ସଂକ୍ରମଣ ଉପରମୁହାଁ, ସମସ୍ତଙ୍କ ନଜର ଏବେ ପାର୍ବଣ ଋତୁ ଉପରେ
ପ୍ରସାଦ ରାଓ
ଅଗଷ୍ଟ ୩୦
ପାର୍ବଣ ଋତୁ ଆସି ଯାଇଥିବା ବେଳେ ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପର ମୁହାଁ ହୋଇଛି । ମେ’ ମାସରୁ ଲାଗୁ ଥିବା କରୋନା କଟକଣା ଅଗଷ୍ଟ ମାସରେ ବହୁମାତ୍ରାରେ କୋହଳ ହୋଇଛି ସତ, କିନ୍ତୁ କରୋନାର ତୃତୀୟ ଲହର ସମ୍ଭାବନା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅଗଷ୍ଟ ମାସରେ କରୋନା କଟକଣାକୁ ସରକାର ଅଧିକ କୋହଳ କରିବା ପରେ ଜନସାଧାରଣରେ ଆଉ ପୂର୍ବ ଭୟ ନାହିଁ । ସମେସ୍ତ ବେପରୁଆ । ଅଗଷ୍ଟରେ ମଲ୍, ସିନେମା ହଲ୍, ଜିମ୍, ବ୍ୟବସାୟ ପ୍ରତିଷ୍ଠାନ- ସବୁ ଖୋଲି ସାରିଛି । ମନ୍ଦିର, ଧର୍ମପୀଠ ମଧ୍ୟ ଖୋଲିଲାଣି । କିଛି ମାତ୍ରାରେ ଶିକ୍ଷାନୁଷ୍ଠାନ ଖୋଲିଛି । ତେବେ, ରାଜ୍ୟ ସରକାରମାନେ ନିଜ ଆବଶ୍ୟକତାକୁ ଦେଖି ସପ୍ତାହାନ୍ତ ସଟ୍ ଡାଉନ୍ ଓ ରାତ୍ରୀ କର୍ଫ୍ୟୁ ଜାରି ରଖି ଥିବାରୁ ଓଡ଼ିଶାରେ ମଧ୍ୟ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଛି । ଖୋର୍ଦ୍ଧା, ପୁରୀ, କଟକ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରୁ ସପ୍ତାହାନ୍ତ ସଟ୍ ଡାଉନ୍ ଉଠି ଗଲାଣି । ଯେଉଁ ଜିଲ୍ଲାରେ ସପ୍ତାହାନ୍ତ ସଟ୍ ଡାଉନ୍ ଲାଗି ଅଛି ସେଠି ତାହା ଯେଭଳି କାର୍ଯ୍ୟକାରୀ ହେବା କଥା ହେଉ ନାହିଁ । ଜନସାଧାରଣରେ ପ୍ରଶାସନ ପ୍ରତି ଭୟ ବହୁମାତ୍ରାରେ କମି ଯାଇଥିବା ଏବେ ଲକ୍ଷ୍ୟ କରାଯାଉଛି । ସପ୍ତାହାନ୍ତ ସଟ୍ ଡାଉନ୍ ସମୟରେ ପୁଲିସ ପାଟ୍ରୋଲିଂ ଚାଲିଛି । କିନ୍ତୁ, ତା’ ବାଟରେ, ବେପରୁଆ ମଣିଷ ସେମାନଙ୍କ ବାଟରେ । ମୁଖ୍ୟ ରାସ୍ତାରେ ଥିବା ଅଧିକାଂଶ ଦୋକାନର ସଟର ବନ୍ଦ । କିନ୍ତୁ, ଗଳି କନ୍ଦିରେ ପୁଲିସ ଓ ଦୋକାନୀଙ୍କ ମଧ୍ୟ ଏକପ୍ରକାର ଲୁଚକାଳି ଚାଲିଛି । ବାହାରେ ଅନ୍ଧାର, ଭିତରେ ବେପାର ! ପୁଲିସ ଗାଡି ଆସୁଥିବା ଜାଣିଲେ ଉଭୟ ଗ୍ରାହକ ଓ ବ୍ୟବସାୟୀ ସତର୍କ । ଭିଡ଼ ଏପାଖ ସେପାଖ ହେଉଛି । ଆଲୁଅ ଲିଭି ଯାଉଛି ଏବଂ ବେପାରୀ ଅନ୍ଧାର ଭିତରେ ପୁଲିସ ଗାଡି ପଇଁତରା ମାରି ଫେରିବା ଯାଏଁ ଅପେକ୍ଷା କରୁଛନ୍ତି । ତା’ପରେ ପୁଣି ବ୍ୟବସାୟ । ପୁଲିସବାଲା ବି ଏହି ସୁଯୋଗର ପୂର୍ଣ୍ଣ ବିନିଯୋଗ କରିବାକୁ ପଛାଉ ନଥିବା ଅନେକ ସମୟରେ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱର ମଧ୍ୟ ଏଥିରୁ ବାଦ୍ ନୁହେଁ । ସମସ୍ତଙ୍କ ଅପେକ୍ଷା ସରକାରଙ୍କ ସେପ୍ଟେମ୍ବର ମାସ ଗାଇଡଲାଇନକୁ । କଟକଣା ଉଠି ଗଲେ ବ୍ୟବସାୟ ପୁଣି ଥରେ ପଟରିକୁ ଆସି ଯିବ ବୋଲି ସମସ୍ତଙ୍କ ଆଶା । ତେବେ, କରୋନାର ତୃତୀୟ ଲହର ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଆସିବ ବୋଲି ଆଇସିଏମଆରର ଆକଳନ ଚଳିତ ବର୍ଷର ପାର୍ବଣ ଋତୁ ପୂର୍ବ ବର୍ଷ ଭଳି ରଂଗଶୂନ୍ୟ ହେବ ବୋଲି ଆଶଙ୍କା ବଢିଲାଣି । ସରକାର ଗୋଟିଏ ପଟେ କହୁଛନ୍ତି ଟିକାକରଣ ବଢିବା ପରେ ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ କମିଛି । ଅପର ପଟେ, ସେପ୍ଟେମ୍ବର, ଅକ୍ଟୋବରରେ ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ କୋଭିଡ଼ ପ୍ରୋଟୋକଲ୍ କଡାକଡି ଭାବେ ପାଳନ କରାଯିବାକୁ ନିର୍ଦେଶ ଦେଲେଣି । କେରଳରେ ଓନାମ୍ ପର୍ବ ପାଳନ ପରେ ସଂକ୍ରମଣ ଉପର ମୁହାଁ ହୋଇଥିବା ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ଓଡ଼ିଶା ଭଳି ରାଜ୍ୟଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, କେରଳ, ମହାରାଷ୍ଟ୍ର ସମେତ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଅଗଷ୍ଟ ମାସରେ କରୋନା ସଂକ୍ରମଣ ପୁଣି ଥରେ ଉପର ମୁହାଁ ହୋଇଛି । ଦେଶରେ ମଧ୍ୟ । ଗତ ସପ୍ତାହର ଶେଷରେ, ଅର୍ଥାତ ଅଗଷ୍ଟ ୨୯ ତାରିଖ ସୁଦ୍ଧା ସରିଥିବା ସପ୍ତାହରେ ଦେଶରୁ ୨.୯ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ତତ୍ ପୂର୍ବ ସପ୍ତାହ ତୁଳନାରେ ୩୨ ଅଧିକ । ଦକ୍ଷିଣାଂଚଳ ରାଜ୍ୟ କେରଳର ଅବସ୍ଥା ଚିନ୍ତାଜନକ । ଗତ ସପ୍ତାହରେ ରାଜ୍ୟରୁ ୧.୯ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ରାଜ୍ୟର ତତ୍ ପୂର୍ବ ସପ୍ତାହ ସଂଖ୍ୟା ତୁଳନାରେ ୫୫ ପ୍ରତିଶତ ଅଧିକ । କେରଳରେ କରୋନା ସଂକ୍ରମଣ ଚିନ୍ତାଜନକ ଭାବେ ବଢୁ ଥିବାରୁ ରାଜ୍ୟ ସରକାର ପୁଣି ଥରେ ରବିବାର ଦିନ ‘ତାଲାବନ୍ଦ’ ଲାଗୁ କରିଛନ୍ତି ଓ ଆଜିଠାରୁ ରାତ୍ରୀ କର୍ଫ୍ୟୁ ଘୋଷଣା କରିଛନ୍ତି । ଦେଶରେ ଦୈନିକ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଥିବା କିଛି ଦିନ ହେଲା ଲକ୍ଷ୍ୟ କରାଯାଉଛି । ୩୦ ହଜାର ପାଖାପାଖି ରହୁଥିବା ଏହି ସଂଖ୍ୟା କିଛି ଦିନ ହେଲା ୪୦ ହଜାର ରହୁଛି । ଗତ ୨୪ ଘଂଟା ମଧ୍ୟରେ ଦେଶରୁ ୪୨,୯୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୭ ଲକ୍ଷ ୩୭ ହଜାର ୯୩୯କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ମଧ୍ୟ ୪ ଲକ୍ଷ ୩୮ ହଜାର ୨୧୦ରେ ପହଂଚିଛି । ସକ୍ରିୟ ରୋଗୀ ସଂଖ୍ୟା ୩ ଲକ୍ଷ ୭୬ ହଜାର ୩୨୪କୁ ବୃଦ୍ଧି ପାଇଛି, ଯାହାକି ମୋଟ ଆକ୍ରାନ୍ତ ସଂଖ୍ୟାର ୧.୫ ପ୍ରତିଶତ । ଦେଶରେ ସେପ୍ଟେମ୍ବର-ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିବ ବୋଲି ଆଇସିଏମଆର୍ ଆକଳନ କରିବା ସହ ବିଭନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ କୋଭିଡ଼ ନିର୍ଦେଶାବଳୀକୁ ଠିକ୍ ଭାବେ ପାଳନ କଲେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ସଂକ୍ରମଣ କମ୍ ରହିବ ବୋଲି ଚେତାଇ ଦେଇଛନ୍ତି । ଆଇସିଏମଆରର ଚେତାବନୀ ପରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଦେଶରେ କଂଟେନମେଂଟ କଟକଣା ବଢାଇବା ସହ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନେ ସମ୍ଭାବ୍ୟ ତୃତୀୟ ଲହରକୁ ନିୟନ୍ତ୍ରଣ ଭିତରେ ରଖିବା ସକାଶେ କୋଭିଡ଼ ପ୍ରେଟୋକଲ୍ ସଠିକ ଭାବେ ଲାଗୁ କରିବାକୁ ଏବଂ ପାର୍ବଣ ସମୟରେ ଜନସମାଗମ ସଂପୂର୍ଣ୍ଣ ଭାବେ ଏଡାଇବାକୁ ପରାମର୍ଶ ଦେଇଛନ୍ତି । ତେବେ, ଗୋଟିଏ ପଟେ ପାର୍ବଣ ଋତୁ ଆସିଛି ତ ଅନ୍ୟ ପଟେ ନିର୍ବାଚନ ଋତୁ ! ୨୦୨୨ରେ ପଂଚାୟତ ଏବଂ ସହରାଂଚଳ ନିର୍ବାଚନ ପାଇଁ ଓଡ଼ିଶାରେ ପ୍ରସ୍ତୁତ ଆରମ୍ଭ ହେଲାଣି । ୟୁପି, ପଂଜାବ ଭଳି କିଛି ରାଜ୍ୟରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଭଳି ସ୍ଥିତିରେ, ରାଜ୍ୟମାନେ ପାର୍ବଣରେ ସମାଗମକୁ ସିନା ରୋକି ଦେବେ, କିନ୍ତୁ ରାଜନୈତିକ କାର୍ଯ୍ୟକ୍ରମକୁ ରୋକି ପାରିବେ ତ (?) – ଆଜି ଦିନରେ ଏହା ବଡ଼ ପ୍ରଶ୍ନ ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS