା ସାଲେହ ଓ ରାଷ୍ଟ୍ରପତିଙ୍କ ନିରାପତ୍ତା ପରାମର୍ଶଦାତା ଥିବା ହମଦୁଲ୍ଲା ମୋହିବଙ୍କ ସମେତ ତାଲିବାନୀଙ୍କ ବିରୋଧରେ ଲଢିିଥିବା ସମସ୍ତ ଜେନେରାଲ ଏବଂ ଆଫଗାନ୍ ନାଗାରିକଙ୍କୁ ରାଜକ୍ଷମା ଦେବାକୁ ତାଲିବାନୀ ନେତୃତ୍ୱ ନିଷ୍ପତ୍ତି ନେଇଛି ।
ତେବେ, ଆଫଗାନିସ୍ଥାନ ମାଟିରୁ ପାଶ୍ଚାତ୍ୟ ରାଷ୍ଟ୍ରର ସୈନ୍ୟଙ୍କ ପ୍ରତ୍ୟାହାର ସମୟ ସୀମା (ଅଗଷ୍ଟ ୩୧) ଆଉ ବୃଦ୍ଧି କରାଯିବ ନାହିଁ ବୋଲି ତାଲିବାନୀ ନେତୃତ୍ୱ ଆଜି ସ୍ପଷ୍ଟ କରିଛି । ଆମେରିକା ତାହାର ସୈନ୍ୟ ପ୍ରତ୍ୟାହାର ପାଇଁ ଅଧିକ କିଛି ସମୟ ନେଇ ପାରେ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବିଡ଼େନ ନିକଟରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ତାଲିବାନୀ ନେତୃତ୍ୱ ଏହା କହିଛନ୍ତି । ବିଟ୍ରେନ୍ ମଧ୍ୟ ଆମେରିକାର ପଦାଙ୍କ ଅନୁସରଣ କରୁଛି । ଯେହେତୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ଆଫଗାନିସ୍ଥାନରୁ ତାହାର ସମସ୍ତ ସୈନ୍ୟ ପ୍ରତ୍ୟାହାର କରି ନେଉଛି ବ୍ରିଟିଶ ସୈନ୍ୟ ସେଠାରେ ରହିବା ମୂଲ୍ୟହୀନ । ତେଣୁ, ବ୍ରିଟେନ ଆଫଗାନିସ୍ଥାନରେ ଅବସ୍ଥାପିତ ସୈନିକ ଓ ଶରଣାଗତ ଆଫଗାନୀ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ପ୍ରତି ମୂହୁର୍ତ୍ତର ସଂପୂର୍ଣ୍ଣ ବିନିଯୋଗ କରିବ ବୋଲି ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରୀ ବେନ ୱାଲେସ୍ ଆଜି କହିଛନ୍ତି ।
କାବୁଲରୁ ମିଳି ଥିବା ଖବର ଅନୁଯାୟୀ, ତାଲିବାନୀ ବର୍ବରତାରୁ ମୁକ୍ତି ପାଇବା ସକାଶେ ଦେଶ ଛାଡି ଚାଲି ଯିବା ପାଇଁ ହଜାର ହଜାର ସଂଖ୍ୟାରେ ଆଫଗାନୀ ଓ ବିଦେଶୀ ନାଗରିକ ଆଜି କାବୁଲ ବିମାନ ବନ୍ଦର ନିକଟରେ ରୁଣ୍ଡ ହୋଇଥିବା ବେଳେ ବିମାନ ବନ୍ଦରର ଉତ୍ତର ଫାଟକ ନିକଟରେ ଅଜ୍ଞାତ ବନ୍ଧୁକଧାରୀ, ପାଶ୍ଚାତ୍ୟ ସୈନିକ ଏବଂ ଆଫଗାନ୍ ସୁରକ୍ଷା ଗାର୍ଡଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଆଫଗାନୀ ସୁରକ୍ଷା ଗାର୍ଡଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଗୁଳି ବିନିମୟରେ ଆମେରିକା ଓ ଜର୍ମାନ ସେନା ସାମିଲ ଥିଲେ ବୋଲି ଜର୍ମାନୀ ସେନା ପକ୍ଷରୁ କୁହାଯାଇଛି । ତେବେ, ମୃତ ଆଫଗାନୀ ଗାର୍ଡ ଜଣକ ତାଲିବାନୀଙ୍କ ଦ୍ୱାରା ବିମାନ ବନ୍ଦର ଜଗିବା ପାଇଁ ମୁତୟନ ଥିଲେ କି ନାହିଁ, ତାହା ଜର୍ମାନ ସେନା ସ୍ପଷ୍ଟ କରି ନାହିଁ ।
ଅଗଷ୍ଟ ୧୫ ତାରିଖ ଦିନ ତାଲିବାନୀ ଉଗ୍ରପନ୍ଥୀ ଆଫଗାନିସ୍ଥାନ ରାଜଧାନୀ କାବୁଲକୁ ଦଖଲ କରି ନେବା ପରଠାରୁ କାବୁଲ ବିମାନ ବନ୍ଦରରେ ଏଭଳି ଅଶାନ୍ତ ପରିସ୍ଥିତି ଲାଗି ରହିଛି । ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନେ ସେନା ପ୍ରତ୍ୟାହାରକୁ ତ୍ୱରାନ୍ୱିତ କରିବା ସହ କାବୁଲ ଛାଡିବାକୁ ଆଗ୍ରହୀ ଆଫଗାନ୍ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ଅପରପକ୍ଷରେ, ତାଲିବାନୀଙ୍କୁ ମାତ୍ ଦେଇ ଦେଶ ଛାଡିବାକୁ ଚାହୁଁ ଥିବା ହଜାର ହଜାର ସଂଖ୍ୟକ ଆଫଗାନ୍ ପୁରୁଷ, ମହିଳା ଓ ଶିଶୁଙ୍କୁ ରୋକିବା ସକାଶେ କାବୁଲ ବିମାନ ବନ୍ଦରରେ ମୁତୟନ ଥିବା ତାଲିବାନୀ ସୁରକ୍ଷା କର୍ମୀମାନେ ଆକ୍ରମଣ କରିବା ସହ ଫାଙ୍କା ଗୁଳି ଚାଳନା କରୁଛନ୍ତି । କିଛି ଦିନ ହେଲା କାବୁଲ ବିମାନ ବନ୍ଦର ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS