ପିପିଲିରେ ରାଜନୈତିକ ଉଷ୍ଣତା ନାହିିଁ, ସଭିଙ୍କ ନଜର ଏବେ ଭବାନୀପୁର ଉପରେ
ପ୍ରସାଦ ରାଓ
ସେପ୍ଟେମ୍ବର ୦୬
ଓଡ଼ିଶାର ପିପିଲି ବିଧାନସଭା ଆସନ ସମେତ ପଶ୍ଚିମ ବଂଗର ତିନିଟି ବିଧାନସଭା ଆସନରେ ସେପ୍ଟେମ୍ବର ୩୦ରେ ଉପ ନିର୍ବାଚନ ହେବାକୁ ଯାଉଛି । କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ ଆୟୁକ୍ତ ତିନିଟି ଲୋକସଭା ଓ ୩୧ଟି ବିଧାନସଭା ଆସନରେ ଭୋଟକୁ ଟାଳି ଦେଇ ଥିବା ବେଳେ ପିପିଲି ଏବଂ ପଶ୍ଚିମ ବଂଗର ଭବାନୀପୁର ସମେତ ତିନିଟି ବିଧାନସଭା ଆସନରେ ୩୦ ତାରିଖ ଦିନ ଉପ ନିର୍ବାଚନ କରାଉଛନ୍ତି । ନିର୍ବାଚନ ଆୟୁକ୍ତଙ୍କ ଏହି ଘୋଷଣା ପରେ ଉଭୟ ଓଡ଼ିଶା ଏବଂ ପଶ୍ଚିମ ବଂଗ ସରକାର ଆଶ୍ୱସ୍ତ ହୋଇଛନ୍ତି ।
୨୦୨୦ ଅକ୍ଟୋବରରେ ପିପିଲି ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ଆକସ୍ମିକ ବିୟୋଗ (କୋଭିଡ଼ ଜନିତ) ପରେ ଏହି ଆସନ ପାଇଁ ଉପ ନିର୍ବାଚନ ହୋଇ ପାରି ନାହିଁ । ନିୟମ ଅନୁସାରେ ଛଅ ମାସ ମଧ୍ୟରେ ପିପିଲି ଆସନ ପାଇଁ ଉପ ନିର୍ବାଚନ ହେବା କଥା । କିନ୍ତୁ, ସେଥିରେ କୋଭିଡ଼ ପରିସ୍ଥିତି ବାଧକ ସାଜି ଥିଲା । ନିର୍ବାଚନ ଆୟୁକ୍ତ ପିପିଲି ଆସନରେ ଉପ ନିର୍ବାଚନ କରାଇବାକୁ ଦୁଇ ଦୁଇ ଥର ତାରିଖ ଘୋଷଣା କରି ଥିଲେ ମଧ୍ୟ ବିଭିନ୍ନ କାରଣରୁ ଶେଷ ମୁହୂର୍ତ୍ତରେ ଭୋଟ ସ୍ଥଗିତ ରହି ଥିଲା । ପିପିଲି ପାଇଁ ତୁରନ୍ତ ଏହି ଉପ ନିର୍ବାଚନ ହେଉ ବୋଲି ଅଂଚଳବାସୀ ଓ ରାଜ୍ୟ ସରକାରଙ୍କ ଦାବି ଥିଲା । ସେପ୍ଟେମ୍ବର ୩୦ରେ ଉପ ନିର୍ବାଚନ ହେବ ବୋଲି ନିର୍ବାଚନ ଆୟୁକ୍ତ ତାରିଖ ଘୋଷଣା କରିବା ପରେ ଅଂଚଳବାସୀ ଆଶ୍ୱସ୍ତ ହୋଇଛନ୍ତି । ତେବେ, ପୂର୍ବରୁ ଦାଖଲ ହୋଇଥିବା ପ୍ରାର୍ଥପତ୍ର ସବୁ କାଏମ ଥିବାରୁ ଏବଂ କେଉଁ ଦଳରୁ କିଏ ପ୍ରାର୍ଥୀ ଅଛନ୍ତି ତାହା ସମସ୍ତେ ଅବଗତ ଥିବାରୁ ସେପ୍ଟେମ୍ବର ୩୦ ଉପ ନିର୍ବାଚନକୁ ନେଇ ସେତେଟା ତାତି ନ ଥିବା ଦେଖିବାକୁ ମିଳୁଛି ।
ତେବେ, ପଶ୍ଚିମ ବଂଗରେ ୩୦ ତାରିଖରେ ହେବାକୁ ଥିବା ଉପ ନିର୍ବାଚନ ରାଜ୍ୟ ପାଇଁ ବେଶ୍ ମହତ୍ୱ ରଖୁଛି । ରାଜ୍ୟର ଯେଉଁ ତିନିଟି ବିଧାନସଭା ଆସନରେ ୩୦ ତାରିଖ ଉପ ନିର୍ବାଚନ ହେବ ସେଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ଆସନ ରହିଛି । ଗତ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ପଶ୍ଚିମ ବଂରେ ଆଠ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହୋଇଥିଲା । ସେଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ଥିଲେ ମଧ୍ୟ ତାଙ୍କ ଚିରାଚରିତ ଭବାନୀପୁର ଆସନ ଛାଡି ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇ ଥିଲେ । ଏକଦା ତୃଣମୂଳ କଂଗ୍ରେସରେ ତାଙ୍କ ଘନିଷ୍ଟ ସହଯୋଗୀ ଥିବା ଶୁଭେନ୍ଦୁ ଅଧିକାରୀ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଦ୍ୱାରା ପ୍ରଲୋଭିତ ହୋଇ ଦଳତ୍ୟାଗ କରିଥିଲେ ଏବଂ ବିଜେପି ପକ୍ଷରୁ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହୋଇଥିଲେ । ମମତା ତାଙ୍କ ସହ ଲଢନ୍ତୁ ବୋଲି ଶୁଭେନ୍ଦୁ ଚ୍ୟାଲେଂଜ ଦେବାରୁ ମମତା ନନ୍ଦିଗ୍ରାମ ଆସନରୁ ଲଢି ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହେଲେ ।
ନିଜର ପରାଜୟ ସତ୍ତ୍ୱେ ମମତା ରାଜ୍ୟ ବିଧାନସଭା ନିର୍ବାଚନରେ ଆବଶ୍ୟକ ସଂଖ୍ୟାଗରିଷ୍ଠତାରୁ ଯଥେଷ୍ଟ ଅଧିକ ସଂଖ୍ୟକ ଆସନରେ ବିଜୟୀ ହୋଇ ଗତ ମେ’ ୫ରେ ସରକାର ଗଢିଛନ୍ତି ଏବଂ ଲଗାତର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ସେ ଛଅ ମାସ ମଧ୍ୟରେ ରାଜ୍ୟର ଯେକୌଣସି ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହେବାକୁ ବାଧ୍ୟ । ନଭେମ୍ବର ୫ ଡେଡ୍ ଲାଇନ୍ ଥିବା ବେଳେ ନିର୍ବାଚନ ଆୟୁକ୍ତଙ୍କ ଉପରେ ସମସ୍ତଙ୍କ ନଜର ଥିଲା । ଗତ ବିଧାନସଭା ନିର୍ବାଚନ ସମୟରେ ଭାରତୀୟ ନିର୍ବାଚନ ଆୟୁକ୍ତ କେନ୍ଦ୍ର ସରକାରଙ୍କ ପକ୍ଷଭୁକ୍ତ ଥିବା ଭଳି ଅନେକ ନିଷ୍ପତ୍ତି ନେଇ ଥିବାରୁ ମମତାଙ୍କ ହଟ୍ଟହଟା କରିବା ପାଇଁ ଉପ ନିର୍ବାଚନକୁ ଟାଳି ପାରନ୍ତି ବୋଲି ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଉଥିଲା । ଛଅ ମାସିଆ ଡେଡ୍ ଲାଇନ୍ ଭିତରେ ପଶ୍ଚିମ ବଂଗରେ ଉପ ନିର୍ବାଚନ ନହେଲେ ଯେଉଁ ସାମ୍ବିଧାନିକ ସଂକଟ ସୃଷ୍ଟି ହେବ ତାହାକୁ ଏଡାଇବା ପାଇଁ ଟିଏମସି ସରକାର ବିକଳ୍ପ ରଣନୀତି ପ୍ରସ୍ତୁତ କରୁଥିଲେ । ତେବେ, ସମସ୍ତ ପ୍ରକାଣ ନକାରାତ୍ମକ ଭାବନାକୁ ଭୁଲ ପ୍ରମାଣିତ କରି ନିର୍ବାଚନ ଆୟୁକ୍ତ ପଶ୍ଚିମ ବଂଗରେ ବିଧାନସଭା ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଓଡ଼ିଶାର ପିପିଲି ଆସନ ସହ ପଶ୍ଚିମ ବଂଗ ସରକାରଙ୍କ ‘ସ୍ୱତନ୍ତ୍ର ଅନୁରୋଧ’କୁ ରକ୍ଷା କରି ନିର୍ବାଚନ ଆୟୁକ୍ତ ସେପ୍ଟେମ୍ବର ୩୦ର ଉପ ନିର୍ବାଚନ କରାଇବାକୁ ତାରିଖ ଘୋଷଣା କରି ଥିବାରୁ ମମତା ଆଶ୍ୱସ୍ତ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ତିନି ଦଶନ୍ଧୀ ଧରି ଚାଲିଥିବା କମ୍ୟୁନିଷ୍ଟ ଶାସନର ଅନ୍ତଃ ଘଟାଇ ୨୦୧୧ରେ ତାଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି)କୁ କ୍ଷମତାକୁ ଆଣିଥିଲେ । ସେବେଠାରୁ ଲଗାତର ଭାବେ ରାଜ୍ୟରେ ଟିଏମସି ଶାସନ ଚାଲିଛି । ଭବାନୀପୁର ଆସନ ମମତାଙ୍କ ଦୁର୍ଗ ହୋଇ ରହିଛି । ଶୁଭେନ୍ଦୁଙ୍କ ଚ୍ୟାଲେଂଜକୁ ଗ୍ରହଣ କରି ମମତା ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ ହେବାରୁ ଭବାନୀପୁର ଆସନରୁ ରାଜ୍ୟ କୃଷି ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ ନିର୍ବାଚନ ଲଢି ଥିଲେ ଏବଂ ୨୮ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ, ମମତା ନନ୍ଦିଗ୍ରାମ ଆସନରେ ହାରି ଥିବା ଦୃଷ୍ଟିରୁ ଚଟ୍ଟୋପାଧ୍ୟାୟ ମେ’ ୨୧ରେ ବିଧାୟକ ପଦରୁ ଇସ୍ତଫା ଦେଇ ମମତାଙ୍କ ପାଇଁ ଭବାନୀପୁର ଆସନ ଖାଲି କରିଛନ୍ତି । ୨୦୧୧ରୁ ଭବାନୀପୁର ମମତାଙ୍କ ରାଜନୈତିକ ଦୂର୍ଗ ରହିଛି । ତେଣୁ, ସେପ୍ଟେମ୍ବର ୩୦ ଉପ ନିର୍ବାଚନରେ ତାଙ୍କର ସହଜ ବିଜୟ ହେବ ବୋଲି ଟିଏମସି ଆଶା କରୁଛି । ତଥାପି, ବିଜେପିର ରଣନୀତି ଉପରେ ସମସ୍ତଙ୍କ ଆଖି ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS