କେରଳରେ ‘ନିପା’ ଭାଇରସ୍, ୧୨ ବର୍ଷର ବାଳକର ମୃତ୍ୟୁ
ପ୍ରସାଦ ରାଓ
ସେପ୍ଟେମ୍ବର ୦୫
କେରଳରେ କରୋନା ସଂକ୍ରମଣ ବଢୁ ଥିବା ଚିନ୍ତାର କାରଣ ଥିବା ବେଳେ ଏବେ ବାହୁଡ଼ିଙ୍କ ଦ୍ୱାରା ବ୍ୟାପୁଥିବା ‘ନିପା’ ଭାଇରସ୍ (ଏନଆଇଭି)ରେ କୋଝିକୋଡ଼େ ଜିଲ୍ଲାରେ ଜଣେ ୧୨ ବର୍ଷ ବାଳକର ମୃତ୍ୟୁ ଘଟି ଥିବା ଜଣାପଡିଛି । ଶନିବାର ଦିନ ଗୁରୁତର ଅବସ୍ଥାରେ ବାଳକ ଜଣକୁ କେରଳର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ଭୋର ସମୟରେ ସଂପୃକ୍ତ ବାଳକର ମୃତ୍ୟୁ ଘଟିଛି । ମୃତ ବାଳକର ବିଭିନ୍ନ ନମୂନା ପୁଣେରେ ଥିବା ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ (ଏନଆଇଭି)କୁ ପଠା ଯାଇଥିଲା । ମୃତ୍ୟୁର କାରଣ ‘ନିପା’ ଭାଇରସ୍ ଜନିତ ବୋଲି ଶନିବାର ରାତିରେ ଏନଆଇଭି ସ୍ପଷ୍ଟ କରିଛି । ରାଜ୍ୟରେ ‘ନିପା’ ଭାଇରସ୍ ଗୁରୁତର ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଥିବାରୁ ରାଜ୍ୟ ସରକାରଙ୍କୁ ବିଶେଷଜ୍ଞ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ତୁରନ୍ତ ଏକ ବିଶେଷଜ୍ଞ ଦଳକୁ କେରଳ ପଠାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକାଧିକ ଟିମ୍ ଗଠନ କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଆଜି କହିଛନ୍ତି ।
କେରଳ ପାଇଁ ‘ନିପା’ ଭାଇରସ୍ ନୂଆ ନୁହେଁ । ୨୦୧୮ ମସିହା ମେ’ ମାସ ୧୯ ତାରିଖରେ କେରଳର କୋଝିକୋଡେ ଓ ମାଲ୍ଲାପୁରମ ଜିଲ୍ଲାରେ ଏହି ଭାଇରସ୍ ଜନିତ ସଂକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୧୮ ଜଣ ଆକ୍ରାନ୍ତ ହୋଇଥିଲେ । ଏହା ହେଉଛି ଏକ ଜୁନୋଟିକ୍ ଭାଇରସ୍ । ଆକ୍ରାନ୍ତ ବାଦୁଡ଼ିଙ୍କ ଲାଳ ଦ୍ୱାରା ଏହି ଭାଇରସ୍ ପଶୁ ଓ ମଣିଷ ଦେହକୁ ସଂକ୍ରମିତ ହେଉଛି । ସାଧାରଣତଃ ଘୁଷୁରି, କୁକୁର, ଘୋଡା ପ୍ରଭୃତି ପଶୁ ‘ନିପା’ ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥା’ନ୍ତି । ଏହି ଭାଇରସ୍ ମଣିଷଙ୍କୁ ସଂକ୍ରମିତ ହେଲେ ଘାତକ ପରିସ୍ଥିତି ସୃଷ୍ଟି ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ‘ନିପା’ ଭାଇରସ୍ ପଶୁଙ୍କ ମାଧ୍ୟମରେ ମଣିଷଙ୍କୁ ସଂକ୍ରମିତ ହୁଏ ଏବଂ ଅଧିକାଂଶ କ୍ଷେତ୍ରରେ ତାହା ମୃତ୍ୟୁର କାରଣ ହୋଇଥାଏ । ‘ନିପା’ ଦ୍ୱାରା ଆକ୍ରାନ୍ତ ଲୋକ ନିକଟରେ ମସ୍ତିଷ୍କ ଜ୍ୱର, ଜ୍ୱର ସହ ପ୍ରବଳ ମାତ୍ରାରେ କଫ ଜମି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା, ଶ୍ୱାସ-ପ୍ରଶ୍ୱାସ ନଳୀ ସଂକ୍ରମିତ ହେବା, ଜ୍ୱର, ମୁଣ୍ଡବ୍ୟଥା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି, ତଂଟି ବସିବା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖା ଦେଇଥାଏ । ଏନ୍ସେଫାଲାଇଟିସ୍ ଭଳି ନ୍ୟରୋଲୋଜି ସମସ୍ୟା ଓ ନିମୋନିଆ ମଧ୍ୟ ହୋଇଥାଏ ।
ନ୍ୟାସନାଲ ସେଂଟର ଫର୍ ଡ଼ିଜିଜ୍ କଂଟ୍ରୋଲ (ଏନସିଡ଼ିସି)ର ସୂଚନା ଅନୁଯାୟୀ, ‘ନିପା’ ଭାଇରସର ଇନକ୍ୟୁବେସନ ପିରିୟଡ ହେଉଛି ହାରାହାରି ୫ରୁ ୧୪ ଦିନ । ତେବେ, କିଛି କ୍ଷେତ୍ରରେ ତାହା ୪୫ ଦିନ ମଧ୍ୟ ହେଉଛି । ଫଳରେ, ରୋଗୀ ଅଜାଣତରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କୁ ଆକ୍ରାନ୍ତ କରୁଛି । ଆରଟି-ପିସିଆର ଟେଷ୍ଟ୍, ଆଲିସା ଟେଷ୍ଟ୍ ଭଳି କିଛି ଟେଷ୍ଟ ମାଧ୍ୟମରେ ଏହି ଭାଇରସକୁ ଚିହ୍ନଟ କରି ହୁଏ । ତେବେ, ଗ୍ରାମାଂଚଳରେ ଏସବୁ ଟେଷ୍ଟ୍ ର ସୁବିଧା କମ୍ ଥିବାରୁ ସେମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହୁଛି । ବାଦୁଡ଼ିଙ୍କ ଲାଳରୁ ଏହି ଭାଇରସ୍ ବ୍ୟାପୁ ଥିବାରୁ ଫଳ ତୋଳିବା ସକାଶେ ଗଛରେ ଚଢିବା ସମୟରେ ବା ମାଟିରେ ଖସି ପଡି ଥିବା ଫଳକୁ ଗୋଟାଇ ଖାଇଲେ ‘ନିପା’ରେ ସଂକ୍ରମିତ ହେବା ସମ୍ଭାବନା ଅଧିକ ।
ବର୍ତ୍ତମାନ ସୁଦ୍ଧା ମାଲୋସିୟା, ସିଂଗାପୁର, ବାଂଲାଦେଶ ଓ ଭାରତର ପଶ୍ଚିମ ବଂଗ ଏବଂ କେରଳ ରାଜ୍ୟରେ ‘ନିପା’ର ସଂକ୍ରମଣ ଦେଖିବାକୁ ମିଳିଛି । ତେବେ, ବାଦୁଡ଼ି ମାଧ୍ୟମରେ ଏହି ରୋଗ ଦେଶର ଅନ୍ୟ ଅଂଚଳକୁ ବ୍ୟାପିବା କିଛି ଅସମ୍ଭବ ନୁହେଁ ବୋଲି ଏନସିଡ଼ିସି କହିଛି । ‘ନିପା’ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ମଣିଷ ବା ପଶୁଙ୍କ ଶରୀରକୁ ଛୁଇଁବା ସମୟରେ ସ୍ୱାସ୍ଥ୍ୟ ବିଭାଗ ଗାଇଡ଼ ଲାଇନକୁ ମାନିବାକୁ, ଗଛ ମୂଳରେ ପଡି ରହି ଥିବା ଅଧା ଖିଆ ଫଳ ଗୋଟାଇ ନ ଖାଇବାକୁ ଏବଂ ଅସୁସ୍ଥ ପଶୁଙ୍କ ଚିକିତ୍ସା ସମୟରେ ହାତରେ ଗ୍ଲୋଭସ୍ ପରିଧାନ କରିବାକୁ ଏନସିଡ଼ିସି ପରାମର୍ଶ ଦେଇଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS