ଚାଷୀଙ୍କୁ ନୁହେଁ, ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଦେଲେ ମୁଖ୍ୟମନ୍ତ୍ରୀ ?
ପ୍ରସାଦ ରାଓ
ଅଗଷ୍ଟ ୩୧
ନିର୍ବାଚନ ଆସିଲେ ସରକାରଙ୍କ ପ୍ରାଣ କାନ୍ଦେ ଚାଷୀଙ୍କ ପାଇଁ । ଅନ୍ୟ ସମୟରେ ସରକାର ନିଜର ରାଜନୈତିକ ବିଚାରଧାରାକୁ ନେଇ ରଂଗ ବଦଳାଇ ଥା’ନ୍ତି । ହରିୟାନାରେ ତାହା ହିଁ ଦେଖିବାକୁ ମିଳିଛି । ରାଜ୍ୟରେ ବିଜେପିର ସରକାର ରହିଛି । ମୁଖ୍ୟମନ୍ତ୍ରୀ ଅଛନ୍ତି ମନୋହରଲାଲ ଖଟ୍ଟର । କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ମାସ ହେଲା ବିଭିନ୍ନ ଚାଷୀ ସଂଗଠନ ଦିଲ୍ଲୀ ସୀମାନ୍ତରେ ଯେଉଁ ମିଳିତ ଆନ୍ଦୋଳନ ଚଳାଇଛନ୍ତି ସେଥିରେ ହରିୟାନା ଚାଷୀ ମଧ୍ୟ ଅଛନ୍ତି । ଚାଷୀ ଆନ୍ଦୋଳନ ପ୍ରତି କେନ୍ଦ୍ରର ଆଭିମୁଖ୍ୟ କାହାରିକୁ ଅଛପା ନାହିଁ । ହରିୟାନା ସରକାର ଏଥିରୁ ବାଦ୍ ପଡନ୍ତେ ବା କେମିତି ? ଗତ ୨୮ ତାରିଖ ଦିନ ହରିୟାନାର କର୍ଣ୍ଣଲାଠାରେ ଶାସକ ବିଜେପିର ଏକ କାର୍ଯ୍ୟକ୍ରମ ଥିଲା । ମୁଖ୍ୟମନ୍ତ୍ରୀ ଖଟ୍ଟର, ବିଜେପି ରାଜ୍ୟ ସଭାପତି ଓମ୍ ପ୍ରକାଶ ଧନକର ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସେଥିରେ ଯୋଗ ଦେଇଥିଲେ । ଏହି ସମୟରେ କର୍ଣ୍ଣଲର ଚାଷୀ ନିଜ ଦାବି ଉପସ୍ଥାପନ ପାଇଁ କାର୍ଯ୍ୟକ୍ରମ ଚାଲିଥିବା ସ୍ଥାନକୁ ଯିବା ସମୟରେ ପୁଲିସ ଚାଷୀଙ୍କୁ ରାସ୍ତାରେ ଅଟକାଇ ନିର୍ଦ୍ଧୁମ ଲାଠିମାଡ଼ କରିଥିଲା । ଅଭିଯୋଗ ଥିଲା, ଚାଷୀ ଟ୍ରାଫିକ୍ ଜାମ୍ କରିଛନ୍ତି । କୁହାଯାଉଛି, କର୍ଣ୍ଣଲ ଏସଡ଼ିଏମ୍ ପ୍ରତିବାଦକାରୀ ଚାଷୀଙ୍କୁ ଘଉଡାଇବାକୁ ଲାଠିମାଡ ସକାଶେ ପୁଲିସକୁ ନିର୍ଦେଶ ଦେଇଥିଲେ । ପୁଲିସର ଆଖିବୁଜା ଲାଠିମାଡ଼ରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟୁନ ୧୦ ଜଣ ଗରୁତର ଆହତ ହୋିଛନ୍ତି । ମୁଣ୍ଡ ଫାଟି ରକ୍ତରେ ଜୁଡୁବୁଡୁ ଚାଷୀଙ୍କ ଭିଡ଼ିଓ ଭାଇରାଲ ହେବା ପରେ ଏହା ତାଲିବାନୀ ଶାସନ ବୋଲି ଆକ୍ଷେପ ହୋଇଛି । ଲାଠିଚାର୍ଜ ପାଇଁ ପୁଲିସକୁ ନିର୍ଦେଶ ଦେଇଥିବା କର୍ଣ୍ଣଲ ଏସଡ଼ିଏମ (ସବ୍-ଡ଼ିଭିଜନାଲ ମାଜିଷ୍ଟ୍ରଟ) ଆଇଏଏସ ଆୟୁଷ ସିଂହଙ୍କୁ ତୁରନ୍ତ ନିଲମ୍ବନ କରାଯିବାକୁ ଚାଷୀ ସଂଗଠନ ଦାବି କରୁଛନ୍ତି । ହରିୟାନା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲା ଏସଡ଼ିଏମ ସିଂହଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ୨୯ ତାରିଖ ଦିନ ଚାଷୀ ସଂଗଠନଙ୍କୁ ପ୍ରତିଶ୍ରୁତି ଦେଇ ଥିଲେ । ତେବେ, ହରିୟାନା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଏସଡ଼ିଏମଙ୍କୁ ସୁରକ୍ଷା ଦେଇ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରିବା ହେଉଛି ପ୍ରଶାସନର ଧର୍ମ ବୋଲି କହିଛନ୍ତି । ଏସଡ଼ିଏମ୍ ଚାଷୀଙ୍କୁ ଲାଠିମାଡ଼ କରି ଭୁଲ କରି ନାହାନ୍ତି, ସେ ବ୍ୟବହାର କରିଥିବା କିଛି ଶବ୍ଦରେ ତୃଟି ରହିଛି ବୋଲି ସେ ଶନିବାର ଘଟଣାର ଭିଡ଼ିଓ ଦେଖି ଅନୁଭବ କରିଥିବା ଗଣମାଧ୍ୟମକୁ କହିଛନ୍ତି । ରାଜ୍ୟ ପୁଲିସ ମହାନିର୍ଦେଶକ ୨୮ ତାରିଖ ଘଟଣାର ତଦନ୍ତ କରୁଛନ୍ତି । ସ୍ଥାନୀୟ ପ୍ରଶାସନ ମଧ୍ୟ ତଦନ୍ତ କରୁଛି । ରିପୋର୍ଟ ଯେବେ ମିଳିବ କାର୍ଯ୍ୟାନୁଷ୍ଠାନ କଥା ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ରକ୍ତରଂଜିତ ଚାଷୀଙ୍କୁ ଉପହାସ କଲା ଭଳି କହିବା ଭୁଲ ହେବ ନାହିଁ । କର୍ଣ୍ଣଲ ଏସଡ଼ିଏମ୍ ଆୟୁଷ ସିଂହ, ପୁଲିସ ଇନିସପେକ୍ଟର ହରଜିନ୍ଦର ସିଂହ ଓ ଅନ୍ୟ କେତେକ ଅଧିକାରୀଙ୍କୁ ନିଲମ୍ବନ ଦାବିରେ ବିକେୟୁ (ଚାରୁନି) ଜାତୀୟ ସଭାପତି ଗୁରୁନାମ ସିଂହ ଚାରୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚାଷୀ ପଂଚାୟତରେ ଦାବି ଉଠି ଥିବା ବେଳେ ଖଟ୍ଟରଙ୍କ ମନ୍ତବ୍ୟ ଚାଷୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି । ବିକେୟୁ କହିଛି, ୨୮ ତାରିଖ ଶୋଭାଯାତ୍ରା ସମୟରେ ଚାଷୀଙ୍କ ଆଡୁ କୌଣସି ବିଶୃଙ୍ଖଳା ହୋଇ ନାହିଁ । ତଥାପି ଏସଡ଼ିଏମଙ୍କ ନିର୍ଦେଶରେ ପୁଲିସ ଓ ପ୍ରଶାସନ ସେମାନଙ୍କ ଉପରେ ଲାଠିମାଡ କରି ଚାଷୀଙ୍କ ରକ୍ତାକ୍ତ କରିବା ନିନ୍ଦନୀୟ । ସଂପୃକ୍ତ ଅଧିକାରମାନଙ୍କ ବିରୋଧରେ ପୁଲିସରେ ଏତଲା କରାଯିବା ସହ ପୁଲିସ ଲାଠିମାଡ଼ରେ ମୃତ ଚାଷୀ ସୁଶୀଲ କାଜଲଙ୍କ ପରିବାରକୁ ସରକାର ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରରୁ ଜଣକୁ ସରକାରୀ ନିଯୁକ୍ତି ଦେବା ଓ ଆହତ ଚାଷୀଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବା ପାଇଁ ଚାଷୀ ମହାପଂଚାୟତ ଦାବି କରିଛି । ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୭ ତାରିଖରୁ ଅନିର୍ଦ୍ଧିଷ୍ଟକାଳ ପାଇଁ କର୍ଣ୍ଣଲ ସେକ୍ରେଟେରିଏଟକୁ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ବିକେୟୁ ମୁଖ୍ୟ ରାକେଶ ଟିକାୟତ ୨୯ ତାରିଖ ଦିନ ନୁହାଠାରେ ଏକ ବିବୃତି ଦେଇ କର୍ଣ୍ଣଲରେ ପ୍ରତିବାଦକାରୀ ଚାଷୀଙ୍କ ଉପରେ ହୋଇଥିବା ପୁଲିସ ଲାଠିମାଡ଼କୁ ‘ତାଲିବାନୀ ଶାସନ’ କହି କଟାକ୍ଷ କରିଥିଲେ । କର୍ଣ୍ଣଲ ଏସଡ଼ିଏମଙ୍କ କାର୍ଯ୍ୟାନୁଷ୍ଠାନ ଗଣତନ୍ତ୍ରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଖଟ୍ଟର ମନ୍ତବ୍ୟ ଦେବା ପରେ ରାଜ୍ୟ ପୁଲିସ ମହାନିର୍ଦେଶକ ଓ ପ୍ରଶାସନର ତଦନ୍ତ କେତେ ନିରପେକ୍ଷ ହେବ, ତାହା ଅନୁମାନ ସାପେକ୍ଷ । କେନ୍ଦ୍ର ସରକାର ତିନି ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ସଂଗଠନଙ୍କୁ ଖାଲିସ୍ଥାନୀ, ଦେଶଦ୍ରୋହୀ କହି ଆଲୋଚନାରୁ ଦୂରେଇ ରହୁଥିବା ବେଳେ ଖଟ୍ଟର ସରକାରଙ୍କଠାରୁ ଅଧିକ କଣ ବା ଆଶା କରିବା !
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS