କାବୁଲ ବିସ୍ଫୋରଣରେ ଦୁଇ ସାମ୍ବାଦିକ ଓ ଦୁଇ ଖେଳାଳୀ ମରିଛନ୍ତି !
ପ୍ରସାଦ ରାଓ
ଅଗଷ୍ଟ ୨୯
ଅଗଷ୍ଟ ୨୬ ତାରିଖ ବିଳମ୍ବିତ ସନ୍ଧ୍ୟାରେ କାବୁଲର ହମିଦ କରଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨୦୦ ପାଖାପାଖି ଥିବା ବେଳେ ସେମାନଙ୍କ ମଧ୍ୟରେ ଆଫଗାନିସ୍ଥାନର ୨ ଜଣ ବରିଷ୍ଠ ସାମ୍ବାଦିକ ଓ ୨ ଜଣ କ୍ରୀଡ଼ାବିତ ଥିବା ସୂଚନା ମିଳିଛି । ଏକ ସ୍ୱାଧୀନ ଆଫଗାନ୍ ମିଡ଼ିଆ ଗୃପ୍ ‘ଆଫଗାନିସ୍ଥାନ ଜର୍ଣ୍ଣାଲିଷ୍ଟ୍ସ ସେଂଟର’ (ଏଏଫଜେସି)କୁ ଉଦ୍ଧାର କରି ରବିବାର ‘ସିନହୁଆ’ରେ ଏହି ଖବର ପ୍ରସାରିତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ବିମାନ ବନ୍ଦରରେ ନିକଟରେ ଘଟିଥିବା ବିସ୍ଫୋରଣରେ ରାହା ନ୍ୟୁଜ୍ ଏଜେନ୍ସିର ସାମ୍ବାଦିକ ଆଲି ରେଜା ଅହମ୍ମଦୀ ଓ ଜାହାନ-ଏ-ସିହତ ଟିଭି ଚ୍ୟାନେଲର ପୂର୍ବତନ ଉପସ୍ଥାପିକା ନଜମା ସାଦେକିଙ୍କ ମୃତ୍ୟୁ ଘଟିଛି । ସେହିଭଳି, ଏହି ବିସ୍ଫୋରଣରେ ଆଫଗାନିସ୍ଥାନର ଦୁଇ ଜଣ ଜାତୀୟସ୍ତରର ଖେଳାଳୀ ମହମ୍ମଦ ଜାନ ସୁଲତାନୀ (ତାଇକୋଣ୍ଡୋ) ଓ ଇଦ୍ରିସ୍ (ଉସୁ) ମୃତ୍ୟୁବରଣ କରିଛନ୍ତି । ସାମ୍ବାଦିକ ଆଲି ରେଜା ଅହମ୍ମଦୀ ଓ ଟିଭି ଉପସ୍ଥାପିକା ନଜମାଙ୍କ ମୃତ୍ୟୁରେ ଏଏଫଜେସି ଗଭୀର କ୍ଷୋଭ ପ୍ରକାଶ କରିବା ସହ ଆଫଗାନିସ୍ଥାନରେ ଏହି ଦୁଇ ଜଣଙ୍କୁ ମିଶାଇ ୨୦୦୧ ପରଠାରୁ ୧୨୩ ସାମ୍ବାଦିକ ଓ ମିଡ଼ିଆ କର୍ମୀଙ୍କ ହତ୍ୟା ହେଲାଣି ବୋଲି ଟ୍ୱିଟ୍ କରିଛି । ଆସନ୍ତା ୨୪ରୁ ୩୬ ଘଂଟା ମଧ୍ୟରେ ଆଫଗାନିସ୍ଥାନରେ ଆଉ ଏକ ବଡ଼ ଧରଣର ଆକ୍ରମଣର ସମ୍ଭାବନା ରହିଛି ବୋଲି ଆମେରିକୀୟ ସେନା କମାଂଡରମାନେ ସୂଚନା ଦେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି । ଗୁରୁବାର କାବୁଲ ବିମାନ ବନ୍ଦର ନିକଟରେ ଘଟିଥିବା ବିସ୍ଫୋରଣରେ ଆମେରିକାର ୧୩ ଜଣ ମେରାଇନ୍ କମାଂଡେଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେକ ଆହତ ହୋଇଛନ୍ତି । ଏହାର ଜବାବରେ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାବୁଲ-ପାକିସ୍ତାନ ସୀମାନ୍ତ ଜଲାଲାବାଦରେ ଶୁକ୍ରବାର ମଧ୍ୟରାତ୍ରୀରେ ଡ୍ରୋନ୍ ଆକ୍ରମଣ କରାଯାଇ କାବୁଲ ବିସ୍ଫୋରଣର ମୁଖ୍ୟ ପୁରୋଧା କୁହାଯାଉଥିବା ଦୁଇ ଆଇଏସଆଇଏସ୍-କେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଆଫଗାନିସ୍ଥାନର ସାଂପ୍ରତିକ ପରିସ୍ଥିତି ପାଇଁ ବିଭିନ୍ନ ରାଷ୍ଟ୍ର ପାକିସ୍ତାନକୁ ଦାୟୀ କରୁଥିବା ବେଳେ ଆଜି ଗ୍ରୀକ୍ ପାର୍ଲାମେଂଟ ସାମ୍ନାରେ ପାଖାପାଖି ୮୦୦ ଲୋକଙ୍କ ଏକ ରାଲି ହୋଇଛି । ପ୍ରଦର୍ଶନକାରୀମାନେ ଆଫଗାନ ପରିସ୍ଥିତି ପାଇଁ ସିଧାସଳଖ ପାକିସ୍ତାନକୁ ଦାୟୀ କରିବା ସହ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଗୁରୁବାର କାବୁଲ ବିମାନ ବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟଣାକୁ ଜାତିସଂଘ ନିରାପତ୍ତା ପରିଷଦ ମଧ୍ୟ ନିନ୍ଦା କରିଛି । ଆମେରିକା ଓ ନାଟୋ ରାଷ୍ଟ୍ର ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ଥାନ ମାଟିରୁ ନିଜ ନିଜ ସୈନ୍ୟ ପ୍ରତ୍ୟାହାର କରିବାକୁ ତାଲିବାନ ସମୟସୀମା ଧାର୍ଯ୍ୟ କରିଥିବା ଦୃଷ୍ଟିରୁ ପାଶ୍ଚାତ୍ୟ ରାଷ୍ଟ୍ରମାନ ସେନା ପ୍ରତ୍ୟାହାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । କାବୁଲ ବିମାନ ବନ୍ଦରରେ ଆଉ ମାତ୍ର ୪ ହଜାର ଆମେରିକୀୟ ସୈନ୍ୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଅପେକ୍ଷାରେ ଥିବା ଆମେରିକୀୟ ଅଧିକାରୀମାନେ ଶନିବାର ସୂଚନା ଦେଇଛନ୍ତି । ଅପରପକ୍ଷରେ, ଆମେରିକା ପକ୍ଷରୁ କାବୁଲର ପୂର୍ବାଂଚଳ ନଙ୍ଗରହାର ପ୍ରଦେଶରେ ଶୁକ୍ରବାର ମଧ୍ୟରାତ୍ରୀରେ ଡ୍ରୋନ୍ ଆକ୍ରମଣକୁ ତାଲିବାନ ଶାସନ ନିନ୍ଦା କରିଛି । ଏହି ଡ୍ରୋନ୍ ଆକ୍ରମଣରେ ମୃତ୍ୟୁ ଦୁଇ ଆଇଏସଆଇଏସ୍ ଆତଙ୍କବାଦୀ ଉଭୟ ପାଶ୍ଚାତ୍ୟ ରାଷ୍ଟ୍ର ଓ ଆଫଗାନିସ୍ଥାନର ନୂଆ ତାଲିବାନ ସରକାରଙ୍କ ଶତୃ ଥିଲେ ବୋଲି ଆମେରିକା କହିଥିବା ବେଳେ ଡ୍ରୋନ୍ ଆକ୍ରମଣ ହୋଇଥିବା ଅଂଚଳ ଆଫଗାନିସ୍ଥାନ ସୀମା ଭିତରେ ଥିବାରୁ ଆକ୍ରମଣ କରିବା ପୂର୍ବରୁ ଆମେରିକା ଆମକୁ ସୂଚିତ କରିବାର ଆବଶ୍ୟକତା ଥିଲା ବୋଲି ତାଲିବାନୀ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି । କାବୁଲ ବିମାନ ବନ୍ଦରରୁ ଆମେରିକା ତାହାର ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଶେଷ କରିବା ସଂଗେ ସଂଗେ ବିମାନ ବନ୍ଦରକୁ ଅକ୍ତିଆର କରି ନିଆଯିବ ଏବଂ ଅତିଶୀଘ୍ର ତାଲିବାନ ଶାସନ ତାହା ପୂର୍ଣ୍ଣାଂଗ କ୍ୟାବିନେଟ୍ ଘୋଷଣା କରିବ ବୋଲି ଜବିହୁଲ୍ଲା ଏକ ସମ୍ବାଦ ସରବରାହ ସଂସ୍ଥାକୁ କହିଥିବା ଆଜି ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS