ପାୱାରଙ୍କ କଟାକ୍ଷ, ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ମୁହାଁମୁହିଁ
ପ୍ରସାଦ ରାଓ
ସେପ୍ଟେମ୍ବର ୧୪
୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଧରାଶାୟୀ କରିବା ପାଇଁ ବିରୋଧୀ ଦଳମାନେ ଏକ ବିକଳ୍ପ ମେଂଟ ଗଠନ ଦିଗରେ ଅଗ୍ରସର ହେଉଥିବା ବେଳେ ବିରୋଧୀ ନେତାଙ୍କ ମଧ୍ୟରେ ମଝିରେ ମଝିରେ ଚାଲି ଥିବା ଖୁଂପୁରା ଖୁପୁରି ବିରୋଧୀ ଏକତା ପ୍ରତି ବିପଦ ସୃଷ୍ଟି କରୁଛି । ନିକଟରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପାର୍ଟ ଅଧ୍ୟକ୍ଷା କଂଗ୍ରେସକୁ କଟାକ୍ଷ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଏବେ, ଏନସିପି ମୁଖ୍ୟ ଶରଦ ପାୱାର ମୁମ୍ବାଇରେ ଏକ ନ୍ୟୁଜ୍ ପୋର୍ଟାଲକୁ ସାକ୍ଷାତକାର ଦେଇ କଂଗ୍ରେସକୁ ଦର୍ପଣ ଦେଖାଇଛନ୍ତି । ଏଆଇସିସି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସକୁ ସେ ସମାଲୋଚନା କରିବା ପରେ ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ମୁହାଁମୁହିଁ ହୋଇଛନ୍ତିି ।
ପାୱାର ଗତ ସପ୍ତାହରେ ଏହି ସାକ୍ଷାତକାର ଦେଇଥିଲେ । ସୋନିଆଙ୍କ ଦ୍ୱାରା ପରିଚାଳିତ କଂଗ୍ରେସ ଦଳକୁ ‘ସର୍ବସ୍ୱ ହରାଇ ଥିବା ଜଣେ ଜମିଦାର’ଙ୍କ ସହ ତୁଳନା କରି ପାୱାର ଯେଉଁ କାହାଣୀ ଶୁଣାଇଛନ୍ତି ତାହା ଏଭଳି । ଉତ୍ତର ପ୍ରଦେଶର ଜଣେ ଜମିଦାରଙ୍କ ମାଲିକାନାରେ ବହୁ ପରିମାଣର ଜମି ଓ ଗୋଟିଏ ସୁଦୃଶ୍ୟ ପ୍ରାସାଦ ଥିଲା । ସମୟକ୍ରମେ ସେଥିରୁ ଅଧିକାଂଶ ଭାଗ ଜମି ସେ ହରାଇଛନ୍ତି । ପ୍ରାସାଦଟି କେବଳ ତାଙ୍କ ମାଲିକାନାରେ ରହିଛି । ତେବେ, ତାହାର ମରାମତି କରାଇବାକୁ ସେ ସକ୍ଷମ ନୁହନ୍ତି । କିନ୍ତୁ, କଥା ପଡିଲେ ସବୁ ଜମି ତାଙ୍କର ବୋଲି ଜମିଦାର ଜଣକ କହୁଛନ୍ତି, ଯାହାକି କେବଳ ଏକ ଅତୀତ । ଦିନ କଂଗ୍ରେସ ଦଳର ପତିଆରା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା – ତାହା ସ୍ୱୀକାର୍ଯ୍ୟ । ତେବେ, ଆଜି ସେହି ସ୍ଥିତି ନାହିଁ । ଏହାସତ୍ତ୍ୱେ ନେତୃତ୍ୱ ପ୍ରସଙ୍ଗରେ କଂଗ୍ରେସ ନେତୃବର୍ଗ ଅତ୍ୟନ୍ତ ସ୍ପର୍ଶକାତର ଏବଂ କୌଣସି ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ପାୱାର ମନ୍ତବ୍ୟ ଦେଇଛନ୍ତି ।
ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ମୁଖପାତ୍ର ନୱାବ ମଲ୍ଲିକ ମଧ୍ୟ କାହାରି ନାମ ନ ନେଇ, ନେତାମାନେ କାହିଁକି ଦଳ (କଂଗ୍ରେସ) ଛାଡି ଚାଲି ଯାଉଛନ୍ତି ଓ ନିଜ ଉଦ୍ୟମରେ ନିର୍ବାଚନ ଲଢି ଜିତୁଛନ୍ତି ବୋଲି କଂଗ୍ରେସକୁ କଟାକ୍ଷ କରିଛନ୍ତି । ପାୱାର ଓ ନୱାବ ମଲ୍ଲିକଙ୍କ କଟାକ୍ଷ ମହାରାଷ୍ଟ୍ର କଂଗ୍ରେସରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ପ୍ରଦେଶ କଂଗ୍ରେସ ସଭାପତି ନାନା ପାଟୋଲେ ପ୍ରତିକ୍ରିୟାରେ କହିଛନ୍ତି, କଂଗ୍ରେସ ଦଳ ଯେଉଁମାନଙ୍କ ହାତରେ କ୍ଷମତା ଅର୍ପଣ କରିଛି ସେହିମାନେ ହିଁ ଦଳ ସହ ବିଶ୍ୱାସଘାତ କରିଛନ୍ତି । ରାଜ୍ୟରେ କଂଗ୍ରେସ ଓ ଏନସିପି ସମର୍ଥନରେ ଶିବସେନା ସରକାର ଚାଲି ଥିବା ବେଳେ ଏନସିପି-କଂଗ୍ରେସ ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରକୁ ପ୍ରଭାବିତ କରିବା ଆଶଙ୍କା ରହିଛି । ତେବେ, ପାୱାର ସମାଲୋଚନାକୁ ସକାରାତ୍ମକ ଦୃଷ୍ଟିରେ ନେବାକୁ କଂଗ୍ରେସକୁ ପରାମର୍ଶ ଦେଇ ଜାତୀୟସ୍ତରରେ ବିଜେପି ବିରୋଧରେ ଏକ ବିକଳ୍ପ ବିରୋଧୀ ମେଂଟ ପରିକଳ୍ପନାରେ କଂଗ୍ରେସର ମଧ୍ୟ ଭୂମିକା ଥିବା ମନେ ପକାଇଛନ୍ତି । ତଥାପି, କଂଗ୍ରେସ ହଇକମାଣ୍ଡ ପାୱାରଙ୍କ ଟିପ୍ପଣୀଙ୍କୁ କେତେଦୂର ଗମ୍ଭୀରତା ସହ ନେଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS